ସାମାଜିକ ଗଣମାଧ୍ୟମର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୦ ବର୍ଷ ମଧ୍ୟରେ ଏହା ଆମ ଦୈନନ୍ଦିନ ଜୀବନର ଅଂଶରେ ପରିଣତ ହୋଇଯାଇଛି। ନିଜ ଭାବ ଏବଂ ବକ୍ତବ୍ୟକୁ ପ୍ରକାଶ କରିବା ସହିତ ନୂତନ ଲୋକସଂପର୍କ ଗଢ଼ିବାରେ ଏହା ଏକ ସମର୍ଥ ମାଧ୍ୟମ ପାଲଟିଛି। ଏହି ମଞ୍ଚରେ ଆବିର୍ଭୂତ ହୋଇ ଅପରିଚିତ ଲୋକମାନଙ୍କ ଠାରୁ ‘ଲାଇକ୍‌’ ବା ଶ୍ରଦ୍ଧା ପାଇବାର ଆକର୍ଷଣ ଅନେକଙ୍କ ଲାଗି ଏକ ନିଶାରେ ମଧ୍ୟ ପରିଣତ ହେଲାଣି।

Advertisment

ଭାରତରେ ପ୍ରାୟ ୫୦ କୋଟି ଲୋକ ଦୈନିକ ସାମାଜିକ ଗଣମାଧ୍ୟମ ସହିତ ସଂପୃକ୍ତ ରହୁଛନ୍ତି; ଦିନକୁ ପ୍ରାୟ ୪୦ କୋଟି ଲୋକ ‘ହ୍ବାଟ୍‌ସଆପ୍‌’ର ବ୍ୟବହାର କରୁଥିବା ବେଳେ ଫେସ୍‌ବୁକ୍‌ ସହିତ ପ୍ରାୟ ୨୩ କୋଟି, ଇନ୍‌ଷ୍ଟାଗ୍ରାମ ସହିତ ମଧ୍ୟ ପ୍ରାୟ ୨୩ କୋଟି ଲୋକ ଦୈନନ୍ଦିନ ଭିତ୍ତିରେ ଯୋଡ଼ି ହୋଇରହୁଛନ୍ତି ଏବଂ ସେମାନେ ଦିନକୁ ହାରାହାରି ପ୍ରାୟ ଦୁଇ ଘଣ୍ଟାରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ସମୟ ଏହି ସବୁ ସାମାଜିକ ଗଣମାଧ୍ୟମ ସହିତ ବିତାଉଛନ୍ତି। ବଡ଼ କଥା ହେଲା ସବୁ ବୟସ ବର୍ଗରେ ଲୋକେ ସାମାଜିକ ଗଣମାଧ୍ୟମ ସହିତ ଅଧିକ ସମୟ କାଟୁଛନ୍ତି ଏବଂ ତହିଁରେ ବିଭୋର ହୋଇ ଯାଉଛନ୍ତି।

ସାମାଜିକ ଗଣମାଧ୍ୟମରେ ଯାହା ସର୍ବାଧିକ ଲୋକପ୍ରିୟତା ହାସଲ କରିଛି, ତାହା ହେଲା ‘ଭିଡିଓ’ ପୋଷ୍ଟିଂ। ସାଧାରଣତଃ ‘ଭିଡିଓ’ ବା ଚଳତ୍‌ ଚିତ୍ରଗୁଡ଼ିକ ଜୀବନ୍ତ ହୋଇଥିବାରୁ ସେ ସବୁକୁ ଦେଖିବା ସକାଶେ ସ୍ବାଭାବିକ ଭାବେ ଅଧିକ ଆଗ୍ରହ ସୃଷ୍ଟି ହୋଇଥାଏ। ତେଣୁ ସାମାଜିକ ଗଣମାଧ୍ୟମରେ ମୁଖ୍ୟତଃ ‘ଭିଡିଓ’ଗୁଡ଼ିକ ହିଁ ଭାଇରାଲ ହୋଇଥାଏ ଅର୍ଥାତ୍‌ ଅସଂଖ୍ୟ ଦର୍ଶକ ତାକୁ ଦେଖିବା ସହିତ ‘ସେୟାର୍‌’ କରି ବା ତା’ର ପ୍ରସାର ଘଟାଇ ଅଧିକରୁ ଅଧିକ ଦର୍ଶକଙ୍କୁ ଟାଣନ୍ତି। ତେଣୁ କୌଣସି ‘ଭିଡିଓ’ ପ୍ରସ୍ତୁତକାରୀ ସର୍ବଦା ତାକୁ ଭାଇରାଲ କରିବାକୁ ଚାହାନ୍ତି। ଅବଶ୍ୟ ଏହା ଭିନ୍ନ କଥା ଯେ ‘ୟୁଟ୍ୟୁବ୍‌’ ଭଳି ଚ୍ୟାନେଲରେ ଅଧିକ ଦର୍ଶକ ଦେଖୁଥିବା ଭିଡିଓ ସକାଶେ ଏହାର ପ୍ରସ୍ତୁତକର୍ତ୍ତା ବେଶ୍‌ ମୋଟା ପରିମାଣର ଅର୍ଥ ପାଆନ୍ତି, ଯାହା କ୍ରମେ ସେମାନଙ୍କ ଲାଗି ରୋଜଗାରର ସ୍ରୋ‌ତ ମଧ୍ୟ ପାଲଟିଥାଏ; କିନ୍ତୁ ବଡ଼ କଥା ହେଲା ଏହିଭଳି ‘ଭିଡିଓ’ ପ୍ରସ୍ତୁତ କରୁଥିବା ଜଣେ ସାଧାରଣ ବ୍ୟକ୍ତି ତା’ର ଜନାଦୃତି ହେତୁ ନିଜକୁ ଏକ ଜନନାୟକ ରୂପେ ମଧ୍ୟ ପାଇଥାଏ। ତେଣୁ ଏଭଳି ବ୍ୟକ୍ତିମାନଙ୍କୁ ଇଂରେଜୀରେ ‘ସୋସିଆଲ ଇନ୍‌ଫ୍ଲୁଏନ୍‌ସର’ ବା ‘ସାମାଜିକ ପ୍ରଭାବ ସୃଷ୍ଟିକାରୀ’ ବୋଲି ମଧ୍ୟ କୁହାଯାଉଛି। କିନ୍ତୁ ଏଭଳି ଜନନାୟକ ସୁଲଭ ଯଶ ଲାଭର ଲାଳସା ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଏଭଳି ଗ୍ରାସ କଲାଣି ଯେ ଆଗ୍ରହାତିଶଯ୍ୟରେ ସେମାନେ ଚରମ ବିକୃତି ମଧ୍ୟ ପ୍ରଦର୍ଶନ କଲେଣି।

ଯେତେବେଳେ ନୂତନ ଭାବେ ସାମାଜିକ ଗଣମାଧ୍ୟମ ଲୋକପ୍ରିୟ ହେବା ଆରମ୍ଭ କରିଥିଲା, ସେତିକି ବେଳେ ଅନେକ ସାଧାରଣ ଲୋକ ନିଜ ମୋବାଇଲ୍‌ କ୍ୟାମେରାରେ ଅନେକ ଦୁର୍ନୀତି, ଅପକର୍ମ ଏବଂ ଅପରାଧମାନର ଭିଡିଓ ପ୍ରସାର କରିବା ଆରମ୍ଭ କରିଥିଲେ, ଯାହା ଜରିଆରେ ଦୋଷୀ ଦଣ୍ଡିତ ମଧ୍ୟ ହେଲେ। ସେମାନଙ୍କୁ ଅତି ଉତ୍ସାହର ସହିତ ‘ସିଟିଜନ ଜର୍ନାଲିଷ୍ଟ’ ବା ‘ନାଗରିକ ସାମ୍ବାଦିକ’ ବୋଲି ମଧ୍ୟ ଆଖ୍ୟା ଦିଆଗଲା। ହେଲେ, ସେହି ନାଗରିକ ସାମ୍ବାଦିକତା ବର୍ତ୍ତମାନ କିଭଳି ନିମ୍ନ ସ୍ତରକୁ ଗଲାଣି, ସେ ବିଷୟରେ ଅଧିକ କୁହାଯିବାର ଆବଶ୍ୟକତା ନାହିଁ। ମିଛ ଖବର, ଗୁଜବ, ଅତ୍ୟନ୍ତ ତିକ୍ତ ବ୍ୟକ୍ତିଗତ କୁତ୍ସା ରଟନା, ଅଶ୍ଳୀଳତାର ପ୍ରଚାର ଆଦି ନାଗରିକ ସାମ୍ବାଦିକତାର ରୂପ ପରିଗ୍ରହଣ କରି ସାମାଜିକ ଗଣମାଧ୍ୟମକୁ ଅକ୍ତିଆର କରି ବସିଛି। ଏହାର କାରଣ ଏଭଳି କରି ତଥାକଥିତ ‘ନାଗରିକ ସାମ୍ବାଦିକ’ ଏବଂ କେତେକ ସ୍ଥଳରେ କିଛି ‘ସୋସିଆଲ୍‌ ଇନ୍‌ଫ୍ଲୁଏନ୍‌ସର’ ଏକ ବ୍ୟାପକ ଚିତ୍ତ ଚାଞ୍ଚଲ୍ୟ ସୃଷ୍ଟି କରି ଅଧିକରୁ ଅଧିକ ‘ଲାଇକ୍’ ପାଇବାରେ ଲାଗିଛନ୍ତି। କିନ୍ତୁ ଏହା ଦ୍ବାରା ଅନେକ ଅପ୍ରୀତିକର ସ୍ଥିତି, ଦଙ୍ଗା ଓ ପାରସ୍ପରିକ ତିକ୍ତତା ଆଦି ସୃଷ୍ଟି ହେଉଛି। ଏହାର ସଦ୍ୟତମ ଉଦାହରଣ ହେଲା କିଛି ଦିନ ତଳେ ମିଛ ଭିଡିଓ ପୋ‌ଷ୍ଟ କରି ତାମିଲ ଏବଂ ବିହାରୀମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟିର ଉଦ୍ୟମ, ଯାହାକୁ ପ୍ରଶମିତ କରିବା ଲାଗି ତାମିଲନାଡୁ ସରକାରଙ୍କୁ ବିଜ୍ଞାପନ ଜରିଆରେ ଶାନ୍ତି ରକ୍ଷା ସକା‌େଶ ନିବେଦନ କରିବାକୁ ପଡ଼ିଲା ଏବଂ ଏ ସବୁ ମିଛ ଭିଡିଓ ବୋଲି ଖୁବ୍‌ ଶୀଘ୍ର ପ୍ରମାଣିତ ମଧ୍ୟ ହେଲା। ଏଭଳି ଉଦାହରଣ ଏବେ ଅସଂଖ୍ୟ। ଏହା ସାମାଜିକ ଗଣମାଧ୍ୟମର ଅଭିଶାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କିନ୍ତୁ ଏହାର ବ୍ୟବହାରକାରୀମାନେ ଏଥିରୁ ପାଉଥିବା ନିଷିଦ୍ଧ ଓ ଜାନ୍ତବ ଉଲ୍ଲାସ ସେମାନଙ୍କୁ ନିଜ ଦାୟିତ୍ବବୋଧ ପାଶୋରି ଯିବାକୁ ବାଧ୍ୟ କରିଛି।

ଏହି ମର୍ମରେ ମହାନ ଆମେରିକୀୟ ଲେଖକ ମାର୍କ ଟ୍ବେନଙ୍କ ଏକ ଉକ୍ତି ମନେ ପଡ଼େ। ସେ ଥରେ କହିିଥିଲେ ଯେ ଏକ ଭିଡ଼ର ସମର୍ଥନ ପାଇବାର ଅର୍ଥ ହେଲା ତୁମେ ଏକ ଭୁଲ୍‌ କାମ କରୁଛ। ଏହି ବାକ୍ୟରେ ଗଭୀର ସତ୍ୟତା ରହିଛି। ହେଲେ, ଏବେ ମାର୍କ ଟ୍ବେନଙ୍କ ଏହି କଥା ଗ୍ରହଣ କରିବାକୁ କେହି ରାଜି ନୁହନ୍ତି। ସାମାଜିକ ଗଣମାଧ୍ୟମର ଯେଉଁ ବ୍ୟବହାରକାରୀମା‌ନେ ଲକ୍ଷ ଲକ୍ଷ ସଂଖ୍ୟାର ‘ଲାଇକ୍‌’ର ଚିହ୍ନ ସ୍ବରୂପ ବୃଦ୍ଧାଙ୍ଗୁଷ୍ଠି ଟେକା ଚିହ୍ନଟିକୁ ସର୍ବସ୍ବ ବୋଲି ମନେ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ସେହି ସମର୍ଥକମାନେ ଏକ ଭିଡ଼ ଠାରୁ କିଛି କମ୍‌ ନୁହନ୍ତି। ସେମାନେ ହେଉଛନ୍ତି ପ୍ରତୀୟମାନ ପୃଥିବୀର ଅଦୃଶ୍ୟ ଭିଡ଼! ତେଣୁ ଏହି ଭିଡ଼ର ପ୍ରଭାବ ସୃଷ୍ଟି କରୁଥିବା ମୋହରୁ ନିଜକୁ ସଫଳତାର ସହିତ ମୁକ୍ତ କରି ରଖିପାରୁଥିବା ବ୍ୟକ୍ତି ହିଁ ବାସ୍ତବରେ ସାମାଜିକ ପ୍ରଭାବ ସୃଷ୍ଟିକାରୀ ବା ‘ସୋସିଆଲ ଇନ୍‌ଫ୍ଲୁଏନ୍‌ସର’। ଯେଉଁମାନେ ଭିଡ଼ର ସ୍ରୋତରେ ଭାସିଯାଇ ସାମାଜିକ ଗଣମାଧ୍ୟମରେ ଆପଣା ଅଭିବ୍ୟକ୍ତି ରଖୁଛନ୍ତି ସେମାନେ କୌଣସି ଅସାମାଜିକ ବ୍ୟକ୍ତି ଠାରୁ କମ୍‌ ନୁହନ୍ତି।