୨୭ ସେପ୍ଟେମ୍ବର ୨୦୧୩ ମସିହା କଥା। କେନ୍ଦ୍ରରେ ଥାଏ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର। ପ୍ରଧାନମନ୍ତ୍ରୀ ଥାନ୍ତି ମନମୋହନ ସିଂହ। ସୋନିଆ ଗାନ୍ଧୀ ଶାସକ କଂଗ୍ରେସ ଦଳ ସଭାପତି ଓ ପୁତ୍ର ରାହୁଳ ଗାନ୍ଧୀ ଉପସଭାପତି। ଦଳର ଆଉ ଜଣେ ପୁରୁଖା ନେତା ଅଜୟ ମାକେନ୍‌ ଡାକିଥାନ୍ତି ଏକ ସାମ୍ବାଦିକ ସମ୍ମିଳନୀ। ରାହୁଳ ଗାନ୍ଧୀ ମଧ୍ୟ ଉପସ୍ଥିତ ଥା’ନ୍ତି। ତାଜା ଖବର ଥିଲା ମନମୋହନ ସରକାରର ମନ୍ତ୍ରିମଣ୍ଡଳ ଦ୍ବାରା ଗୃହୀତ ଏକ ବିବାଦୀୟ ଅଧ୍ୟାଦେଶ। ରାଜନୀତି ଓ ସଂସଦକୁ ଅପରାଧୀକରଣରୁ ମୁକ୍ତ କରିବା ପାଇଁ ଏକ ଅଧାପନ୍ତରିଆ ଉଦ୍ୟମ। ପ୍ରଶ୍ନୋତ୍ତର ମଝି‌ରେ ଉତ୍ତ୍ୟକ୍ତ ହୋଇପଡ଼ିଲେ ରାହୁଳ ଓ ଅଧ୍ୟାଦେଶର କପିଟିକୁ, ହଠାତ୍‌ ‘‘ନନ୍‌ସେନ୍‌ସ’’- ବାଜେ, ବକ୍‌ୱାସ କହି ଚିରି ଫୋପାଡ଼ି ଦେଇଥିଲେ। ଏହି ଘଟଣାକୁ ଗଣମାଧ୍ୟମ ଦେଶସାରା ପ୍ରସାରଣ କରିଥିଲେ। ଅପ୍ରସ୍ତୁତ, ଅପମାନିତ ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ନ କରି ଚୁପ୍‌ ରହିଥିଲେ।

Advertisment

ଏହି ସଂଶୋଧିତ ଅଧ୍ୟାଦେଶ ଅନୁସାରେ ଯଦି ଜଣେ ବିଚାରାଳୟ ଦ୍ବାରା ଦୋଷୀ ସାବ୍ୟସ୍ତ ସାଂସଦ ଅତି କମ୍‌ରେ ଦୁଇ ବର୍ଷର ଜେଲଦଣ୍ଡ ପା’ନ୍ତି ତେବେ ସେ ସେହିଦିନ ଠାରୁ ନିଜର ସଦସ୍ୟତା ହରାଇବେ ଏବଂ ତା’ପରେ ଆଉ ଛ ବର୍ଷ ନିର୍ବାଚନ ଲଢ଼ିପାରିବେ ନାହିଁ। କିନ୍ତୁ ଅପିଲ୍‌ ପାଇଁ ତାଙ୍କୁ ମାସେ ବଦଳରେ ୩ ମାସ ସମୟ ମିଳିବ। ଆଗରୁ ଏହି ସମୟସୀମା ମାତ୍ର ଏକ ମାସ ଥିଲା। ତେଣୁ ଏକ ମାସ ସୀମା ସପକ୍ଷ‌ରେ ରାହୁଳଙ୍କ ପ୍ରତିକ୍ରିୟାକୁ କେତେକ ବର୍ଗର ଲୋକ ସ୍ବାଗତ କରିଥିଲେ। କାରଣ ପ୍ରସ୍ତାବିତ ଅଧ୍ୟାଦେଶ ଦ୍ବାରା ମହଲତ ସମୟସୀମାକୁ ଏକ ମାସ ବଦଳରେ ତିନି ମାସ କରି ଦେଇଥିଲେ ଦୋଷୀ ସାବ୍ୟସ୍ତ ସାଂସଦମାନେ ଏହି ବର୍ଦ୍ଧିତ ସମୟସୀମାକୁ ଅପବ୍ୟବହାର କରି ମାଲି ମକଦ୍ଦମା ଓ ଦାମୀ ଓକିଲଙ୍କ ସାହାଯ୍ୟରେ ପ୍ରଚଳିତ ଆଇନକୁ ଅଚଳ କରି ଦେଇଥାନ୍ତେ। ତେଣୁ ଏହା ବିରୋଧରେ ରାହୁଳଙ୍କ ପ୍ରତିକ୍ରିୟା ଦେଖି ଅଧ୍ୟାଦେଶକୁ ଲାଗୁ ନ କରି ପୂର୍ବରୁ ଥିବା ଏକ ମାସ ମହଲତ ବ୍ୟବସ୍ଥା ଜାରି ରଖାଯାଇଥିଲା। ଏହାର ଶ୍ରେୟ ରାହୁଳ ଗାନ୍ଧୀ ପାଇବେ। କିନ୍ତୁ ବିଡ଼ମ୍ବନାର କଥା ୨୦୧୩ ମସିହାର ଘୋଷଣାକୁ ଏବେ ସୁରତର ‌ଏକ କୋର୍ଟ ସ୍ବୟଂ ରାହୁଳଙ୍କ ଉପରେ ପ୍ରୟୋଗ କରି ତାଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଦୁଇ ବର୍ଷ ଜେଲଦଣ୍ଡ ଓ ତା’ପରେ ଛ’ବର୍ଷ ପାଇଁ ସାଂସଦ ସଭ୍ୟ ହେବା ପାଇଁ ଅଯୋଗ୍ୟତା।

କିନ୍ତୁ ସେ ଦଣ୍ଡାଦେଶ ସ୍ଥଗିତ ପାଇଁ ଆବେଦନ କରିପାରିବେ। କେଉଁ ଦୋଷ ପାଇଁ ଏପରି କଠୋର ଦଣ୍ଡ? ୨୦୧୯ରେ କର୍ଣ୍ଣାଟକର କୋଲାରଠାରେ ଏକ ଜନସଭାରେ ରାହୁଳ ମନ୍ତବ୍ୟ ଦେଇ କହିଥିଲେ ଯେ ସବୁଯାକ ମୋଦୀ ସାଙ୍ଗିଆଧାରୀ ହେଉଛନ୍ତି ଚୋର। ଏହା ଥିଲା ଜାତି, ସଂପ୍ରଦାୟ ସୂଚକ ଏକ ଅପମାନଜନକ ଭାଷା। କାରଣ ଦେଶର ଅଧିକାଂଶ ‘ମୋଦୀ’ ସଂଜ୍ଞାଧାରୀ ହେଉଛନ୍ତି ପଛୁଆବର୍ଷର ଲୋକ। ଏହା ପୂର୍ବରୁ ଆଉ ଏକ ଘଟଣାରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଏପରି ବିବାଦୀୟ ବୟାନ ନ ଦେବାକୁ ସତର୍କ କରାଇ ଦେଇଥିଲେ। କିନ୍ତୁ ଏହା ସତ୍ତ୍ବେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ହେଲା ନାହିଁ। ଅତୀତରେ ତାଙ୍କ ମା’ ସୋନିଆ ଗାନ୍ଧୀ ମୋଦୀଙ୍କୁ- ମୌତ୍‌ କା ସୌଦାଗର- ବୋଲି କହି ଅଡୁଆରେ ପଡ଼ିଥିଲେ। ବେଳେ ବେଳେ ଆମେ ପରିଣାମ ନ ଜାଣି ଆରୋପ, ଆକ୍ଷେପ, କଟୁକ୍ତି, କଟାକ୍ଷ, ହସିମଜାକ୍‌ କରିଥାଏ। ଏପରିକି ପାର୍ଲାମେଣ୍ଟରେ ମଧ୍ୟ ସଦସ୍ୟମାନେ କେଉଁ ଭାଷା, ଶବ୍ଦ ବ୍ୟବହାର କରିବେ ନାହିଁ ତା’ର ଏକ ଲମ୍ବା ତାଲିକା ରହିଚି। ଏବେ ସେଇ ନିଷିଦ୍ଧ ତାଲିକାରେ ଆଉ ଗୋଟିଏ ଶବ୍ଦ ଯୋଡ଼ା ହେଇଚି। ‌ସେଇଟି ହେଲା ‘‘କୋଭିଡ୍‌ ସଂକ୍ରମଣକାରୀ’’। ମଣିଷର ଜିଭ ଅଗରେ ଉଭୟ ଶତ୍ରୁ ଓ ମିତ୍ର ବାସ କରିଥାନ୍ତି। ଯିଏ ଯେମିତି ତାକୁ ପ୍ରୟୋଗ କରିବେ, ସେମିତି ଫଳ ପାଇବେ।

ମାର୍ଚ୍ଚ ୨୪ ତାରିଖ ଦିନ କେରଳ ୱାଏନାଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଲୋକସଭା ସଦସ୍ୟ ରାହୁଳ ଗାନ୍ଧୀ ଅଯୋଗ୍ୟ ଘୋଷିତ ଓ ସଦସ୍ୟତା ହରାଇବା ପ୍ରଥମ ବା ଶେଷ ଘଟଣା ନୁହେଁ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କଠୁ ଆରମ୍ଭ କରି ଉତ୍ତର ପ୍ରଦେଶର ବାହୁବଳୀ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପର୍ଯ୍ୟନ୍ତ ଏ ମଧ୍ୟରେ ଅନେକ ବାର ଆପରାଧିକ ମାନହାନି ମାମଲାରେ ଦୁଇ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ଯୋଗୁଁ ନିଜ ନିଜର ସଦସ୍ୟତା ହରାଇ ସାରିଲେଣି। ୨୦୧୪ ମସିହାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଚାରି ବର୍ଷ ଜେଲ୍‌ ଦଣ୍ଡ ଓ ଶହେ କୋଟି ଟଙ୍କା ଜରିମାନା ସହ ସଂସଦ ସଦସ୍ୟତା ହରାଇଥିଲେ। ତା’ ପୂର୍ବରୁ ୨୦୧୩ ମସିହାରେ କଂଗ୍ରେସ ରାଜ୍ୟସଭା ସଭ୍ୟ ରସିଦ୍‌ ମାସୁଦ ଆପରାଧିକ ଷଡ୍‌ଯନ୍ତ୍ର, ଠକେଇ, ଜାଲିଆତି, ମେଡିକାଲ କଲେଜ ପାଇଁ ଅବୈଧ ସିଟ୍‌ ବଣ୍ଟନ ଇତ୍ୟାଦି ଅପରାଧ ପାଇଁ ରାଜ୍ୟସଭା ସଦସ୍ୟତା ହରାଇଥିଲେ। ସେହିପରି ଉତ୍ତର ପ୍ରଦେଶ ସମାଜବାଦୀ ଦଳ ନେତା ଓ ରାମପୁର ବିଧାୟକ ଆଜମ ଖାନ୍‌ଙ୍କୁ ଘୃଣା ପ୍ରଚାର ଅଭିଯୋଗ ପାଇଁ ଉଚ୍ଚ ନ୍ୟାୟାଳୟ ୩ ବର୍ଷ ଜେଲ୍‌ ଦଣ୍ଡ ଦେବା ଫଳରେ ନିଜ ସଦସ୍ୟତା ହରାଇଥିଲେ ଓ ନିର୍ବାଚନ କମିଶନ ସେଠାରେ ପୁନର୍ବାର ଉପନିର୍ବାଚନ କରାଇଥିଲେ। ୨୦୨୩ ମସିହାରେ ଆଜମ୍‌ ଖାନ ପୁଅ ଅବ୍‌ଦୁଲ୍ଲା ଆଜମ ଖାନ୍‌ ‌ଦୋଷୀ ସାବ୍ୟସ୍ତ ହୋଇ ଦ୍ବିତୀୟ ଥର ପାଇଁ ନିଜ ସଦସ୍ୟତା ହରାଇ ଥିଲେ। ଏହା ପୂର୍ବରୁ ଫେବ୍ରୁଆରି ୨୦୨୦ ମସିହାରେ ରାମପୁର କୋର୍ଟ ଜାଲିଆତି ଅପରାଧ ଯୋଗୁଁ ତାଙ୍କୁ ଜେଲ ପଠାଇଥିଲେ। ୨୦୧୩ ମସିହାରେ ଉଚ୍ଚତମ ନ୍ୟାୟାଳୟଙ୍କ ଏକ ରାୟ ଜନପ୍ରତିନିଧି ଆଇନ୍‌ରେ ଥିବା ଏକ ଛିଦ୍ର ବନ୍ଦ କରିଦେବା ଫଳରେ ଅପରାଧୀ ବିଧା‌ୟକ ଓ ସାଂସଦମାନଙ୍କ ସଦସ୍ୟତା ଚାଲୁ ରହିବା ସମ୍ଭବପର ହେଲାନାହିଁ।

ଭାରତକୁ ପୃଥିବୀର ବୃହତ୍ତମ ଗଣତନ୍ତ୍ର ବୋଲି କୁହାଯାଉଛି। ଏଠି ସାଧାରଣ ଭୋଟର ବା ମତଦାତାଙ୍କ ସଂଖ୍ୟା ଶହେ କୋଟି ଅତିକ୍ରମ କଲାଣି। କିନ୍ତୁ ରାଜନୀତିର କ୍ରମାଗତ ଅପରାଧୀକରଣ ଫଳରେ ଗଣତନ୍ତ୍ର ଶାସନର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସାଧୁ, ସାଚ୍ଚୋଟ, ଯୋଗ୍ୟ ଲୋକମାନେ ରାଜନୀତି କ୍ଷେତ୍ରକୁ ଓହ୍ଲାଇବାକୁ ସ‌ଂକୋଚ କରୁଛନ୍ତି। ଏବେ ଆମ ପାର୍ଲିଆମେଣ୍ଟ ଓ ବିଧାନସଭାମାନଙ୍କରେ ଶତକଡ଼ା ୩୦ ଭାଗ ସଦସ୍ୟଙ୍କର ଅପରାଧ ଇତିହାସ ରହିଚି। କଟକଣା ନ ରହିଲେ ଏମାନେ ଦିନେ ଉଇ ଭଳି ଗଣତନ୍ତ୍ର ମନ୍ଦିରକୁ ଚରିଯି‌େବ। କୌଣସି ରାଜନୈତିକ ଦଳ ଏହି ରୋଗରୁ ମୁକ୍ତ ନୁହନ୍ତି। ୨୦୧୧ରେ ଏହା ବିରୋଧରେ ଆନ୍ନା ହଜାରେ ସ୍ବର ଉ‌େତ୍ତାଳନ କରିଥିଲେ। ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ସନ୍‌ ଆନ୍ଦୋଳନରେ ନିର୍ବାଚନ ସଂସ୍କାର ପ୍ରସଙ୍ଗ ଉଠାଇଥିଲେ।

ଏହାର ଯଥେଷ୍ଟ ପୂର୍ବରୁ ୧୯୯୮ ମସିହାରେ ଭାରତ ନିର୍ବାଚନ ଆୟୋଗ ରାଜନୀତିର ଅପରାଧୀକରଣ ରୋକିବା ପାଇଁ ଭାରତ ସରକାରଙ୍କୁ ପ୍ରଥମେ ଏକ ପ୍ରସ୍ତାବ ଦେଇଥିଲେ। ଏଥିରେ ଗୁରୁତର ଅପରାଧ ଅଭିଯୁକ୍ତ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା ପାଇଁ ଜନପ୍ରତିନିଧି ଆଇନ୍‌କୁ ସଂଶୋଧନ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଅଧିକାଂଶ ରାଜନୀତିକ ଦଳ ଏହାକୁ ବିରୋଧ କଲେ। ସେମାନଙ୍କ ମନରେ ଆଶଙ୍କା ଓ ଭୟ ଥିଲା ‌େଯ ଏପରି ହେଲେ ତାଙ୍କର ବିରୋଧୀମାନେ ମିଥ୍ୟା କ୍ରିମିନାଲ କେସ୍‌ କରି ତାଙ୍କୁ ଅଯୋଗ୍ୟ କରି ଦେବେ। ଏପରି ଆଶଙ୍କା ନିରାଧାର ନୁ‌ହେଁ ହୃଦୟଙ୍ଗମ କରି ନିର୍ବାଚନ ଆୟୋଗ ଏହାର ନିରାକରଣ ପାଇଁ ତିନିଟି ସର୍ତ୍ତ ବା ସେଫ୍‌ଗାର୍ଡ ରଖିଥିଲେ।

ପ୍ରଥମ ସର୍ତ୍ତ ହେଲା ପ୍ରାର୍ଥୀଙ୍କ ବିରୋଧରେ ସବୁ କ୍ରିମିନାଲ୍‌ କେସ୍‌କୁ ବିଚାରକୁ ନିଆନଯାଇ କେବଳ ହତ୍ୟା, ଡକାୟତି, ବଳତ୍କାର, ଚାରିତ୍ରିକ ସ୍ଖଳନ, ଅପହରଣ ଭଳି ଗୁରୁତର ଅପରାଧକୁ ବିଚାରକୁ ନିଆଯିବ। ଦ୍ବିତୀୟ ସର୍ତ୍ତ ହେଲା ନିର୍ବାଚନର ଛ ମାସ ପୂର୍ବରୁ ପ୍ରାର୍ଥୀଙ୍କ ବିରୋଧରେ ଏହି କେସ୍‌ ଦାଏର ହୋଇଥିବ। ଏବଂ ତୃତୀୟ ସର୍ତ୍ତ ହେଲା- ଏ ସଂପର୍କରେ ବିଚାରାଳୟ ଚାର୍ଜସିଟ୍‌ ବା ଅଭିଯୋଗ ପତ୍ର ପେସ୍‌ କରିଥିବେ। ସେହି ଅଭିଯୋଗ ପ୍ରମାଣିତ ହେଲେ ଅତି କମ୍‌ରେ ୫ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା ଥିବ। ପରେ ଏହାକୁ କମାଇ ଦୁଇ ବର୍ଷ କରାଗଲା। ଏହି ପ୍ରସ୍ତାବକୁ ୧୯୯୯ରେ ନ୍ୟାସନାଲ ଲ କମିଶନଙ୍କ ସମର୍ଥନ ମିଳିଥିଲା। ୨୦୦୨ରେ ସମ୍ବିଧାନ ସମୀକ୍ଷା ପାଇଁ ଗଠିତ ନ୍ୟାସନାଲ୍‌ କମିଶନ ମଧ୍ୟ ଏହାକୁ ସମର୍ଥନ ଦେଇ ସୁପାରିସ କଲେ କି ଗୁରୁତର ଅପରାଧରେ ଅଭିଯୁକ୍ତ ବିଧାୟକ ଓ ସାଂସଦଙ୍କ ସଦସ୍ୟତା ବାତିଲ୍‌ ଦ୍ବାରା ଆମ ନିର୍ବାଚନ ପ୍ରକ୍ରିୟା ଅପରାଧୀକରଣରୁ ମୁକ୍ତ ରଖିବା‌ ଦିଗରେ ଏକ ଦୃଢ଼ ପଦକ୍ଷେପ ହେବ। ତା’ ସହ ଏମାନଙ୍କୁ ଆଜୀବନ ଅଯୋଗ୍ୟ କଲେ ଆହୁରି ଭଲ ହେବ।

ଏ ସଂପର୍କରେ ଭାରତ ନିର୍ବାଚନ ଆୟୋଗଙ୍କର ଆଉ ଏକ ସୁଚିନ୍ତିତ ପ୍ରସ୍ତାବ ରାଜନୈତିକ ସହଯୋଗ ଓ ସମର୍ଥନ ଅଭାବରୁ ପଡ଼ିରହିଚି। ତାହା ହେଉଛି ରାଜନୈତିକ ଦଳମାନଙ୍କ‌େର ଆନ୍ତରିକ ଲୋକତନ୍ତ୍ର ଓ ଉତ୍ତରଦାୟିତ୍ବର ଅଭାବ ଏବଂ ନିଷ୍କ୍ରିୟ ଦଳମାନଙ୍କୁ ଅପଞ୍ଜୀକରଣ ତଥା ସେମାନଙ୍କର ପାଣ୍ଠିର ଖର୍ଚ୍ଚ ଓ ସିଏଜି ଅଡିଟ୍‌ ପାଇଁ ନିର୍ବାଚନ କମିଶନକୁ ସ୍ବତନ୍ତ୍ର କ୍ଷମତା। ଦୁଃଖର କଥା ଯେଉଁମାନେ ଗଣତନ୍ତ୍ର ବ୍ୟବସ୍ଥା ଦ୍ବାରା ନିର୍ବାଚିତ ସେମାନେ ନିଜ ଦଳ ଭିତରେ ଆନ୍ତରିକ ଗଣତନ୍ତ୍ର ପ୍ରକ୍ରିୟା ପ୍ରୟୋଗ ପାଇଁ ସଙ୍କୋଚ କରୁଛନ୍ତି। ଏବେ ସୁପ୍ରିମ୍‌ କୋର୍ଟ ମୁଖ୍ୟ ନିର୍ବାଚନ କମିଶନର୍‌ ଓ ଅନ୍ୟ କମିଶନ୍‌ଙ୍କର ଚୟନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହୋଇପାରିଲେ ନିର୍ବାଚନ ପ୍ରକ୍ରିୟା ଆହୁରି ଉତ୍ତରଦାୟୀ ହୋଇପାରନ୍ତା।

(ଲେଖକ ଭାରତ ନିର୍ବାଚନ ଆୟୋଗଙ୍କର ପ୍ରାକ୍ତନ ବରିଷ୍ଠ ପରାମର୍ଶଦାତା)

ମୋ: ୯୯୩୭୦୨୭୦୧୭