ନିକଟରେ ବିଚଳିତ କରିବା ଭଳି ଗୋଟିଏ ଖବର ସାମ୍ନାକୁ ଆସିଛି ଯେ ଭଦ୍ରକ ଜିଲ୍ଲା ଧାମରା ଉପକୂଳରେ ପ୍ରତିରକ୍ଷା ବିଭାଗର ୮୫୦ ଏକର ଜମିର ଚିହ୍ନବର୍ଣ୍ଣ ମିଳୁନାହିଁ। ଗବେଷଣାଗାର ଓ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା ପାଇଁ ନିଆଯାଇଥିବା ପାଞ୍ଚଟି ଦ୍ବୀପରୁ ଚାରିଟିର ଆଉ ସତ୍ତା ନାହିଁ। ଅବଦୁଲ କଲାମ ଦ୍ବୀପ ଏବେ ସୁରକ୍ଷିତ ଅଛି। କିନ୍ତୁ କନିକା ବାଲି ଦ୍ବୀପରୁ ଅଧା ସମୁଦ୍ର ଖାଇ ଗଲାଣି; ବାବୁ ବାଲି, ଉଡ଼ା ବାଲି, ଚଡ଼ା ବାଲି ଦ୍ବୀପ ସମୁଦ୍ର ଆଁ ଭିତରେ। ସ୍ଥାନୀୟ ସମୁଦ୍ର ଉପକୂଳବର୍ତ୍ତୀ ଦଶ ପାଖାପାଖି ଗାଁ ପ୍ରତି ସମୁଦ୍ର ପଟୁ ବିପଦ ଦେଖାଦେଲାଣି।

Advertisment

କେବଳ ଉତ୍ତର ଉପକୂଳ ନୁହେଁ; ଦକ୍ଷିଣ ଓଡ଼ିଶାର ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁ ଏବେ ସମୁଦ୍ର ଗର୍ଭରେ। ଏବେ ଚିକିଟି ବ୍ଲକର ରାମେୟାପାଟଣା ସମୁଦ୍ର ଗର୍ଭରେ ପଶିବା ଆରମ୍ଭ କରିଛି। ପୂର୍ବ ଉପକୂଳ ସ୍ଥିତି ଆହୁରି ଗମ୍ଭୀର। ପୁରୀ ଠାରୁ କେନ୍ଦ୍ରାପଡ଼ା ଯାଏ ବିଭିନ୍ନ ଅଞ୍ଚଳରେ ସମୁଦ୍ର ଦ୍ରୁତ ବେଗରେ ସ୍ଥଳଭାଗ ମୁହଁା ହୋଇଛି। ସାତଭାୟା ଠାରୁ ହବଳିଖଟି ମଧ୍ୟରେ ସମୁଦ୍ର ଆହୁରି ଅଧିକ ଆଗକୁ ମାଡ଼ି ଆସିଥିବା ଲକ୍ଷ୍ୟ କରାଯାଉଛି। ସାତଭାୟାରୁ ପେଣ୍ଠ ଯାଏ ଉପକୂଳରେ ଥରୁଟିଏ ବୁଲିଆସିଲେ ଯେ କେହି ବୁଝିପାରିବ, ସମୁଦ୍ର ଏ ଅଞ୍ଚଳରେ କେତେ ଭୀଷଣ ରୂପ ନେଇ ଜନବସତିକୁ ଆଖେଇଛି। ରାଜ୍ୟ ସରକାର ରାଜନଗର ବ୍ଲକର ସାତଭାୟାବାସୀଙ୍କୁ ଅନ୍ୟତ୍ର ଥଇଥାନ କରିଛନ୍ତି। ଜିଓ ସିନ୍ଥେଟିକ୍ ପ୍ରାଚୀର କରି ସମୁଦ୍ରର ଗତିରୋଧ ଉଦ୍ୟମ ହୋଇଛି। ହେଲେ ଏହାର ପରିଣାମ ବିପରୀତ ହେଲାଣି। ଆରପାଖରେ ଥିବା ଅଗରନାସୀ ଦ୍ବୀପ ପ୍ରତି ବିପଦ ବଢୁଛି।

ଓଡ଼ିଶା କଡ଼କୁ ଲାଗିରହିଥିବା ୪୮୦ କିଲୋମିଟର ବେଳାଭୂମି ସଂଲଗ୍ନ ଏହି ତିନିଟି ଉଦାହରଣ ଇଙ୍ଗିତ କରୁଛି ଯେ ଦିନକୁ ଦିନ ସମୁଦ୍ର ପଟୁ ଲୋକଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ବେଳେ ସାଧାରଣରେ ମାଳିକା ବଚନ ‘ବାଇଶି ପାହାଚେ ଖେଳିବ ମୀନ’ ଉକ୍ତିଟି ଲୋକମୁଖରେ ଆଲୋଚିତ ହୁଏ। ଅର୍ଥାତ୍ ସମୁଦ୍ରର ଭୀଷଣତା ସଂପର୍କରେ ଢେର୍ ଆଗରୁ ଗୋଟିଏ ପୂର୍ବାନୁମାନ ହୋଇଛି ଏବଂ ଓଡ଼ିଶା ତଥାପି ସତର୍କ ହୋଇନାହିଁ ବା ହେବାକୁ ଉଦ୍ୟମ କରିନାହିଁ, ଏକଥା ବୁଝିବାକୁ ହେବ। ଆହୁରି ସରଳ ଭାବେ କହିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ସନ୍ତୁଳନ ବିଗିଡ଼ିବ, ଏକଥା େସବେ ଅନୁମାନ କରାଯାଇପାରିଥିଲା, ଯାହା ଆଜି ବି ଅନେକଙ୍କ ପାଇଁ ଦୁର୍ବୋଧ୍ୟ ହୋଇ ରହିଛି।

ଏହି ଉଦାହରଣ ଛଳରେ ଲେଖକ ଯେଉଁ ପ୍ରସଙ୍ଗ ଆଲୋଚନା କରିବାକୁ ଚାହୁଁଛି, ତାହା ସମୁଦ୍ରର ଭୟାବହତା ନୁହେଁ। ତାହା ହେଲା- ଜଳବାୟୁ ପରିବର୍ତ୍ତନର ଯେତେ ସବୁ ପ୍ରଭାବ ମାନବ ସମାଜ ଏବେ ପ୍ରତ୍ୟକ୍ଷ କରିବା ଆରମ୍ଭ କଲାଣି (ବନ୍ୟା, ବାତ୍ୟା, ମରୁଡ଼ି ଆଦି) ତା’ ସହିତ ଆଉ ଗୋଟିଏ ବଡ଼ ପ୍ରସଙ୍ଗ ନିରବରେ ଆଗକୁ ବଢୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବିସ୍ଥାପନ ଓ ସ୍ଥାନାନ୍ତରଣ। ଏହାର ବିପଦ ଏବେ ଗମ୍ଭୀର ଅବସ୍ଥାରେ। ସମସ୍ତଙ୍କ ଅଲକ୍ଷ୍ୟରେ ଏହି ପ୍ରସଙ୍ଗଟି ଓଡ଼ିଶାରେ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି।

ସମଗ୍ର ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଦ୍ବାରା ବିସ୍ଥାପିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ମାନବ ସମାଜର କାର୍ଯ୍ୟକଳାପକୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କରିଛି ଏବଂ ବିପୁଳ ପରିମାଣର ସଂପତ୍ତି ନଷ୍ଟ କରି ଜୀବନଜୀବିକାକୁ ବିପଦକୁ ଠେଲି ଦେଉଛି। ଗୋଟିଏ ବେସରକାରୀ ରିପୋର୍ଟ ଅନୁସାରେ, କେବଳ ୨୦୨୧ ମସିହାରେ ୨୩.୭ ନିୟୁତ ଲୋକ ଘୂର୍ଣ୍ଣିବଳୟ ଓ ବନ୍ୟା ଭଳି ବିପର୍ଯ୍ୟୟ କାରଣରୁ ସ୍ଥାନାନ୍ତରିତ ହୋଇଛନ୍ତି। ତେଣୁ ଆଉ ପାଦେ ଆଗକୁ ଯାଇ କୁହାଯାଇପାରେ ଯେ ଉତ୍ତପ୍ତୀକରଣ, ମରୁଡ଼ି, ଭୂମିକମ୍ପ, ବନ୍ୟା, ଜଙ୍ଗଲ ଅଗ୍ନିକାଣ୍ଡ ସହିତ ବିସ୍ଥାପନ ଓ ସ୍ଥାନାନ୍ତରଣ ପ୍ରସଙ୍ଗକୁ ଯୋଡ଼ି ଏବେ ଆଲୋଚନା କରିବାକୁ ହେବ।

ଦାଦନ ସଂପର୍କରେ ଅନୁଧ୍ୟାନ କରୁଥିବା ଜାତିସଂଘର ଆନ୍ତର୍ଜାତୀୟ ସଂଗଠନ ‘ୟୁଏନ୍‌ଆଇଏସ୍‌ଡିଆର୍’ ଭବିଷ୍ୟବାଣୀ କରୁଛି ଯେ ବିଶ୍ବରେ ୨୦୫୦ ସୁଦ୍ଧା ୧୦୦ କୋଟି ଲୋକ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି କାରଣରୁ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେବେ। ଦକ୍ଷିଣ ଏସିଆର ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ‘ଦି କ୍ଲାଇମେଟ୍ ଆକ୍‌ସନ୍ ନେଟ୍‌ଵର୍କ ସାଉଥ୍‌ ଏସିଆ’ (କାନ୍‌ସା)ର ରିପୋର୍ଟ ଅନୁସାରେ, ଭାରତରେ ପ୍ରାୟ ୪୫ ନିୟୁତ ଲୋକ ଏହି ସମୟ ସୁଦ୍ଧା ଭିଟାମାଟି ଛାଡ଼ି ସାରିଥିବେ।

ଯେଉଁ ପ୍ରସଙ୍ଗଟି ଚିନ୍ତା ବଢ଼ାଉଛି, ତାହା ହେଉଛି- ଜଳବାୟୁ ସହିତ ଯୋଡ଼ି ହୋଇଥିବା ବିସ୍ଥାପନ ଓ ସ୍ଥାନାନ୍ତରଣକୁ କିପରି ମୁକାବିଲା କରାଯିବ ସେ ସମ୍ବନ୍ଧରେ ଏ ଯାଏ ସହମତିର ଅଭାବ ରହିଛି। ଏପରିକି ବିସ୍ଥାପିତ ବା ପ୍ରଭାବିତଙ୍କୁ କେଉଁ ଗୋଟିଏ ନାମରେ ସମଗ୍ର ବିଶ୍ବରେ ପରିଚିତ କରାଯିବ, ସେ ସଂକ୍ରାନ୍ତରେ ସ୍ପଷ୍ଟତା ଆସିପାରିନାହିଁ। କିଏ ସେମାନଙ୍କୁ ପରିବେଶ ଶରଣାର୍ଥୀ ଓ ଜଳବାୟୁ ଶରଣାର୍ଥୀ ବୋଲି ଅଭିହିତ କଲାଣି ତ ଆଉ କିଏ ଜଳବାୟୁ ଦାଦନ ବା ପରିବେଶ ଦାଦନ ବୋଲି ସମ୍ବୋଧନ କରୁଛନ୍ତି।

ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଅବକ୍ଷୟ ସହ ଯୋଡ଼ି ହୋଇଥିବା ମାନବ ସ୍ଥାନାନ୍ତରଣ ବା ବିସ୍ଥାପିତଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଉଭୟ ଭାରତ ଓ ଓଡ଼ିଶା ସରକାର କିଭଳି ସଚେତନ ଅଛନ୍ତି, ତାହା ଉପରେ ଧ୍ୟାନ ଦେବା। ପରିବେଶରେ ଅତର୍କିତ ଅଥବା ପ୍ରଗତିଶୀଳ ପରିବର୍ତ୍ତନ ଯୋଗୁଁ ଯେଉଁମାନଙ୍କର ଜୀବନ ପ୍ରଭାବିତ ହେଉଛି ଏବଂ ଯେଉଁମାନେ ଅଭ୍ୟାସଗତ ଭାବେ ଅଥବା ସାମୟିକ ବା ସ୍ଥାୟୀ ଭାବରେ ଘର ଛାଡୁଛନ୍ତି, ସେମାନଙ୍କୁ ତାଲିକାଭୁକ୍ତ କରାଯିବା ଦରକାର। ଉଦ୍‌ବେଗର ବିଷୟ ହେଲା ଏହି ସଂଖ୍ୟା ଏଯାଏ ନିରୂପିତ ହୋଇପାରିନାହିଁ, ଯଦିଓ ସରକାରମାନେ ଏମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରି ବିପର୍ଯ୍ୟୟ ସହାୟତା ପ୍ରଦାନ କରୁଛନ୍ତି।

ସେହିପରି ବିସ୍ଥାପନ ଓ ସ୍ଥାନାନ୍ତରଣ ବିପଦ ପ୍ରସଙ୍ଗ ସହିତ ଦେଶ ବା ରାଜ୍ୟର କେତେ ଅଞ୍ଚଳ ଯୋଡ଼ି ହୋଇଛନ୍ତି, ତାହା ମଧ୍ୟ ସ୍ବତନ୍ତ୍ର ନକ୍ସାରେ ଚିହ୍ନିତ ହେବାର ଆବଶ୍ୟକତା ରହିଛି। ପ୍ରଭାବିତ ଲୋକମାନଙ୍କ ସ୍ଥାନାନ୍ତରଣ ପ୍ରସଙ୍ଗଟି ରାଜ୍ୟ ଭିତରେ ସୀମିତ ଅଛି ନା ତାହା ପୂରା ସ୍ଥାନୀୟ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ। ତେବେ ଯାଇ ଜଳବାୟୁ ପରିବର୍ତ୍ତନ ସହିତ ଯୋଡ଼ି ହୋଇଥିବା ବିସ୍ଥାପନ ଓ ସ୍ଥାନାନ୍ତରଣ ସଂପର୍କରେ ଗୋଟିଏ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ଓ ଏହାର ମୁକାବିଲା ପାଇଁ ଚିନ୍ତନ କରାଯାଇପାରିବ।

ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଏହି ପ୍ରସଙ୍ଗଟି ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦିଗରୁ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ବୋଲି ସ୍ପଷ୍ଟ ହୋଇଗଲାଣି। ହେଲେ ସରକାର ଏ ଦିଗରେ ଆଦୌ ଯତ୍ନବାନ ନାହାନ୍ତି କି ବିତର୍କକୁ ସାମ୍ନା କରିବାକୁ ପ୍ରସ୍ତୁତ ନୁହନ୍ତି। ଓଡ଼ିଶା ସରକାରଙ୍କ କଥା ଯଦି ଆଲୋଚନା କରିବା ତେବେ ବନ୍ୟା ଓ ବାତ୍ୟା ମୁକାବିଲାରେ ଲୋକଙ୍କୁ ନିରାପଦ କ୍ଷେତ୍ରକୁ ସ୍ଥାନାନ୍ତରଣ କରି ସେମାନେ ସାର୍ଟିଫିକେଟ୍ ବା ପ୍ରଶଂସା ପତ୍ର ପାଇଛନ୍ତି। ଏହି ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ଶୁଣିବାକୁ ଭଲ ଲାଗୁଛି।

ହେଲେ ବାତ୍ୟା ଓ ବନ୍ୟା ସହିତ କେତେ ଲୋକଙ୍କ ଜୀବନ ଓ ଜୀବିକା ଏ ମଧ୍ୟରେ ଅସ୍ଥାୟୀ ଭାବେ ବିପଦରେ; ସେମାନଙ୍କୁ ଏ ଦୁର୍ଦ୍ଦଶାରୁ ଊର୍ଦ୍ଧ୍ବକୁ ନେବା ଲାଗି କେଉଁ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ, ତାହା ଏଯାଏ ନିରୂପିତ ହୋଇପାରିନାହିଁ। ସେହିପରି ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ଫୁଲବାଣୀର ୪୭ଟି ମରୁଡ଼ିପ୍ରବଣ ବ୍ଲକ, ଯେଉଁଠି କର୍ମସଂସ୍ଥାନ ଉପରେ ଢେର୍ ପ୍ରଭାବ ପଡ଼ିଲାଣି ଏବଂ ଲୋକେ ବାସଗୃହ ଛାଡ଼ି ଅନ୍ୟତ୍ର କାମ ଅନ୍ବେଷଣରେ ଯିବାକୁ ବାଧ୍ୟ ହେଲେଣି, ସେମାନଙ୍କ ସଂଖ୍ୟା କେତେ ବିଶାଳ ତାହା ଆକଳନ କରାଯାଇନାହିଁ।

ଅତଏବ ବିକାଶ, କର୍ମସଂସ୍ଥାନ ବା ବେକାରି ସହ ଦାଦନ ବା ବିସ୍ଥାପନକୁ ଯୋଡ଼ି ଯେଉଁ ରାଜନୈତିକ ବୟାନବାଜି ଚାଲିଛି, ତାହା ପୂରା ଠିକ୍ ନୁହେଁ। ବରଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏସବୁଠାରୁ ଯଥେଷ୍ଟ ଅଧିକ। ସେହିଭଳି ଜଙ୍ଗଲରେ ନିଆଁ ଲାଗିବା, ଅନାବୃଷ୍ଟି, ଅତିବୃଷ୍ଟି, ଅଂଶୁଘାତ, ଭୂସ୍ଖଳନ, ଜଙ୍ଗଲ ହ୍ରାସ, ଶିଳ୍ପାୟନ ବା ଖଣି ଅଞ୍ଚଳର ପ୍ରଦୂଷଣ, ଭୂମିକମ୍ପ ଆଦିକୁ ବିଚାରକୁ ନେଲେ, ଯେ କେହି ହୃଦ୍‌ବୋଧ କରିପାରିବେ େଯ ଜଳବାୟୁ ପରିବର୍ତ୍ତନକୁ ନେଇ ଓଡ଼ିଶାର ସ୍ଥିତି କେତେ ଜଟିଳ ହୋଇସାରିଲାଣି।

ଏହି ପରିପ୍ରେକ୍ଷୀରେ ବିସ୍ଥାପନ ଓ ଜୀବନଜୀବିକା ପାଇଁ ସ୍ଥାନାନ୍ତରର କାରକଗୁଡ଼ିକ ଉପରେ ଗଭୀର ଅଧ୍ୟୟନର ଆବଶ୍ୟକତା ରହିଛି। ବିଡ଼ମ୍ବନା ଯେ ଏହି ପ୍ରସଙ୍ଗର ଗମ୍ଭୀରତା ଅନୁଯାୟୀ ସରକାରୀ ସ୍ତରରେ ତତ୍ପରତା ନାହିଁ। ସର୍ବୋପରି ଯେଉଁମାନେ ଏ ଦିଗରେ ବେଶି ମନୋନିବେଶ କରିବା କଥା, ଯଥା ରାଜନୀତିଜ୍ଞ, ଅର୍ଥନୀତି ବିଶେଷଜ୍ଞ, ଶିକ୍ଷାବିତ୍‌ ତଥା ବିଶ୍ବବିଦ୍ୟାଳୟ, ସେମାନେ ଏହାକୁ ପ୍ରାଥମିକତା ଦେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି।

ଆମେ ସମସ୍ତେ ଥରେ ଭାବିବା ଦରକାର ଯେ ଜୀବନର ମଧ୍ୟଭାଗରେ ବା ବୃଦ୍ଧାବସ୍ଥାରେ ଯଦି କୌଣସି ବ୍ୟକ୍ତିର ଜୀବନଜୀବିକା ଅଜଣା ଝଡ଼ର ସାମ୍ନା କରେ, ତେବେ ସ୍ଥିତି କେତେ ବିଷମ ହୋଇପାରେ। ପରିବେଶ ଓ ପ୍ରକୃତିକୁ ସୁରକ୍ଷା ଦେଉଥିବା ବ୍ୟକ୍ତି ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ନିଜେ ବିପଦକୁ ଚାଲିଆସିଥାଏ। ଏହା ସହିତ ପାରମ୍ପରିକ ଚାଷ ଓ ମତ୍ସ୍ୟ ଉତ୍ପାଦନ, ଜଙ୍ଗଲ ଓ ନଦୀ ସମ୍ବଳ ପ୍ରଭାବିତ ହେବ ହିଁ ହେବ। କେବଳ ସେତିକି ନୁହେଁ, ଯେ କୌଣସି ଅଞ୍ଚଳର ଦାରିଦ୍ର୍ୟ ଓ ଅସମାନତାକୁ ଏହା ଆହୁରି ଖରାପ ଦିଗକୁ ନେଇଯିବାର ଆଶଙ୍କା ରହିଛି।

ଆମେ ସମସ୍ତେ ଜାଣୁ ଯେ ସ୍ଥାୟୀ ବା ଅସ୍ଥାୟୀ ବିସ୍ଥାପନ, ଦାଦନ ଅଥବା ସ୍ଥାନାନ୍ତରଣ ଯୋଗୁଁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ଏହା ଯୋଗୁଁ ଯୌନ ଓ ଘରୋଇ ହିଂସା ବଢ଼ିବା ସହିତ ମାନବ ଚାଲାଣ ଅଭିଯୋଗ ବହୁଗୁଣିତ ହୋଇଥାଏ। ସମାନ୍ତରାଳ ଭାବେ ଶିଶୁଙ୍କ ଅପପୁଷ୍ଟି ଠାରୁ ସ୍କୁଲ୍‌ ଡ୍ରପ୍ଆଉଟ୍ ପର୍ଯ୍ୟନ୍ତ ଗୁରୁତର ସମସ୍ୟା ଯୋଡ଼ି ହୋଇଯାଏ।

ମୋଟାମୋଟି ଭାେବ କହିବାକୁ ଗଲେ, ସରକାରଙ୍କର ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ସୁଫଳ ନ ମିଳିବାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ ହେଉଛି ଜଳବାୟୁ ପରିବର୍ତ୍ତନ। ଏଣୁ ଯେକୌଣସି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଘଟଣାକୁ କେବଳ ବିପର୍ଯ୍ୟୟ ଘୋଷଣା କରିବା ଦ୍ବାରା ଅଥବା ରିଲିଫ୍ ଯୋଗାଣ ଦ୍ବାରା ସମାଧାନ କରାଯାଇପାରିବ ନାହିଁ। ରାଜ୍ୟ ସରକାର ସ୍ମରଣରେ ରଖିବା ଦରକାର ଯେ ତାଙ୍କ ବିସ୍ଥାପନ ନୀତି କେବଳ ପ୍ରକଳ୍ପସର୍ବସ୍ବ। ଏଠାରେ ଦାଦନ ହ୍ରାସକୁ ସବୁବେଳେ କର୍ମନିଯୁକ୍ତି ସହିତ ଯୋଡ଼ାଯାଇଥାଏ। ଏଯାଏ କେଉଁଠି ବି ଜଳବାୟୁ ପରିବର୍ତ୍ତନର ଭୀଷଣ ପ୍ରଭାବକୁ ନେଇ ବିଶ୍ଳେଷଣ ହେଉ ନାହିଁ। ଏହି ଧାରାରେ ପୂର୍ଣ୍ଣଛେଦ ପଡ଼ିବା ଦରକାର। କେବଳ ନୀତି କାର୍ଯ୍ୟକାରୀ କରିଦେଲେ ହେବ ନାହିଁ, ବରଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ସମସ୍ତଙ୍କୁ ସାମିଲ କରିବା ଲାଗି ସ୍ବତନ୍ତ୍ର ଅଭିଯାନ ବି ଲୋଡ଼ା। ଏବେ ସମୟ ଆସିଛି, ଗୋଟିଏ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ସହିତ ସରକାର ସମୁଦାୟ ପ୍ରସଙ୍ଗର ପୁନଃ ଅନୁଧ୍ୟାନ କରନ୍ତୁ। ଏହାର ସମାଧାନ ଜଟିଳ ହେଲେ ବି ଅପରିହାର୍ଯ୍ୟ।

ମୋ: ୯୯୩୭୪୭୪୨୭୪