ଅପୂର୍ଣ୍ଣତା ଭିତରେ ସମ୍ପୂର୍ଣ୍ଣତା ହିଁ ହେଉଛି ଜୀବନ

ଗୌରହରି ଦାସ

ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତି ଚାଲିଯିବାର ଦୁଇ ସପ୍ତାହରୁ ବେଶି ହୋଇଗଲାଣି। ତାଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀ ଶୋକ ପ୍ରକାଶ କରି ଗଣମାଧ୍ୟମରେ କିଛି ବିବୃତି ଦେବା ଏହି ଲେଖକର ଦୃଷ୍ଟିକୁ ଆସିନାହିଁ। ଏହା ପଛରେ ଦି ତିନିଟି କାରଣ ଅଛି। ପ୍ରଥମଟି ହେଲା ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି ଗତ ଦୋଳପୂର୍ଣ୍ଣିମା (୭ ମାର୍ଚ୍ଚ) ଦିନ ଆମେରିକାରେ ଶେଷ ନିଃଶ୍ବାସ ତ୍ୟାଗ କଲେ। ତେଣୁ ଓଡ଼ିଶାର ଗଣମାଧ୍ୟମ ସେ ଖବର ଯଥାଶୀଘ୍ର ପାଇପାରିଲେ ନାହିଁ। ଏହାଠାରୁ ବଡ଼ କାରଣ ହେଉଛି, ପ୍ରଫେସର ମହାନ୍ତି ଚିରକାଳ ପ୍ରଚାର-ପ୍ରସାର ଠାରୁ ଦୂରରେ ଥିଲେ। ସେ ନିଜ ପାଇଁ କୌଣସି ଲେଟରପ୍ୟାଡ୍‌ କିମ୍ବା ଭିଜିଟି˚ କାର୍ଡ ବ୍ୟବହାର କରୁ ନଥିଲେ, ଅନ୍ୟ କଥା ଦୂରେ ଥାଉ। ତେବେ ଏହି ସମ୍ବାଦପତ୍ର ସହ ଆଉ ଗୋଟିଏ ଯୋଡ଼ିଏ ସମ୍ବାଦପତ୍ରରେ ପ୍ରଫେସର ମହାନ୍ତିଙ୍କ ଶୋକ ସମ୍ବାଦ ପ୍ରକାଶ ପାଇବା ପରେ ସୁଦ୍ଧା କୌଣସି ବିଶିଷ୍ଟ ଜନନେତା କାହିଁକି ଶ୍ରଦ୍ଧାଞ୍ଜଳି ଜଣାଇ ନାହାନ୍ତି! ଏହାର ଉତ୍ତର ହେବ- ମାଟିରେ ଚାଲୁଥିବା ମଣିଷ ଅନୁଚ୍ଚ ଆକାଶର ସାଧାରଣ ପକ୍ଷୀଙ୍କୁ ଠାବ କରିପାରେ, ମାତ୍ର ମେଘ ଉପରେ ଉଡୁଥିବା ଇଗଲର ଠାବ କରିପାରେ ନାହିଁ। ଯାହାର ଠାବ କରିବା କଷ୍ଟ, ତାହାର ମୂଲ୍ୟାୟନ ମଧ୍ୟ କଷ୍ଟ।

ଚଉଦ ବର୍ଷ ତଳ, ୨୦୦୯ର ଫାଲ୍‌ଗୁନ ସନ୍ଧ୍ୟା (ଫେବ୍ରୁଆରି ୧୯ ତାରିଖ)ର କଥା ମନେ ପଡ଼ିଯାଉଛି। ତାର କିଛି ବର୍ଷ ଆଗରୁ ଏହି ଲେଖକ ପ୍ରଫେସର ମହାନ୍ତିଙ୍କୁ ‘ଓସା’ ସମ୍ମିଳନୀ ଅବସରରେ ୱାଶିଂଟନ୍ ଡି.ସି.ରେ ସାକ୍ଷାତ କରିବା କଥା ସ˚ପାଦକ ସୌମ୍ୟର˚ଜନ ପଟ୍ଟନାୟକଙ୍କୁ ଆସି ଜଣାଇଥିଲା। ୨୦୦୯ରେ ‘ସମ୍ବାଦ’ର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପ୍ରଫେସର ମହାନ୍ତିଙ୍କୁ ଓଡ଼ିଶା ଆମନ୍ତ୍ରଣ କରି ନାଗରିକ ସମ୍ବର୍ଦ୍ଧନା ଦେବା ପାଇଁ ସଂପାଦକ ଶ୍ରୀ ପଟ୍ଟନାୟକ ଭବ୍ୟ ଆୟୋଜନ କଲେ। ଆମେରିକାର ଆଲ୍‌ବାମାରେ ରହୁଥିବା ପ୍ରଫେସର ଦିଗମ୍ବର ମିଶ୍ରଙ୍କ ମାଧ୍ୟମରେ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତିଙ୍କ ସହ ଯୋଗାଯୋଗ ହେଲା ଏବ˚ ସେ କଲିକତା ଆସିଥିବା ବେଳେ ସେଠାରୁ ଓଡ଼ିଶା ଆସିଲେ। ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଫେସର ମହାନ୍ତିଙ୍କ ସହପାଠୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ପ୍ରେକ୍ଷାଳୟ ଭର୍ତ୍ତି ସେହି ସମ୍ବର୍ଦ୍ଧନା ସଭାରେ ପ୍ରଫେସର ମହାନ୍ତି ଯେଉଁ ଭାଷଣ ଦେଇଥିଲେ ସେକଥା ଏବେ ବି ଅନେକ ବୁଦ୍ଧିଜୀବୀଙ୍କର ସ୍ମରଣରେ ରହିଛି।

ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତିଙ୍କ ବହୁ ପ୍ରସିଦ୍ଧ ଉକ୍ତି ଭିତରୁ ଗୋଟିଏ ହେଲା- Life is complete in its incompleteness ବା ଅପୂର୍ଣ୍ଣତା ଭିତରେ ସମ୍ପୂର୍ଣ୍ଣତା ହିଁ ହେଉଛି ଜୀବନ। ଏ କଥାଟି ସେ ତାଙ୍କର ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ଏବ˚ ଏହାକୁ ନେଇ ଅନ୍ୟମାନେ ଅନେକ ପ୍ରବନ୍ଧ ଲେଖିଛନ୍ତି। ଜୀବନକୁ ନେଇ ଏଭଳି ବହୁ ଅର୍ଥପୂର୍ଣ୍ଣ ବାକ୍ୟମାନ ପ୍ରଫେସର ମହାନ୍ତି ଲେଖିଯାଇଛନ୍ତି, ଯାହା କାଳ କାଳକୁ ଉଜ୍ଜ୍ବଳ ହୋଇ ରହିଥିବ।

ନିଜ ସମୟର ବିଶ୍ବର ଦଶଜଣ ଶ୍ରେଷ୍ଠ ଦାର୍ଶନିକଙ୍କ ଭିତରୁ ଜଣେ ଥିଲେ ପ୍ରଫେସର ମହାନ୍ତି। ତାଙ୍କର ଜନ୍ମ ୧୯୨୮ରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ଚଉଦକୁଲାଟ ପାଖ ନୀଳକଣ୍ଠପୁର। ସତର ବର୍ଷ ବୟସରେ ସେ ଓଡ଼ିଶା ଛାଡ଼ି କଲିକତା ଯାଆନ୍ତି ଓ ପଢ଼ନ୍ତି ପ୍ରେସିଡେନ୍‌ସି କଲେଜରେ। ତା’ ପୂର୍ବରୁ ସେ ମାଟ୍ରିକ୍‌ ଏବ˚ ଆଇଏରେ ସମଗ୍ର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଶିକ୍ଷକ ଓ ଶିକ୍ଷିତବର୍ଗର ଦୃଷ୍ଟି ଆକର୍ଷଣ କରି ସାରିଥିଲେ। ବସ୍ତୁତଃ, ପ୍ରତି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେବା ଯେମିତି ଥିଲା ପ୍ରଫେସର ମହାନ୍ତିଙ୍କ ଅଭ୍ୟାସ ଯାହାକୁ ସେ ଜୀବନସାରା ଜାରି ରଖିଥିଲେ। ସେ ଥିଲେ ସ୍ବାଧୀନ ଭାରତବର୍ଷର ପ୍ରଥମ ଅର୍ଥାତ୍‌ ୧୯୪୭ ବ୍ୟାଚ୍‌ର ଗ୍ରାଜୁଏଟ୍‌। କଲିକତା ବିଶ୍ବବିଦ୍ୟାଳୟରୁ ଦର୍ଶନରେ ଏମ୍‌ଏ ଶେଷ କରି ସେ କିଛିକାଳ ଅଧ୍ୟାପନା କରନ୍ତି ଓ ୧୯୫୨ରେ ଯାଆନ୍ତି ଜର୍ମାନ ଗୋଏଟିଙ୍ଗେନ ବିଶ୍ବବିଦ୍ୟାଳୟ, ପିଏଚ୍‌ଡି ପାଇଁ। ସେଠୁ ଫେରି ସେ କଲିକତା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଏବ˚ ପରେ ପ୍ରଫେସର ଭାବେ ଯୋଗ ଦିଅନ୍ତି।

ପ୍ରଫେସର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ପରେ ବୟସରେ ଦ୍ବିତୀୟ କନିଷ୍ଠ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି ୩୯ ବର୍ଷ ବୟସରେ ସେଇ ଚେୟାର ମଣ୍ତନ କରନ୍ତି, ଯେଉଁଠି ପୂର୍ବରୁ ରାଧାକ୍ରିଷ୍ଣନ୍‌ ବସୁଥିଲେ। ବସ୍ତୁତଃ ରାଧାକ୍ରିଷ୍ଣନ୍‌ ଏବ˚ ଜିତେନ୍ଦ୍ରନାଥ ମହାନ୍ତିଙ୍କ ଭିତରେ ବୟସରେ ଦୀର୍ଘ ବ୍ୟବଧାନ ସତ୍ତ୍ବେ ଗବେଷଣା ଓ ଅଧ୍ୟାପନାରେ କନିଷ୍ଠ ବରିଷ୍ଠଙ୍କର ସମସ୍ପର୍ଧୀ ରହିଆସିଥିଲେ। ୧୯୨୮ରେ ଏନ୍‌ସାଇକ୍ଲୋପିଡିଆ ବ୍ରିଟାନିକାର ପ୍ରଥମ ସ˚ସ୍କରଣ ପ୍ରକାଶବେଳେ ‘ଭାରତୀୟ ଦର୍ଶନ’ ସ˚ପର୍କରେ ଲେଖିବା ଦାୟିତ୍ବ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କୁ ଦିଆଯାଇଥିଲା। ମାତ୍ର ୧୯୬୨ରେ ଏହାର ଦ୍ବିତୀୟ ସ˚ସ୍କରଣ ପ୍ରକାଶବେଳେ ଯାହାଙ୍କୁ ଦାୟିତ୍ବ ଦିଆଯାଇଥିଲା ସେ ଥିଲେ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି।

କଲିକତା ବିଶ୍ବବିଦ୍ୟାଳୟର ପ୍ରଫେସର କାଳିଦାସ ଭଟ୍ଟାଚାର୍ଯ୍ୟ, ରାସବିହାରୀ ଦାସ, ନଳିନୀକାନ୍ତ ବ୍ରହ୍ମା, ମହାମହୋପାଧ୍ୟାୟ ଯୋଗେନ୍ଦ୍ରନାଥ ତର୍କ ବେଦାନ୍ତ ତୀର୍ଥ, ପଣ୍ତିତ ଅନନ୍ତ କୁମାର ତର୍କତୀର୍ଥ ଏବ˚ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ପରି ଅଧ୍ୟାପକଙ୍କ ଠାରୁ ଶିକ୍ଷାପ୍ରାପ୍ତି ପୂର୍ବରୁ ତରୁଣ ଜିତେନ୍ଦ୍ରନାଥଙ୍କୁ ଭିନ୍ନ ମାର୍ଗର ଜୀବନ ଜିଇବା ଲାଗି ଯେଉଁମାନେ ଅନୁପ୍ରେରିତ କରିଥିଲେ ସେମାନେ ହେଲେ ବଡ଼ମାମୁ ଗୋପବନ୍ଧୁ ଚୌଧୁରୀ, ସାନମାମୁ ନବକୃଷ୍ଣ ଚୌଧୁରୀ, ମାଈଁ ରମାଦେବୀ ଓ ମାଳତୀ ଦେବୀ। କେବଳ ଓଡ଼ିଶା ନୁହେଁ ଭାରତର ସ୍ବାଧୀନତା ଇତିହାସରେ ଏହି ନାଁ ଚାରିଟି ଏତେ ପ୍ରସିଦ୍ଧ ଯେ ସେମାନଙ୍କ ସ˚ପର୍କରେ ଅଧିକ ସୂଚନା ଦେବା ଅନାବଶ୍ୟକ। ସେ ସମୟରେ ଗୋପବନ୍ଧୁ ଚୌଧୁରୀ ଗାନ୍ଧୀ, ନବକୃଷ୍ଣ ମାକ୍‌ର୍ସ, ରମାଦେବୀ ଶ୍ରୀ ଅରବିନ୍ଦ ଏବ˚ ମାଳତୀ ଦେବୀ ରବୀନ୍ଦ୍ରନାଥଙ୍କ ଦର୍ଶନରେ ଉଦ୍‌ବୁଦ୍ଧ ଥିଲେ। ‘କେବଳ ଜିଇବାଟା ବଡ଼ କଥା ନୁହେଁ, ଠିକଣା ଢଙ୍ଗରେ ଜୀବନ ଜିଇବାଟା ହିଁ ବଡ଼ କଥା’- ଏଇ ତତ୍ତ୍ବଟି ତଥ୍ୟ ରୂପରେ ଜିତେନ୍ଦ୍ରନାଥଙ୍କ ମାମୁଘର ଅଗଣାରେ ଅନୁଭୂତ ହେଉଥିଲା। ଏହା ସାଙ୍ଗକୁ ଆଉ ଗୋଟିଏ ଘଟନା ଘଟିଲା ୧୯୫୫ରେ।

ଭୂଦାନ ଆନ୍ଦୋଳନରେ ମହାନ୍‌ ନେତା ସନ୍ଥ ବିନୋବା ଭାବେ ଓଡ଼ିଶା ଆସିଲେ। ମାମୁ ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦେଶକ୍ରମେ ତରୁଣ ଓ ଜର୍ମାନ ଫେରନ୍ତା ଜିତେନ୍ଦ୍ରନାଥ ଯାଇ ଲକ୍ଷ୍ମଣନାଥ ରୋଡ୍‌ ପାଖରୁ ବିନୋବାଙ୍କ ପଦଯାତ୍ରାରେ ଯୋଗ ଦେଲେ। ସନ୍ଥ ବିନୋବାଙ୍କ ସହ ବିତେଇଥିବା ସେଇ ଦିନଗୁଡ଼ିକର ଚମତ୍କାର ବିବରଣୀ ଜିତେନ୍ଦ୍ରନାଥ ତାଙ୍କ ଆତ୍ମଜୀବନୀ ‘ବିଟୁଇନ୍‌ ଟୁ ୱାର୍ଲଡ୍‌ସ: ଇଷ୍ଟ୍‌ ଆଣ୍ତ୍‌ େୱଷ୍ଟ୍‌’ରେ ଲେଖିଛନ୍ତି। ଭୂଦାନ ଆନ୍ଦୋଳନ ତାଙ୍କ ମନ ଭିତରେ କିଛି ପ୍ରଶ୍ନର ଉତ୍ତର ଦେଇଛି, ନୂଆ କିଛି ପ୍ରଶ୍ନ ମଧ୍ୟ ଉତ୍‌ଥାନ କରିଛି। ପୁଣି ସେ ଫେରିଛନ୍ତି କଲିକତାର ବିଶ୍ବବିଦ୍ୟାଳୟ ପରିସରକୁ। ମନେ ହୋଇଛି ଅଧ୍ୟୟନ, ଅଧ୍ୟାପନା, ଗବେଷଣା ଓ ନିଜ ଉପଲବ୍ଧିକୁ ଲିପିବଦ୍ଧ କରିବା ଥିଲା ତାଙ୍କର ଅସଲ କର୍ମଭୂମି। କଲିକତାରେ ପ୍ରଫେସର ଥିବାବେଳେ ବହୁ ଛାତ୍ର ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ। ନୋବେଲ୍‌ ବିଜେତା ଅମର୍ତ୍ତ୍ୟ ସେନ ଏବ˚ ବିଖ୍ୟାତ ଅର୍ଥନୀତିଜ୍ଞ ସୁଖମୟ ଚକ୍ରବର୍ତ୍ତୀ ସେମାନଙ୍କ ଭିତରେ ଅନ୍ତର୍ଭୁକ୍ତ। ପରେ ପରେ ସେ କଲିକତା ବିଶ୍ବବିଦ୍ୟାଳୟ ଛାଡ଼ି ସାଗର ବିଶ୍ବବିଦ୍ୟାଳୟ, ବର୍ଧମାନ ବିଶ୍ବବିଦ୍ୟାଳୟ ଯାଆନ୍ତି ଏବ˚ ଶାନ୍ତିନିକେତନରେ ମଧ୍ୟ କିଛି କାଳ ଅଧ୍ୟାପନା କରନ୍ତି ଭିଜିଟି˚ ପ୍ରଫେସର ଭାବେ। ୧୯୭୦ରେ ଜିତେନ୍ଦ୍ରନାଥ ମହାନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଯାଇ ଓକଲାହାମା ବିଶ୍ବବିଦ୍ୟାଳୟରେ ଯୋଗ ଦିଅନ୍ତି। ବର୍ଷକ ପରେ ସେଇଠି ହୁଅନ୍ତି ସେ ଜର୍ଜ ଲିନ୍‌ କ୍ରସ୍‌ ପ୍ରଫେସର। କିଛିକାଳ ଅକ୍‌ସଫୋର୍ଡର ଅଲ ସୋଲସ୍‌ କଲେଜରେ ଯାଇ ଭିଜିଟି˚ ପ୍ରଫେସର ଭାବେ ମଧ୍ୟ ଅଧ୍ୟାପନା କରନ୍ତି।

ସେଇ ସମୟରେ ନ୍ୟୁୟର୍କର ପ୍ରସିଦ୍ଧ ନ୍ୟୁ ସ୍କୁଲ୍‌ ଅଫ୍‌ ସୋସିଆଲ୍‌ ରିସର୍ଚରୁ ତାଙ୍କର ଆମନ୍ତ୍ରଣ ଆସେ। ଆମନ୍ତ୍ରଣ କରନ୍ତି ପଲିଟିକାଲ୍‌ ଫିଲସଫିର ପ୍ରସିଦ୍ଧ ପ୍ରବକ୍ତା ହାନା ଆରେନ୍ତ। ଏହି ବିଶ୍ବବିଦ୍ୟାଳୟ ବୈଶିଷ୍ଟ୍ୟ ହେଲା ସେଠାରେ କେବଳ ଦେଶ ବିଦେଶର ଗବେଷକମାନେ ହିଁ ଛାତ୍ରଛାତ୍ରୀ। ପ୍ରଫେସର ମହାନ୍ତିଙ୍କ ସତୀର୍ଥମାନେ ହୁଅନ୍ତି ଏରିକ ଫ୍ରମ, ଯାହାଙ୍କ ଗବେଷଣାର ସନ୍ଦର୍ଭ ହେଲା ‘ଫିୟର ଅଫ୍‌ ଫ୍ରିଡମ୍‌’, ‘ୱାନ୍‌ ଡାଇମେନ୍‌ସନ୍‌ ମ୍ୟାନ୍‌’ ଖ୍ୟାତିର ହରବଟ ମାକ୍ୟୁସା ଏବ˚ ନିଜେ ହାନା ଆରେନ୍ଦ। ଏହାପରେ ପ୍ରଫେସର ମହାନ୍ତି ଆସନ୍ତି ଫିଲାଡେଲ୍‌ଫିଆ ଟେମ୍ପଲ୍‌ ୟୁନିଭରସିଟି ଏବ˚ ତା’ପରେ ଏମରି ବିଶ୍ବବିଦ୍ୟାଳୟ। ଶେଷ ପର୍ଯ୍ୟନ୍ତ ଏଇ ଦିଇଟି ବିଶ୍ବବିଦ୍ୟାଳୟ ପ୍ରଫେସର ଏମିରଟ୍‌ସ ଭାବେ ପ୍ରଫେସର ମହାନ୍ତିଙ୍କୁୁ ପାଇ ଗର୍ବ ଅନୁଭବ କରୁଥିଲେ।

ପ୍ରଫେସର ଜିତେନ୍ଦ୍ର ମହାନ୍ତି ଅନେକ ଗ୍ରନ୍ଥର ପ୍ରଣେତା। ତା’ ଭିତରୁ କେତୋଟି ହେଲା ଏକ୍‌ସପ୍ଲରେସନ୍‌ ଅଫ୍‌ େୱଷ୍ଟର୍ଣ୍ଣ ଫିଲସଫି, ଫେନମନଲଜି: ଇଷ୍ଟ‌୍ ଆଣ୍ତ୍‌ େୱଷ୍ଟ୍‌, ଦ ଫିଲସଫି ଅଫ୍‌ ଏଡ୍‌ମଣ୍ତ୍‌ ହର୍ସେଲ୍‌, ରିଜନ ଆଣ୍ତ୍‌ ଟ୍ରାଡିସନ୍‌ ଇନ୍‌ ଇଣ୍ତିଆନ୍‌ ଫିଲସଫି, ଲଜିକ୍‌, ଟ୍ରୁଥ୍‌ ଆଣ୍ତ୍‌ ମୋଡାଲିଟିଜ୍‌, ଦ ସେଲ୍‌ଫ ଆଣ୍ତ୍‌ ଇଟ୍‌ସ ଅଦର ଏବ˚ ଟ୍ରାନ୍‌ସଡୋଲ ଫେନମନଲଜି। ନିଜର ସାଧନା ଓ ସିଦ୍ଧି ପାଇଁ ଦେଶ ବିଦେଶରେ ବହୁ ସମ୍ମାନ ଲାଭ କରିଥିଲେ। ଜର୍ମାନ ସରକାରଙ୍କର ହମ୍ବୋଲ୍‌ଟ ଗବେଷଣା ପୁରସ୍କାର, ଯାଦବପୁର ବିଶ୍ବବିଦ୍ୟାଳୟରେ ଡକ୍ଟରେଟ୍‌, ବର୍ଧମାନ ବିଶ୍ବବିଦ୍ୟାଳୟର ଡିଲିଟ୍‌ ପ୍ରଭୃତି ଏହା ମଧ୍ୟରେ ଅନ୍ତର୍ଭୁକ୍ତ।

ପ୍ରଫେସର ମହାନ୍ତି ତାଙ୍କ ଆତ୍ମଜୀବନୀରେ ଲେଖିଥିଲେ ଯେ ୧୯୪୬ରେ କଲିକତାରେ ହିନ୍ଦୁ-ମୁସଲମାନ ଦଙ୍ଗା ଧର୍ମର ପ୍ରୟୋଜନୀୟତା ଓ ଈଶ୍ବରଙ୍କ ଅସ୍ତିତ୍ବ ନେଇ ତାଙ୍କୁ ଗଭୀର ଭାବେ ଆନ୍ଦୋଳିତ କରିଥିଲା‌। ସେମିତି ନିଜ ମାମୁ ଗୋପବନ୍ଧୁ ଚୌଧୁରୀଙ୍କର ଗୋଟିଏ ବାକ୍ୟ ଏବ˚ ପ୍ରାଥମିକ ସ୍କୁଲ୍‌ର ଗଣିତ ଶିକ୍ଷକ ଶ୍ରୀନାଥ ରାୟଙ୍କ ଆଉ ଗୋଟିଏ ବାକ୍ୟ ମଧ୍ୟ ତାଙ୍କ ଉପରେ ପ୍ରଭାବ ରଖିଥିଲା। କଲିକତାରେ ରହି ସେ ପଢୁଥିବା ବେଳେ ଥରେ ତାଙ୍କ ମାମୁ ଗୋପବନ୍ଧୁ ଚୌଧୁରୀ ତାଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ଜିତେନ୍ଦ୍ରନାଥ ହଷ୍ଟେଲ୍‌ରେ ନଥିଲେ। ଫେରିବା ପରେ ମାମୁ ଛାଡ଼ିଯାଇଥିଲା ଖଣ୍ତିଏ ଚିଠିର ବାକ୍ୟଗୁଡ଼ିକ ପଢ଼ିଲେ, ‘ଜିତେନ, ମୁଁ ତୁମ ଟେବୁଲ୍‌ ଉପରେ କିଛି ପୁରୁଣା ଚିଠି ଦେଖିଲି, ଯେଉଁଥିରେ ମୁଁ ଲେଖିଥିବା କେତେଖଣ୍ତ ବି ଅଛି। ଦାର୍ଶନିକ ଅତୀତକୁ ଜାବୋଡ଼ି ଧରିରଖିବା ଉଚିତ ନୁହେଁ। ଅନାସକ୍ତ ରହିବା ଅଭ୍ୟାସ କର।’ ଏହା ଜିତେନ୍ଦ୍ରଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା। ସେଥିପାଇଁ ସେ ନିଜ ଜୀବନରେ କେବେ କ୍ୟାମେରାଟିଏ ସୁଦ୍ଧା ରଖି ନଥିଲେ। ତାଙ୍କର ଲେଟର ପ୍ୟାଡ୍ କିମ୍ବା ଭିଜିଟିଂ କାର୍ଡ ନଥିଲା। କୌଣସି ସ୍ମୃତିକୁ ଧରିରଖିବା ପାଇଁ ସେ ଚାହୁଁ ନଥିଲେ। ଗୋଳଚହଳ, ପ୍ରଚାର ଓ ସ୍ବୀକୃତିଠାରୁ ନିରାପଦ ଦୂରତ୍ବରେ ଥିବା ଜିତେନ୍ଦ୍ରନାଥଙ୍କୁ ତାଙ୍କ ପ୍ରାଥମିକ ସ୍କୁଲ୍‌ର ଗଣିତ ଶିକ୍ଷକ କହିଥିଲେ, ‘(ବେଳେବେଳେ) ଖାଲି ପାଦରେ ଚାଲିବ ଜିତେନ୍ଦ୍ର, ମାଟି ସାଙ୍ଗରେ ସମ୍ପର୍କ ରଖିଲେ ଶକ୍ତି ବଢ଼ିବ।’ ସେଦିନ ଶିକ୍ଷକ ଯେଉଁ ଉଦ୍ଦେଶ୍ୟରେ କହିଥାଆନ୍ତୁ ନା କାହିଁକି, ଚାଳିଶ ବର୍ଷରୁ ପାଖାପାଖି ବିଦେଶରେ ରହିଲେ ସୁଦ୍ଧା ଜିତେନ୍ଦ୍ରନାଥ ନିଜ ମାଟି ସାଙ୍ଗରୁ ସ˚ପର୍କ ତୁଟେଇ ନଥିଲେ।

ମାଆ ବସନ୍ତ କୁମାରୀ ଦେବୀ ଏବ˚ ବାପା ଜଗନ୍ନାଥ ମହାନ୍ତିଙ୍କର ଏଇ ଦାର୍ଶନିକ ସନ୍ତାନ ଜଣକ ବଡ଼ହୋଇ ଓକିଲ ଓ ଜଜ୍‌ ହୁଅନ୍ତୁ ଏଇକଥା ଚାହୁଥିଲେ ବାପା। ସେ ଜାଣିଥିଲେ ଦାର୍ଶନିକର ଜୀବନ ଦରିଦ୍ରର ଜୀବନ- ସକ୍ରେଟିସ୍‌ଙ୍କ ଠାରୁ ନେଇ ହର୍ସେଲ୍‌ଙ୍କ ପର୍ଯ୍ୟନ୍ତ। ନିଜ ପୁଅ ଏପରି ଏକ ଜୀବନ ବଞ୍ଚନ୍ତୁ- ସେକଥା ବାପା ଚାହୁଁ ନଥିଲେ। ଲଣ୍ତନ ପଠେଇ ବାର‌୍‌-ଏଟ ଲ ପଢ଼େଇବାକୁ ଚାହିଁଥିଲେ। ବାପାଙ୍କ କଥା ମାନି ଜିତେନ୍ଦ୍ରନାଥ ଆଇନ କଲେଜରେ ନାଁ ସୁଦ୍ଧା ଲେଖେଇଥିଲେ। ମାତ୍ର ସେଥିରେ ତାଙ୍କର ଆଗ୍ରହ ନଥିଲା। ଜୀବନ-ରହସ୍ୟର ଅନୁସନ୍ଧାନ ହୋଇଛି ତାଙ୍କର ବ୍ରତ। ଏଥିପାଇଁ ସେ ବହୁତ ମୂଲ୍ୟ ଦେଇଥିଲେ। ଜର୍ମାନରୁ ଫେରି ସେ ଶହେଟଙ୍କା ଦରମାରେ କଲିକତାରେ ପାର୍ଟଟାଇମ୍‌ ଚାକିରି କରିଥିଲେ। ତା’ ସତ୍ତ୍ବେ ଗଣିତ, ସ˚ସ୍କୃତ ଓ ଦର୍ଶନର ଏହି ବିଦ୍ବାନ ଦାର୍ଶନିକ ଜଣକ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥିଲେ।

ଏହିପରି ଜଣେ ଜ୍ଞାନ ତପସ୍ବୀ ଥିଲେ ଜିତେନ୍ଦ୍ରନାଥ। ମନେପଡୁଛି, କଲିକତାରୁ ଭୁବନେଶ୍ବର ଆସିବାଲାଗି ‘ସମ୍ବାଦ’ ତାଙ୍କୁ ବିମାନ ଟିକେଟ୍ ପଠାଇବା ପ୍ରସଙ୍ଗ ଉଠେଇବାବେଳେ ସେ କିପରି ମିଠା ହସଟିଏ ହସି ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଗୋଟିଏ ଭ୍ୟାନ୍‌ରେ ସେ ସଡ଼କ ପଥରେ କଲିକତାରୁ ଭୁବନେଶ୍ବର ସସ୍ତ୍ରୀକ ଆସିଥିଲେ। ଏଠାରେ ମଧ୍ୟ ଆମ ପକ୍ଷରୁ କୌଣସି ପ୍ରକାର ଆତିଥେୟତା ଗ୍ରହଣ କରି ନ ଥିଲେ। ହସି ହସି କହିଥିଲେ, ‘‘ଓଡ଼ିଶା ମୋର ଘର। ନିଜ ଘରକୁ ଆସିବାଲାଗି କିଏ କ’ଣ ଏସବୁ ସୁବିଧା ଓ ବାଟଖର୍ଚ୍ଚ ଲୋଡ଼ିଥାଏ?’’

ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ଓଡ଼ିଶା ତାହାର ଜଣେ ଯୋଗ୍ୟତମ ସନ୍ତାନଙ୍କୁ ହରେଇଛି। ତାଙ୍କ ଶୂନ୍ୟସ୍ଥାନ ଅପୂରଣୀୟ ରହିବ ବୋଲି କହିବା ଠିକ୍ ହେବନାହିଁ, ମାତ୍ର ବର୍ଷ ବର୍ଷ ପର୍ଯ୍ୟନ୍ତ ଏହି ଶୂନ୍ୟତା ଅନୁଭୂତ ହେଉଥିବ।

ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର