୧୯୭୧ ମସିହାରେ ବିଶ୍ବ ବନ ଦିବସ ପାଳନର ଅୟମାରମ୍ଭ ହୋଇଥିଲା, ଯାହା ପଛର ଉଦ୍ଦେଶ୍ୟ ଥିଲା ଧରାପୃଷ୍ଠରେ ଜୀବନଚକ୍ରର ଭାରସାମ୍ୟ ରକ୍ଷା କରିବାରେ ତଥା ମନୁଷ୍ୟ ଜୀବନଚର୍ଯ୍ୟାରେ ଜଙ୍ଗଲର ଅନିବାର୍ଯ୍ୟ ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ବୁଝାଇବା ଏବଂ ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା। କିନ୍ତୁ ବହୁ ବର୍ଷ ଧରି ଏହାକୁ ନିୟମିତ ଭାବରେ ପାଳନ କରାଯାଇ ପାରୁନଥିଲା। ୨୦୧୨ ମସିହାରୁ ମିଳିତ ଜାତିସଂଘର ସାଧାରଣ ସଭାର ଅନୁମୋଦନ କ୍ରମେ ଅନ୍ତର୍ଜାତୀୟ ବନ ଦିବସକୁ ସବୁ ଦେଶରେ ମାର୍ଚ୍ଚ ୨୧ ତାରିଖ ଦିନ ପାଳନ କରାଯାଉଛି। ଏହି ତାରିଖର ବିଶେଷତ୍ବ ହେଉଛି ଏହି ଦିନ ପୃଥିବୀର ଉଭୟ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ଓ ରାତିର ଅବଧି ସମାନ ରହିଥାଏ। ୨୦୨୩ ମସିହା ପାଇଁ ବନ ଦିବସର ପ୍ରସଙ୍ଗ ହେଉଛି ‘ଜଙ୍ଗଲ ଓ ସ୍ବାସ୍ଥ୍ୟ’।
ଅରଣ୍ୟର ଅବଦାନ ଅକଳ୍ପନୀୟ ଓ ଅତୁଳନୀୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ସହ ଆମେ ଜଡ଼ିତ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶୁଦ୍ଧ ବାୟୁ, ନିର୍ମଳ ଜଳ, ନାନାବିଧ ଫଳମୂଳ, ଔଷଧ ଓ ସନ୍ତୁଳିତ ପରିବେଶ ପ୍ରଭୃତି ଏହାର ଅନେକ ଓ ବହୁବିଧ ଉପାଦେୟତା ମଧ୍ୟରୁ ଗୋଟିଏ ଗୋଟିଏ। ବର୍ତ୍ତମାନ ମାନବୀୟ ବିନାଶକାରୀ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳରେ ମାତ୍ରାଧିକ କାର୍ବନ ପରିମାଣ ଜନିତ ଭୂମଣ୍ଡଳ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ, ଜୀବ ଅସ୍ତିତ୍ବ ପାଇଁ ବିପଦ ସୃଷ୍ଟି କରିଛି। ବୃକ୍ଷରାଜିର ସମାହାର ଜଙ୍ଗଲ ହିଁ କେବଳ ଏହି ସମସ୍ୟାର ସହଜ ଓ ସଫଳ ସମାଧାନ। ଜୀବଜଗତର ରକ୍ଷା ପାଇଁ ଏହା ପ୍ରକୃତିର ସର୍ବୋତ୍କୃଷ୍ଟ ବରଦାନ। କିନ୍ତୁ ପରିତାପର ବିଷୟ ଆମକୁ ସୁରକ୍ଷା ଦେଉଥିବା ବନ ସଂପଦ ଆମର ଅବିଚାରିତ ଆଚରଣରେ ଅସୁରକ୍ଷିତ ହୋଇ ପଡ଼ିଲାଣି।
ବିଶ୍ବ ବନ ସମ୍ପଦ ଆକଳନ ୨୦୨୦ ଅନୁସାରେ ଭୂପୂଷ୍ଠର ୩୧ ପ୍ରତିଶତ ଅଂଚଳରେ ୪.୦୬ ବିଲିଅନ୍ ହେକ୍ଟର ଜଙ୍ଗଲ ଅଛି। ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ ୩୦ ବର୍ଷରେ ୧୭୮ ମିଲିୟନ୍ ହେକ୍ଟର ଜଙ୍ଗଲ ଲୋପ ପାଇଛି। ତେବେ, କିଞ୍ଚିତ ଆଶ୍ବସ୍ତିର ବିଷୟ ହେଉଛି ଗତ ଦଶନ୍ଧିରେ ଅର୍ଥାତ୍ ୨୦୧୦ରୁ ୨୦୨୦ ମଧ୍ୟରେ ଜଙ୍ଗଲ କ୍ଷୟର ମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବର୍ଷ ପିଛା ୪.୭ ମିଲିଅନ ହେକ୍ଟର ଜଙ୍ଗଲ ନଷ୍ଟ ହେଉଛି। କିନ୍ତୁ ଜଙ୍ଗଲ ବୃଦ୍ଧି ପାଉଥିବା ଦେଶ ତାଲିକାରେ ଭାରତ ତୃତୀୟ ସ୍ଥାନରେ ଅଛି।
ଆମ ଦେଶରେ ପ୍ରତି ଦୁଇ ବର୍ଷରେ ଭାରତ ବନ ଅନ୍ବେଷଣ ସଂସ୍ଥା ଦ୍ବାରା ଜଙ୍ଗଲର ପରିମାଣ ଓ ଅବସ୍ଥାର ଆକଳନ କରାଯାଇଥାଏ। ସର୍ବଶେଷ ରିପୋର୍ଟ ୨୦୨୧ର ତଥ୍ୟ ଅନୁସାରେ ଆମ ଦେଶରେ ୭,୧୩,୭୮୯ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ଅଛି, ଯାହା ଆମ ଭୂଖଣ୍ଡର ୨୧.୭୧ ପ୍ରତିଶତ। ସେହିପରି ୪୬,୫୩୯ ବର୍ଗ କିଲୋମିଟର ଅଞ୍ଚଳରେ ଗୁଳ୍ମରାଜି ରହିଛି। ଯଦିଓ ୨୦୧୯ ତୁଳନାରେ ୧୫୪୦ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି, ତଥାପି ପୃଥିବୀର ଜଙ୍ଗଲ ହାର ଅନୁସାରେ ଆମ ଦେଶ ପ୍ରାୟ ୧୦ ପ୍ରତିଶତ ପଛରେ ଅଛି। ଏହା ଆମ ଭଳି କ୍ରମବର୍ଦ୍ଧିଷ୍ଣୁ ଜନବହୁଳ ଦେଶପାଇଁ ଉଦ୍ବେଗଜନକ। ଆଗାମୀ ଦଶନ୍ଧିରେ ଲଦାଖ, ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରାଖଣ୍ଡ ଭଳି ଅଞ୍ଚଳରେ ଅତ୍ୟଧିକ ତାପମାତ୍ରା ବୃଦ୍ଧର ପୂର୍ବାନୁମାନ କରାଯାଇଛି, ଯାହାର କାରଣ ଜଙ୍ଗଲ କ୍ଷୟ।
ଓଡ଼ିଶାର ଭୌଗୋଳିକ କ୍ଷେତ୍ରର ୩୩.୫୦ ପ୍ରତିଶତ ଅଂଚଳ ଅର୍ଥାତ୍ ୫୨,୧୫୫.୯୫ ବର୍ଗ କିଲୋମିଟର ହେଉଛି ଜଙ୍ଗଲରେ ଆଚ୍ଛାଦିତ। ତନ୍ମଧ୍ୟରୁ ୪.୬୩% ଅତି ଘଞ୍ଚ, ୧୩.୪୯% ମଧ୍ୟମ ଘଞ୍ଚ ଓ ୧୫.୩୮% ହେଉଛି ଖୋଲା ଜଙ୍ଗଲ। ଏହାଛଡ଼ା ୪୯୨୩.୭୦ ବର୍ଗ କି.ମି. ଗୁଳ୍ମାଞ୍ଚଳ। ରାଜ୍ୟରେ ୫୩୭.୪୪ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇ ଦେଶର ତୃତୀୟ ସ୍ଥାନରେ ରହିବା ଉତ୍ସାହଜନକ। ସେହିପରି ୮ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବଢ଼ି ଏହାର ଆକାର ୨୫୯ ବର୍ଗ କିଲୋମିଟରରେ ପହଞ୍ଚିଛି, ଯାହା ଦେଶରେ ସର୍ବାଧିକ ବୃଦ୍ଧି।
କନ୍ଧମାଳ, ଗଜପତି, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଆୟତନର ଅର୍ଦ୍ଧାଧିକ ଅଂଶ ଜଙ୍ଗଲ ହୋଇଥିବା ବେଳେ ଭଦ୍ରକ, ଜଗତସିଂହପୁର ଓ ପୁରୀ ଭଳି ଉପକୂଳ ଜିଲ୍ଲାରେ ଆୟତନର ୧୦ ପ୍ରତିଶତରୁ କମ୍ ଅଂଶରେ ଜଙ୍ଗଲ ଅଛି। ସେହି ଦୃଷ୍ଟିରୁ ଖୋଲା ଜଙ୍ଗଲର ଘନତ୍ବ ବୃଦ୍ଧି ସମେତ ଗୁଳ୍ମାଞ୍ଚଳକୁ ବନାଞ୍ଚଳରେ ପରିଣତ କରିବା ଅପରିହାର୍ଯ୍ୟ।
ବିଶ୍ବ ଜନସଂଖ୍ୟାର ୧୭.୩% ଭାରତରେ ଥିବା ବେଳେ ଏଠାରେ ଥିବା ଜଙ୍ଗଲ ହେଉଛି ପୃଥିିବୀର ମାତ୍ର ୨ ପ୍ରତିଶତ। ସବୁଜ ଗ୍ୟାସ ନିର୍ଗମନରେ ଏକ ପ୍ରମୁଖ ରାଷ୍ଟ୍ର ହୋଇଥିବାରୁ ଜଳବାୟୁ ପରିବର୍ତ୍ତନ ବିଭୀଷିକାର ଦୃଢ଼ ପ୍ରତିରୋଧ କରିବା ଆମ ଭଳି ବିକାଶଶୀଳ ଦେଶ ପ୍ରତି ଏକ ବିରାଟ ଆହ୍ବାନ ସାଜିଛି। ଏହି ପରିପ୍ରେକ୍ଷୀରେ ଜଙ୍ଗଲର ପରିମାଣାତ୍ମକ ଓ ଗୁଣାତ୍ମକ ଅଭିବୃଦ୍ଧି ସର୍ବୋକୃଷ୍ଟ ସମାଧାନ ପନ୍ଥା।
ଉଭୟ ଜଙ୍ଗଲ ଓ ମଣିଷ ପରସ୍ପର ନିର୍ଭରଶୀଳ। ତେଣୁ ଜଙ୍ଗଲକୁ ସୁରକ୍ଷିତ ରଖି ଆମ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଚିତ। ଏହି ଦୃଷ୍ଟିରୁ ବନ ଦିବସର ଯଥାର୍ଥ ଅନୁଚିନ୍ତା ହେବ ‘ଜଙ୍ଗଲ କ୍ଷତିର କ୍ଷତ’।
(ମାର୍ଚ୍ଚ ୨୧ ବିଶ୍ବ ବନ ଦିବସ)
ମୋ:୯୪୩୭୦୮୦୨୩୩