ସଦ୍ୟ ପ୍ରକାଶିତ ‘ଇଣ୍ଡିଆନ୍ ଜଷ୍ଟିସ୍ ରିପୋର୍ଟ ୨୦୨୨’ର ତଥ୍ୟ ଅନୁଯାୟୀ ଜେଲ୍ରେ ଥିବା କଏଦୀଙ୍କ ମଧ୍ୟରୁ ମାତ୍ର ୨୨% ଦୋଷୀ ପ୍ରମାଣିତ ହୋଇଥିବା ବେଳେ ୭୭% ହେଉଛନ୍ତି ବିଚାରାଧୀନ କଏଦୀ, ଯେଉଁମାନେ ତଦନ୍ତ ଓ ଶୁଣାଣିକୁ ଅପେକ୍ଷା କରି ଜେଲ୍ରେ ଦିନ କାଟୁଛନ୍ତି।
୨୦୧୦ରେ ଜେଲ୍ରେ ଥିବା ବିଚାରାଧୀନ କଏଦୀଙ୍କ ସଂଖ୍ୟା ୨.୪ ଲକ୍ଷ ଥିବା ବେଳେ ୨୦୨୧ରେ ଏହା ୭୮% ବୃଦ୍ଧି ପାଇ ୪.୩ ଲକ୍ଷରେ ପହଞ୍ଚିଯାଇଛି। ଆଣ୍ଡାମାନ ଓ ନିକୋବାର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା ଓ ମଧ୍ୟ ପ୍ରଦେଶକୁ ଛାଡ଼ି ଦେଲେ ଭାରତର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଚାରାଧୀନ କଏଦୀଙ୍କ ହାର ୬୦%ରୁ ଅଧିକ ରହିଛି। ୨୦୨୧ ଶେଷ ସୁଦ୍ଧା ୧୧,୪୯୦ କଏଦୀ ବିଚାରାଧୀନ ଅବସ୍ଥାରେ ୫ ବର୍ଷରୁ ଅଧିକ କାଳ ଜେଲ୍ରେ କାଟି ସାରିଲେଣି। ଅପର ପକ୍ଷେ ୨୦୨୧ ମସିହାରେ ଜାମିନ ଅଥବା ଦୋଷମୁକ୍ତି ପାଇ ଜେଲ୍ରୁ ବାହାରିଥିବା କଏଦୀଙ୍କ ମଧ୍ୟରୁ ୯୬.୭% ଭର୍ତ୍ତି ହେବାର ଏକ ବର୍ଷ ମଧ୍ୟରେ ଜେଲ୍ ଛାଡ଼ିଛନ୍ତି।
ସେହିପରି ଦେଶରେ ସମୁଦାୟ କଏଦୀଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇ ୨୦୨୧ରେ ୫.୫୪ ଲକ୍ଷରେ ପହଞ୍ଚିଛି। ଦେଶର ୧୬ଟି ରାଜ୍ୟ ଓ ତିନିଟି କେନ୍ଦ୍ରଶାସିତ ଅଞ୍ଚଳର ଜେଲ୍ରେ କ୍ଷମତା ଠାରୁ ଅଧିକ ସଂଖ୍ୟକ କଏଦୀ ବନ୍ଦୀ ଅବସ୍ଥାରେ ଅଛନ୍ତି। ଦେଶର ୩୦% (୩୯୧ଟି) ଜେଲ୍ରେ କ୍ଷମତାର ୧୫୦% କଏଦୀ ରହୁଛନ୍ତି ଏବଂ ୫୪% (୭୦୯ଟି) ଜେଲ୍ରେ କ୍ଷମତାରୁ ଅଧିକ ସଂଖ୍ୟକ କଏଦୀ କାଳ କାଟୁଛନ୍ତି। ଏଥିରୁ ଭାରତର ଜେଲଗୁଡ଼ିକରେ କଏଦୀମାନଙ୍କ ଦୁରବସ୍ଥା ସମ୍ବନ୍ଧରେ ଅନୁମାନ କରି ହୁଏ।