ଜଣେ ସଜ୍ଜନ ଗୋଟିଏ ଗାଁ ଦେଇ ଯାଉଥିଲେ। ସେଇ ଗାଁରେ କିଛି ଦିନ ଧରି ଚୋରି ହେଉଥିଲା। ତେଣୁ ଲୋକେ ରାତିରେ ପହରା ଦେଉଥିଲେ। ପାହାନ୍ତିଆ ବେଳେ ଜଣେ ଅପରିଚିତ ଲୋକ ଦେଖିବାରୁ ସେମାନେ ସନ୍ଦେହରେ ତାଙ୍କୁ ଧରି ପକାଇ ଚୋରିହାରି ବିଷୟରେ ପଚାରିବାକୁ ଲାଗିଲେ। ସଜ୍ଜନ ଜଣକ ନିରବ ରହିବାରୁ ସେମାନେ ତାଙ୍କୁ ମାରଧର କରିବାକୁ ଲାଗିଲେ। ତଥାପି ସଜ୍ଜନ ଜଣକ ନିଜେ ନିର୍ଦୋଷ ବୋଲି କହିଲେ ନାହିଁ। ଏହା ଦ୍ବାରା ଲୋକମାନଙ୍କ ସନ୍ଦେହ ବଢ଼ିବାରେ ଲାଗିଲା। ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରି ଗୋଟିଏ ଗଛରେ ବାନ୍ଧିଦେଲେ।
ଏ ସମୟରେ ସେଇ ବାଟ ଦେଇ ଯାଉଥିଲେ ଗାଁର ଜଣେ ମୁଖିଆ। ସେ ହଠାତ୍ ସେଇ ସଜ୍ଜନଙ୍କୁ ଚିହ୍ନି ପାରିଲେ। ସେ ସଙ୍ଗେସଙ୍ଗେ ସେଇ ଗଛ ପାଖକୁ ଦୌଡ଼ିଯାଇ ତାଙ୍କୁ ବନ୍ଧନମୁକ୍ତ କରିବାକୁ ଲାଗିଲେ। ଗାଁ ଲୋକେ ତା’ର ପ୍ରତିବାଦ କଲାରୁ ସେ କହିଲେ- ୟେ କିଏ ତୁମେ ଜାଣିଛ? ୟେ ହେଉଛନ୍ତି ଆମ ରାଜ୍ୟର ଜଣେ ବଡ଼ ସନ୍ଥ। ତୁମେମାନେ ଏମିତି ନିବୋର୍ଧ ଭଳି କାମ କଲ କେମିତି?
ଏହା ଶୁଣି ଲୋକେ ସ୍ତବ୍ଧ ହୋଇଗଲେ। ସେମାନେ ନିଜେ ସେଇ ସଜ୍ଜନଙ୍କୁ ବନ୍ଧନମୁକ୍ତ କରି ତାଙ୍କର ଶୁଶ୍ରୂଷା କଲେ। କିଛି ଦିନ ପରେ ସଜ୍ଜନ ଭଲ ହେଲେ ଏବ˚ ଯିବାକୁ ଚାହିଁଲେ। ଗାଁ ଲୋକେ ତାଙ୍କୁ କ୍ଷମା ମାଗିଲେ।
ସେ ବାହାରିବା ବେଳେ ଗାଁ ମୁଖିଆ ପଚାରିଲେ- ମହୋଦୟ, ଆପଣ ଚୋର ବୋଲି ଏତେ ଯାତନା ସହିଲେ ଅଥଚ ମୂଳରୁ ଚୋର ନୁହେଁ ବୋଲି କହିଲେ ନାହିଁ କାହିଁକି?
ଏହା ଶୁଣି ସଜ୍ଜନ କହିଲେ- ଭାବୁଥିଲି କହିବିି। ପରେ ଭାବିଲି ଯଦି ଜଣେ ସତରେ ଚୋର ହୋଇଥିବ, ସେ ବି ତ ନିଜେ ଚୋର ନୁହେଁ ବୋଲି ମନା କରିବ। ତେବେ ମୋ ଭିତରେ ଓ ତା ଭିତରେ ତଫାତ୍ ରହିବ କେଉଁଠି? ତେଣୁ ଚୁପ୍ ରହିଲି।