ଏକଦା ମରୁଭୂମି ଦେଇ ଯାଉଥିଲେ ଫକିର ଫିରୋଜ। ସାଙ୍ଗରେ ଜଣେ ମାତ୍ର ଶିଷ୍ୟ। ହଠାତ୍‌ ଏକ ପଟୁଆରରେ ଆସିଗଲେ ଆରବର ରାଜା। ସନ୍ଥ ଫିରୋଜଙ୍କୁ ଦେଖି ସେ ଓଟରୁ ଓହ୍ଲାଇ ପଡ଼ି ଫିରୋଜଙ୍କୁ ଅଭିବାଦନ କଲେ। ତା’ ପରେ ସେ କହିଲେ- ଫିରୋଜ, ମୋ ମନରେ ସ˚ଶୟଟିଏ କେତେ ଦିନ ହେଲାଣି ଆନ୍ଦୋଳିତ ହେଉଛି। ତାହା ଦୂର କରନ୍ତୁ। କଥା ହେଲା, ମୁଁ ମୋ କ୍ରୋଧକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ରହୁଛି। ଆପଣ କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ ବତାନ୍ତୁ।

Advertisment

ଫିରୋଜ ମୃଦୁ ହସିଲେ ଏବ˚ ନିଜ ପାଖରେ ଥିବା ପାଣି ଭର୍ତ୍ତି ପାତ୍ରକୁ ଅଜାଡ଼ି ଦେଲେ। ମରୁଭୂମିରେ ପାଣିର ପାତ୍ରକୁ ଖାଲି କରିଦେବା ଆତ୍ମଘାତୀ। ରାଜା ତଟସ୍ଥ ହୋଇଗଲେ। କିନ୍ତୁ ରାଜା ଥିଲେ ବୁଦ୍ଧିମାନ। କିଛି କ୍ଷଣ ପରେ ସେ ଉଲ୍ଲସିତ ହୋଇ ଉଠି କହିଲେ- ଧନ୍ୟବାଦ ସନ୍ଥ ଫିରୋଜ, ଉତ୍ତର ପାଇଗଲି!

ରାଜା ଚାଲିଗଲେ। ଗଲା ବେଳକୁ ପୁଣି ଫିରୋଜଙ୍କ ଖାଲି ପାଣି ପାତ୍ର ଭରି ଦେଇ ଗଲେ। ପାଖରେ ଥିବା ଫିରୋଜଙ୍କ ଶିଷ୍ୟ କିଛି ବୁଝିପାରିଲା ନାହିଁ। ସେ କହିଲା- ମହାଶୟ, ଆପଣ ପାଣି ପାତ୍ର ଢାଳି ଦେଇ କି ସନ୍ଦେଶ ଦେଲେ ଯେ ରାଜା ବୁଝିଗଲେ?

ଫିରୋଜ କହିଲେ- କ୍ରୋଧ ତ ପ୍ରତି ମଣିଷର ସହଜାତ ଗୁଣ। ତାକୁ ଦୂର କରିବାକୁ ଚାହିଁବା ଅର୍ଥ ମରୁଭୂମି ଭିତରେ ଛିଡ଼ା ହୋଇ ଏ ଉତ୍ତପ୍ତ ବାଲିକୁ ଦୂର କରିବାକୁ ଚାହିଁବା। ତେଣୁ, ଯେମିତି ପାଣି ଢାଳି ଦେଇ ଉତ୍ତପ୍ତ ମରୁବାଲିକୁ ଶୀତଳ କରିଦେବା ସମ୍ଭବ, ସେମିତି ନିଜ ମନରେ କରୁଣାର ଧାରା ଉଦ୍ରେକ କରି କ୍ରୋଧର ଉତ୍ତପ୍ତ ବାଲିକୁ ଶୀତଳ କରିବା ହେଉଛି ଏକମାତ୍ର ବାଟ। ଯେହେତୁ କ୍ରୋଧକୁ ଦୂର କରିବା ଅସମ୍ଭବ, ସେଥିରେ ସମୟ ଓ ଶକ୍ତି ଅପଚୟ ନ କରି ହୃଦୟରେ କରୁଣାର ଧାରା ନିରନ୍ତର ପ୍ରବାହିତ କଲେ କ୍ରୋଧର ଉତ୍ତାପ ଆପେ ଶୀତଳ ହୋଇଯିବ।