ଭୁଲ୍‌ଠାରୁ ବଡ଼ ଭୁଲ୍‌

ବିଶ୍ୱ ବିଜୟୀ - ସୁବ୍ରତ ବାଗ୍‌ଚୀ

ନାରାୟଣ ମୂର୍ତ୍ତିଙ୍କ ନାଁ ଶୁଣିଲେ, କେବଳ ଗୋଟିଏ ମଣିଷ ନୁହଁ, ସେଇ ମଣିଷର ତିନିଟି ଭିନ୍ନ ଭିନ୍ନ ବ୍ୟକ୍ତିତ୍ବ କଥା ମନକୁ ଆସେ। ଅନେକ ତାଙ୍କୁ ‘ଇନ୍‌ଫୋସିସ୍‌’ କମ୍ପାନିର ପ୍ରତିଷ୍ଠାତା ରୂପେ ଜାଣନ୍ତି। ଅନେକ ତାଙ୍କୁ ଭାରତର ସର୍ବାଧିକ ଧନୀ ବ୍ୟକ୍ତିମାନଙ୍କ ଭିତରୁ ଜଣେ ବୋଲି ଜାଣନ୍ତି। ଏବେ ତାଙ୍କୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀଙ୍କ ଶ୍ବଶୁର ରୂପେ ମଧ୍ୟ ଅନେକ ଜାଣନ୍ତି। ଏଇ ତିନିଟି ଧାରଣା ସତ, କିନ୍ତୁ ଏହା ଭିତରେ ଲୁଚି ରହିଛି ଆଉ ଗୋଟିଏ କାହାଣୀ, ଯାହା ବିଷୟରେ ବହୁତ ଲୋକ ହୁଏତ ଜାଣନ୍ତି ନାହିଁ। ବହୁ ବର୍ଷ ଧରି ନାରାୟଣ ମୂର୍ତ୍ତିଙ୍କୁ ନିକଟରୁ ଦେଖିବାର ସୌଭାଗ୍ୟ ମୋତେ ମିଳିଥିଲା। ଆଜି ସେଇ ବିଷୟରେ କିଛି ଲେଖିବାକୁ ଚାହୁଁଛି।

ନାରାୟଣ ମୂର୍ତ୍ତିଙ୍କର ଜନ୍ମ ଜଣେ ସାଧାରଣ ସ୍କୁଲ ଶିକ୍ଷକ ପରିବାରରେ। ସେ ଭଲ ଛାତ୍ର ଥିଲେ ଏବଂ ପରବର୍ତ୍ତୀ ଜୀବନରେ ଆଇଆଇଟିରେ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ ସୁଦୂର ଆଇଆଇଟିକୁ ଯାଇ ପାରି ନ ଥିଲେ। ତାଙ୍କ ବାପା ଉପଦେଶ ଦେଇଥିଲେ ଯେ ନିଜ ସମ୍ବଳ ଯେତିକି, ସେଇ ପରିଧି ଭିତରେ ରହିବାକୁ। ଘର ପାଖ ମହୀଶୂରର ଏନଆଇଆଇ ଇଞ୍ଜିନିୟରିଙ୍ଗ୍‌ କଲେଜରେ ପାଠ ପଢ଼ିଲେ ନାରାୟଣ ମୂର୍ତ୍ତି ଏବଂ ନିଜ ସାମର୍ଥ୍ୟ ଆସିବା ପରେ କାନପୁର ଆଇଆଇଟିରେ ସେ ଏମ୍‌.ଟେକ୍‌ କରିଥିଲେ।

ପାଠ ଶେଷ କରିବା ପରେ ସେ ପୁନେର ପଟ୍‌ନି କମ୍ପ୍ୟୁଟର୍‌ ସଂସ୍ଥାରେ ପ୍ରଥମ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ଦେଶର ବହୁ ଯୁବକଯୁବତୀଙ୍କ ଭଳି ତାଙ୍କ ମନରେ ଥିଲା ସାମ୍ୟବାଦର ଚେତନା। ଯଦିଓ ସେ ବେସରକାରୀ ସଂସ୍ଥାରେ ଭଲ ଚାକିରି କରୁଥିଲେ, କମ୍ୟୁନିଜ୍‌ମର ଆଦର୍ଶବାଦ ଯୋଗୁଁ ମନରେ ଧନ ଅର୍ଜନ ପ୍ରତି ଉଭୟ ଅନାଗ୍ରହ ଏବଂ ଅନେକଟା ବିଦ୍ବେଷଭାବ ଥିଲା।

ସେଇ ସମୟରେ ଏଭଳି ଗୋଟିଏ ଘଟଣା ଘଟିଲା, ଯାହା ନାରାୟଣ ମୂର୍ତ୍ତିଙ୍କର ଚିନ୍ତାଧାରା ବଦଳାଇଦେଲା। ପଟ୍‌ନି ସଂସ୍ଥା ଥରେ କୌଣସି ଗୋଟିଏ କାର୍ଯ୍ୟ ସଂକ୍ରାନ୍ତରେ ତାଙ୍କୁ ଫ୍ରାନ୍‌ସ ପଠାଇଥିଲା। ଫ୍ରାନ୍‌ସରେ ରହିବା ବେଳେ ସେ ଦିନେ ଟ୍ରେନ୍‌ ଧରି ଇଉରୋପ୍‌ର ଅନ୍ୟ ଏକ ଦେଶକୁ ଯାଉଥିଲେ। ସେଠିକାର ପୁଲିସ୍‌ କୌଣସି କାରଣରୁ ତାଙ୍କୁ ଜଣେ ବିନା-ଅନୁମତିରେ ପ୍ରବେଶ କରିଥିବା ବିଦେଶୀ ବ୍ୟକ୍ତି ବୋଲି ଭାବିନେଇ କେବଳ ପଚରାଉଚୁରା କରି ନ ଥିଲା, ଗିରଫ ମଧ୍ୟ କରିନେଇଥିଲା। ଏ ଘଟଣା ଯୁବକ ନାରାୟଣ ମୂର୍ତ୍ତିଙ୍କୁ ମର୍ମାହତ କରିଥିଲା। ମନକୁ ଆସିଥିଲା ଯେ ଭାରତ ଯଦି ଗୋଟିଏ ଧନୀ ରାଷ୍ଟ୍ର ହୋଇଥାଆନ୍ତା, ତାଙ୍କୁ ଏଭଳି ଅସମ୍ମାନ ମିଳି ନ ଥାଆନ୍ତା। ଗୋଟିଏ ଦେଶକୁ ଧନୀ କରାଇବା ପାଇଁ ଉଦ୍ୟୋଗ ଦରକାର। ବଡ଼ ବଡ଼ କମ୍ପାନି ଗଢ଼ିବା ଦରକାର। ଟଙ୍କା ଉପାର୍ଜନକୁ ହେୟ ଦୃଷ୍ଟିରେ ଦେଖିଲେ ଚଳିବ ନାହିଁ। କାରଣ ଅର୍ଥ ଉପାର୍ଜନରୁ ଲାଭ, ଲାଭରୁ ଅଧିକ ପୁଞ୍ଜି ଏବଂ ପୁଞ୍ଜିରୁ ଆସେ ଅଭିବୃଦ୍ଧି। ଏଇ ଅଭିବୃଦ୍ଧିକୁ ନିଜର ଅଧିକାର ବୋଲି ନ ଭାବି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବାକୁ ହେବ। ଲକ୍ଷ ଲକ୍ଷ ସାଧାରଣ ମଣିଷର ଜୀବନ ସମୃଦ୍ଧ ହେଲେ ଦେଶକୁ ବିଶ୍ବ ଦରବାରରେ ସମ୍ମାନ ମିଳିବ।

ଇଉରୋପର ସେଇ ଅସମ୍ମାନଜନକ ଘଟଣାର କିଛି ଦିନ ପରେ ନିଜ ଦେଶକୁ ଫେରି ଆସିଥିଲେ ନାରାୟଣ ମୂର୍ତ୍ତି। ସେଇ ସମୟରେ ତାଙ୍କର ପରିଚୟ ହୋଇଥିଲା ଭାବୀ ପତ୍ନୀ ସୁଧାଙ୍କ ସାଙ୍ଗରେ। ସୁଧା ଥିଲେ ଜଣେ ଇଞ୍ଜିନିୟର୍‌। ସେତେବେଳେ ପ୍ରାୟ କୌଣସି ଝିଅ ଇଞ୍ଜିନିୟରିଙ୍ଗ୍‌ ପଢୁ ନ ଥିଲେ। କିନ୍ତୁ ନିଜ ଇଚ୍ଛାରେ ସୁଧା କେଏଲ୍‌ଇ ଇଞ୍ଜିନିୟରିଙ୍ଗ୍‌ କଲେଜରେ ନାଁ ଲେଖାଇଥିଲେ ଏବଂ ସମଗ୍ର କଲେଜରେ ସେ ଥିଲେ କେବଳ ଜଣେ ମାତ୍ର ଝିଅ। ଇଞ୍ଜିନିୟରିଙ୍ଗ୍‌ ପାସ୍‌ କରି ପୁନେର ଟାଟା ମୋଟର୍ସରେ ଚାକିରି କରୁଥିବା ବେଳେ ନାରାୟଣ ମୂର୍ତ୍ତିଙ୍କ ସହିତ ତାଙ୍କର ପରିଚୟ ଏବଂ ପରେ ପରିଣୟ ହୋଇଥିଲା। ବାହାଘର ପରେ ସ୍ବାମୀଙ୍କୁ ନିଜର ଦୂରଦୃଷ୍ଟି, ଆଦର୍ଶ ଓ ସମ୍ବେଦନଶୀଳତାର ଉପାଦାନରେ ଉଦ୍ୟୋଗଟିଏ ଆରମ୍ଭ କରିବା ପାଇଁ ସୁଧା ମୂର୍ତ୍ତି ଉତ୍ସାହିତ କରିଥିଲେ ଏବଂ ନିଜ ରୋଜଗାରରୁ ସଞ୍ଚିତ ଦଶ ହଜାର ଟଙ୍କା ତାଙ୍କୁ ଋଣ ଦେଇଥିଲେ। ପତ୍ନୀଙ୍କ ସାହାଯ୍ୟ ଆତ୍ମବିଶ୍ବାସ ଯୋଗାଇଥିଲା ନାରାୟଣ ମୂର୍ତ୍ତିଙ୍କ ମନରେ। ସେଇ ସମୟରେ ସହଯୋଗୀ ନନ୍ଦନ ନିଲେକାନି, କ୍ରିସ୍‌ ଗୋପାଲକ୍ରିଷ୍ଣନ୍‌ ଓ ଅନ୍ୟ କେତେ ଜଣଙ୍କ ସହିତ ସେ ଆରମ୍ଭ କରିଥିଲେ ‘ଇନ୍‌ଫୋସିସ୍‌’।

ବର୍ତ୍ତମାନର ବିଶାଳ“ଇନ୍‌ଫୋସିସ୍‌’ ସଂସ୍ଥା ସେତେବେଳେ ଥିଲା ଅତ୍ୟନ୍ତ ଛୋଟ। ବାଙ୍ଗାଲୋର୍‌ର କୋରମଙ୍ଗଲା ଅଞ୍ଚଳରେ ଆରମ୍ଭ ହୋଇଥିବା ଛୋଟ ଭଡ଼ାଘରର ଅଫିସ୍‌ ମୁଁ ଦେଖିଛି। ବ୍ୟବସାୟ ଆଣିବା ପାଇଁ ନନ୍ଦନ ନିଲେକାନି ଗୋଟିଏ ଲାମ୍ବ୍ରେଟା ସ୍କୁଟରରେ ଏ ଅଫିସ୍‌ରୁ ସେ ଅଫିସ୍‌ ବୁଲୁଥିଲେ। ଧୀରେ ଧୀରେ କମ୍ପାନିର ଅବସ୍ଥା ସ୍ବଚ୍ଛଳ ହେଲା ଏବଂ କମ୍ପାନି ଆଇପିଓ କରି ସେଆର୍‌ ବଜାରକୁ ଓହ୍ଲେଇବା ପାଇଁ ଚାହିଁଲା। କିନ୍ତୁ ସେତେବେଳେ ମଧ୍ୟ ଲୋକମାନଙ୍କର କମ୍ପାନି ଉପରେ ଭରସା ହୋଇ ନ ଥିଲା। ଫଳରେ କମ୍ପାନିର ଅଧିକାଂଶ ସେଆର୍‌ ବିକ୍ରି ହୋଇ ପାରି ନ ଥିଲା। ଅଥଚ ଏବେ ସେଆର୍‌ ବଜାରରେ ‘ଇନ୍‌ଫୋସିସ୍‌’ର ମୂଲ୍ୟାୟନ, ଅର୍ଥାତ୍‌ ଭ୍ୟାଲୁଏସନ୍‌ ୬ ଲକ୍ଷ କୋଟିରୁ ଅଧିକ। ଏଠାରେ ୩,୪୬,୦୦୦ ଲୋକ କାମ କରନ୍ତି ଏବଂ କମ୍ପାନିର ବ୍ୟବସାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ। ସମସ୍ତଙ୍କର କଠିନ ପରିଶ୍ରମରେ ସଂସ୍ଥାଟି ଯେ ଏତେ ଉନ୍ନତି କରିପାରିଲା, ସେଥିରେ ସନ୍ଦେହ ନାହିଁ। କିନ୍ତୁ ବ୍ୟାବସାୟିକ ସଫଳତାରୁ ଅଧିକ ହେଉଛି କମ୍ପାନିର ସୁନାମ ଓ ପ୍ରତିଷ୍ଠା। ସରକାରଙ୍କୁ ରାଜସ୍ବ ନ ଠକି ସତ୍‌ ଉପାୟରେ ତଥା ସମାଜର ସର୍ବାଙ୍ଗୀଣ ଉନ୍ନତି ପ୍ରତି ଧ୍ୟାନ ଦେଇ ବ୍ୟବସାୟ ଗଢ଼ିବାରେ ‘ଇନ୍‌ଫୋସିସ୍‌’ ପୃଥିବୀରେ ସୁପ୍ରସିଦ୍ଧ।

ନାରାୟଣ ମୂର୍ତ୍ତି ଓ ତାଙ୍କର ସହଯୋଗୀମାନଙ୍କୁ ମୁଁ ସବୁଦିନେ ମୋର ରୋଲ୍‌ ମଡେଲ୍‌ ହିସାବରେ ଗ୍ରହଣ କରିଥିଲି। ସେ ସବୁବେଳେ କେତୋଟି କଥା କହନ୍ତି, ଯାହା ଆମ ସମସ୍ତଙ୍କର ଗ୍ରହଣୀୟ। କେବଳ ବ୍ୟବସାୟରେ ନୁହଁ, ଜୀବନର ପ୍ରତିଟି କ୍ଷେତ୍ରରେ ବ୍ୟକ୍ତି ଚରିତ୍ର ହିଁ ସବୁଠାରୁ ବଡ଼ ଜିନିଷ। ନିଜ ଜୀବନରେ ହେଉ, ଅଥବା ସାଙ୍ଗଠନିକ ପରିପ୍ରେକ୍ଷୀରେ ହେଉ, ନିଜର ମୌଳିକ ଅଖଣ୍ଡତା ବଜାୟ ରଖିବା ପ୍ରଧାନ। ମଣିଷ ମାତ୍ରକେ ଭୁଲ୍‌ ତ୍ରୁଟି ହେବା ସ୍ବାଭାବିକ। କିନ୍ତୁ ଭୁଲ୍‌ଟିଏ କରିଲେ, ଅଧିକାଂଶଙ୍କ ମନକୁ ଆସେ କିପରି ଏଇ ଭୁଲ୍‌କୁ ଲୁଚାଇ ଦେଇ ହେବ। ଅନେକ ସମୟରେ ଠିକ୍‌-ଭୁଲ୍‌ ନେଇ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇପାରେ। ସେଇ ଦ୍ବନ୍ଦ୍ବର ସମାଧାନ ନ କରି ଅନେକ ଘଟଣାଟିକୁ ଆଡ଼େଇ ଦିଅନ୍ତି। କିନ୍ତୁ ନାରାୟଣ ମୂର୍ତ୍ତି ସବୁବେଳେ କହନ୍ତି ଯେ କିଛି ଗୋଟାଏ ଘଟଣାର ଭୁଲ-ଠିକ୍‌ ନେଇ ମନରେ ଦ୍ବନ୍ଦ୍ବ ଉଠିଲେ, ସର୍ବଜନ ସମ୍ମୁଖରେ ତା’ର ଅବତାରଣା କରିବା ଉଚିତ। ସେଇଭଳି ଭୁଲ୍‌ କରିବାଟା ଭୁଲ୍‌ ନୁହଁ, ଭୁଲ୍‌ ଲୁଚାଇବା ସବୁଠାରୁ ବଡ଼ ଭୁଲ୍‌। ନିଜର ଭୁଲ୍‌ ସ୍ବୀକାର କଲେ, ମୁହୂର୍ତ୍ତକ ପାଇଁ ହୁଏତ ନିଜର ଅସମ୍ମାନ ହୋଇପାରେ, ତିରସ୍କାର ମିଳିପାରେ, ଲୋକଲଜ୍ଜା ମିଳିପାରେ, କିନ୍ତୁ ସ୍ବୀକାରୋକ୍ତି ନୂତନ ଆତ୍ମଶକ୍ତି ଆଣିଦିଏ। ଯେଉଁ ଲୋକଟି ଭୁଲ୍‌ କରି ଭୁଲ୍‌ ମାନିପାରେ, ତା’ଠାରୁ ବଡ଼ ଆଉ କେହି ନାହିଁ।

ନାରାୟଣ ମୂର୍ତ୍ତିଙ୍କ ଚିନ୍ତାଧାରା ପରିଷ୍କାର, କଥାବାର୍ତ୍ତା ମଧ୍ୟ ପରିଷ୍କାର। ଏସବୁ ସତ୍ତ୍ବେ ଯେ ସେ କେବେହେଲେ ସମାଲୋଚନାର ଶିକାର ହୋଇନାହାନ୍ତି, ତାହା ନୁହଁ। ତଥାପି ସେ ନିଜର ସ୍ପଷ୍ଟବାଦିତାକୁ କେବେହେଲେ ଜଳାଞ୍ଜଳି ଦେଇନାହାନ୍ତି। ଯାହା ଠିକ୍‌ ମନେ କରନ୍ତି, ତାହା ସେ କହନ୍ତି। ବିଭିନ୍ନ ବିଷୟରେ ଭିନ୍ନ ଭିନ୍ନ ସମୟରେ ସେ ଦୃଢ଼ ମତାମତ ଦେଇଛନ୍ତି। ସେଥିରୁ ଗୋଟିଏ ବିଷୟରେ ମୁଁ ଆଜି ଲେଖୁଛି।

ମୁଁ ପ୍ରଥମରୁ ଉଲ୍ଲେଖ କରିଥିଲି ଯେ ନାରାୟଣ ମୂର୍ତ୍ତିଙ୍କର ଜୀବନ ଦର୍ଶନ ସାମ୍ୟବାଦ ଚିନ୍ତାଧାରାରୁ ସୃଷ୍ଟି ହୋଇଥିଲା। ବ୍ୟାବସାୟିକ ସଫଳତାକୁ ସେ ସାମାଜିକ ରୂପାନ୍ତରର ଗୋଟିଏ ଅସ୍ତ୍ର ବୋଲି ସବୁବେଳେ କହି ଆସିଛନ୍ତି। ଆହୁରି ଏକଥା ମଧ୍ୟ କହିଆସିଛନ୍ତି ଯେ ଯେଉଁ ସମାଜରେ ଗୋଟିଏ ପିଢ଼ି ଏକ ବୃହତ୍ତର ଉଦ୍ଦେଶ୍ୟ ପାଇଁ ଗୋଟିଏ ଜୀବନକାଳକୁ ଉତ୍ସର୍ଗ କରିଛି, କେବଳ ସେଇ ସମାଜରେ ହିଁ ପ୍ରକୃତ ସାମାଜିକ ରୂପାନ୍ତର ହୋଇପାରିଛି। ଗୋଟିଏ ପିଢ଼ି ଯଦି ଆଦର୍ଶବାଦୀ ହୁଏ, ଯଦି ସାମୂହିକ ଉନ୍ନତି ପାଇଁ ଦୃଢ଼ସଂକଳ୍ପ ହୁଏ ଏବଂ ନିରନ୍ତର ପ୍ରଚେଷ୍ଟା କରିଚାଲେ, ଯଦି ନିଃସ୍ବାର୍ଥ ଭାବରେ ଜନହିତ ପାଇଁ ନିଜ ଜୀବନକୁ ସମର୍ପିତ କରିଦିଏ, ତେବେ ସେଇ ସମାଜର ପ୍ରକୃତ ଉନ୍ନତି ହୁଏ। ସମାଜଟି ପ୍ରଗତିଶୀଳ ବୋଲି ବିଦିତ ହୁଏ।

ନାରାୟଣ ମୂର୍ତ୍ତିଙ୍କ ଚିନ୍ତାଧାରା ମୋତେ ସବୁବେଳେ ମୁଗ୍‌ଧ କରେ। ସେଥିପାଇଁ ‘ଇନ୍‌ଫୋସିସ୍‌’ ସମଗ୍ର ବିଶ୍ବରେ ପରିଚିତି ହାସଲ କରିବା ପରେ ମୁଁ ଥରେ ତାଙ୍କୁ ଅନୁରୋଧ କରି କହିଥିଲି ଯେ ‘ଇନ୍‌ଫୋସିସ୍‌’ର କାହାଣୀ ସେ ଲେଖନ୍ତୁ। କାରଣ ‘ଇନ୍‌ଫୋସିସ୍‌’ ତ କେବଳ ଗୋଟିଏ ବ୍ୟାବସାୟିକ ସଂସ୍ଥା ନୁହଁ, ଭାରତୀୟ ସ୍ବାଭିମାନର ପ୍ରତୀକ। ଦୁଇ ପତ୍ରର ଅଙ୍କୁରରୁ ମହାଦ୍ରୁମ ହେବା ପଛରେ ନାରାୟଣ ମୂର୍ତ୍ତିଙ୍କର ପ୍ରଚ୍ଛନ୍ନ ଅବଦାନ। ନିଜ ହାତରେ ଗଢ଼ିଥିବା ଅନୁଷ୍ଠାନ ବିଷୟରେ ସେ ଲେଖିବା ଉଚିତ ନୁହଁ କି? ସେ ଲେଖା ଯେ ଅନେକଙ୍କୁ ଅନୁପ୍ରାଣିତ କରିବ।

ନାରାୟଣ ମୂର୍ତ୍ତି ମନା କରିଦେଇଥିଲେ। କହିଥିଲେ ଯେ ଇତିହାସ ଲେଖିବା ପାଇଁ ଜଣଙ୍କୁ ସବୁବେଳେ ନିରପେକ୍ଷ ହେବାକୁ ହୁଏ। ଯେଉଁ ମଣିଷ ଇତିହାସକୁ କାହାଣୀ ଓ ରୂପକଥାର ଊର୍ଦ୍ଧ୍ବରେ ରଖିପାରିବ, କେବଳ ସେଇ ମଣିଷଟିର ଇତିହାସ ଲେଖିବାର ଅଧିକାର ରହିଛି। ସେଭଳି ମଣିଷ ସେ ନୁହନ୍ତି। କାରଣ ‘ଇନ୍‌ଫୋସିସ୍‌’ ତାଙ୍କ ହାତଗଢ଼ା ସଂସ୍ଥା। ସେ ହୁଏତ ପକ୍ଷପାତିତାରୁ ଦୂରେଇ ହୋଇପାରିବେ ନାହିଁ। ଅଥବା ସେଥିରେ ତାଙ୍କୁ ଏଭଳି କେତୋଟି ଅପ୍ରିୟ ସତ୍ୟ ଲେଖିବାକୁ ହେବ, ଯାହା ହୁଏତ ତାଙ୍କ ସହକର୍ମୀମାନଙ୍କୁ କଷ୍ଟ ଦେବ।

ତାଙ୍କର ଉପଲବ୍‌ଧି ମୋତେ ଗଭୀର ଭାବରେ ସ୍ପର୍ଶ କରିଥିଲା। ଗୋଟିଏ ଜାତି, ଦେଶ କିମ୍ବା ଅନୁଷ୍ଠାନର ଇତିହାସ ଲେଖିବା ବେଳେ କେବଳ ସ୍ବପ୍ନର ନୀଳ ଢେଉକୁ ସ୍ଥାନ ଦେଲେ ହେବ ନାହିଁ। ପ୍ରକୃତ ଇତିହାସର ଏକ କଠୋର ଦିଗ ମଧ୍ୟ ରହିଛି। ତାକୁ ସ୍ବୀକାର କରିବାକୁ ହେଲେ ଏକ ଭିନ୍ନ ମାନସିକତା ଆବଶ୍ୟକ।

ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ

ସମ୍ବନ୍ଧିତ ଖବର