ବାଟବଣା ଟ୍ରେନ୍‌

ଦୃଷ୍ଟିପାତ

କୁହାଯାଏ ଯେ ଦୁର୍ଭାଗ୍ୟ ଯେତେବେଳେ ଆସେ, ତାହା ସପରିବାର ଆସିଥାଏ। ଲକ୍‌ଡାଉନ୍‌ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ର‌େର ଏହା ପ୍ରମାଣିତ ହେବାରେ ଲାଗିଛି। କାରଣ ବିଭିନ୍ନ ପ୍ରକାର ଅକଥନୀୟ କଷ୍ଟ ମଧ୍ୟ ଦେଇ ଯାଉଥିବା ଏହି ପ୍ରବାସୀ ଶ୍ରମିକମାନଙ୍କୁ ସାନ୍ତ୍ବନା ଦେଲା ଭଳି ଶ୍ରମିକ ସ୍ପେସାଲ ଟ୍ରେନ୍‌ଗୁଡ଼ିକ ଚାଲିବା ସତ୍ତ୍ବେ ଏବେ ଯେଉଁ ଅଭାବନୀୟ ଘଟଣାଟି ଘଟିଛି, ତାହା ହେଲା ପ୍ରାୟ ୪୦ଟି ଟ୍ରେନ୍ ବାଟବଣା ହୋଇ ନିର୍ଦ୍ଧାରିତ ସ୍ଥାନରେ ନ ପହଞ୍ଚି ଅନ୍ୟାନ୍ୟ ସ୍ଥାନରେ ପହଞ୍ଚିଛନ୍ତି। ଉଦାହରଣ ସ୍ବରୂପ ବମ୍ବେର ବସାଇ ରୋଡ୍‌ ଷ୍ଟେସନରୁ ଗୋରଖପୁର ଅଭିମୁ‌େଖ ବାହାରିଥିବା ରେଳଟି ରାଉରକେଲା ଠାରେ ପହଞ୍ଚି ଯାଇଥିଲା।।

ଏହି କାରଣରୁ ଏହି ୪୦ଟି ଟ୍ରେନ୍‌ରେ ଯାତ୍ରା କରୁଥିବା ଶ୍ରମିକମାନେ ତିନି ଦିନ ସ୍ଥାନରେ ଛଅ ଦିନ କାଳ ରେଳ ଯାତ୍ରା କଲା ପରେ ନିଜ ନିଜ ସ୍ଥାନରେ ପହଞ୍ଚିଥିଲେ। ଅଭିଯୋଗ ହେଉଛି ଯେ ଏମାନଙ୍କ ଲାଗି ରେଳରେ ତିନି ଦିନ ଲାଗି ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା ଥିବାରୁ ଅତିରିକ୍ତ ତିନି ଦିନ ‌ଶ୍ରମିକମାନେ କ୍ଷୁଧା ତୃଷାରେ ଯାତ୍ରା କରିଥିଲେ। ସେଥିରେ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା କଥା ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଯଦିଓ ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଲାଇନରେ ଗାଡ଼ି ‘ଜାମ୍’ ଥିବାରୁ ରେଳଗୁଡ଼ିକୁ ଅନ୍ୟ ଦିଗରେ ପଠାଇ ଦିଆଯାଇଥିଲା। କିନ୍ତୁ ଏହା ବିଶ୍ବାସ କରିବାକୁ ଅନେକ ପ୍ରସ୍ତୁତ ନୁହନ୍ତି। କାରଣ ସେଭଳି ହୋଇଥିଲେ ରେଳଗୁଡ଼ିକୁ ଭୁଲ ଦିଗରେ ଏତେ ଅଧିକ ଦୂର ଯିବାକୁ ଦିଆଯାଇ ନ ଥାଆନ୍ତା। କାରଣ ଏହି କାରଣରୁ ଅନେକ ରେଳର ଯାତ୍ରା କାଳ ପ୍ରାୟ ଦୁଇ ଗୁଣ ହୋଇଛି।

ଏହା ଅବଶ୍ୟ ସତ ଯେ ଶ୍ରମିକ ସ୍ପେସାଲ ଟ୍ରେନ୍‌ଗୁଡ଼ିକ ଇତିମଧ୍ୟରେ ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇଛନ୍ତି, ତଥାପି ଏଭଳି ତ୍ରୁଟିକୁ ହାଲୁକା ଭାବେ ନିଆଯାଇ ନ ପାରେ। ଏହାର କାରଣ ଯଦି ଅବହେଳା ହୋଇଥାଏ, ତେବେ ସେହି କାରଣରୁ ବିନା ସିଡ୍ୟୁଲରେ ଚାଲୁଥିବା ଶ୍ରମିକ ଟ୍ରେନ୍‌ଗୁଡ଼ିକ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଶ୍ରମିକ ସ୍ପେସାଲ ଟ୍ରେନ୍‌ର ଚଳାଚଳ ଏକ ଅତ୍ୟନ୍ତ ଗୁରୁ ଦାୟିତ୍ବ ହୋଇଥିବା କାରଣରୁ ଏଥି ପ୍ରତି ସତର୍କ ଦୃଷ୍ଟି ରହିବା ଜରୁରୀ।

ସମ୍ବନ୍ଧିତ ଖବର