ଅଜୟ ଏକ ସ୍ୱଚ୍ଛଳ ପରିବାରର ପ୍ରଥମ ସନ୍ତାନ। ସାତ ବର୍ଷ ପୂରିଯାଇଥିଲେ ମଧ୍ୟ ସେ ‘ପାପା’ ଓ ‘ମାମା’ ଦୁଇଟି ଶବ୍ଦ କହି ପାରୁଥିଲା। ନିଜ ବୟସର ଶିଶୁମାନଙ୍କ ସହିତ ଖେଳିବାକୁ ବା ବଡ଼ ମଣିଷଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନ କରିବାକୁ ସେ ଇଚ୍ଛା ପ୍ରକାଶ କରୁ ନଥିଲା। ଏକୁଟିଆ ରହିବାକୁ ସେ ଭଲ ପାଉଥିଲା। ତାକୁ କିଏ ଆଦର ବା ଗେହ୍ଲା କଲେ ଛାଟିପିଟି ହୋଇ ସେ ଚିତ୍କାର କରୁଥିଲା ଓ ଘଣ୍ଟା ଘଣ୍ଟା ଧରି କାନ୍ଦୁଥିଲା।
ସୋମ୍ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ। ବୟସ ତିନି ବର୍ଷ। କଥାବାର୍ତ୍ତା କଲେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନଥିଲା। ହସୁ ନଥିଲା। କଥା ମଧ୍ୟ କହୁ ନଥିଲା। କିନ୍ତୁ କେବେ କେବେ ଜନ୍ତୁମାନଙ୍କ ପରି ଅଦ୍ଭୁତ ଶବ୍ଦ ସୃଷ୍ଟି କରୁଥିଲା। ସେ ଚିଡ଼ଚିଡ଼ା ସ୍ୱଭାବର ଥିଲା। ଦିନ ସାରା ଖଟରେ ଆଗପଛ ହୋଇ ଝୁଲୁଥିଲା। ଅଜୟ ଓ ସୋମ୍ଙ୍କ ପିତାମାତା ସେମାନଙ୍କର ବ୍ୟବହାର ସ୍ୱାଭାବିକ ନୁହେଁ ବୋଲି ବିଚାର କରି ଚିକିତ୍ସକଙ୍କର ପରାମର୍ଶ ଲୋଡ଼ିଥିଲେ।
ଅସ୍ୱାଭାବିକ ବ୍ୟବହାର ଦେଖାଉଥିବା ଉପର ବର୍ଣ୍ଣିତ ଶିଶୁମାନଙ୍କୁ ଆତ୍ମ ବିମୋହନତା ବା ସ୍ବ-ପରାୟଣତା ଜନିତ ବିକୃତି ବା ‘ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ଅର୍ଡର’ରେ ପୀଡ଼ିତ ବୋଲି ବିଚାର କରାଯାଏ। ବିଶ୍ୱରେ ପ୍ରାୟ ଏକରୁ ଦୁଇ ପ୍ରତିଶତ ଶିଶୁ ଉପରୋକ୍ତ ଲକ୍ଷଣ ଥାଇ ଜନ୍ମଗ୍ରହଣ କରୁଥିବାରୁ ଜନସଚେତନତା ସୃଷ୍ଟି କରିବାପାଇଁ ୨୦୦୭ ମସିହାରୁ ଜାତିସଂଘ ଏପ୍ରିଲ୍ ଦୁଇ ତାରିଖକୁ ‘ବିଶ୍ୱ ଅଟିଜିମ୍ ସଚେତନତା ଦିବସ’ ଭାବରେ ପାଳନ କରି ଆସୁଅଛି। ଉଲ୍ଲେଖଯୋଗ୍ୟ ହେଲା, ମହିଳାମାନଙ୍କ ତୁଳନାରେ ଚାରିଗୁଣ ପୁରୁଷ ଏହି ବିକୃତିରେ ଆକ୍ରାନ୍ତ ହୁଅନ୍ତି। ସଚେତନତା ବୃଦ୍ଧି ପାଇବା ଯୋଗୁଁ ଅଧିକ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି ନା ଏମାନଙ୍କର ସଂଖ୍ୟା ପ୍ରକୃତରେ ବୃଦ୍ଧି ପାଉଛି; ତାହା କହିବା କଷ୍ଟକର।
‘ଅଟିଜିମ୍’ ମସ୍ତିଷ୍କ ବିକାଶ ଓ ସ୍ନାୟୁଜନିତ ଏକ ବିକୃତି। ଏହା ଶୈଶବାବସ୍ଥାରୁ ପରିଲକ୍ଷିତ ହୋଇଥାଏ। ଏହିଭଳି ଶିଶୁମାନେ ନିଜ ଜଗତରେ ତଲ୍ଲୀନ ହୋଇ ରହିଥାଆନ୍ତି। ଅନ୍ୟମାନଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନ ଓ ଭାବର ଆଦାନପ୍ରଦାନ କରିପାରନ୍ତି ନାହିଁ। ଲୋକମାନଙ୍କ ମୁହଁକୁ ଚାହିଁ, ଆଖିରେ ଆଖି ମିଶାଇ ପାରନ୍ତି ନାହିଁ। ସେମାନଙ୍କର ନାମ ଧରି ଡାକିଲେ, ତାଳି ମାରିଲେ ବା ସେମାନଙ୍କୁ ଦେଖି ହସିଲେ ସେମାନେ କୌଣସି ପ୍ରତିକ୍ରିୟା ଦେଖାନ୍ତି ନାହିଁ। ସ୍ୱାଭାବିକ ଶିଶୁମାନଙ୍କ ପରି ସେମାନେ ଅନ୍ୟମାନଙ୍କର ବ୍ୟବହାର ଅନୁକରଣ କରିପାରନ୍ତି ନାହିଁ। ଅନ୍ୟର ଆଦେଶ ଓ ଆଭିମୁଖ୍ୟକୁ ବୁଝି ନପାରିବା ସହିତ ସାମାଜିକ ସଂକେତ ଓ ଇଙ୍ଗିତଗୁଡ଼ିକୁ ଧରି ପାରନ୍ତି ନାହିଁ। ନିଜ ମାଆଙ୍କ ପ୍ରତି ମଧ୍ୟ ସେମାନେ କୌଣସି ଆବେଗ ପ୍ରକାଶ କରନ୍ତି ନାହିଁ। ସମାନୁଭୂତିର ଅଭାବ ହେତୁ ବାପା ମା’ କୌଣସି କାରଣରୁ କଷ୍ଟରେ ଚିତ୍କାର କରୁଥିଲେ କୌଣସି ବ୍ୟସ୍ତତା ପ୍ରକାଶ ନକରି ବରଂ ଦୂରେଇ ଯିବାକୁ ସେମାନେ ପସନ୍ଦ କରନ୍ତି। ଅନ୍ୟମାନଙ୍କୁ ନିଜର ମନୋଭାବ ବୁଝାଇବାର ଅସମର୍ଥତା ସହିତ ନିଜ ଆବେଗକୁ ନିୟନ୍ତ୍ରଣରେ ରଖିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଥାଏ। ଫଳରେ ବିନା କାରଣରେ ରାଗିବା, କାନ୍ଦିବା ବା ହସିବା ଆଦି ଆବେଗିକ ପ୍ରତିକ୍ରିୟା ସେମାନେ ଦେଖାଇଥାନ୍ତି।
ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟର ପୁନରାବୃତ୍ତି କରିବାକୁ ସେମାନେ ଭଲ ପାଆନ୍ତି। ଗୋଟିଏ ସ୍ଥାନରେ ବାରମ୍ବାର ଦୋହଲିବା, ଟେବୁଲ ଲ୍ୟାମ୍ପ ଚାରିପଟେ ଘୁରିବା, ଆଖି ଆଗରେ ଆଙ୍ଗୁଠିକୁ ବାରମ୍ବାର ମୋଡ଼ିବା, ଗୋଟିଏ ଶବ୍ଦକୁ ବହୁତ ଥର ଉଚ୍ଚାରଣ କରିବା ଆଦି ଲକ୍ଷଣ ସେମାନଙ୍କଠାରେ ଦେଖାଯାଏ। ଚାରିପାଖରେ ପ୍ରତ୍ୟେକ ଜିନିଷ ସେହିପରି ଭାବରେ ରହିବାକୁ ଓ ରୁଟିନ୍କୁ ସେମାନେ ପସନ୍ଦ କରନ୍ତି। କ୍ଷୀର ପିଉଥିବା କପ୍କୁ ବଦଳାଇଦେଲେ ବା ଚଉକିର ସ୍ଥାନ ପରିବର୍ତ୍ତନ କରିଦେଲେ ଅଟିଷ୍ଟିକ୍ ଶିଶୁମାନେ ପ୍ରଚଣ୍ଡ କ୍ରୋଧ ପ୍ରକାଶ କରିଥାନ୍ତି। ଶିଢ଼ି ଚଢ଼ିଲାବେଳେ ମା’ ଡାହାଣ ପାଦ ପ୍ରଥମେ ନ ପକାଇ ବାମ ପାଦ ପକାଇଦେଲେ ବ୍ୟସ୍ତ ବିବ୍ରତ ହୋଇ ରାହା ଧରି ସେମାନେ କାନ୍ଦିବାକୁ ଆରମ୍ଭ କରନ୍ତି। ମୁଣ୍ଡକୁ ଚଟାଣରେ ବାରମ୍ବାର ପିଟି, ଚୁଟିକୁ ଟାଣି ସେମାନେ ନିଜକୁ ଆଘାତ ପହଞ୍ଚେଇ ଥାଆନ୍ତି। କେତେଜଣ ଶିଶୁ ଶବ୍ଦକୁ ସହ୍ୟ କରିପାରନ୍ତି ନାହିଁ।
ପଚାଶ ପ୍ରତିଶତ ଶିଶୁ କଥା କହିପାରନ୍ତି ନାହିଁ। କଥା କହିପାରୁଥିବା ଅଟିଷ୍ଟିକ୍ ପିଲାମାନଙ୍କର ଭାଷା ବିକାଶରେ ଅହେତୁକ ବିଳମ୍ବ ହୁଏ। ଶବ୍ଦ ଚୟନ ଓ ଭାଷାର ଯଥାର୍ଥ ପ୍ରୟୋଗ କରିବାକୁ ସେମାନେ ଅସମର୍ଥ ହୁଅନ୍ତି। ପ୍ରଶ୍ନଟିଏ ପଚାରିଲେ ଉତ୍ତର ନ ଦେଇ ଶୁଆ ପରି ଶବ୍ଦାନୁକରଣ କରି ପ୍ରଶ୍ନଟିର ପୁନରାବୃତ୍ତି କରିଥାନ୍ତି। ଯେପରି ‘ତୁମକୁ ଚକୋଲେଟ୍ ଦରକାର ଅଛି କି?’ ବୋଲି ପଚାରିଲେ ‘ହଁ’ ବା ‘ନା’ ବୋଲି ନ କହି ସେମାନେ ପ୍ରଶ୍ନଟିକୁ ଦୋହରାଇ ଥାଆନ୍ତି। ନିଜକୁ ‘ମୁଁ’ ବୋଲି ନ କହି ‘ସେ’ ବା ‘ତୁମେ’ ବୋଲି ସାଧାରଣତଃ କହିଥାନ୍ତି। ଅନେକ ସମୟରେ ଚାବିପେନ୍ଥା, କାଠର ବୋର୍ଡ ପରି ନିର୍ଜୀବ ଜିନିଷ ସହିତ ସେମାନଙ୍କର ଅହେତୁକ ଆସକ୍ତି ଗଢ଼ି ଉଠେ।
ଅଟିଷ୍ଟିକ୍ ଶିଶୁମାନଙ୍କଠାରେ ଅନେକ ସମୟରେ ଅନ୍ୟାନ୍ୟ ଶାରୀରିକ ସମସ୍ୟା ମଧ୍ୟ ରହିଥିବା ଦେଖାଯାଏ। ବହୁ ଶିଶୁ ଅପସ୍ମାର ବାତ (ସିଜର୍) ଦ୍ୱାରା ଆକ୍ରାନ୍ତ ଥିବାବେଳେ ଆଉ କେତେଜଣଙ୍କଠାରେ ‘ଧ୍ୟାନର ଅଭାବ ସକ୍ରିୟତା ବିକାର’ (ଏଡିଏଚ୍ଡି)ର ଲକ୍ଷଣ ଦେଖିବାକୁ ମିଳେ। ଏହିପରି ବିକାର ଭୋଗୁଥିବା ପିଲାମାନେ ଅତ୍ୟଧିକ ଚଞ୍ଚଳ ରହିବା ସହିତ କୌଣସି ବିଷୟରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିପାରନ୍ତି ନାହିଁ। ସେମାନଙ୍କଠାରେ ନିଦ୍ରାଜନିତ ସମସ୍ୟା, ଅବସାଦ ଓ ଉଦ୍ବେଗ ମଧ୍ୟ ପରିଲକ୍ଷିତ ହୁଏ। ବଦ୍ହଜମି ସହିତ ପେଟ କାଟିବା, ବାନ୍ତି ହେବା, ତରଳ ଝାଡ଼ା ହେବା ଆଦି ପେଟଜନିତ ସମସ୍ୟା ସେମାନଙ୍କର ଦୀର୍ଘଦିନ ଧରି ଲାଗି ରହିଥାଏ।
ଏହି ବିକୃତିର ନିର୍ଦ୍ଦିଷ୍ଟ କାରଣ ବ୍ୟାପାରରେ ଗବେଷକମାନେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନଥିଲେ ମଧ୍ୟ ଏହା ଜିନ୍ଗତ ସମସ୍ୟା ଓ ପରିବେଶର ଏକ ସମନ୍ୱିତ ପରିଣାମ ବୋଲି ଅନୁମାନ କରାଯାଏ। ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ପ୍ରସବ ହୋଇଥିବା ଶିଶୁ, ଜନ୍ମ ସମୟରେ ମସ୍ତିଷ୍କରେ ଅମ୍ଳଜାନର ଅଭାବ, ମାତାଙ୍କର ଅଧିକ ବୟସ, ଗର୍ଭାବସ୍ଥାରେ ମାତାଙ୍କର କୋକେନ୍, ମଦ ଆଦି ସେବନ ବା ରୁବେଲା ରୋଗର ସଂକ୍ରମଣ ଶିଶୁଠାରେ ଏହିପରି ସମସ୍ୟା ସୃଷ୍ଟି କରିପାରେ ବୋଲି ଗବେଷକମାନେ ମତ ଦିଅନ୍ତି। ଏହା ମୁଖ୍ୟତଃ ଆନୁବାଂଶିକ ଏବଂ ଜୈବିକ ଉତ୍ପାଦକଗୁଡ଼ିକ ଏହି ସମସ୍ୟା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଅଧିକାଂଶ ଗବେଷକ ବିଶ୍ୱାସ କରନ୍ତି। ମସ୍ତିଷ୍କରେ କୌଣସି ତ୍ରୁଟି, ଯେପରିକି ମସ୍ତିଷ୍କର ତରଙ୍ଗ ବିନ୍ୟାସ (ବ୍ରେନ୍ ୱେଭ୍ ପ୍ୟାରର୍ନ) ବା ସେରିବେଲମ୍ର ଅସ୍ୱାଭାବିକତା ଏହାର କାରଣ ବୋଲି କେତେଜଣ ବୈଜ୍ଞାନିକ ବିଚାର କରନ୍ତି।
‘ଅଟିଜିମ୍’ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କର ଲକ୍ଷଣ ଓ ଗମ୍ଭୀରତାର ଭିନ୍ନତା ଦୃଷ୍ଟିରୁ ମାନସିକ ବିକାରର ନୈଦାନିକ ଏବଂ ପରିସଂଖ୍ୟାନ ନିୟମ ସମ୍ବନ୍ଧୀୟ ପୁସ୍ତିକା-୫ ଏହାକୁ ଏକ ବିସ୍ତୃତ ଶ୍ରେଣୀର ବିକୃତି (ସ୍ପେକ୍ଟ୍ରମ୍ ଡିଜ୍ଅର୍ଡର୍) ଭାବରେ ବର୍ଗୀକରଣ କରିଛି। ଏପରି ବିକୃତି ଭୋଗୁଥିବା ବ୍ୟକ୍ତିମାନଙ୍କର ବୌଦ୍ଧିକ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ। ସତୁରିରୁ ଅଶୀ ପ୍ରତିଶତ ବ୍ୟକ୍ତି ମାନସିକ ଅନଗ୍ରସର ହୋଇଥିବାବେଳେ ଅଳ୍ପସଂଖ୍ୟକ ଅଟିଷ୍ଟିକ୍ ବ୍ୟକ୍ତିଙ୍କର ଅସାଧାରଣ ବୌଦ୍ଧିକ କ୍ଷମତା ଥାଏ। ମନେ ରଖିବାର ଅଦ୍ଭୁତ କ୍ଷମତା ସହ ଭାଷାଗତ ଦକ୍ଷତା ମଧ୍ୟ ଥାଏ। କଠୋର କାର୍ଯ୍ୟସୂଚୀ ପାଳନ କରି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସେମାନେ ମନୋନିବେଶ କରିପାରନ୍ତି।
ଅନ୍ୟମାନଙ୍କ ସହିତ ମିଳାମିଶା କରିବାକୁ ମଧ୍ୟ ଏପରି ବ୍ୟକ୍ତି ପସନ୍ଦ କରିଥାନ୍ତି। ଅତ୍ୟନ୍ତ ପ୍ରତିଭାବାନ୍ (ଜିନିଅସ୍) ହୋଇଥିବାରୁ ବିଦ୍ୟାର୍ଥୀ ଭାବରେ ଉତ୍ତମ ଫଳ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସଫଳତା ମଧ୍ୟ ଲାଭ କରନ୍ତି। ଏପରି ବ୍ୟକ୍ତି ସ୍ୱାଧୀନ ଭାବରେ ଦକ୍ଷତାର ସହ କାର୍ଯ୍ୟ କରିପାରନ୍ତି। ଏହି ବ୍ୟକ୍ତିମାନଙ୍କର ଭାବ ବିନିମୟ କିଛି ପରିମାଣରେ ଆବେଗ ରହିତ ହୋଇଥିବାବେଳେ ଅନ୍ୟମାନଙ୍କର ମୁଖମଣ୍ଡଳରେ ପ୍ରତିଫଳିତ ହେଉଥିବା ଭାଷା ଓ ଅଭିବ୍ୟକ୍ତିକୁ ସେମାନେ ଠିକ୍ ଭାବରେ ବୁଝିପାରନ୍ତି ନାହିଁ। ସମାଜରେ ଆଦୃତ ହେଉଥିବା ବ୍ୟବହାର ଅନେକ ସମୟରେ ଦେଖାଇ ପାରୁନଥିବାରୁ ସେମାନଙ୍କର ଚାଲିଚଳଣି ଲୋକମାନଙ୍କୁ ଅଖାଡୁଆ ଲାଗିଥାଏ। ଏହି ଉଚ୍ଚ କାର୍ଯ୍ୟଶୀଳ ଅଟିଷ୍ଟିକ ବ୍ୟକ୍ତିମାନେ ‘ଅସ୍ପର୍ଗର୍ ସିଣ୍ଡ୍ରୋମ୍’ରେ ଆକ୍ରାନ୍ତ ବୋଲି କୁହାଯାଏ। ୨୦୧୩ ମସିହାରୁ ‘ଡିଏସ୍ଏମ୍-୫’ ଅସ୍ପର୍ଗର୍ମାନଙ୍କୁ ‘ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ଅର୍ଡର’ ବର୍ଗୀକରଣରେ ଅନ୍ତର୍ଭୁକ୍ତ କରିଛି।
ସେମାନଙ୍କର ଅସାଧାରଣ ବୌଦ୍ଧିକ କ୍ଷମତା ଥିବାରୁ ଏହି ବର୍ଗୀକରଣରେ କେତେକ ଗବେଷକ ସନ୍ତୁଷ୍ଟ ନୁହନ୍ତି। ପୃଥିବୀର ଅନ୍ୟତମ ବିତ୍ତଶାଳୀ ଉଦ୍ୟୋଗପତି ଏଲନ୍ ମସ୍କ ନିଜର ‘ଅସ୍ପର୍ଗର୍ ସିଣ୍ଡ୍ରୋମ୍’ ଅଛି ବୋଲି ସର୍ବସାଧାରଣ ସଭାରେ ଘୋଷଣା କରିଥିବାବେଳେ ପୃଥିବୀ ପ୍ରସିଦ୍ଧ ବୈଜ୍ଞାନିକ ଓ ଗଣିତଜ୍ଞ ଆଲବର୍ଟ ଆଇନ୍ଷ୍ଟାଇନ୍, ଜୀବବିଜ୍ଞାନୀ ଚାର୍ଲସ୍ ଡାରୱିନ୍, ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ସାର୍ ଆଇଜାକ୍ ନିଉଟନ୍, ବିଖ୍ୟାତ ଶିଳ୍ପୀ ଲିଓର୍ନାଡୋ ଡାଭିନ୍ସି ଆଦି ‘ଅସ୍ପର୍ଗର୍ ସିଣ୍ଡ୍ରୋମ୍’ରେ ଆକ୍ରାନ୍ତ ଥିଲେ ବୋଲି ଆଲୋଚନା ହୁଏ। ଉଚ୍ଚ କ୍ଷମତାଧାରୀ ଅସ୍ପର୍ଗର୍ମାନଙ୍କୁ ଥେରାପି ଦେବାର ବିଶେଷ ଆବଶ୍ୟକତା ନଥିବାବେଳେ ଅନ୍ୟମାନଙ୍କ ପାଇଁ ସବୁ କ୍ଷେତ୍ରରେ ହସ୍ତକ୍ଷେପ (ଇଣ୍ଟର୍ଭେନ୍ସନ୍)ର ବ୍ୟବସ୍ଥା କରିବା ଆବଶ୍ୟକ।
ଏହାର ଆରୋଗ୍ୟ ସମ୍ପୂର୍ଣ୍ଣ ଭାବରେ ସମ୍ଭବ ନହେଲେ ମଧ୍ୟ ବିଭିନ୍ନ ଗଠନମୂଳକ ସୁନିୟନ୍ତ୍ରିତ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କର ସମସ୍ୟାକୁ ହ୍ରାସ କରିବା ସହିତ ବିଭିନ୍ନ କୌଶଳ ଶିଖେଇବାକୁ ଚେଷ୍ଟା କରାଯାଏ। ନିର୍ଦ୍ଦିଷ୍ଟ ବୟସରେ ଜଣେ ଶିଶୁ ବିକାଶର ମାଇଲଖୁଣ୍ଟକୁ ସ୍ୱାଭାବିକ ଭାବରେ ପହଞ୍ଚି ପାରୁ ନଥିଲେ ତୁରନ୍ତ ବିକାଶ ସମ୍ବନ୍ଧୀୟ ଶିଶୁ ଚିକିତ୍ସକଙ୍କ ସାହାଯ୍ୟ ନେବା ଦରକାର। ଶିଶୁର କେଉଁ କ୍ଷେତ୍ରରେ ସମସ୍ୟା ଅଛି ଏବଂ ଗମ୍ଭୀରତାର ମାତ୍ରା କେତେ ତାହା ଚିକିତ୍ସକ ପ୍ରଥମେ ଆକଳନ କରିଥାନ୍ତି। ଅନେକ ସମୟରେ ପିଲାର ଆବଶ୍ୟକତା ପୂରଣ କରିବା ପାଇଁ ଏକ ଟିମ୍ର ସାହାଯ୍ୟ ଦରକାର ପଡ଼େ। ଭାଷାଗତ ଦକ୍ଷତା ବୃଦ୍ଧି ପାଇଁ ସ୍ପିଚ୍ ଥେରାପି, ସାମାଜିକ ସଂପର୍କ ସ୍ଥାପନ କରିବା ପାଇଁ ଅକୁପେସନାଲ୍ ଥେରାପି, ସମ୍ବେଦନାତ୍ମକ ସମସ୍ୟା ଥିଲେ ସମନ୍ୱୟ ଆଣିବା ପାଇଁ ସେନସରି ଇଣ୍ଟିଗ୍ରେସନ ଥେରାପି, ମାଂସପେଶୀର ସମସ୍ୟା ଥିଲେ ଫିଜିଓ ଥେରାପି, ବ୍ୟବହାରାତ୍ମକ ତାଲିମ ପାଇଁ ବିହେଭିଅର ଟ୍ରେନିଙ୍ଗ୍ ଆଦି ଦିଆଯାଏ। ପୂର୍ବରୁ ସେମାନଙ୍କୁ ସ୍ୱତନ୍ତ୍ର ବିଦ୍ୟାଳୟରେ ରଖି ତାଲିମ ନେବା ଉପରେ ଗୁରୁତ୍ୱ ଆରୋପ କରାଯାଉଥିଲା। ବିଭିନ୍ନ ସମସ୍ୟାକୁ ଧ୍ୟାନ ଦେଇ ତାଲିମ ଦେବା ସହିତ ସ୍ୱାଭାବିକ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ ବିଦ୍ୟାଳୟରେ ସେମାନଙ୍କ ଶିକ୍ଷା ବ୍ୟବସ୍ଥା କରାଇବା ଦରକାର ବୋଲି ବର୍ତ୍ତମାନ ବିଶେଷଜ୍ଞମାନେ ମତ ଦେଉଛନ୍ତି। ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇ ନଥିଲେ ମଧ୍ୟ ଦୁଇରୁ ଚାରି ବର୍ଷ ମଧ୍ୟରେ ଶିଶୁର ଚିକିତ୍ସା ଆରମ୍ଭ କଲେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୁଏ। ଅନେକ ସମୟରେ ନିଜ ପିଲାର ଅସ୍ୱାଭାବିକତାକୁ ପିତାମାତା ସ୍ୱୀକାର କରିପାରନ୍ତି ନାହିଁ। ସେମାନଙ୍କର ଭିନ୍ନତାକୁ ସମ୍ମାନ ଦେଇ ବିିଭିନ୍ନ କ୍ଷେତ୍ରରେ ହସ୍ତକ୍ଷେପ କଲେ ହୁଏତ ସେମାନେ ମୁଖ୍ୟ ସ୍ରୋତରେ କିଛି ଅଂଶରେ ସାମିଲ ହୋଇପାରିବେ।
ମୋ: ୯୪୩୭୫୭୭୨୧୧