ପ୍ରେମର ଶକ୍ତି

ଉଦ୍ଧତ ରାଜକୁମାର ପଡ଼ୋଶୀ ରାଜ୍ୟର ରାଜକନ୍ୟାଙ୍କୁ ଦେଖିଲା ମାତ୍ରକେ ତାଙ୍କୁ ବିବାହ କରିବା ଲାଗି ପାଗଳ ହୋଇଉଠିଲେ। କିନ୍ତୁ ପଡ଼ୋଶୀ ରାଜ୍ୟର ରାଜା ଏଥିରେ ସମ୍ମତ ନ ହେବାରୁ ଉଦ୍ଧତ ରାଜକୁମାର ସୈନ୍ୟବଳ ନେଇ ଆକ୍ରମଣ କଲେ ଓ ଉକ୍ତ ରାଜ୍ୟ ବିଧ୍ବସ୍ତ କରିଦେଲେ। ତାଙ୍କ କବଳରୁ ନିସ୍ତାର ପାଇବା ଲାଗି ରାଣୀ ରାଜକୁମାରୀଙ୍କୁ ନେଇ ଜଙ୍ଗଲ ଭିତରେ ଆତ୍ମଗୋପନ କଲେ।

ଏ କଥା ରାଜକୁମାରୀଙ୍କୁ ବହୁତ ବାଧିଲା। ସେ ନିଜ ଜୀବନ ବିସର୍ଜନ କରି ଦେବାକୁ ମନସ୍ଥ କରି ଦିନେ ପାହାଡ଼ ଉପରକୁ ଉଠିଲେ ଏବ˚ ଉପରୁ ତଳକୁ ଲମ୍ଫ ମାରିବାକୁ ଉଦ୍ୟତ ହେଉଥିବା ବେଳେ ଜଣେ ସାଧୁ ତାଙ୍କୁ ଅଟକାଇଦେଲେ ଏବ˚ ଏ ଭଳି କରିବାର କାରଣ ପଚାରିଲେ। ରାଜକୁମାରୀଙ୍କଠାରୁ ସବୁ ଶୁଣିବା ପରେ ସାଧୁ କହିଲେ- ତୁମେ ଭ୍ରମର ବିଷୟରେ କିଛି ଜାଣ କି? ଭ୍ରମରର ଏତେ ଶକ୍ତ ନାହୁଡ଼ ଥାଏ ଯେ ସେ ବାଉଁଶ ଗଛରେ ବି ଛିଦ୍ର କରିଦିଏ। କିନ୍ତୁ ସେଇ ଭ୍ରମର ପଦ୍ମଫୁଲର ମଧୁ ପିଇବାରେ ମଗ୍ନ ଥିବା ବେଳେ ସନ୍ଧ୍ୟା ହୋଇଗଲେ, ଯେତେ ବେଳେ ପଦ୍ମଫୁଲ ବୁଜିହୋଇଯାଏ, ସେତିକି ବେଳେ ତା’ ଭିତରେ ବନ୍ଦୀ ହୋଇରହିଯାଏ। ରାତି ତମାମ ସେ ବନ୍ଦୀ ହୋଇରହେ। କିନ୍ତୁ, ତା’ର ଶକ୍ତ ନାହୁଡ଼ରେ ସେ ପଦ୍ମଫୁଲର ପାଖୁଡ଼ାକୁ ଭେଦକରି ବାହାରକୁ ଆସେନା। କାରଣ ସେ ଏତେ ମୋହଗ୍ରସ୍ତ ଥାଏ ଯେ ପଦ୍ମଫୁଲ ନିକଟରେ ଆତ୍ମସମର୍ପଣ କରିଦିଏ।

କଥାଟି କହିସାରି ସାଧୁ ପଚାରିଲେ ଏଥିରୁ କିଛି ବୁଝିପାରିଲ କି? ରାଜକୁମାରୀ କେବଳ ସୁନ୍ଦରୀ ନ ଥିଲେ। ସେ ଅତ୍ୟନ୍ତ ବୁଦ୍ଧିମତୀ ମଧ୍ୟ ଥିଲେ। ସେ ସାଧୁଙ୍କ କଥାର ମର୍ମ ବୁଝିପାରିଲେ। ତା’ ପରେ ରାଜକୁମାରୀ ସିଧା ପହଞ୍ଚିଲେ ରାଜକୁମାରଙ୍କ ସମ୍ମୁଖରେ। ତାଙ୍କୁ ଦେଖି ରାଜକୁମାର ଅଭିଭୂତ ହୋଇଗଲେ। କ୍ରମେ ରାଜକୁମାର ପଦ୍ମଫୁଲରେ ଥିବା ଭ୍ରମର ଭଳି ରାଜକୁମାରୀଙ୍କ ପ୍ରେମରେ ବନ୍ଦୀ ହୋଇଗଲେ। ରାଜକୁମାରୀଙ୍କ ପ୍ରଭାବରେ ଏଣିକି ସେ ଆଉ ଉଦ୍ଧତ ହୋଇ ରହିଲେନାହିଁ। ପ୍ରେମର ଶକ୍ତି ଆଗରେ ସେ ହାର ମାନିଲେ।

ସମ୍ବନ୍ଧିତ ଖବର