ଜଣେ ବୃଦ୍ଧ ତାଙ୍କ ଗୁରୁଙ୍କୁ କହିଲେ- ମରିବାର ବୟସ ହୋଇଗଲା। କିନ୍ତୁ ମୃତ୍ୟୁକୁ ଭୟ ଲାଗୁଛି। ଭାବୁଛି ଏ ଜୀବନ ପରେ କ’ଣ ହେବ କେଜାଣି?

ଏହା ଶୁଣି ଗୁରୁ କହିଲେ- ତାହା ହେଲେ କଥାଟିଏ ଶୁଣ।

Advertisment

ପିଲାଟିଏ ମେଳାକୁ ଯାଇଥିଲା। ମେଳାରେ ସାଙ୍ଗମାନଙ୍କ ସହିତ ବୁଲୁଥିବା ବେଳେ ସେ ଘର କଥା ଭୁଲିଗଲା। ଅ‌େନକ ଡେରି ଯାଏ ମେଳାରେ ରହିଗଲା। କ୍ରମେ ମେଳାରେ ଭିଡ଼ ପତଳା ହେଲା ବେଳକୁ ତା’ର ହୋସ ଆସିଲା ଯେ ଘରକୁ ଫେରିବାର ଅଛି। ଏବେ ସେ ଡରିଗଲା। କାରଣ ସେ ଭାବିଲା ଯେ ବାପା ତାକୁ ଗାଳି ‌ଦେବେ। ତା’ର ଖାମଖିଆଲ ଆଚରଣ ଲାଗି ଦଣ୍ଡ ଦେବେ। ତେଣୁ ସେ କ’ଣ କରିବ ବୁଝି ପାରିଲା ନାହିଁ।

କିନ୍ତୁ ମେଳା ‌କ୍ରମେ ବନ୍ଦ ହୋଇଗଲା। ଏବେ ପିଲାଟି ଭୟାତୁର ହୋଇ କୁଣ୍ଠିତ ପାଦରେ ଘରକୁ ଫେରିବାକୁ ଲାଗିଲା। କିନ୍ତୁ ଘରକୁ ଫେରି ଦେଖିଲା ଯେ ଘର ଆଲୋକିତ ଅଛି। ବାପା ଓ ମା’ କେହି ଶୋଇ ନାହାନ୍ତି। ସେମାନେ ପିଲାଟକୁ ଦେଖି ରାଗିଲେ ନାହିଁ। ବରଂ ମା’ ଖାଇବାକୁ ବାଢ଼ି ଦେଲେ। ଏବେ ବାପା, ମା’ ଓ ସେ ମିଶି ଏକାଠି ଖାଇଲେ।

ଖାଇଲା ବେଳେ ବାପା ପଚାରିଲେ- ସାଙ୍ଗ ମେଳରେ ରହି ଭୁଲି ଗଲୁ କି ଘରକୁ ଫେରିବାର ଅଛି?

ପିଲାଟି କିଛି କହିଲା ନାହିଁ।

ବାପା କହିଲେ- ପିଲା ବେଳେ ସେମିତି ହୁଏ। କିନ୍ତୁ ଶେଷରେ ତ ଘରକୁ ଫେରିବାର ଅଛି!

ପିଲାଟି କହିଲା- ସତ କଥା ବାପା। ମୁଁ କିନ୍ତୁ ଜାଣି ପାରୁନି ଯେ ଘରକୁ ଫେରିବା ବେଳେ ଏତେ ଡରୁଥିଲି କାହିଁକି?

ବାପା କହିଲେ- କାରଣ ତୁ ତୋ ବାପା ଓ ମା’ଙ୍କୁ ଠିକ ଭାବେ କଳି ପାରିନାହୁଁ।

ଏତିକି ଗପ ଶୁଣି ବୃଦ୍ଧ ଉଠି ପଡ଼ିଲେ ଓ କହିଲେ- ବୁଝିଲି, ମେଳା ସରିଲା। ଏବେ ମୋତେ ଘରକୁ ଫେରିବାକୁ ହେବ। ଘରେ କରୁଣାମୟ ପିତା ଅପେକ୍ଷା କରିଥିବେ। ତେଣୁ ଡର କାହିଁକି?