ସେଦିନ ପ୍ରାତଃ ଭ୍ରମଣ ସାରି ଏକ ନୂଆ ବାଟରେ ଫେରୁଥିବା ବେଳେ ଏକ ପରିଚିତ ମନ ମୁଗ୍ଧକର ମହକ ମୋର ଆଖି ଯୋଡ଼ିକୁ ଯେଉଁ ଆଡ଼କୁ ଟାଣିନେଲା, ସେଠି ଲହରି ଭାଙ୍ଗୁଥିଲା ମଧୁମାଳତୀର ପେନ୍ଥା ପେନ୍ଥା ଫୁଲ। କାଳ ବିଳମ୍ବ ନ କରି ଗଛଟି ଉପରେ ମୁଁ ଯେମିତି ଆବୋରି ବସିଲି। ଆଗ ପଛ ନ ବିଚାରି, ଫୁଲ ଓ କଢ଼ି ନ ଦେଖି, ହାତ ପାଆନ୍ତାରେ ଥିବା ପେନ୍ଥାଗୁଡ଼ିକୁ ତୋଳିବାରେ ଲାଗିଲି। ଅଳ୍ପ ସମୟ ମଧ୍ୟରେ ମୋ ଫୁଲ ଚାଙ୍ଗୁଡ଼ି ପୂର୍ଣ୍ଣ ହୋଇଗଲା।
ଘରେ ପହଞ୍ଚି ଦେଖିଲି, ଯେତିକି ଫୁଲ ଥିଲା, ସେତିକି କଢ଼ି ମଧ୍ୟ ଥିଲା। ଫୁଟିବା ଆଗରୁ ମୁଁ ସେଗୁଡ଼ିକୁ ତୋଳି ଆଣିଥିଲି! କିନ୍ତୁ ମୋ ମନରେ ଅନୁଶୋଚନା ନ ଥିଲା। ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୁନିଆ ଓ ତହିଁରେ ଫୁଲ ତୋଳାଳିମାନଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। କେହି ଯଦି ପ୍ରତିଦ୍ୱନ୍ଦ୍ୱୀ ସେଇ ସମୟରେ ଚାଲି ଆସିଥାନ୍ତେ, ତା’ ହେଲେ କଢ଼ିକୁ ବଞ୍ଚାଉ ବଞ୍ଚାଉ ଫୁଲତକ ହାତଛଡ଼ା କରିବାକୁ ପଡ଼ିଥାଆନ୍ତା!
ତହିଁ ପର ଦିନ ସେଇ ବାଟେ ଫେରିଲି। ସ୍ବାଭାବିକ ଭାବେ ଗତ ଦିନ ଅପେକ୍ଷା ଫୁଲ କମ୍ ଥିଲା; କାରଣ ପୂର୍ବ ଦିନ ମୁଁ ଫୁଲ ସହ ଅନେକ କଢ଼ି ମଧ୍ୟ ତୋଳି ଆଣିଥିଲି। ତଥାପି ଆହୁରି କିଛି କଢ଼ି ବାକି ଥିଲେ। ସେହି ପେନ୍ଥାଗୁଡ଼ିକୁ ଛିଣ୍ଡାଇ ଆଣିବାକୁ ମୋତ ହାତ କଲବଲ ହେଲା। କିନ୍ତୁ ମୁଁ ଗତ ଦିନର ବ୍ୟଗ୍ରତାରେ ସାମାନ୍ୟ ପରିବର୍ତ୍ତନ ଆଣିଲି। ପ୍ରତିଦ୍ୱନ୍ଦ୍ୱୀଙ୍କ ଭୟ ସତ୍ତ୍ବେ ଅବଶିଷ୍ଟ ପେନ୍ଥାଗୁଡ଼ିକରୁ କେବଳ ଫୁଲ ହିଁ ତୋଳିଲି ଓ କଢ଼ିଗୁଡ଼ିକୁ ଛାଡ଼ିଦେଲି। ମୋର ଏହି ବ୍ୟାବହାରିକ ପରିବର୍ତ୍ତନ ପାଇଁ ଚାଙ୍ଗୁଡ଼ି ପୂର୍ଣ୍ଣ ହେବାକୁ ବେଶ୍ କିଛି ଅଧିକ ସମୟ ଲାଗିଗଲା।
ତହିଁ ପରଦିନ ଗଛ ପାଖରେ ପହଞ୍ଚିଲି। ଯେତିକି କଢ଼ି ମୁଁ ଗତକାଲି ସଯତ୍ନ ଛାଡ଼ି ଯାଇଥିଲି, ସେତିକି ହିଁ ଫୁଟିଥିଲେ ଏବଂ ଆସନ୍ତା କାଲି ଫୁଟିବାର ଭରସା ଦେଇ ସେଇ ଫୁଟନ୍ତା ଫୁଲଗୁଡ଼ିକର ଚତୁଃପାର୍ଶ୍ବରେ କିଛି କଢ଼ି ସତେ ଯେମିତି ଅଙ୍ଗୀକାର ଦେଉଥିଲେ।
ଫୁଲ ଗଛଟି ସହ ମୋର ଏହି ତିନିଦିନିଆ ସଂପର୍କ ଭିତରେ ମୁଁ କିଛି ନିର୍ଦ୍ଦିଷ୍ଟ ସତ୍ୟରେ ଉପନୀତ ହୋଇଥିଲି। ପ୍ରଥମତଃ ପ୍ରତିଦ୍ୱନ୍ଦ୍ବୀଙ୍କ ଭୟରେ ମୁଁ ପ୍ରଥମ ଦିନ କଢ଼ିମିଶା ପେନ୍ଥାଗୁଡ଼ିକ ତୋଳି ନେଇ ଫୁଲ ଗଛର ଯେତିକି କ୍ଷତି କରିଥିଲି, ନିଜର ମଧ୍ୟ ସେତିକି କ୍ଷତି କରିଥିଲି। କାରଣ ପରବର୍ତ୍ତୀ କିଛି ଦିନ ମୋତେ ସ୍ୱଳ୍ପ ଫୁଲରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଲା। ତେଣୁ ପର ଦିନ ପେନ୍ଥାରୁ ବାଛି ବାଛି ଫୁଲ ତୋଳିବାକୁ ମୋର ନିଷ୍ପତ୍ତି ଫଳପ୍ରଦ ହେଲା। କାରଣ ତା’ ପର ଦିନ ମୁଁ ଛାଡ଼ି ଦେଇଥିବା କଢ଼ିଗୁଡ଼ିକ ଫୁଟିଥିଲେ ଏବଂ ମୁଁ କିଛିଟା ଫୁଲ ପାଇଥିଲି। ତୃତୀୟରେ, ଶେଷ ଦିନ ବେଳକୁ ମୁଁ ଅନୁଭବ କରିସାରିଥିଲି ଯେ ମୁଁ ହେଉଛି ସେହି ଗଛରୁ ଏକମାତ୍ର ଫୁଲ ତୋଳୁଥିବା ବ୍ୟକ୍ତି; ସୁତରାଂ ଅପ୍ରତିଦ୍ୱନ୍ଦ୍ୱୀ। ତେଣୁ ଏ ଗଛ, ଏ ଫୁଲ, ଏ କଢ଼ି ସବୁ ମୋତେ ମୋ ନିଜର ଭଳି ଲାଗିଲେ। ଏଣିକି ମୁଁ ଗଛଟିକୁ ଆଦର କରିବା ମଧ୍ୟ ଆରମ୍ଭ କରିଦେଲି।
ସେହି ମଧୁମାଳତୀ ଅଭିଜ୍ଞତାରୁ ମୁଁ ଏକ ଜୀବନ ଶିକ୍ଷା ମଧ୍ୟ ଲାଭ କଲି। ତାହା ହେଲା, ପ୍ରତିଦ୍ବନ୍ଦ୍ବିତା ସର୍ବଦା ବଡ଼ ହେବା ଲାଗି, ଆବୋରି ବସିବା ଲାଗି, ଅଧିକ ପାଇବା ଲାଗି ଉଦ୍ଗ୍ରୀବ କରାଏ। ପ୍ରତିଦ୍ବନ୍ଦ୍ବୀ ଯେତେ କ୍ଷୁଦ୍ରକାୟ ହେଲେ ସୁଦ୍ଧା ତାହା ଉଦ୍ବେଗ ସୃଷ୍ଟି କରାଏ। ତେଣୁ ଅଯଥା ପ୍ରତିଦ୍ବନ୍ଦ୍ବିତାରେ ପ୍ରବୃତ୍ତ ହେବି କାହିଁକି?
କିଛି ଦିନ ଅନ୍ତରରେ ପୁଣି ସେହି ଗଛ ଆଡ଼କୁ ଗଲି। କିନ୍ତୁ ୟେ କ’ଣ? ଦେଖିଲି ଛୋଟିଆ ପିଲାଟିଏ ଆଙ୍କୁଡ଼ି ଲଗାଇ ଫୁଲ ତୋଳିବାରେ ବ୍ୟସ୍ତ। ହଠାତ୍ ମୋ ଛାତିରେ ଉଦ୍ବେଗର ବିଜୁଳି ଚମକିଗଲା। ମୁଁ ତରବର ହୋଇ ସେଠାରେ ପହଞ୍ଚି ପୁଣି କଢ଼ି ମିଶା ଫୁଲ ତୋଳିବାରେ ଲାଗିଲି। ପିଲାଟିର ଉଚ୍ଚତା ମୋ ଠାରୁ ଛୋଟ ହେଲେ କ’ଣ ହେବ, ତା’ ହାତରେ ଆଙ୍କୁଡ଼ିଟିଏ ଅଛି! ପ୍ରତିଦ୍ବନ୍ଦ୍ବୀର ଅର୍ଥ ଦ୍ବନ୍ଦ୍ବର ଆହ୍ବାନ। ଏଥିରେ ହାରିବାର ନାହିଁ।
ମୋ: ୯୪୩୮୦୩୬୭୩୦