ପ୍ରତ୍ୟେକ ଭାରତୀୟ ନିଶ୍ଚିତ ପଢ଼ିବା ଲାଗି ମୋର ବ୍ୟକ୍ତିଗତ ପୁସ୍ତକ ତାଲିକାର ସର୍ବାଗ୍ରେ ଚାରିଟି ବହି ରହିଛି। ସେଗୁଡ଼ିକ ହେଲା ଏମ୍. କେ. ଗାନ୍ଧୀଙ୍କ ‘ହିନ୍ଦ ସ୍ବରାଜ’ (୧୯୦୯), ରବୀନ୍ଦ୍ରନାଥ ଠାକୁରଙ୍କ ‘ନେସନାଲିଜିମ୍’ (୧୯୧୭), ବି. ଆର୍. ଆମ୍ବେଦକରଙ୍କ ‘ଆନିହିଲେସନ୍ ଅଫ କାଷ୍ଟ୍’ (୧୯୩୬) ଓ ଜବାହରଲାଲ ନେହରୁଙ୍କ ‘ଦି ଡିସକଭରି ଅଫ୍ ଇଣ୍ଡିଆ’ (୧୯୪୬)। ଏଥିରେ ଥିବା ଲେଖାଗୁଡ଼ିକ ଉଭୟ ସମୟୋପଯୋଗୀ ଓ କାଳାତୀତ। ସେଗୁଡ଼ିକ ସେହି ଭାରତ ସହ କଥାବାର୍ତ୍ତା କରନ୍ତି ଯେଉଁଠି ସେଗୁଡ଼ିକ ପ୍ରକାଶିତ ହୋଇଥିଲେ, ମାତ୍ର ସେହି ଭାରତ ସହ କଥାବାର୍ତ୍ତା ଜାରି ରଖିଛନ୍ତି ଯାହା ଲେଖକମାନେ ଚାଲିଯିବାର ଦୀର୍ଘ କାଳ ପରେ ବିଦ୍ୟମାନ ରହିଥିବ।
ଗାନ୍ଧୀଙ୍କ ପୁସ୍ତକଟି ହିନ୍ଦୁ-ମୁସଲମାନ ସୌହାର୍ଦ୍ଦ୍ୟର ଆବେଗପୂର୍ଣ୍ଣ ସମର୍ଥନ ଏବଂ ରାଜନୈତିକ ବିବାଦ ସମାଧାନର ଏକ ମାଧ୍ୟମ ଭାବରେ ହିଂସାର ନୀତିଗତ ବିରୋଧ ପାଇଁ ସମ୍ଭବତଃ ସର୍ବାଧିକ ଉଲ୍ଲେଖନୀୟ। ଅପରପକ୍ଷେ, ରବୀନ୍ଦ୍ରନାଥ ଜାପାନ ଓ ଆମେରିକାରେ ଯୁଦ୍ଧଖୋରଙ୍କ ଠାରୁ ଆରମ୍ଭ କରି ବିଦେଶୀ-ଦ୍ବେଷପୂର୍ଣ୍ଣ ରାଷ୍ଟ୍ରବାଦର ବିପଦକୁ ଉତ୍ଥାପନ କରୁଥିଲେ। ତଥାପି, ଶହେ ବର୍ଷ ପରେ ତାଙ୍କ କଥାକୁ ଆଜିର ସେହି ଯୁବ ଭାରତୀୟମାନେ ପୁନର୍ବାର ପଢ଼ିବା ଦରକାର, ଯେଉଁମାେନ ଏହି ଦାବି ଦ୍ବାରା ପ୍ରଲୋଭିତ ହୋଇଛନ୍ତି ଯେ ସେମାନଙ୍କ ଦେଶ ବିଶ୍ବର ନେତୃତ୍ବ ନେବାକୁ ଯାଉଛି। ସେହିପରି ଆମ୍ବେଦକରଙ୍କ ପୁସ୍ତକ ଭାରତୀୟ ଅନୁଷ୍ଠାନର ସର୍ବାଧିକ ବିଶେଷତ୍ବ ବହନ କରୁଥିବା ତଥା ସବୁଠୁ ଭେଦଭାବପୂର୍ଣ୍ଣ ଜାତିପ୍ରଥା ଉପରେ ଧ୍ୟାନ କେନ୍ଦ୍ରିତ କରେ। ଏହା ଏକଥା ବୁଝାଇଦିଏ କି, ଯଦି ଆମ ସମାଜ ନିଜକୁ ଅଧିକ ମାନବୀୟ ଭିତ୍ତିରେ ନବୀକରଣ କରିବାକୁ ଚାହେଁ ତେବେ ଜାତିପ୍ରଥାର ବିନାଶ ଜରୁରୀ! ସେହିପରି ଭାରତୀୟ ସଂସ୍କୃତିର ଗଭୀର ସ୍ତର ଓ ଅପରିହାର୍ଯ୍ୟ ବହୁଳତାବାଦ ବିବର୍ତ୍ତନ ଉପରେ ନେହରୁଙ୍କ ପ୍ରତିଫଳନ, ହିନ୍ଦୁତ୍ବର ଐକ୍ୟ, ସମରୂପତା ଆଦର୍ଶ ପ୍ରତି ଏକ ସିଧାସଳଖ ଆହ୍ବାନ, ଯାହା କେବଳ ଗୋଟିଏ ଧର୍ମ (ଏବଂ ପ୍ରାୟତଃ ଗୋଟିଏ ଭାଷା) ସହିତ ଜାତୀୟ ପରିଚୟକୁ ଚିହ୍ନିତ କରେ।
ଏହି ଚାରିଟି ପୁସ୍ତକ ମଧ୍ୟରୁ ଆମ୍ବେଦକରଙ୍କ କାର୍ଯ୍ୟଟି ତାହାର ସଂଗଠନ ଓ ଉପସ୍ଥାପନାରେ ସର୍ବାଧିକ ସୁସଙ୍ଗତ। ଅପରପକ୍ଷେ, ଅହିଂସା ଓ ଧାର୍ମିକ ସୌହାର୍ଦ୍ଦ୍ୟ ପାଇଁ ଗାନ୍ଧୀଙ୍କ ପକ୍ଷ ସାଧାରଣରେ ଡାକ୍ତର, ଓକିଲ ଓ ଆଧୁନିକ ସଭ୍ୟତା ଉପରେ ଅବାଧ ଆକ୍ରମଣ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ନେହରୁଙ୍କ ପୁସ୍ତକଟି ବୋଧହୁଏ କାରାଗାରରେ ରଚିତ ହୋଇଥିବାରୁ ତାହା ଆଂଶିକ ଭାବରେ ଅଙ୍କାବଙ୍କା ହୋଇ ମୂଳପଥରୁ ବିଚ୍ୟୁତ ହୋଇଛି, କାରଣ ଲେଖକଙ୍କର ନିଜ ମନ ମଧ୍ୟ ଅନୁରୂପ ଭାବେ ପ୍ରବୃତ୍ତ ଥିଲା। ତେବେ ରବୀନ୍ଦ୍ରନାଥଙ୍କ ପୁସ୍ତକଟିର ଉଦ୍ଦେଶ୍ୟ ଶକ୍ତିଶାଳୀ ଥିଲା, କିନ୍ତୁ ବେଳେ ବେଳେ (ବା ଅନେକ ସମୟରେ) ଅଭିବ୍ୟକ୍ତିରେ ଜଟିଳତା ରହିଥିଲା, ବୋଧହୁଏ ଏଇଥିପାଇଁ ଯେ ସେ ତାଙ୍କ ମାତୃଭାଷା ବଙ୍ଗଳାରେ ଲେଖୁନଥିଲେ।
‘ହିନ୍ଦ ସ୍ବରାଜ’, ‘ନେସନାଲଜିମ୍’, ‘ଦି ଡିସ୍କଭରି ଅଫ୍ ଇଣ୍ଡିଆ’ ତୁଳନାରେ ‘ଆନିହିଲେସନ୍ ଅଫ୍ କାଷ୍ଟ’ ହେଉଛି ଅପେକ୍ଷାକୃତ କ୍ଷୁଦ୍ର ଲେଖା। ତେବେ ତାହା, ଉକ୍ତ ପୁସ୍ତକଟି ଏହାର ଉପସ୍ଥାପନାରେ ଅଧିକ କେନ୍ଦ୍ରୀଭୂତ ହେବାର ମୁଖ୍ୟ କାରଣ ହୋଇନପାରେ। ଏଠାରେ ପ୍ରାସଙ୍ଗିକ ହେଉଛି ଲେଖକଙ୍କର ବ୍ୟକ୍ତିଗତ ଅଭିଜ୍ଞତା, ଯିଏ ଜଣେ ଦଳିତ ଭାବରେ ଜାତି ଭେଦଭାବକୁ ଅଙ୍ଗେ ନିଭାଇଥିଲେ। ତାହାଠାରୁ ବି ଅଧିକ ଯୁକ୍ତିସଙ୍ଗତ ହେଉଛି ତାଙ୍କର ପାଣ୍ଡିତ୍ୟମୟ ସ୍ବଭାବ। ଆମ୍ବେଦକରଙ୍କ ମନ ସ୍ବଭାବତଃ କୌତୂହଳୀ ଥିଲା ଏବଂ ଖୁବ୍ କମ୍ ବୟସରୁ ସେ ଜଣେ ଦକ୍ଷ ପାଠକ ଥିଲେ। କଲମ୍ବିଆ ଓ ଲଣ୍ଡନରେ ଶିକ୍ଷାଗ୍ରହଣ ଏବଂ ସେଠାରେ ପ୍ରାପ୍ତ ଦୁଇଟି ଡକ୍ଟରେଟ୍ ଡିଗ୍ରି ଦ୍ବାରା ତାଙ୍କର ସେହି ପ୍ରବୃତ୍ତିଗୁଡ଼ିକ ଅଧିକ ରୂପାୟିତ ହୋଇଥିଲା। ଶ୍ରେଣୀଗୃହ ଭିତରେ ଓ ବାହାରେ ଆମ୍ବେଦକର ସମାଜ ବିଜ୍ଞାନ, ଅର୍ଥଶାସ୍ତ୍ର, ଦର୍ଶନତତ୍ତ୍ବ ଓ ଇତିହାସକୁ ବ୍ୟାପକ ଭାବରେ ପଢ଼ିଥିଲେ। ତାଙ୍କର ଏହି ପାଣ୍ଡିତ୍ବପୂର୍ଣ୍ଣ ପ୍ରଶିକ୍ଷଣ ଯୋଗୁଁ ନିଜର ପଠନ ଓ ଅନୁଭୂତିକୁ ଏକ ସୁସଙ୍ଗତ ଓ ଚିତ୍ତାକର୍ଷକ ବର୍ଣ୍ଣନାରେ ପରିଣତ କରିବା ପାଇଁ ତାଙ୍କର ବିଶ୍ଳେଷଣାତ୍ମକ ଦକ୍ଷତା ରହିଥିଲା, ଯାହା ରବୀନ୍ଦ୍ରନାଥ, ଗାନ୍ଧୀ ବା ନେହରୁଙ୍କର ନଥିଲା। ଏଥି ସହିତ ଆମ୍ବେଦକରଙ୍କ ପାଖରେ ନିଜର ଯୁକ୍ତିକୁ ଦୈନନ୍ଦିନ ଭାଷାରେ ସମ୍ବୋଧନ କରିବାର ସାମର୍ଥ୍ୟ ଓ ଆଗ୍ରହ ମଧ୍ୟ ରହିଥିଲା ଯାହା ଆଜିର କଠିନ ଶବ୍ଦ-ପ୍ରବଣ ଶିକ୍ଷାବିତ୍ମାନଙ୍କର ନାହିଁ। ସେ ତାଙ୍କ ସାଥୀ ବିଦ୍ବାନମାନଙ୍କ ପାଇଁ ନୁହେଁ, ବରଂ ସାଥୀ ନାଗରିକମାନଙ୍କ ପାଇଁ ଲେଖୁଥିଲେ।
୧୯୯୦ ଦଶକର ପ୍ରାରମ୍ଭରେ ଦିଲ୍ଲୀରୁ ପ୍ରକାଶିତ ‘ଆନିହିଲେସନ୍ ଅଫ୍ କାଷ୍ଟ’ର ଏକ ସଂସ୍କରଣ ମୁଁ ପ୍ରଥମ ଥର ପାଇଁ ପଢ଼ିଥିଲି। ସେତେବେଳକୁ ମୁଁ ଗାନ୍ଧୀଙ୍କ ଅଧ୍ୟୟନ ଆରମ୍ଭ କରିଥିଲି ଏବଂ ଆମ୍ବେଦକରଙ୍କ ଆଭିମୁଖ୍ୟର ଶକ୍ତି ଓ ନିର୍ଦ୍ଦେଶିତ ମାର୍ଗ ଦ୍ବାରା ଖୁବ୍ ପ୍ରଭାବିତ ହୋଇଥିଲି। ଯଦିଓ ଏହି ପୁସ୍ତକର ମୁଖ୍ୟ ପାଠ୍ୟରେ ଗାନ୍ଧୀଙ୍କର ସାମାନ୍ୟ ଉଲ୍ଲେଖ ରହିଛି, ତେବେ ଜାତି ବାବଦରେ ଗାନ୍ଧୀବାଦୀ ଦୃଷ୍ଟିକୋଣକୁ ହିଁ ତାହାର ମୁଖ୍ୟ ନିଶାଣ କରାଯାଇଛି। ବିଭିନ୍ନ ଜାତିର ଲୋକ ଏକାଠି ଖାଇପିଇ ବଞ୍ଚିବା ଦ୍ବାରା ହିନ୍ଦୁ ଧର୍ମ ନିଜକୁ ସୁଧାରିପାରିବ ବୋଲି ମହାତ୍ମା ଗାନ୍ଧୀ ଭାବୁଥିଲା ବେଳେ ଆମ୍ବେଦକରଙ୍କ ପାଖରେ ଅବସ୍ଥା ଦେଖି ବ୍ୟବସ୍ଥା କରିବା ଲାଗି ସମୟ ନଥିଲା। ତାଙ୍କର ଯୁକ୍ତି ହେଲା- ହିନ୍ଦୁ ଧର୍ମର ନୈତିକ ଓ ଧର୍ମତାତ୍ତ୍ବିକ ଜଗତରେ ଜାତି ଏତେ କେନ୍ଦ୍ରୀଭୂତ ଯେ ତାହାକୁ ପବିତ୍ର ଆଖ୍ୟାୟିତ କରୁଥିବା ଶାସ୍ତ୍ରର ବୈଧତା ଉପରେ ପ୍ରଶ୍ନ ସଜ୍ଜିତ ସମ୍ମୁଖ ଆକ୍ରମଣ ଦ୍ବାରା ହିଁ ତାହାକୁ ଉଚ୍ଛେଦ କରିହେବ।
ମୁଁ ବର୍ଷ ବର୍ଷ ଧରି ଅନେକ ଥର ‘ଆନିହିଲେସନ୍ ଅଫ୍ କାଷ୍ଟ’ ପଢ଼ିଛି, ଏପରିକି ବେଳେ ବେଳେ ମୁଁ ପଢ଼ାଉଥିବା ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କ ସହ ପଢ଼ିଛି। ଆମ୍ବେଦକର ଓ ତାଙ୍କ ଉତ୍ତରାଧିକାରରେ ଆଗ୍ରହୀ ସମାଜ ବିଜ୍ଞାନୀ, ଐତିହାସିକ, ଜୀବନୀ ଲେଖକ ଓ ଜାତିବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏହି ପୁସ୍ତକର ସମାଲୋଚନା ମନ୍ତବ୍ୟ ମଧ୍ୟ ଅନୁସରଣ କରିଛି। ହାଇଦ୍ରାବାଦର ଦାର୍ଶନିକ ସୟଦ ସୟିଦଙ୍କ ଦ୍ବାରା ଉକ୍ତ ପାଠ୍ୟ ଉପରେ ଏକ ପୁସ୍ତକ-ଦୀର୍ଘ ମନ୍ତବ୍ୟ ପଢ଼ିବା ଯାଏ ମୁଁ ଭାବୁଥିଲି କି ଏହି ପଥ, ଏହାର ଯୁକ୍ତି ଓ ଏହାର ଗ୍ରହଣୀୟତାକୁ ମୁଁ ଭଲଭାବରେ ଜାଣିଥିଲି। ସେଇ ମନ୍ତବ୍ୟଟି ଆମ୍ବେଦକର କ’ଣ କହିବାକୁ ଚାହୁଁଥିଲେ, ତାହା ଉପରେ ଏକ ସଂପୂର୍ଣ୍ଣ ତାଜା ଓ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଥିଲା।
‘ଆନିହିଲେସନ୍ ଅଫ୍ କାଷ୍ଟ’ ଉପରେ ପୂର୍ବ ଭାଷ୍ୟକାରମାନେ ବିସ୍ତୃତ ଭାବରେ ଚାରି ପ୍ରକାର ପ୍ରଶ୍ନ ପଚାରିଛନ୍ତି ଏବଂ ସେଗୁଡ଼ିକର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି। ପ୍ରଥମରେ, ଆମ୍ବେଦକର କାହିଁକି ଏହା ଲେଖିଲେ ଏବଂ ତାହାକୁ ଭାଷଣ ଭାବରେ ଉପସ୍ଥାପନା ନ କରିପାରିବା ଯୋଗୁଁ ନିଜ ଖର୍ଚ୍ଚରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଲେ। ଦ୍ବିତୀୟରେ, ଆମ୍ବେଦକର କାହାକୁ ନିଜ ପାଠକ ବୋଲି ଭାବୁଥିଲେ। ତୃତୀୟରେ, ସାଧାରଣରେ ହିନ୍ଦୁମାନଙ୍କ ଛଡ଼ା ସେ ସମୟର ପ୍ରସିଦ୍ଧ ହିନ୍ଦୁ ଗାନ୍ଧୀଜୀ, ଆମ୍ବେଦକରଙ୍କ ମନରେ ଥିଲେ କି, ବିଶେଷ କରି ଯେତେବେଳେ ସେ ତାଙ୍କ ଲେଖାଟି ଲେଖିଲେ ଓ ପ୍ରକାଶ କରିଥିଲେ। ଚତୁର୍ଥରେ, ଆମ୍ବେଦକରଙ୍କ ଜୀବନୀରେ ଏହି ପୁସ୍ତକର ଲେଖା ଓ ତାହାର ପରବର୍ତ୍ତୀ ଘଟଣାକ୍ରମ କେଉଁ ନିର୍ଦ୍ଦିଷ୍ଟ ସ୍ଥାନ ଗ୍ରହଣ କରିଛି।
ଏକ ଦୁଃସାହସିକ ମୌଳିକ ପଦକ୍ଷେପ ସ୍ବରୂପ ପ୍ରଫେସର ସୟିଦ ଏଥିରୁ କୌଣସି ପ୍ରଶ୍ନର ସମାଧାନ ନ କରିବାର ନିଷ୍ପତ୍ତି ନେଇଛନ୍ତି। ସେ ‘ଆନିହିଲେସନ୍ ଅଫ୍ କାଷ୍ଟ’ର ବ୍ୟାପକ ସନ୍ଦର୍ଭରେ ନୁହେଁ, ବରଂ ବିଷୟବସ୍ତୁର ଏକ ନିକଟତର, ସୂକ୍ଷ୍ମ ବିଶ୍ଳେଷଣରେ ଆଗ୍ରହୀ ଥିଲେ। ତାଙ୍କ ନିଜ ଭାଷାରେ, ତାଙ୍କ ପୁସ୍ତକଟି ‘ଏହି ପ୍ରବନ୍ଧଟି କ’ଣ କହୁଛି’ କେବଳ ତାହା ଉପରେ ଧ୍ୟାନକେନ୍ଦ୍ରିତ କରିବା ପାଇଁ ଲେଖାଯାଇଛି। ସେ ତାଙ୍କର ଉପସ୍ଥାପନା କୌଶଳକୁ ଏହିପରି ବ୍ୟାଖ୍ୟା କରିଛନ୍ତି: ‘ଆମ୍ବେଦକର ଏହି କଥା କହୁଥିବା ପରି ମନେ ହେଉଛି ଏବଂ ଏଗୁଡ଼ିକ ହେଉଛି ତାଙ୍କର ଆଭିମୁଖ୍ୟ ଓ ଯୁକ୍ତିରେ ନିହିତ ଅର୍ଥ।’ ତେଣୁ ସେ ଆମ୍ବେଦକରଙ୍କ ଅନ୍ୟାନ୍ୟ ଗ୍ରନ୍ଥ, ତାଙ୍କର ବ୍ୟାପକ ରାଜନୈତିକ ଓ ସାମାଜିକ ସଂସ୍କାର, ଆଧୁନିକ ଭାରତ ଇତିହାସରେ ତାଙ୍କ ସ୍ଥାନ ଓ ସ୍ଥିତିର ଆହୁରି ବ୍ୟାପକ ପ୍ରଶ୍ନ ସହିତ ‘ଆନିହିଲେସନ୍ ଅଫ୍ କାଷ୍ଟ’ର ସମ୍ପର୍କକୁ ବନ୍ଧନୀ ଭିତରେ ରଖିଛନ୍ତି। ପ୍ରଫେସର ସୟିଦଙ୍କ ମତରେ, ତାଙ୍କ ପ୍ରୟାସ ହେଉଛି ଲେଖକଙ୍କ ବିଶାଳ ବ୍ୟକ୍ତିତ୍ବକୁ ବାଦ୍ ଦେଇ କେବଳ ପୁସ୍ତକର ଲେଖାଗୁଡ଼ିକୁ ଅଧ୍ୟୟନ କରିବା।
ଏ କାର୍ଯ୍ୟରେ ସେ ବେଶ୍ ସଫଳ ହୋଇଛନ୍ତି। ଆମେ ଆମ୍ବେଦକରଙ୍କ ଉପସ୍ଥିତିକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରିପାରିବା ନାହିଁ, କିନ୍ତୁ ପ୍ରଫେସର ସୟିଦଙ୍କ ଯବକାଚ ମାଧ୍ୟମରେ ଆମେ ପାଠ୍ୟର ଗଠନ ଏବଂ ଏହା କ’ଣ କହୁଛି, ତାହା ଅଧିକ ଭଲ ଭାବରେ ବୁଝିପାରିବା। ସେ ଆମକୁ ଆମ୍ବେଦକରଙ୍କ ସାମାଜିକ ସିଦ୍ଧାନ୍ତର ମୌଳିକତାକୁ ଅନୁଭବ କରିବାର ଅବସର ଯୋଗାଇଛନ୍ତି। ତାହା କିପରି ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଧାର୍ମିକ ପରିସରକୁ ନିଜ ନିଜ କ୍ଷମତା, ଅଧିକାର ଓ ଭେଦଭାବର ଦିଗ ଥିବା ସ୍ବୟଂଶାସିତ କ୍ଷେତ୍ର ଭାବେ ଦେଖେ, ତାହା ମଧ୍ୟ ଜାଣିହୁଏ। ବାସ୍ତବ ଜୀବନରେ ଏହି କ୍ଷେତ୍ରଗୁଡ଼ିକ ପରସ୍ପର ସହ ଛନ୍ଦାଛନ୍ଦି ହୋଇଥାନ୍ତି, କିନ୍ତୁ ସେଗୁଡ଼ିକ ପରସ୍ପର ମଧ୍ୟରେ କଦାପି ଅନ୍ତର୍ହିତ ହୋଇପାରିବେ ନାହିଁ କି ଗୋଟିଏ ପରିସର (ଯେପରିକି ଅର୍ଥନୀତି)କୁ ନିର୍ଣ୍ଣାୟକ ଭାବେ ଦେଖିବା ଠିକ୍ ନୁହେଁ। ପ୍ରଫେସର ସୟିଦ ଦର୍ଶାଇଛନ୍ତି କି, ଗୋଟିଏ ପଟେ ଭାରତରେ ସାମାଜିକ ଅସମାନତାକୁ ନେଇ ଆମ୍ବେଦକରଙ୍କ ବିଶ୍ଳେଷଣ କିଭଳି ମାର୍କ୍ସବାଦୀଙ୍କ ବିଶ୍ଳେଷଣଠାରୁ ଅଧିକ ସୂକ୍ଷ୍ମ (ଓ ବ୍ୟାପକ) ଏବଂ ଅନ୍ୟପଟେ ହିନ୍ଦୁ ସମାଜର ପରିବର୍ତ୍ତନ ପାଇଁ ଆମ୍ବେଦକରଙ୍କ କାର୍ଯ୍ୟକ୍ରମ କିଭଳି ଗାନ୍ଧୀବାଦୀଙ୍କ ପ୍ରସ୍ତାବ ତୁଳନାରେ ଅଧିକ ସ୍ବୟଂସମ୍ପୂର୍ଣ୍ଣ।
ପ୍ରଫେସର ସୟିଦ ତାଙ୍କ ଲେଖାରେ ସାମ୍ପ୍ରତିକ ପରିଚୟ ରାଜନୀତିର ଏକ ଗଭୀର ସମାଲୋଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି, ‘ଜାତିର ସମସ୍ତ ଚିହ୍ନକୁ ଲିଭାଇବାକୁ ଆମ୍ବେଦକର ଚାହୁଁଥିଲା ବେଳେ ଆଜି ଆମେ ଯାହା ଦେଖୁଛୁ, ତାହା ହେଉଛି ସେହି ଚିହ୍ନକୁ ସ୍ପଷ୍ଟ ଭାବେ ଅଗ୍ରଭୂମିକୁ ଅଣାଯାଉଛି।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିଚୟ ରାଜନୀତି ଦିନେ ବହୁସଂଖ୍ୟକବାଦ ରାଜନୀତିରେ ପରିଣତ ହେବା ଅପରିହାର୍ଯ୍ୟ ବୋଲି ଆମ୍ବେଦକର ଅନୁମାନ କରିଥିବେ (ଏକବିଂଶ ଶତାବ୍ଦୀରେ ଏହା ଭାରତ ଓ ବିଶ୍ବସ୍ତରରେ ସ୍ପଷ୍ଟ ହୋଇଛି)। ଆଉ ସେହି ବହୁସଂଖ୍ୟକବାଦ ରାଷ୍ଟ୍ରର ଗଣତାନ୍ତ୍ରିକ ରାଜନୀତି ଏବଂ ଦେଶର ନୈତିକ ଚରିତ୍ରକୁ କ୍ଷୁଣ୍ଣ କରୁଛି।
ଆଜି ଏକ ଗୌରବମୟ ହିନ୍ଦୁ ଅତୀତର ପ୍ରଚଳନକୁ ଆମ୍ବେଦକର କିପରି ଦେଖିଥାନ୍ତେ, ସେ ସମ୍ପର୍କରେ ପ୍ରଫେସର ସୟିଦ ଲେଖିଛନ୍ତି: କଳା ଓ ସଂସ୍କୃତିର ସେହି ମହାନ୍ ସଭ୍ୟତାଗତ ଐତିହ୍ୟର ଲାଭ କ’ଣ ଯାହାର ମୂଳଦୁଆ ହେଉଛି ଅତ୍ୟାଚାର, ଦାସତ୍ବ ଓ ଉଚ୍ଚଜାତିର ହିନ୍ଦୁମାନଙ୍କ ଦ୍ବାରା ନିଜ ଧର୍ମର ଏକ ବିରାଟ ଭାଗକୁ ନିମ୍ନମାନର ବିବେଚନା କରାଯିବା?
ପ୍ରଫେସର ସୟିଦଙ୍କ ଲେଖାର ଏକ ଉଲ୍ଲେଖନୀୟ ଅବଦାନ ହେଉଛି, ଏହା ଆମ୍ବେଦକରଙ୍କୁ ସଫଳତାର ସହ ସୀମିତ ଗୋଷ୍ଠୀବାଦରୁ ମୁକ୍ତ କରିଛି। ସେ ଲେଖିଛନ୍ତି ‘ଆମ୍ବେଦକରଙ୍କ ଅନେକ ଅନୁଗାମୀ ମନେ କରନ୍ତି ଯେ ଆମ୍ବେଦକରଙ୍କ ମତକୁ ଗ୍ରହଣ କରାଯିବା ଜରୁରୀ, ଏଥିପାଇଁ ନୁହେଁ ଯେ ସେ ଜଣେ ଗଭୀର ଚିନ୍ତକ, ବରଂ ଏଥିପାଇଁ ଯେ ସେ ଏକ ନିର୍ଦ୍ଦିଷ୍ଟ ଜାତିର ଥିଲେ।’ ପ୍ରଫେସର ସୟିଦ ଜୋର ଦେଇ କହନ୍ତି ଯେ ଆମ୍ବେଦକର ଥିଲେ ‘ସର୍ବୋଚ୍ଚ ମାନବୀୟ ସହାନୁଭୂତି ଓ ନ୍ୟାୟର ଗଭୀରତମ ତାତ୍ପର୍ଯ୍ୟ ଅନୁଭବ କରିବାରେ ସକ୍ଷମ ଏକ ଜୀବାତ୍ମା’।
ଚଳିତ ମାସ ଶେଷ ଆଡ଼କୁ ପ୍ରକାଶିତ ହେବାକୁ ଥିବା ତାଙ୍କ ପୁସ୍ତକରେ, ପ୍ରଫେସର ସୟିଦ ଆମକୁ ‘ଆନିହିଲେସନ୍ ଅଫ୍ କାଷ୍ଟ’ର ଏକ ନିବିଡ଼ ଅଧ୍ୟୟନ ପ୍ରଦାନ କରିଛନ୍ତି ଯାହା ସ୍ବୟଂ ଅତି ନିବିଡ଼ ପଠନର ଅପେକ୍ଷା ରଖୁଛି। ଏହା ହେଉଛି ଜଣେ ଭାରତୀୟଙ୍କ ଦ୍ବାରା ଲିଖିତ ସବୁଠାରୁ ଉଲ୍ଲେଖନୀୟ ଏବଂ ଚିରନ୍ତନ ପ୍ରାସଙ୍ଗିକ ଗ୍ରନ୍ଥ ଉପରେ ଏକ ଗଭୀର ମୌଳିକ କୃତି। ଯଦି ଆପଣ ଏହି ଲେଖକ ପରି ପୂର୍ବରୁ ଥରେ କିମ୍ବା ଅନେକ ଥର ‘ଆନିହିଲେସନ୍ ଅଫ୍ କାଷ୍ଟ’ ପଢ଼ିଛନ୍ତି, ତେବେ ଆପଣ ଏହାର ଚିନ୍ତାଧାରା ଓ ଯୁକ୍ତିକୁ ପ୍ରଫେସର ସୟିଦଙ୍କ ଯୁକ୍ତି ଦ୍ବାରା ଉଦ୍ଭାସିତ ହେବା ଦେଖିପାରିବେ। ଅପରପକ୍ଷେ, ଯଦି ଆପଣ ଏ ପର୍ଯ୍ୟନ୍ତ ଆମ୍ବେଦକରଙ୍କ ଉକ୍ତ ପୁସ୍ତକ ପଢ଼ିନାହାନ୍ତି, ତେବେ ଏହି ଚମତ୍କାର ବ୍ୟାଖ୍ୟା ଆପଣଙ୍କୁ ସତେଜ ଦୃଷ୍ଟିଭଙ୍ଗୀ ଓ ଖୋଲା ମନରେ ଏହାର ନିକଟତର ହେବାର ସର୍ବୋତ୍ତମ ପଥ ପ୍ରଦାନ କରିବ।