ଜେନ୍ ଗୁରୁ ନେନେଙ୍କ ଶିଷ୍ୟ ହେବାକୁ ଯଦି କେହି ଚାହୁଁଥିଲେ ତେବେ ନେନେ ତାଙ୍କୁ ପ୍ରଥମେ ଆଶ୍ରମର ପାଠାଗାରକୁ ପଠାଉଥିଲେ। ସେଠାରେ ଗଭୀର ଅଧୢୟନ କଲା ପରେ ଯାଇ ସେମାନେ ନେନେଙ୍କ ଶିଷ୍ୟତ୍ବ ଲାଗି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ସମ୍ମୁଖୀନ ହେଉଥିଲେ।
ଜଣେ ତରୁଣ ପାଠାଗାରରେ କିଛି ମାସ କାଟି ସବୁ ଶାସ୍ତ୍ର ଅଧୢୟନ କଲା ପରେ ଯେତେବେଳେ ବାହାରିଲା, ନେନେ ତାକୁ ପଚାରିଲେ- କ’ଣ ଜାଣିଲ?
ଯୁବକ କହିଲା- ମହାଶୟ, ସବୁ କିଛି ଜାଣିଲି। ସବୁ ତତ୍ତ୍ବ, ସବୁ ଦର୍ଶନ ଏବେ ମୋର ମୁଣ୍ତରେ। ଆପଣ ପରୀକ୍ଷା କରି ପାରନ୍ତି!
ନେନେ କହିଲେ- ବାପା, ତୁମକୁ ପରୀକ୍ଷା କରିବା ଲାଗି ମୋର ସାମର୍ଥ୍ୟ ନାହିଁ। ତୁମେ ଏବେ ତୁମ ବାଟ ଦେଖ।
ଯୁବକଟି ଏଭଳି ପ୍ରତିକ୍ରିୟାରେ ବିସ୍ମିତ ହେଲା।
ନେନେ ତାକୁ କହିଲେ- ବାବୁ ଯେଉଁ ଯୁବକ ପାଠାଗାରରେ ଅନେକ ଦିନ ବିତାଇ ସବୁ ଶାସ୍ତ୍ର ପାଠ କରି ବାହାରକୁ ଆସିଲା ପରେ ମୋର ଏହି ସମାନ ପ୍ରଶ୍ନର ଉତ୍ତରରେ କହନ୍ତି- ଆମ ଆଖି ଖୋଲିଗଲା। ଏ ଶାସ୍ତ୍ରର ଜ୍ଞାନ ଜଣାଇ ଦେଲା ସତରେ ଆମେ କେତେ କ୍ଷୁଦ୍ର! ତାହା ହେଲେ ମୁଁ ବୁଝେ ଯେ ସେମାନଙ୍କୁ ଅଧିକ କିଛି ଶିଖାଇ ହେବ।
କିନ୍ତୁ ତୁମ ଭଳି ଜ୍ଞାନରେ ଭରପୂର ହୋଇ ବାହାରିବା ଦେଖି ମୋ ମନରେ ଶଙ୍କା ଉପୁଜେ। ତୁମେ ଏତେ ଭରା ଯେ ତୁମ ଭିତରେ ଆଉ କିଛି ପଶିବ ନାହିଁ।
ଏଥର ଯୁବକ ଅସହାୟ ଦିଶିଲା। ସେ ନେନେଙ୍କୁ କହିଲା- ମୁଁ କେବଳ କ୍ଷୁଦ୍ର ନୁହେଁ, କେତେ ନିର୍ବୋଧ ତାହା ଏବେ ଜାଣୁଛି।