ମୁଁ ଯେତେବେଳେ ମିଥ୍‌ କଥା କହୁଛି, ତାହା ବାସ୍ତବତାର କେତେ ବିରୋଧାଭାସ କରୁଛି, ତାହା ଚିନ୍ତା କରୁନାହିଁ। ସେଗୁଡ଼ିକ ଜର୍ଜ ବର୍ନାର୍ଡ ଶ’ ବା ଟି. ଏସ୍‌. ଇଲିଅଟ୍‌ଙ୍କ ଦ୍ବାରା କେମିତି ବ୍ୟବହୃତ ହୋଇଛି, ତାହା ମଧ୍ୟ ଭାବୁନାହିଁ। ମୁଁ ଏହାକୁ ଏକ ଭିନ୍ନ ଭାବରେ ଅବତାରଣା କରିବା ପାଇଁ ଘଟଣା ଓ କାର୍ଯ୍ୟର ଏକ ଯୋଗସୂତ୍ର ଭାବେ ଗ୍ରହଣ କରିଛି। ଅନେକ ଚିନ୍ତକ ଅନୁଭବ କରନ୍ତି ଯେ ମିଥ୍‌ଗୁଡ଼ିକର ସୃଷ୍ଟି ଓ ଅର୍ଥ ନିରୂପଣ ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି, ଯାହା ଫଳରେ ଆମର ସମ୍ବେଦନଶୀଳତା ସହିତ ସେମାନଙ୍କ ସମ୍ପର୍କ ନିରନ୍ତର ବଜାୟ ରହିବ। ତେବେ, ମୁଁ ସେମାନଙ୍କୁ ସେହି ଢଙ୍ଗରେ ମଧ୍ୟ ଉପସ୍ଥାପନ କରିବାକୁ ଚାହୁଁନାହିଁ, ଯଦିଓ ଉକ୍ତ ଆଭିମୁଖ୍ୟ ସହିତ ମୋର କୌଣସି ମତଭେଦ ନାହିଁ। ‘ସଂଶୟ ହିଁ ଦର୍ଶନର ମୂଳଦୁଆ’ ବୋଲି ମୁଁ ଏହି ଉକ୍ତି ଉପରେ ଗୁରୁତ୍ବ ଆରୋପ କରିବାକୁ ଚେଷ୍ଟା କରିଛି ଏବଂ ଯଦି କେହି ବ୍ୟାଖ୍ୟାଭିତ୍ତିକ ପଦ୍ଧତିକୁ ପ୍ରୟୋଗ କରି ଦର୍ଶନକୁ ପରଖିବାକୁ ଚାହାନ୍ତି, ତେବେ ସେ କୌଣସି ଏକ ଘଟଣାକୁ ଆଧୁନିକ ଆଇନ ବ୍ୟବସ୍ଥା, ଜୀବନ ଦର୍ଶନ, ରୂପକଳ୍ପର ମହତ୍ତ୍ବ ଓ ଉନ୍ନତ ମନୋବିଶ୍ଳେଷଣାତ୍ମକ ଦୃଷ୍ଟିକୋଣ ଆଧାରରେ ଅନୁଧ୍ୟାନ କରି ପାରନ୍ତି। ପୌରାଣିକ କଥାଗୁଡ଼ିକ ଉପଦେଶ, ତ୍ୟାଗ, ନୈତିକତା, ନୀତିନିଷ୍ଠତା, ବ୍ୟକ୍ତିଗତ ଯନ୍ତ୍ରଣା, ମାନବ ଆତ୍ମାର ବେଦନା, ମାନବ ସମ୍ପର୍କ କିମ୍ବା ସେହି ପରିପ୍ରେକ୍ଷୀରେ ମଧୁର ବିଶୃଙ୍ଖଳାକୁ ମଧ୍ୟ ଚିତ୍ରଣ କରିପାରନ୍ତି।

Advertisment

ଆଉ ଏକ ଦିଗ ସ୍ପଷ୍ଟ କରିଦେଉଛି। ପ୍ରାଚୀନ ମହାକାବ୍ୟର ପରିକଳ୍ପନା ଓ ଗ୍ରନ୍ଥ ରଚନାର କୌଣସି କାଳାନୁକ୍ରମିକତା ବା ନିର୍ଦ୍ଦିଷ୍ଟ ସନ୍ଦର୍ଭ ହୁଏ’ତ ଥାଇ ନ ପାରେ। ମୂଳତଃ ସେଗୁଡ଼ିକ ଘଟଣାବହୁଳ ଓ ସେ ସବୁରେ ଆଇନଗତ ଦିଗ ରହିଛି ଏବଂ ଅନେକ କ୍ଷେତ୍ରରେ ତାହା ଚରିତ୍ରମାନଙ୍କ ପ୍ରତି ସହାନୁଭୂତି ସୃଷ୍ଟି କରିଥାଏ। ଯେ କେହି ଅନୁଭବ କରିପାରନ୍ତି ଯେ ମୁଁ ‘ଧର୍ମ’ ବା ଆରାଧନାର ପ୍ରକ୍ରିୟାକୁ ନ ଯାଇ ବର୍ତ୍ତମାନର ଆଇନର ମୂଳଦୁଆ ଉପରେ ଏକ ମନୋବିଶ୍ଳେଷଣାତ୍ମକ ଅନୁଧ୍ୟାନ କରିବାର ପ୍ରୟାସ କରିଛି। ତେବେ ଏଥି ପାଇଁ ମୁଁ ବୌଦ୍ଧିକ ଆଗ୍ରହ ଓ ସାର୍ଥକ କଳ୍ପନାର ଆଶ୍ରୟ ନେଇଛି। ଏହା ଏକ ସମ୍ବେଦନଶୀଳ ବ୍ରହ୍ମାଣ୍ଡକୁ ଏକ ସୁଖଦ ଯାତ୍ରା ସହିତ ସମାନ।

ମୁଁ ପ୍ରଥମେ ‘ଏକଲବ୍ୟ’ଙ୍କ କାହାଣୀ କହୁଛି। ସମାଜର ନିମ୍ନ ବର୍ଗର ଜଣେ ଯୁବକ। ଶସ୍ତ୍ର କଳା, ବିଶେଷ କରି ଧନୁର୍ବିଦ୍ୟା ଶିଖିବାକୁ ଏବଂ ସେ କ୍ଷେତ୍ରରେ ପାରଦର୍ଶିତା ଆହରଣ କରିବା ଲାଗି ‘ଗୁରୁ’ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଆସିଥିଲେ। ପାଣ୍ଡବ ଓ କୌରବମାନଙ୍କୁ ଶିକ୍ଷା ଓ ତାଲିମ ଦେବା ଲାଗି ‘ପିତାମହ’ ଭୀଷ୍ମ ହିଁ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତ କରିଥିଲେ। ରାଜବଂଶୀୟମାନଙ୍କୁ ପଢ଼ାଇବା ଲାଗି ଦ୍ରୋଣାଚାର୍ଯ୍ୟ ନିୟୋଜିତ ଥିବାରୁ ସେ ଏକଲବ୍ୟଙ୍କୁ ଶିକ୍ଷା ଦାନ କରିବାକୁ ମନା କରିଦେଇଥିଲେ। କିନ୍ତୁ ଜ୍ଞାନର କ୍ଷୁଧା ସେହି ଯୁବକଙ୍କୁ ଧନୁର୍ବିଦ୍ୟାରେ ପାରଙ୍ଗମ ହେବା ଲାଗି ଏଭଳି ମଥିତ କରୁଥିଲା ଯେ ସେ ଦ୍ରୋଣାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରି ନିଷ୍ଠାର ସହ ଅଭ୍ୟାସ କରିବାକୁ ଲାଗିଲେ। ତୀର ମାରି ପଶୁପକ୍ଷୀଙ୍କର ଚିତ୍କାରକୁ ବନ୍ଦ କରି ଦେବାର ଦକ୍ଷତା ତାଙ୍କର ଥିଲା। ଏକଲବ୍ୟ ଓ ଧନୁର୍ବିଦ୍ୟାରେ ତାଙ୍କ ଦକ୍ଷତା ସମ୍ପର୍କରେ ଦ୍ରୋଣାଚାର୍ଯ୍ୟ ଜାଣିବାକୁ ପାଇ ସେ ରାଜ ଶିଷ୍ୟମାନଙ୍କ ସହ ଏକଲବ୍ୟଙ୍କୁ ଭେଟିଲେ। ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିଟି ଦେଖାଇ ତାଙ୍କ ଠାରୁ ହିଁ ଏହି କଳା ଶିଖିଛନ୍ତି ବୋଲି କହିଥିଲେ ଏବଂ ପ୍ରଚଳିତ ପରମ୍ପରା ଅନୁସାରେ ଗୁରୁ ଦ୍ରୋଣ ‘ଗୁରୁ ଦକ୍ଷିଣା’ ମାଗିଲେ। ମୁଁ ଯଦି ଏଠାରେ ଉପମା ଯୋଡ଼େ, ତେବେ ମାଗିବା କଥାଟି ‘ହିମାଳୟ’ ସଦୃଶ ଏବଂ ଦେବା କଥାଟି ‘ଏଭେରେଷ୍ଟ’ ତୁଲ୍ୟ ହେବ। ଏକଲବ୍ୟଙ୍କର ଡାହାଣ ହାତର ବୃଦ୍ଧାଙ୍ଗୁଷ୍ଠି ‘ଗୁରୁ’ ଚାହିଁଲେ ଏବଂ ଶିଷ୍ୟ ବିନା ଦ୍ବିଧାରେ ତୁରନ୍ତ ତାହା କାଟି ଗୁରୁଙ୍କୁ ଅର୍ପଣ କରିଦେଲେ।

ଏହି କାହାଣୀରେ ରାଜକୀୟତା, ନିଷ୍ଠା, ଗୁରୁଙ୍କ ପ୍ରତି ଭକ୍ତି ଓ ମହାନ୍‌ ମହାକାବ୍ୟର ଏକ ଚରିତ୍ର ଭାବରେ ଏକଲବ୍ୟଙ୍କର ଉତ୍ତରଣ ପ୍ରକ୍ରିୟା ରହିଛି, ଯେଉଁ ନେଇ ଅନେକ ବ୍ୟାଖ୍ୟା ମଧ୍ୟ ବିଦ୍ୟମାନ। ତେବେ, ମୋ’ ମତରେ ଏଠି ମୂଳ ପ୍ରଶ୍ନଟି ହେଉଛି, ‘ସତରେ କ’ଣ ଦ୍ରୋଣାଚାର୍ଯ୍ୟ ଆକ୍ଷରିକ ଅର୍ଥରେ ଏକଲବ୍ୟଙ୍କୁ ତାଙ୍କ ବୃଦ୍ଧାଙ୍ଗୁଷ୍ଠି ଛେଦନ କରିବା ପାଇଁ କହିଥିଲେ? ଏକଲବ୍ୟ କ’ଣ ନିର୍ଦ୍ଦେଶ ପାଳନ ପୂର୍ବକ ନିଜ ଆଙ୍ଗୁଠିକୁ କାଟି ଜୀବନକୁ ଅଦରକାରୀ କରି ଦେଇଥିଲେ?’ ଆଧୁନିକ ପ୍ରାସଙ୍ଗିକତାରେ ଉକ୍ତ ଦୃଶ୍ୟଟିର ବ୍ୟାଖ୍ୟା କରିବା ଓ ବୁଝିବା। ବୌଦ୍ଧିକ ସମ୍ପତ୍ତି ଆଇନ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ସମଗ୍ର ଘଟଣାକୁ ପ୍ରଶଂସା କରାଯାଇପାରିବ। ମାତ୍ର ଏ କଥା ସତ୍ୟ ଯେ, ଏହି ମହାକାବ୍ୟର ରଚନା କାଳରେ ସେଭଳି ଆଇନ କର୍ଯ୍ୟକାରୀ ନଥିଲା। କିନ୍ତୁ ସାମ୍ପ୍ରତିକ ବ୍ୟବସ୍ଥା ଅନୁସାରେ ଏକଲବ୍ୟ ବୌଦ୍ଧିକ ସମ୍ପତ୍ତି ଆଇନର ରୂପରେଖକୁ ଉଲ୍ଲଂଘନ କରିଥିଲେ ବୋଲି କୁହାଯାଇପାରିବ। ଉଦାହରଣ ସ୍ବରୂପ, ‘କ’ ନାମକ ବ୍ୟକ୍ତି ଦଳେ ଲୋକଙ୍କୁ ଏକ ନୂତନ ଧାରଣାରେ ଜ୍ଞାନ ବିତରଣ କରନ୍ତି। ତାଙ୍କ ବନ୍ଧୁ ‘ଖ’ ତାହାକୁ ତାଙ୍କ ସହ ବାଣ୍ଟିବା ପାଇଁ କହନ୍ତି। ମାତ୍ର ‘ଖ’ଙ୍କ ସହ ଜ୍ଞାନ ବଣ୍ଟନ ପାଇଁ ‘କ’ ରାଜି ହୁଅନ୍ତି ନାହିଁ ଏବଂ ଜ୍ଞାନକୁ ନିଜ ପାଖରେ ରଖନ୍ତି। ତେଣୁ, ‘ଖ’ ତାଙ୍କର କୌଣସି ମାଧ୍ୟମିକ ଉତ୍ସରୁ ସେହି ସମାନ ଜ୍ଞାନ ଆହରଣ କରନ୍ତି ଏବଂ ତାହାକୁ ନିଜ କଳାକୌଶଳରେ ଉପଯୋଗ କରନ୍ତି। ସୁତରାଂ, ‘କ’ ଶିକ୍ଷାଦାନ କରୁଥିବା ସମାନ ଜ୍ଞାନକୁ ‘ଖ’ ଆହରଣ କରି ତାହାକୁ ସମାନ ଢଙ୍ଗରେ ବ୍ୟବହାର କରୁଥିବାରୁ ସେଭଳି କ୍ଷେତ୍ରରେ ଉଲ୍ଲଂଘନ ପାଇଁ ‘ଖ’ ଦାୟୀ ରହିବେ।

ଯଦି ଏହା ପ୍ରମାଣିତ ହେଲା ଯେ, ‘କ’ଙ୍କ ଠାରେ କାର୍ଯ୍ୟଟିର ସ୍ବତ୍ବ ଅଛି ଏବଂ ‘କ’ଙ୍କ ଦ୍ବାରା ‘ଆଇଡିଆ’ ବା ଧାରଣାଟି ଏକ ନିର୍ଦ୍ଦିଷ୍ଟ ଅଭିବ୍ୟକ୍ତି ଲାଭ କରିଛି, ସେଭଳି ସ୍ଥଳେ ‘ଖ’ଙ୍କ କାର୍ଯ୍ୟ ଆଇନ ଉଲ୍ଲଂଘନ ବୋଲି ଗଣାଯିବ। ସେହି ଦୃଷ୍ଟିରୁ ଦେଖିଲେ, ଏକଲବ୍ୟ ବୌଦ୍ଧିକ ସମ୍ପତ୍ତି ଆଇନର ଉଲ୍ଲଂଘନ କରିଛନ୍ତି ଏବଂ ଦ୍ରୋଣାଚାର୍ଯ୍ୟ ତାଙ୍କୁ ତୀରନ୍ଦାଜ କଳା ଅଭ୍ୟାସ କରିବାରୁ ନିଷେଧ ବା ନିବୃତ୍ତ କରିଛନ୍ତି। ଆକ୍ଷରିକ ଅର୍ଥରେ ସେ ତାଙ୍କୁ ବୃଦ୍ଧାଙ୍ଗୁଷ୍ଠିର ପ୍ରୟୋଗ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏକଲବ୍ୟ ତାହା ମାନିଛନ୍ତି ଏବଂ ଅନ୍ୟ କୌଣସି କଥା ବିଚାର ନ କରି ତାଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି। ଏକ କଳ୍ପନାଶୀଳ ଦୃଶ୍ୟପଟରେ ଏହା ଏକ ନ୍ୟାୟିକ ସ୍ଥିତି; ହୁଏ’ତ ଏଭଳି ହୋଇ ନ ଥିବ ଯେ ତାଙ୍କ ଡାହାଣ ବୃଦ୍ଧାଙ୍ଗୁଳିକୁ କାଟି ଦିଆଯାଇଛି। କେତେକ ମତ ଦିଅନ୍ତି ଯେ, ଦ୍ରୋଣାଚାର୍ଯ୍ୟ ତାଙ୍କର କାର୍ଯ୍ୟ ଦ୍ବାରା ଏକଲବ୍ୟଙ୍କୁ ଶ୍ରେଷ୍ଠ ଶିଷ୍ୟ ରୂପେ ପ୍ରତିଷ୍ଠିତ କରିଛନ୍ତି। ମୋ’ ମତରେ, ନିୟମକୁ ମାନିଥିବାରୁ ଏକଲବ୍ୟ ଉଚ୍ଚତର ସ୍ତରରେ ବିଦ୍ୟମାନ। ଆଇନକୁ ପାଳନ କରିବା ମନୁଷ୍ୟକୁ ମହାନ କରାଇଥାଏ। ଏ ପ୍ରସଙ୍ଗରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କ କଥା ମନେ ପଡୁଛି, ଯିଏ ଏଥେନୀୟ ସଭାର ନିଷ୍ପତ୍ତିକୁ କୃତଜ୍ଞତା ଜଣାଇ ‘ହେମଲକ୍‌’ ପରି ବିଷ ପିଇ ଦେଇଥିଲେ। ସହର ଛାଡ଼ି ଚାଲିଯିବା ଲାଗି ନିଜ ଶିଷ୍ୟମାନଙ୍କର ପ୍ରରୋଚନାକୁ ପ୍ରତ୍ୟାଖାନ କରି ସେମାନଙ୍କୁ କହିଥିଲେ, ‘ଦେଶର ଆଇନକୁ ପାଳନ କରିବା ହେଉଛି ମୋର କର୍ତ୍ତବ୍ୟ।’

ଆଉ ଏକ ଘଟଣା ଉପରେ ନଜର ପକାଇବା। ହନୁମାନ ଲଙ୍କାରେ ପହଞ୍ଚି ସୀତାମାତାଙ୍କୁ ସାକ୍ଷାତ କଲା ପରେ ଏକ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିଥିଲେ, ଯାହା ତାଙ୍କ ପ୍ରଜାତି ପାଇଁ ସ୍ବାଭାବିକ। ସେହି ସଂଘର୍ଷରେ ସେ ରାବଣର ପୁଅକୁ ବଧ କରିଥିଲେ ଏବଂ ନିଜ ଇଚ୍ଛାରେ ଧରା ପଡ଼ିଥିଲେ। ତାଙ୍କୁ ରାବଣର ‘ଦରବାର’କୁ ନିଆଯାଇଥିଲା ଏବଂ ତାଙ୍କୁ ପୋଡ଼ି ମାରି ଦେବା ଲାଗି ରାବଣ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଏ ପ୍ରକାର ନିର୍ଦ୍ଦେଶନାମାର କେହି ବି ପ୍ରତିବାଦ କରି ନ ଥିଲେ। କେବଳ ବିଭୀଷଣ ରାବଣଙ୍କୁ ସଂଯମ ରକ୍ଷା କରିବା ଲାଗି କହି ଅନ୍ୟ ଜଣେ ରାଜାଙ୍କର ‘ଦୂତ’ଙ୍କୁ ନ ମାରିବା ପାଇଁ ଉପଦେଶ ଦେଇଥିଲେ। କାରଣ ତାହା ଧର୍ମ-ବିରୁଦ୍ଧ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏଠି ମୁଁ କୌଣସି ଚରିତ୍ର ସପକ୍ଷରେ କହୁନାହିଁ। କେବଳ ବିଭୀଷଣଙ୍କ କାର୍ଯ୍ୟ ଉପରେ ହିଁ ଗୁରୁତ୍ବ ଦେଉଛି। ଏହାକୁ ୧୯୬୧ ଭିଏନା ରାଜିନାମା ଦୃଷ୍ଟିକୋଣରୁ ଦେଖାଯାଇପାରେ, ଯହିଁରେ ଉଲ୍ଲେଖ ରହିଛି କି ରାଷ୍ଟ୍ରଦୂତ କିମ୍ବା କୂଟନୀତିଜ୍ଞମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ।

ସାର୍ବଜନୀନ ଆନ୍ତର୍ଜାତିକ ଆଇନ ପରିସରରେ ଆସୁଥିବା ସେହି ସୁରକ୍ଷା ପ୍ରସଙ୍ଗକୁ ବିଭୀଷଣ ଏକ ଭିନ୍ନ ଢଙ୍ଗରେ ରାବଣ ପାଖରେ ଉପସ୍ଥାପନ କରିଥିଲେ। ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଦୃଷ୍ଟିରୁ ସେ ଏକାଧାରରେ ବିଚାରକ ଓ କାର୍ଯ୍ୟନିର୍ବାହୀ ଭୂମିକାରେ ଅବତୀର୍ଣ୍ଣ ରାଜାଙ୍କୁ ‘ଧର୍ମ’ର ସ୍ଥିତି ଜଣାଇ ହନୁମାନଙ୍କୁ ସାହାଯ୍ୟ କରିବାର ପ୍ରଚେଷ୍ଟା କରିଥିଲେ। ଦୃଶ୍ୟପଟର ବର୍ଦ୍ଧିତ ବୁଝାମଣାରେ ସେ ଥିଲେ ‘ଆମିକସ୍‌ କ୍ୟୁରି’ ବା ଅଦାଲତର ବନ୍ଧୁ। ଆମିକସ୍‌ କ୍ୟୁରିଙ୍କ ଭୂମିକା ହେଉଛି ଏହା ଯେ ସେ କୌଣସି ପକ୍ଷରୁ ଯୁକ୍ତି କରନ୍ତି ନାହିଁ। ସେ ବାସ୍ତବ ନ୍ୟାୟିକ ସ୍ଥିତି ସମ୍ପର୍କରେ କହି ଅଦାଲତଙ୍କୁ ସହଯୋଗ କରନ୍ତି। ଅବଶ୍ୟ କେତେକ ସ୍ଥଳରେ କୌଣସି ଓକିଲ ନିଯୁକ୍ତ କରିପାରୁନଥିବା ଜଣେ ଅଭିଯୁକ୍ତ ପାଇଁ ସେ ମଧ୍ୟ ଲଢ଼ିଥା’ନ୍ତି। ତେବେ, ତାଙ୍କର ପ୍ରାଥମିକ ଭୂମିକା ହେଉଛି ଆଇନର ସାର୍ବଭୌମତ୍ବ ଓ ସଚ୍ଚୋଟତା ବଜାୟ ରଖିବା। ସେହି ଦୃଷ୍ଟିରୁ ଦେଖିଲେ, ଆଧୁନିକ ନ୍ୟାୟିକ ପ୍ରଣାଳୀରେ ବିଭୀଷଣ ହେଉଛନ୍ତି ଜଣେ ‘ଆମିକସ୍‌ କ୍ୟୁରି’।

‘ମହାଭାରତ’ରୁ ଆଉ ଏକ ଘଟଣାର ଅବତାରଣା କରୁଛି। ସତ୍ୟବତୀଙ୍କ ପିତାଙ୍କର ଅପ୍ରତ୍ୟାଶିତ ଲୋଭକୁ ପୂରଣ କରିବା ପାଇଁ ଗଙ୍ଗାଙ୍କ ପୁତ୍ର ଦେବବ୍ରତ ଆଜୀବନ ଅବିବାହିତ ରହିବେ ବୋଲି ପ୍ରତିଜ୍ଞା କରିଥିଲେ। ପିତା ଶାନ୍ତନୁ ଅଲଂଘ୍ୟ କାମନାର ଶିକାର ହୋଇଛନ୍ତି ବୋଲି ସେ ବୁଝିଥିଲେ। ତଥାପି, ସୁଦ୍ଧା ତାଙ୍କର ଏହି ତ୍ୟାଗ ପିତାଙ୍କୁ ଖୁସି କରାଇବା ପାଇଁ କେବଳ ଉଦ୍ଦିଷ୍ଟ ଥିଲା। ପ୍ରତି ବଦଳରେ ଶାନ୍ତନୁ ଏପରି ପୁଅକୁ ‘ଇଚ୍ଛା ମୃତ୍ୟୁ’ର ବର ପ୍ରଦାନ କରିଥିଲେ। ନିଜର ସେହି ଅସାଧାରଣ ପ୍ରତିଜ୍ଞା ପାଇଁ ସେହି ପୁଅ ‘ଭୀଷ୍ମ’ ନାମରେ ବିଦିତ ହୋଇଥିଲେ। ପ୍ରସଙ୍ଗ କ୍ରମେ ଏଥର ‘ଇଚ୍ଛା ମୃତ୍ୟୁ’ ଉପରେ ଆଲୋଚନା କରିବା। ଉକ୍ତ ପରିକଳ୍ପନା ‘ଇଉଥାନାସିଆ’ ସହ ତୁଳନୀୟ। ମୂଳତଃ ଏକ ଯନ୍ତ୍ରଣାବିହୀନ ବା କମ୍‌ ଯନ୍ତ୍ରଣାଦାୟକ ମୃତ୍ୟୁ ପ୍ରତି ସୂଚିତ କରୁଥିବା ଉକ୍ତ ଶବ୍ଦଟି ଗ୍ରୀକ୍‌ ଭାଷାରୁ ଆସିଛି।

ଭାରତରେ ବିଚାରପତିଙ୍କ ଦ୍ବାରା ପ୍ରସ୍ତୁତ ଆଇନରେ ଜଣେ ବ୍ୟକ୍ତିକୁ ସମ୍ମାନର ସହ ମରିବା ପାଇଁ ‘ପାସିଭ୍‌ ଇଉଥାନାସିଆ’କୁ ସ୍ବୀକୃତି ମିଳିଛି। ଜଣଙ୍କ ପାଖରେ ନିଜ ଜୀବନ ନିଜେ ନେବାର ଅଧିକାର ନାହିଁ, ମାତ୍ର ସେ ‘ପାସିଭ୍‌ ଇଉଥାନାସିଆ’ର ପଥ ଆପଣେଇ ପାରିବ। ସାର୍ଥକ ଜୀବନର ସାର ହେଉଛି ଏହି ଚିନ୍ତାଧାରାକୁ ଦୂରେଇ ଦେବା। ସେଥି ପାଇଁ ପ୍ରାଚୀନ ଚିନ୍ତକ ‘ଚାର୍ବାକ’ଙ୍କ କହିବାନୁସାରେ ‘ଜୀବନ କେବଳ ସୁଖ ଭୋଗ ପାଇଁ ଉଦ୍ଦିଷ୍ଟ’। ସେହିପରି ଆଲଫ୍ରେଡ୍‌ ଲର୍ଡ ‌େଟନିସନ୍‌ଙ୍କ ଉକ୍ତି ହେଲା- ‘ମଣିଷର ନିଃଶ୍ବାସ ସହ ନିଃଶ୍ବାସ ନେଉଥିବା କୌଣସି ଜୀବନର ମୃତ୍ୟୁକୁ ପ୍ରକୃତ‌େର ଚାହିଁନାହିଁ’। ସେହିପରି ବଞ୍ଚିବାକୁ ଭଲ ପାଇବା ପାଇଁ ଡ୍ରାଇଡେନ୍‌ କହିଥିଲେ:
‘ଜୀବନକୁ ବିଚାରିଲେ ସବୁ କିଛି ପ୍ରତାରଣା,
ତଥାପି ଆଶାରେ ଛଳି, ଛଳନାକୁ ଏତେ ସମର୍ଥନ।’

ତେବେ, ଏଭଳି କଥାରେ ବିଶ୍ବାସ କରୁଥିଲେ ସୁଦ୍ଧା ଯଦି ଜଣେ ଏକ ‘ପରିବା’ (ଭେଜିଟେବଲ) ଭଳି ସ୍ଥିତିରେ ବଞ୍ଚି ରହିବାରେ ଇଚ୍ଛା ରଖୁନାହିଁ; ଜୀବନର ଝର ହିମୀକୃତ ହୋଇଯାଇଥାଏ; ଏବଂ ମୃତ୍ୟୁ ଏକ ଅକ୍ଟୋପସ ପରି ଜାବୁଡ଼ି ଧରେ ବା ଯେତେବେଳେ ଆଗକୁ କୌଣସି ଚିକିତ୍ସାର ଅବସର ନ ଥାଏ, ସେତେବେଳେ ‘ଇଉଥାନାସିଆ’ ଲାଗି ଇଚ୍ଛା ପ୍ରକାଶ କରିବାକୁ ନାଗରିକକୁ ଅନୁମତି ମିଳିଥାଏ। କାରଣ ସେ ସମ୍ମାନର ସହ ମରିବାକୁ ଚାହୁଁଛି ଏବଂ ସେ ଯେଭଳି ଜୀବନ ବଞ୍ଚୁଥିଲା, ତାହାର ଏକ ନିଷ୍ପ୍ରଭ ଛାଇ ଭଳି ବଞ୍ଚିବାକୁ ଚାହୁଁନାହିଁ। ଇଚ୍ଛାମୃତ୍ୟୁ ପାଇଁ ନିଜ ପିତାଙ୍କ ଠାରୁ ବର ପ୍ରାପ୍ତି ସତ୍ତ୍ବେ ଭୀଷ୍ମଙ୍କର ଇଚ୍ଛା ଏକ ଭିନ୍ନ ଅର୍ଥ ବହନ କରେ। ତାହା ତାଙ୍କ ପସନ୍ଦ ଓ ଇଚ୍ଛାର ପରିପ୍ରକାଶ ଏବଂ ସେ ଜାଣିଥିଲେ ସେ କ’ଣ କରୁଛନ୍ତି। ଏହି ଘଟଣାର ଗୁରୁତ୍ବ ହେଉଛି ଇଚ୍ଛା ମୃତ୍ୟୁ ସର୍ବୋଚ୍ଚ ବ୍ୟବସ୍ଥାରେ ଏକ ବରଦାନ ସଦୃଶ ଥିଲା ଏବଂ ଭାରତରେ ବର୍ତ୍ତମାନର ଆଇନ ବ୍ୟବସ୍ଥା ପ୍ରତ୍ୟେକ ନାଗରିକକୁ ‘ଇଉଥାନାସିଆ’ ପାଇବାକୁ ସକ୍ଷମ କରୁଛି, ଅବଶ୍ୟ କିଛି ସର୍ତ୍ତ ସହିତ।

ଏଭଳି ଅନେକ ଆଖ୍ୟାୟନ ରହିଛି, ଯାହା ବିଷୟରେ ବାରାନ୍ତରେ ଆଲୋଚନା କରାଯିବ। ସତ କହିଲେ, ମୁଁ ମୋ’ ନିଜ ଢଙ୍ଗରେ ଚରିତ୍ରମାନଙ୍କ ସହ କିଛି ସମୟ ବିତାଇଛି ଏବଂ ଆପଣମାନଙ୍କ ସହ କଥା ହେବା ପାଇଁ ସେମାନଙ୍କ ଅନୁମତି ନେଇଛି। ଆପଣମାନେ ହିଁ ଏହି ମିଥ୍‌ଗୁଡ଼ିକୁ ପରଖିବେ।

(ପ୍ରାଚୀନ ମହାକାବ୍ୟରେ ବର୍ଣ୍ଣିତ କେତେକ ଆଖ୍ୟାୟନର ବିଶ୍ଳେଷଣ ଆଧୁନିକ ଆଇନର ଯବକାଚ ତଳେ କରାଯିବାର ଏହି ଉଦ୍ୟମ ଆଉ ଦୁଇଟି ଭାଗରେ ଆସନ୍ତା ଏବଂ ତା’ ପର ସପ୍ତାହରେ ପ୍ରକାଶିତ ହେବ।

ସୌଜନ୍ୟ: ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ)
[email protected]