ଆଲେକଜାଣ୍ଡର ଭାରତ ଭୂଖଣ୍ଡ ବିଷୟରେ ପୂର୍ବରୁ ଶୁଣିଥିଲେ ଏବଂ ଏହି ଭୂଖଣ୍ଡର ସନ୍ଥମାନେ କିଭଳି ଅଲୌକିକ ମହିମାର ଅଧିକାରୀ ତାହା ଶୁଣିଥିଲେ। ତେଣୁ ସାଙ୍ଗରେ ସେ କେତେକ ସାଧୁଙ୍କୁ ଘେନି ଯିବା ଲାଗି ମନସ୍ଥ କରିଥିଲେ।

Advertisment

ଥରେ ଜଣେ ସାଧୁଙ୍କୁ ସେ ଭେଟିଲେ। ଦର୍ପୀ ଆଲେକଜାଣ୍ଡର ସାଧୁଙ୍କୁ ଅଟକାଇ କହିଲେ- ମୁଁ ଦିଗ୍‌ବିଜୟୀ ସିକନ୍ଦର। ମୋ ସହିତ ଚାଲ।

ସାଧୁ ତାଙ୍କୁ ଉପରୁ ତଳ ଯାଏ ପରଖି ନେଲା ପରେ କହିଲେ-ତୁମେ ତ ସମ୍ରାଟ ଭଳି ଲାଗୁନାହଁ। ତୁମ ଲାଳସା ଏଭଳି ଅପୂର୍ଣ୍ଣ ଯେ ମନେ ହେଉଛି ତୁମେ ଜଣେ ଭିକ୍ଷୁକ, ଯାହାର ଭୋକ କେବେ ମେଣ୍ଟେନାହିଁ।

ଆଲେକଜାଣ୍ଡର ଚମକି ପଡ଼ିଲେ। ଠିକ୍‌ ଏହି କଥା ମାସିଡୋନିଆରେ ତାଙ୍କୁ ଦାର୍ଶନିକ ଡିଓଜିନସ କହିଥିଲେ।

ଭାରତର ସାଧୁ ଆହୁରି କହିଲେ- ତୁମେ ସାହସୀ ଓ ବୀର ଭଳି ମଧ୍ୟ ଲାଗୁନାହଁ। ଯଦି ସେଭଳି ହୋଇଥାଆନ୍ତ, ତେବେ ତୁମେ ଏତେ ଅସ୍ତ୍ରଶସ୍ତ୍ର ଦ୍ବରା ସଜ୍ଜିତ ହୋଇ ନ ଥାଆନ୍ତ! ମୋତେ ଲାଗୁଛି ତୁମେ ଜଣେ ଅତି ଭୟାତୁର ମନୁଷ୍ୟ।

ସିକନ୍ଦର ସତେ ଯେମିତି ନିରୁତ୍ତର ହୋଇଯାଇଥିଲେ!

ସାଧୁ ପୁଣି କହିଲେ- ଶେଷ କଥା ହେଲା ମୁଁ ତ କାହା ଆଜ୍ଞାର ଦାସ ନୁହେଁ। ତେଣୁ ମୁଁ ନ ଚାହିଁଲା ପର୍ଯ୍ୟନ୍ତ ତୁମ ସହିତ ଯିବାର ପ୍ରଶ୍ନ ନାହିଁ। ବଳ ପୂର୍ବକ ନେବାକୁ ଚାହିଁଲେ ବି ମୋତେ ପାଇବ ନାହିଁ। କାରଣ ମୋ ଶରୀରକୁ ତୁମେ ନେଇଯିବ ସିନା, ମୋ ଆତ୍ମା ଓ ମନକୁ ନେଇ ପାରିବ ନାହିଁ। ଆଉ ଯଦି ଏଥି ଲାଗି ମୋତେ ହତ୍ୟା କରିବାକୁ ଚାହଁ, ତେବେ ବି ଭୟ ନାହିଁ। କାରଣ ଆମେ ପ୍ରତ୍ୟେକ ଭବିଷ୍ୟତ୍‌ରେ ମୃତ। ଏ ଧାରଣା ମୋ ଠାରେ ଅତ୍ୟନ୍ତ ସ୍ପଷ୍ଟ, ଯାହା ତୁମ ପାଖରେ ହୁଏ’ତ ନାହିଁ। ତେଣୁ ମୃତ୍ୟୁକୁ ବି ମୋର ଆଦୌ ଭୟ ନାହିଁ।

କୁହାଯାଏ ଦିଗ୍‌ବିଜୟୀ ସିକନ୍ଦର ଅତ୍ୟନ୍ତ ନ୍ୟୂନ ଦିଶିଲେ।