ଜଣେ ଗରିବ ଚାଷୀ ଥିଲା। କିନ୍ତୁ ସେ ଥିଲା ଭାରି ସୁଖୀ। ସବୁ ବେଳେ ଗୀତ ଗାଉଥିଲା। ଯାହା ପାଉଥିଲା ସେଥିରେ ଚଳୁଥିଲା। ତା’ ମନରେ କୌଣସି ଅଭିଯୋଗ ନ ଥିଲା।
ଦିନକର କଥା। ଚାଷୀଟି ଗୋଟିଏ ଏମିତି ପଥର ପାଇଲା, ଯାହା ଦାଉ ଦାଉ ହୋଇ ଝଲସୁଥିଲା। ତାକୁ ସେ ତା’ ବଳଦ ବେକରେ ଝୁଲାଇ ଦେଲା। ପର ଦିନ ଜଣେ ବଣିଆ ପଥରଟିକୁ ଦେଖି ଜାଣିଲା ଯେ ତାହା ହେଉଛି ଗୋଟିଏ ଅତି ମୂଲ୍ୟବାନ ହୀରା। ସେ ତାକୁ କହିଲା- ଟଙ୍କାଟିଏ ନେଇ ମୋତେ ଏ ପଥର ଦିଅ।
ଚାଷୀ କହିଲା- ଛାର ପଥରଟିକୁ ଟଙ୍କାଟିଏ? ରାସ୍ତାରୁ ଏହାକୁ ପାଇଥିଲି ଓ ଏହା ଚମକୁ ଥିଲା ବୋଲି ବଳଦକୁ ପିନ୍ଧାଇଛି। ତାକୁ ମାଗଣାରେ ନେଇ ଯାଅ।
ବଣିଆଟି ଉଲ୍ଲସିତ ହୋଇ ହୀରାଟିକୁ ମାଗଣାରେ ନେଇ ଚାଲିଗଲା।
ବଣିଆ ସେଠାରୁ ଯାଇଛି କି ନାହିଁ ଆଉ ଜଣେ ବଣିଆ ପହଞ୍ଚି ଯାଇ କହିଲା- ଦେଖି ଦେଖି ସେ ପଥର। ମୁଁ ଶହେ ଟଙ୍କା ଦେବି ମୋତେ ତାକୁ ଦିଅ।
ଚାଷୀ କହିଲା- ମୁଁ ତ ତାକୁ ଏବେ ଜଣକୁ ମାଗଣାରେ ଦେଇଦେଲି!
ହାୟରେ ଅଭାଗା କ’ଣ କଲୁ ବୋଲି କହି ଦ୍ବିତୀୟ ବଣିଆ ଲଥ୍ କରି ତଳେ ବସି ପଡ଼ିଲା। ତା’ ପରେ ସେ କହିଲା- ଜାଣିଛୁ କି ନାହିଁ ତାହା ଥିଲା ଗୋଟିଏ ଦୁର୍ମୂଲ୍ୟ ହୀରା!
ଚାଷୀ କହିଲା- ହୋଇଥିବ ଆଜ୍ଞା! ମୋର କ’ଣ ଯାଏଆସେ! ରାସ୍ତାରୁ ପାଇଥିଲି ତେଣୁ ସେମିତି ଦେଇ ଦେଲି! ଆପଣ ତା’ ଗୁଣ ଜାଣିଛନ୍ତି ତେଣୁ ଧନ୍ଦି ହେଉଛନ୍ତି। ମୁଁ ମୂର୍ଖ। ସେଥିରୁ କ’ଣ ପାଇବି?
ତା’ ପରେ ଚାଷୀ ଆନନ୍ଦରେ ଗୁଣୁଗୁଣୁ ଗୀତ ଗାଇ ବଳଦକୁ ଆଉଁଷିଲା ଏବଂ ବଣିଆ ଦୁଃଖରେ ଘରକୁ ଫେରିଲା।