ଯେତେବେଳେ ବାପା, ମାଆ ଛଅ ବର୍ଷର ପୁଅକୁ ସହର ଠାରୁ ଅନେକ ଦୂରସ୍ଥ ଭଲ ବୋର୍ଡି˚ ସ୍କୁଲକୁ ପଠାଇବେ ବୋଲି ଭାବିଲେ ସେତିକି ବେଳେ ନାନା ପ୍ରକାର ଚିନ୍ତା ଜାତ ହେବା ଥିଲା ସ୍ବାଭାବିକ। କିନ୍ତୁ ଏ କ୍ଷେତ୍ରରେ ତାହା ହେଲା ନାହିଁ। କାରଣ ପୁଅଟି ଯେଉଁ ସ୍କୁଲକୁ ଗଲା, ସେଇ ସ୍କୁଲର ପ୍ରିନ୍ସିପାଲ ଥିଲେ ପିଲାର ବାପାଙ୍କ ସ୍କୁଲ ବେଳର ଘନିଷ୍ଠ ବନ୍ଧୁ। ବନ୍ଧୁ ପୁତ୍ର ତାଙ୍କ ସ୍କୁଲକୁ ପଢ଼ିବାକୁ ଆସୁଛି ଶୁଣି ପ୍ରିନ୍ସିପାଲ ଫୋନ୍ରେ କହିଲେ- ତୁମ ପୁଅ ଲାଗି ଚିନ୍ତା କରନାହିଁ। ଏଠି ମୁଁ ଅଛି।
ପୁଅର ମାଆ କହିଲେ- ଯାହାହେଉ ଚିନ୍ତା ଗଲା। କାରଣ ଏତେ ଦୂରରେ ବି ଯତ୍ନ ନେବା ଲାଗି ତୁମ ବନ୍ଧୁ ଅଛନ୍ତି।
ଏଥର ପିଲାଟି ପଢ଼ିବାକୁ ଗଲା। କିନ୍ତୁ ବାପାମାଆ ଯେମିତି ଭାବିଥିଲେ ସେମିତି ହେଲା ନାହିଁ। ସ୍କୁଲରେ ପ୍ରିନ୍ସିପାଲ ଥିଲେ ଭାରି କଡ଼ା। ସେ ବନ୍ଧୁ ପୁଅ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ ନାହିଁ। କଥା କଥାକେ ପିଲା ତାଙ୍କ ଠାରୁ ଗାଳି ଖାଇଲା। ତେଣୁ, ସବୁ ଦିନ କାନ୍ଦି କାନ୍ଦି ବାପାଙ୍କୁ ଫୋନ୍ରେ କହିଲା- ମୋତେ ଏଠାରୁ ନେଇଯାଅ।
ବାପା ଆଉ ସମ୍ଭାଳି ପାରିଲେ ନାହିଁ। ସେ ପ୍ରିନ୍ସିପାଲ ବନ୍ଧୁଙ୍କୁ ଫୋନ୍ରେ କହିଲେ- ମୁଁ ଭାବିଥିଲି ମୋ ପିଲା ସେଠି ଭଲରେ ରହିବ। କିନ୍ତୁ ତାହା ହେଲା ନାହିଁ। ମୋ ପୁଅକୁ ମୁଁ ସେଠାରୁ ନେଇ ଆସିବାକୁ ଚାହେଁ।
ବନ୍ଧୁ ଏଥର କଠୋର ଗଳାରେ କହିଲେ- ସେ ଭୁଲ୍ କରନାହିଁ। ବାପା ହିସାବରେ ତୁମେ ତୁମ ପୁଅ ଲାଗି ଯଥେଷ୍ଟ କ୍ଷତି କରିସାରିଛ। ଆଉ ନୁହେଁ। ତୁମ ପାଇଁ ତୁମ ପୁଅ ହୁଏତ ଗେହ୍ଲା, କିନ୍ତୁ ମୋ ଆଗରେ ସେ ଜିଦିଆ ଆଉ ଉଦ୍ଧତ। ଜଣେ ପିତାର ଚକ୍ଷୁରେ ନିଜ ପୁଅକୁ ଦେଖି ତୁମେ ତା’ର ଦୁର୍ବଳତା ପ୍ରତି ଆଖି ବୁଜିଦେଇପାର, କିନ୍ତୁ ତୁମେ ତା’ର ଶୁଭଚିନ୍ତକ ନୁହେଁ।