ବିଶ୍ବ ସ୍ତରରେ ଅତି ବିଶାଳ ଆକାରର ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ ମଧ୍ୟରୁ ଅଧିକାଂଶ ଆରବ ଉପସାଗରୀୟ ଦେଶମାନଙ୍କରେ ନିର୍ମିତ ହେଉଛି। ୧୦ ବିଲିଅନ୍ ଆମେରିକୀୟ ଡଲାର୍‌ରୁ ଅଧିକ ବ୍ୟୟବରାଦ ହୋଇଥିବା ପ୍ରକଳ୍ପକୁ ମେଗାପ୍ରକଳ୍ପ କୁହାଯାଉଥିବା ବେଳେ ବର୍ତ୍ତମାନ ୧୦୦ ବିଲିଅନ୍‌ ଡଲାର୍‌ରୁ ଅଧିକ ବ୍ୟୟ ସହିତ ନଅଟି ପ୍ରକଳ୍ପର କାମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଚାରିଟି କେବଳ ଆରବ ଉପସାଗର ଦେଶମାନଙ୍କରେ ନିର୍ମିତ ହେଉଛି। ଏ ଭିତରୁ ସବୁଠାରୁ ବ୍ୟୟବହୁଳ ପ୍ରକଳ୍ପ ହେଉଛି ୟୁରୋପିଆନ୍ ୟୁନିୟନ୍ ଦ୍ବାରା ନିର୍ମିତ ହେଉଥିବା ଟେନ୍‌-ଟି ପରିବହନ ନେଟ୍‌ୱର୍କ। ଏହା ଅନ୍ତର୍ଗତ ଜଳ, ସ୍ଥଳ ଓ ଆକାଶପଥର ସଂଯୋଗ ବିକାଶ ଲାଗି ପ୍ରାୟ ୬୦୦ ବିଲିଅନ୍‌ ଡଲାର୍ ବ୍ୟୟ କରାଯାଉଛି।

Advertisment

ଏହା ପଛକୁ ଅଛି ସାଉଦି ଆରବରେ ‘ନିଅମ୍ ସିଟି’ ନାମରେ ନିର୍ମିତ ହେଉଥିବା ଅତ୍ୟାଧୁନିକ ସହର ପ୍ରକଳ୍ପ। ୫୦୦ ବିଲିଅନ୍‌ ଡଲାର୍ ଖର୍ଚ୍ଚରେ ଏହାର ନିର୍ମାଣ ଚାଲିଛି। ୨୦୨୬ ସୁଦ୍ଧା ଏଠାରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକଙ୍କୁ ଥଇଥାନ କରିବାର ଲକ୍ଷ୍ୟ ଅଛି। ୨୫୦ ବିଲିଅନ୍ ଡଲାର୍‌ର ‘ଗଲ୍‌ଫ ରେଲୱେ’ ପ୍ରକଳ୍ପ ଏବେ ସ୍ଥଗିତ ରହିଛି ଯାହାର କାମ ପୁଣି ଆରମ୍ଭ ହେବ ବୋଲି ଶୁଣାଯାଉଛି। ସେହିପରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ନିର୍ମାଣ ଶେଷ କରିବା ଲାଗି ୨୦୩୦ ସୁଦ୍ଧା ୨୩୦ ବିଲିଅନ୍‌ ଡଲାର୍ ଖର୍ଚ୍ଚ ହେବାର ଅଛି। ୧୩୨ ବିଲିଅନ୍‌ ଡଲାର୍‌ ଖର୍ଚ୍ଚ ସହିତ କୁଏତ୍‌ର ‘ସିଲ୍‌କ ସିଟି’ ପ୍ରକଳ୍ପ ହେଉଛି ବର୍ତ୍ତମାନର ଚତୁର୍ଥ ସର୍ବାଧିକ ବ୍ୟୟବହୁଳ ମେଗାପ୍ରକଳ୍ପ।

ଭାରତର ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ୍ କରିଡର୍‌ ଏହି ତାଲିକରେ ଅନ୍ତର୍ଭୁକ୍ତ ଅଛି; ୧୦୦ ବିଲିଅନ୍‌ ଡଲାର୍‌ ଖର୍ଚ୍ଚରେ ଏହାକୁ ୨୦୨୪ରେ ସଂପୂର୍ଣ୍ଣ କରାଯିବ। ସାଉଦି ଆରବର ‘କିଙ୍ଗ ଅବଦୁଲ୍ଲା ଇକୋନମିକ୍ ସିଟି’, ଯୁକ୍ତରାଷ୍ଟ୍ର ଆମେରିକାର ‘କାଲିଫର୍ନିଆ ହାଇ-ସ୍ପିଡ୍‌ ରେଲ୍’ ଓ ମାଲେସିଆର ‘ଫରେଷ୍ଟ ସିଟି’ ପ୍ରକଳ୍ପ ୧୦୦ ବିଲିଅନ୍‌ ଡଲାର୍‌ ଲେଖାଏଁ ଖର୍ଚ୍ଚରେ ନିର୍ମିତ ହେଉଛନ୍ତି। ଭିତ୍ତିଭୂମି ନିର୍ମାଣ ସଫ୍‌ଟୱେର୍ କମ୍ପାନି ‘୧ବିଲ୍‌ଡ’ର ଆକଳନ ଅନୁଯାୟୀ ଏ ଦଶନ୍ଧିର ଶେଷ ପୂର୍ବରୁ ପୃଥିବୀରେ ଏଭଳି ଏକ ମେଗାପ୍ରକଳ୍ପ ନିର୍ମାଣ ହେବ ଯାହାର ଖର୍ଚ୍ଚ ୧ ଟ୍ରିଲିଅନ୍ ଡଲାର୍ ଟପିଯିବ।