ଗାନ୍ଧୀଜୀଙ୍କ ବ୍ୟକ୍ତିଗତ ସଚିବ, ପ୍ୟାରେଲାଲ ତାଙ୍କ ପୁସ୍ତକ ‘ମହାତ୍ମା ଗାନ୍ଧୀ- ଦି ଲାଷ୍ଟ ଫେଜ’ରେ ଗାନ୍ଧୀଙ୍କ ସହ ଏକ ଆଲୋଚନାର ଅବତାରଣା କରିଛନ୍ତି। ଉକ୍ତ ଆଲୋଚନା ଭାରତ ଛାଡ଼ ଆନ୍ଦୋଳନ ବେଳେ ଆଗା ଖାଁ ପାଲେସରେ ଅନୁଷ୍ଠିତ ହୋଇଥିଲା।
ପ୍ୟାରେଲାଲ ବର୍ଣ୍ଣନା କରିଛନ୍ତି, ଦିନେ ଜଣେ ସତ୍ୟାଗ୍ରହୀ ଆଗା ଖାଁରେ ଗାନ୍ଧୀଙ୍କୁ ସକ୍ଷାତ କରି ଆଲୋଚନା ପ୍ରସଙ୍ଗରେ ପ୍ରଶ୍ନ କଲା, “ବାପୁ, ସ୍ୱାଧୀନତା ପାଇଁ ସତ୍ୟାଗ୍ରହ ସମୟରେ ଟେଲିଫୋନ ତାର ଛିଣ୍ଡାଇଦେବା କାହିଁକି ହିଂସା ବୋଲି ଧରି ନିଆଯିବ? ଅହିଂସ ସତ୍ୟାଗ୍ରହ ତ ଜନସଚେତନତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଥିଲା। ସେ କାମ ଏବେ ଶେଷ ହୋଇଯାଇଛି। ଲୋକେ ଜାଗ୍ରତ ହୋଇ ସାରିଛନ୍ତି। ଗାନ୍ଧୀ ସତ୍ୟାଗ୍ରହର ସ୍ୱରୂପ ତେଣୁ ସଂଶୋଧିତ ହେବା ଉଚିତ। ଏଥିରେ ସୀମିତ ହିଂସା, ଭଙ୍ଗାରୁଜା ଓ ଗୁପ୍ତରେ ଗରିଲା ଯୁଦ୍ଧ ସାମିଲ ହେବା ଦରକାର। ଇଏ ଏବେ ‘ନବ୍ୟ ବା ନିଓ ସତ୍ୟାଗ୍ରହ’। ନୂଆ ଏକ ଗାନ୍ଧୀବାଦ। ନିଓ ସତ୍ୟାଗ୍ରହରେ ବିଶ୍ୱାସ ରଖିଥିବା ସତ୍ୟାଗ୍ରହୀ ହେଉଛନ୍ତି ‘ନିଓ ଗାନ୍ଧୀବାଦୀ’।’’ ଗାନ୍ଧୀ ସେଦିନ ଅସହାୟ ହୋଇ ଏ ସବୁ ଶୁଣିଥିଲେ। ତାଙ୍କ ଅନୁପସ୍ଥିତିରେ ଯେ ଭାରତରେ ଏପରି ଏକ ବିଚାରଧାରାର ଅଭ୍ୟୁଦୟ ହୋଇସାରିଛି ତାହା ଜାଣି ଗାନ୍ଧୀ ବ୍ୟଥିତ ହୋଇଥିଲେ ଏବଂ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଏହି ନିଓ ସତ୍ୟାଗ୍ରହୀଙ୍କ ଭିତରେ ଅରୁଣା ଆସିଫ୍ ଅଲ୍ଲି, ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କ ପରି ନିଷ୍ଠାବାନ ତୁଙ୍ଗ ଗାନ୍ଧୀ ସତ୍ୟାଗ୍ରହୀମାନେ ସାମିଲ ଅଛନ୍ତି।
ବମ୍ବେ କଂଗ୍ରେସ ଅଧିବେଶନରେ ‘ଭାରତ ଛାଡ଼’ ସଂକଳ୍ପ ପାରିତ ହୋଇଥିଲା ୧୯୪୨ ଅଗଷ୍ଟ ୮ ତାରିଖ ମଧ୍ୟରାତ୍ରିରେ। ‘କୁଇଟ୍ ଇଣ୍ଡିଆ’ ବା ‘ଭାରତ ଛୋଡ଼’, ଏପରି ଏକ ନାମକରଣର ପ୍ରସ୍ତାବ ଦେଇଥିଲେ ବିଶିଷ୍ଟ ଶ୍ରମିକ ନେତା ୟୁସୁଫ୍ ମେହେରାଲି। ମେହେରାଲିଙ୍କ ଏ ପ୍ରସ୍ତାବକୁ ଗ୍ରହଣ କରି ଗାନ୍ଧୀ ତାଙ୍କର ଏକ ଆବେଗ ପୂର୍ଣ୍ଣ ଭାଷଣରେ କହିଥିଲେ, “ଭାରତ ଛାଡ଼ ସହ ମୁଁ ଆଉ ଏକ ମନ୍ତ୍ର ଯୋଡ଼ି ଦେଉଛି। ସେ ହେଉଛି, ‘କର ବା ମର’। ମୋର ଏହି ମନ୍ତ୍ରକୁ ସମସ୍ତେ ମନେ ରଖିଥିବ। ଏହା ଏକ ଅହିଂସାର ମନ୍ତ୍ର। ଆମେ ଭାରତକୁ ସ୍ୱାଧୀନ କରିବା। ଏ ସ୍ୱାଧୀନତା କେବଳ ଚଳନ୍ତି ପିଢ଼ି ପାଇଁ ହେବନି, ଭବିଷ୍ୟତ ପିଢ଼ି ପାଇଁ ବି ହେବ। ସଂଗ୍ରାମର ପ୍ରକ୍ରିୟା ଭିତରେ ହୁଏତ ଆମର ମୃତ୍ୟୁ ହୋଇପାରେ। ଆମେ କିନ୍ତୁ ଦାସତ୍ବ ଭିତରେ ଆଉ ବଞ୍ଚି ରହିବାକୁ ଚାହୁଁନୁ। ଦାସତ୍ବରେ ବଂଚୁଥିବା ଜୀବନ ପ୍ରକୃତରେ ଜୀବନ ନୁହେଁ।’’
ଅଗଷ୍ଟ ୯ ତାରିଖ ସକାଳେ ଗାନ୍ଧୀ ଓ ତାଙ୍କ ସହ ମହାଦେବ ଦେଶାଇ, ମୀରା ବେନ୍ ଓ କସ୍ତୁରବାଙ୍କୁ ଗିରଫ କରାଯାଇ ଜେଲ୍ରେ ପରିଣତ ହୋଇଥିବା ପୁନାର ଆଗା ଖାଁ ପାଲେସକୁ ପଠାଇ ଦିଆଯାଇଥିଲା। ଗାନ୍ଧୀରାଜର ସିପାହି କହି ରାସ୍ତା ଉପରେ ବିକ୍ଷୋଭ କରିଥିବା ହଜାର ହଜାର ଗାନ୍ଧୀ ସତ୍ୟାଗ୍ରହୀଙ୍କୁ ଜେଲ ଦଣ୍ଡ ମିଳିଥିଲା। ଅରୁଣା ଆସିଫ ଅଲ୍ଲି, ରାମ ମନୋହର ଲୋହିଆ, ଜୟ ପ୍ରକାଶ ନାରାୟଣଙ୍କ ପରି କିଛି ଗାନ୍ଧୀପନ୍ଥୀମାନେ କିନ୍ତୁ ଗିରଫ ହେବାକୁ ବିଜ୍ଞତା ବୋଲି ଭାବି ନ ଥିଲେ। ସେମାନେ ଏକ ଘୋଷଣା ଜାରି କରି କହିଦେଲେ, ସମ୍ପୂର୍ଣ୍ଣ ଅହିଂସ ସତ୍ୟାଗ୍ରହର କୌଶଳ ସମ୍ପ୍ରତି ବଦଳି ଯାଇଛି। ଏଣିକି ସତ୍ୟାଗ୍ରହରେ ହରତାଳ ହେବ। ହରତାଳରେ ସୀମିତ ହିଂସା ରହିବ। କଂଗ୍ରେସ ଏକ ରାଜନୈତିକ ଦଳ। ଭାରତର ରାଜନୈତିକ ସ୍ୱାଧୀନତା ପାଇଁ ଏହା ସଂଗ୍ରାମ କରୁଛି। ସେଦିନ ସେ ପ୍ରସ୍ତାବରେ ‘ନବ୍ୟ ଗାନ୍ଧୀବାଦ’ର ଏ ଥିଲା ନୂଆ ରୂପ।
୧୯୪୪ ମେ ୬ ତାରିଖରେ ଗାନ୍ଧୀ ଜେଲରୁ ମୁକ୍ତ ହେବା ପରେ ଜଣେ ସାମ୍ବାଦିକ ବନ୍ଧୁ ଗାନ୍ଧୀଙ୍କର ସାକ୍ଷାତକାର ନେଇ ‘ନିଓ ସତ୍ୟାଗ୍ରହ’ ଉପରେ ଗାନ୍ଧୀଙ୍କର ସ୍ପଷ୍ଟୀକରଣ ଚାହିଁଥିଲେ। ଗାନ୍ଧୀ ବି ସ୍ପଷ୍ଟୀକରଣ ଦେବାକୁ ଇଚ୍ଛୁକ ଥିଲେ। ନିଜ ବିଚାରଧାରାକୁ ସେ ଦ୍ୱନ୍ଦ୍ୱମୁକ୍ତ କରିଦେବାକୁ ଚାହୁଁଥିଲେ।
ସାମ୍ବାଦିକଙ୍କ ପ୍ରଥମ ପ୍ରଶ୍ନ ଥିଲା, ‘ବାପୁ, ସୀମିତ ହିଂସା, ଭଙ୍ଗାରୁଜା, ଅହିଂସା ନୀତିର ଏକ ଅଂଶ। ଆପଣ ମାନନ୍ତୁ ବା ନ ମାନନ୍ତୁ ଏ ହିଂସା ଗଣ ଆନ୍ଦୋଳନରେ ନିଶ୍ଚୟ ରହିବ।’
ଗାନ୍ଧୀଙ୍କ ଉତ୍ତର ଥିଲା, ‘ତୁମର ଏ ଦାୟିତ୍ୱହୀନ ଭବିଷ୍ୟବାଣୀ ନେଇ ମୁଁ ଦୁଃଖିତ। ଏପରି ବିଚାର ଆମକୁ ଦିଗହରା କରିଦେଇଛି। ଏହା ଆମକୁ କେଉଁଠି ପହଞ୍ଚାଇବ ଠିକ୍ କରି ହେଉନି। ଆମେ ପୂର୍ଣ୍ଣ ଅହିଂସ ହୋଇ ପାରୁନୁ କିମ୍ବା ସଶସ୍ତ୍ର ବିପ୍ଳବ ପାଇଁ ଶକ୍ତି ସଂଗ୍ରହ କରି ପାରୁନୁ। ଏହା ଏକ ବିଚାରଗତ ଦ୍ୱନ୍ଦ୍ୱ। ମୋ ସତ୍ୟାଗ୍ରହ ହେଉଛି ପ୍ରତିପକ୍ଷର ହୃଦୟ ପରିବର୍ତ୍ତନ ପାଇଁ ସତ୍ୟ ଅହିଂସା ଉପରେ ଆଧାରିତ ଏକ ସୈଦ୍ଧାନ୍ତିକ ଖୋଲା ମାର୍ଗ। ସରକାରଙ୍କୁ ବିରୋଧ କରି ଟେଲିଫୋନ ତାର, ପୋଲ, ରେଳ ଧାରଣା ପରି ଜାତୀୟ ସମ୍ପତି ନଷ୍ଟ କରିବା ଉଚିତ ନୁହେଁ। ଏ ସବୁ ଆମ ସମ୍ପତି। ଆମ ବଂଚିବାର ସାଧନ। ଦୁଷ୍ଟାତ୍ମା ଟେଲିଫୋନ ତାରରେ ନଥାଏ, ଏହା ମଣିଷର ମନ ଭିତରେ ଥାଏ।’
ଗାନ୍ଧୀ ତାଙ୍କ ଉତ୍ତରକୁ ଆଉ ଟିକିଏ ବିସ୍ତାରିତ କରି କହିଦେଲେ, ‘ସ୍ୱାଧୀନତା ପାଇଁ ପୂର୍ବରୁ ମଧ୍ୟ ଅନେକ ଶକ୍ତିଶାଳୀ ହିଂସ୍ର ବିଦ୍ରୋହ ସଂଗଠିତ ହୋଇ ସାରିଛି। ଇଂରେଜଙ୍କ ଉପରେ ଦୈହିକ ଆକ୍ରମଣ ହୋଇଛି। ପରିଶେଷରେ ଇଂରେଜମାନେ ହିଁ ଜିତିଛନ୍ତି। ଭାରତୀୟମାନେ ଯେ କାଠ ବନ୍ଧୁକରେ ଇଂରେଜଙ୍କୁ ଜିତି ପାରିବେନି ସେମାନେ ନିଶ୍ଚିତ ଅଛନ୍ତି। ପ୍ରକୃତରେ ଭୟଶୂନ୍ୟ ଅହିଂସ ଗଣଆନ୍ଦୋଳନକୁ ସେମାନେ ଭୟ କରନ୍ତି।
ସାମ୍ବାଦିକଙ୍କ ଅନ୍ୟ ଏକ ପ୍ରଶ୍ନ ଥିଲା, ‘ନିଓ ସତ୍ୟାଗ୍ରହୀଙ୍କୁ ଆପଣଙ୍କ ପରାମର୍ଶ କ’ଣ?’ ଗାନ୍ଧୀ ତାଙ୍କ ଉତ୍ତରରେ ସ୍ପଷ୍ଟ କହିଦେଲେ, ‘ସ୍ୱାଧୀନତା ପାଇଁ ହିଂସାରେ ବିଶ୍ୱାସ କରୁଥିବା ସତ୍ୟାଗ୍ରହୀମାନେ ମଧ୍ୟ ନିର୍ଭୀକ ଦେଶପ୍ରେମୀ। ସେମାନେ କିନ୍ତୁ ମୋର ଆଦର୍ଶ ନୁହନ୍ତି। ଗୁପ୍ତ ସଂଗଠନ ସେମାନଙ୍କ ପାଇଁ ହୁଏତ ଏକ ସୁରକ୍ଷାର ବଳୟ ତିଆରି କରିପାରେ; ଏ ସୁରକ୍ଷାର ଘେର କିନ୍ତୁ ସ୍ଥାୟୀ ନୁହେଁ। ହିଂସାରେ ହାସଲ ହୋଇଥିବା ଯେକୌଣସି ସଫଳତାକୁ ଅନ୍ୟ ଗୋଟିଏ ଶକ୍ତିଶାଳୀ ବୃହତ୍ତର ହିଂସାରେ ବି ଛଡ଼ାଇ ନିଆଯାଇପାରେ। ଅହିଂସ ସତ୍ୟାଗ୍ରହ ଏବେ ସମ୍ପୂର୍ଣ୍ଣ ଶକ୍ତି ସଂଚାର କରି ସାରିଲାଣି। ‘ଭାରତ ଛାଡ଼’ ତା’ର ନୂଆ ଉଦାହରଣ। ସାମ୍ପ୍ରଦାୟିକ ସଂହତି, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ ପରି ରଚନାତ୍ମକ କାର୍ଯ୍ୟକ୍ରମ ସତ୍ୟାଗ୍ରହର ଶକ୍ତିକୁ ତ୍ୱରାନ୍ୱିତ କରିବ।’
ଗାନ୍ଧୀଙ୍କ ଏହି ସାକ୍ଷତାକାର ୧୯୪୬ ଫେବ୍ରୁଆରି ୧୦ ତାରିଖ ‘ହରିଜନ’ ପତ୍ରିକାରେ ପ୍ରକାଶ ପାଇଥିଲା। ନବ୍ୟ ସତ୍ୟାଗ୍ରହୀଙ୍କୁ କିନ୍ତୁ ଏ ସାକ୍ଷାତାକାର ସନ୍ତୁଷ୍ଟ କରି ନ ଥିଲା।
ମୋ: ୯୮୬୧୪୬୯୩୨୮