ପଦ୍ମଶ୍ରୀ ଡକ୍ଟର ବୀଣାପାଣି ମହାନ୍ତିଙ୍କୁ ଏ ପୁଷ୍ପାଞ୍ଜଳି। ଏପ୍ରିଲ୍ ୨୦୨୨ରେ ସେ ଆମକୁ ଛାଡ଼ି ଚାଲିଗଲେ। ବୀଣାଅପା ନାହାନ୍ତି, ଏମିତି କିଛି ମୋତେ ଲାଗୁନାହିଁ। ସେ ଅଛନ୍ତି- ସେଇ ବାଦାମବାଡ଼ି ଗ୍ଲାସ୍ ପ୍ୟାଲେସ୍ ଘରେ ମୁଁ ପହଞ୍ଚିଯିବି- ସେ ବା କେହି କବାଟ ଖୋଲିବେ। ହସ ହସ ମୁହଁରେ, ସେ ମୋ ବୀଣାଅପା। ଆପଣଙ୍କ ସହିତ ବିତିଥିବା ମୋର ସପ୍ତାହ-ସପ୍ତାହ, ଦିନ-ଦିନ ଦୂରେଇ ଯାଇଛନ୍ତି, ହେଲେ ଆପଣ ମୋ ଭିତରେ ଉପ୍ତବୀଜ ହୋଇ ରହିଯାଇଛନ୍ତି। ଏନ୍.ବି.ଟି.ର ସମ୍ମିଳନୀରେ, ପୁରୀ ପାନ୍ଥନିବାସରେ ବିତିଥିବା ସମୟ, ପରେ ଆସାମ ସାହିତ୍ୟ ସଭାରେ, ଶିଲଂଠାରେ ଆମର ଏକତ୍ର ସମାରୋହ ମୋତେ ଜୀବନ୍ତ ପରି ଲାଗୁଛି। ବିଭିନ୍ନ ସଭାସମିତିରେ ଆମେ ଦୁଇ ଜଣ ସାରା ଓଡ଼ିଶା ଓ ଭାରତର ବିଭିନ୍ନ ସାହିତ୍ୟୋତ୍ସବରେ ଏକତ୍ରିତ ହୋଇେଛ।
ଆପଣ ଥରେ ମୋତେ ଚିଠିରେ ଲେଖିଥିଲେ- ‘ପ୍ରତିଭା, କାହିଁକି ଏତେ ନିସ୍ତବ୍ଧ ଲାଗୁଛି କହତ?’ ପୁଣି ଆଉ ଗୋଟିଏ ଚିଠିରେ ଥରେ କହିଥିଲେ, ‘ଶୁଣ୍ଢରେ ଚିନି ଦାନାଟିଏ ଧରି ବାହାରି ଆଲୋ ବାୟାଣୀ, ଚିନି ବସ୍ତା ଭିତରେ ପଶିଗଲେ ହଜିଯିବୁ-ମରିଯିବୁ।’ ମୋ ପାଇଁ ଆପଣ ଜୀବନର ଏକମାତ୍ର ଜହ୍ନରାତିଟିକୁ ରଖିଥିଲେ ମୋତେ ଦେଇଦେବାକୁ। ମୋର କଣ ପୁଣ୍ୟ ଥିଲା ବୀଣାଅପା! ଥରେ ମୁଁ ସମୁଦ୍ର କୂଳରୁ ଫେରିଲା ବେଳେ ଆମ ରହଣି ସ୍ଥାନରେ ମୋତେ କହିଲେ- ‘ପ୍ରତିଭା! ନଅଟା ବାଜିଗଲାଣି- ଏତେ ଡେରି!’ ମୁଁ ଆପଣଙ୍କୁ ଚାପିଧରି କହିଲି- ‘ଟିକେ ଦୁଃସାହସ କରିଛି।’ ଏପରି ଦୁଃସାହସ କରିବା ସହଜ ନୁହେଁ ବୋଲି ଆପଣ କହିଥିଲେ। ଆପଣଙ୍କର ଅନେକ ଅନେକ ସ୍ମୃତି ମୋତେ କଥା କହୁଛନ୍ତି। ଆପଣଙ୍କ ବହିଗୁଡ଼ିକର ଧାଡ଼ି ମୋ ମନରେ ଜୀବନ୍ତ ରହିଛି, ଯେମିତି ‘ଅନ୍ଧକାରର ଛାଇ’, ‘କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ’, ‘ପାଟଦେଈ’ ଇତ୍ୟାଦି। କେଡ଼େ ଗାଉଁଲି ଭାଷାରେ ଆପଣ ଗଳ୍ପଗୁଡ଼ିକ ହୃଦ୍ୟ କରିପାରନ୍ତି।
‘କସ୍ତୁରୀ ମୃଗ’ର ଶୁଆ ଓ ମଦନ ମୋହନ ଏବଂ ‘ଅନ୍ଧକାରର ଛାଇ’ର ସେହି ଛୋଟ ଝିଅ କୋଇଲି, ପାଟଦେଈର ଦୃପ୍ତ କଣ୍ଠର ଆହ୍ବାନ ମୁଁ ବେଳେ ବେଳେ ଅନୁଭବ କରେ। ଆମେ ଶିଲଂ ଗଲାବେଳେ ଗୋଟିଏ ବଡ଼ ପ୍ରପାତ ବୁଲିବାକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ହୋଇଗଲା। ଘୋର ଗର୍ଜନରେ ପ୍ରପାତଟି ଆମକୁ ଉସ୍କଉ ଥାଏ। ଆମେ ସେହି ଆଡ଼କୁ ଗଲାବେଳେ ବୀଣାଅପା ଡାକ ଛାଡ଼ିଲେ ‘ଫେରିଆସ! ଫେରିଆସ।’ ସେ ଆମର ଓଡ଼ିଆ ଲେଖିକାଙ୍କ ବିବେକ ସ୍ବରୂପା ଥିଲେ। ଏଭଳି ଜଣେ ଭଗ୍ନୀ ଓ ବାନ୍ଧବୀ ମୋ ପାଖେ ପାଖେ ସୂକ୍ଷ୍ମ ରୂପରେ ସବୁଦିନ ଥାଆନ୍ତୁ। ଈଶ୍ବରଙ୍କୁ ଏତିକି ପ୍ରାର୍ଥନା କରୁଛି।
ଚନ୍ଦ୍ରମା ହାଉସିଂ କମ୍ପ୍ଲେକ୍ସ
ଖାରବେଳ ନଗର, ୟୁନିଟ୍-୩, ଭୁବନେଶ୍ବର-୧
ମୋ: ୯୪୩୮୩୦୫୨୨୪