ଏକାନ୍ତବାସରେ ଚାଳିଶ ବର୍ଷ

ପ୍ରଦୀପ ମହାପାତ୍ର

ଏବର ‘ଲକ୍‌ଡାଉନ୍‌’ ବେଳେ ଏକାନ୍ତ ବାସ ସଂପର୍କରେ ବେଶ୍ ଆଲୋଚନା ଚାଲିଛି। ଏହି ସମୟରେ ଖ୍ୟାତନାମା ପତ୍ରିକା ‘ସ୍ମିଥସୋନିଆନ’ର ଜାନୁଆରି ୨୦୧୩ ସଂଖ୍ୟାରେ ପ୍ରକାଶିତ ଏକ ରୁଷୀୟ ପରିବାର କଥା ମନେ ପଡ଼େ। ଏହି ପରିବାର ରୁଷିଆର ସାଇବେରିଆରେ କାଟିଥିଲେ ଚାଳିଶ ବର୍ଷର ଏକାନ୍ତ ବାସ।

ବର୍ଷରେ ପ୍ରାୟ ଆଠ ମାସ ଘନ ବରଫ ଦ୍ବାରା ଆଚ୍ଛାଦିତ ହୋଇ ରହୁଥିବା ସାଇବେରିଆ ହେଉଛି ପୃଥିବୀର ଅନ୍ୟତମ ସବୁଠାରୁ କଠିନ ଓ ପ୍ରତିକୂଳ ପରିବେଶ ଦେଖିବାକୁ ମିଳୁଥିବା ଅଞ୍ଚଳ। ଜନମାନବ ଶୂନ୍ୟ ସେହି ଅଞ୍ଚଳରେ ଏକ ମଣିଷ ପରିବାର ବସବାସ କରୁଥିବା ବିଷୟ ହଠାତ୍‌ ଆବିଷ୍କୃତ ହେଲା। ଏକ ଲୌହ ଖଣି ସନ୍ଧାନରେ ବାହାରିଥିବା ଭୂତତ୍ତ୍ୱବିତ୍‌ଙ୍କ ଗୋଟିଏ ଦଳ ଯାଉଥିବା ହେଲିକେପ୍ଟରର ପାଇଲଟ ଅବତରଣ କରିବା ନିମନ୍ତେ ଏକ ନିରାପଦ ସ୍ଥାନ ଖୋଜୁଥିବା ବେଳେ ହଠାତ୍‌ ଏକ ବଡ଼ ସମତଳ ଖୋଲା ଜାଗା ଦେଖି ଚକିତ ହୋଇ ଯାଇଥିଲେ। ଟିକିଏ ପାଖକୁ ଆସି ଯତ୍ନର ସହିତ ଦେଖିବାରୁ ସେଠାରେ ମନୁଷ୍ୟ ବସବାସ କରୁଥିବାର ଚିହ୍ନ ବାରି ହୋଇ ଯାଇଥିଲା। ସେହି ଦଳର କିଛି ପ୍ରତିନିଧି ସେଠାରେ ପହଞ୍ଚି ଗୋଟିଏ କାଠ କୁଡ଼ିଆ ଆବିଷ୍କାର କରିଥିଲେ। ବାହାରେ ମଣିଷଙ୍କ ଉପସ୍ଥିତିର ଶବ୍ଦ ଶୁଣି କୁଡ଼ିଆ ଭିତରୁ ବାହାରି ଆସିଲେ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ପରିବାରର ମୁଖ୍ୟ ଓ ତାଙ୍କର ଦୁଇ କନ୍ୟା। ସେମାନେ ହତଚକିତ ‌ହୋଇଯାଇଥିଲେ। କାରଣ, ଦୀର୍ଘ ଚାଳିଶ ବର୍ଷ ପରେ ବାହାରର କୌଣସି ବ୍ୟକ୍ତିଙ୍କ ସହିତ ସେମାନେ ପ୍ରଥମ ସାକ୍ଷାତର ସୁଯୋଗ ପାଇଥିଲେ। ବୃଦ୍ଧଙ୍କ ନାମ ଥିଲା କାର୍ପ ଲାଇକୋଭ। ୧୯୩୦ ବେଳକୁ ରୁଷିଆର ମାତ୍ରାଧିକ କ‌େଠାରପନ୍ଥୀ କମ୍ୟୁନିଷ୍ଟ ସରକାରଙ୍କ ଦ୍ବାରା ଦଣ୍ଡିତ ହେବା ଭୟରେ ଏହି ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାର ସେମାନଙ୍କ ଗାଁ ଛାଡ଼ି ସାଇବେରିଆର ଏହି ବନାଞ୍ଚଳକୁ ପଳାଇ ଆସି ଆତ୍ମଗୋପନ କରିଥିଲେ। ସେହି ସମୟରେ ଲାଇକୋଭଙ୍କ ସହିତ ଥିଲେ ତାଙ୍କ ପତ୍ନୀ ଆକୁଲିନା, ନଅ ବର୍ଷର ପୁଅ ଓ ଦୁଇ ବର୍ଷର ଝିଅ। ସେଠାରେ ଲାଇକୋଭ ଦଂପତିଙ୍କ ଆଉ ଦୁଇଟି ଝିଅ ହୋଇଥିଲେ। କ୍ରମେ ଛଅ ଜଣିଆ ପରିବାରଟି ସାଇବେରିଆର ନିଘଞ୍ଚ ଜଙ୍ଗଲରେ ସ୍ଥାୟୀ ବାସିନ୍ଦା ପାଲଟି ଗଲେ। ସେମାନଙ୍କୁ ଆବିଷ୍କାର କରାଗଲା ବେଳେ ସେମାନେ ପିନ୍ଧିଥିଲେ ଠାଏ ଠାଏ ତାଳି ପଡ଼ିଥିବା ଝୋଟରୁ ତିଆରି ପୋଷାକ। ସେମାନେ ଆଳୁ, ଗାଜର, କନ୍ଦ, ଗହମ, ଯବ ଓ ପାଇନ ଗଛର ଫଳ ଆଦି ଖାଇ ଜୀବନ ନିର୍ବାହ କରୁଥିଲେ। ପରିବାରର ପୁଅଟି ଯୁବକ ହେବା ପରେ କଦବା କେମିତି ଆହାର ଲାଗି ଶିକାର କରି ବନ୍ୟଜନ୍ତୁଙ୍କ ମାଂସ ଆଣୁଥିଲା। ଭୂତତ୍ତ୍ବବିତ୍‌ ଦଳର ପ୍ରମୁଖ ସଦସ୍ୟା ପିସମେନସ୍କାୟା ଏହି ସାକ୍ଷାତର ବିବରଣୀ ଲିପିବଦ୍ଧ କରି ରଖିଥିଲେ। ତହିଁରୁ ଏହି ଚାଳିଶ ବର୍ଷର ଏକାନ୍ତ ବାସର କାହାଣୀ ପଦାକୁ ଆସି ଅନେକ ସ୍ଥାନରେ ଚର୍ଚ୍ଚିତ ହୋଇଥିଲା।

ସେହି ଭଳି ଚାଳିଶ ବର୍ଷ ପରେ ଭିଏତନାମର ଘଞ୍ଚ ଜଙ୍ଗଲ ଭିତରୁ ଉଦ୍ଧାର ପାଇଥିବା‌ ଆଉ ଦୁଇ ଜଣ ଥିଲେ ବାପ-ପୁଅ ଯୋଡ଼ି ହୋ ଭାନ ଥାନ ଏବଂ ହୋ ଭାନ ଲାଙ୍ଗ। ଭିଏତନାମ ଯୁଦ୍ଧର ଘନଘଟାରେ ତାଙ୍କ ଗାଁ ଉପରେ ବୋମା ପଡ଼ି ତାହା ବିଧ୍ବସ୍ତ ହୋଇଯାଇଥିଲା। ହୋ ଭାନ ଥାନଙ୍କ ପରିବାରରେ କେବଳ ତାଙ୍କୁ ଓ ତାଙ୍କର ଦୁଇ ବର୍ଷ ବୟସର ପୁଅକୁ ଛାଡ଼ି ଅନ୍ୟ ସମସ୍ତେ ମୃତ୍ୟୁ ବରଣ କରିଥିଲେ। ଯୁଦ୍ଧର ଭୟରେ ସେ ନିଜର ପୁଅକୁ ଧରି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ। ତା’ ପରେ ବାହାର ଦୁନିଆ ସହିତ ସେମାନଙ୍କ ସଂପର୍କ ଛିନ୍ନ ହୋଇଯାଇଥିଲା। ସେମାନେ ଗଛ ଉପରେ ଏକ କୁଡ଼ିଆ ତିଆରି କରି ରହୁଥିଲେ। ସେମାନଙ୍କୁ ଆବିଷ୍କାର କରାଗଲା ବେଳକୁ ହୋ ଭାନ ଥାନଙ୍କ ବୟସ ହୋଇଯାଇଥିଲା ୮୨ ବର୍ଷ ଏବଂ ଲାଙ୍ଗଙ୍କୁ ୪୨ ବର୍ଷ। ଅତ୍ୟନ୍ତ ଦୁର୍ବଳ ଦିଶୁଥିବା ସତ୍ତ୍ବେ ଲାଙ୍ଗ ଟାର୍ଜନସୁଲଭ ଜଙ୍ଗଲ ବିଚରଣରେ ପାରଦର୍ଶିତା ଲାଭ କରିସାରିଥିଲେ। ଲାଙ୍ଗ ଭିଏତ୍‌ନାମୀ ଭାଷା ଜାଣି ନ ଥିଲେ। ସେମାନେ ଏହା ମଧ୍ୟ ଜାଣି ନ ଥିଲେ ଯେ ଇତି ମଧ୍ୟରେ ଯୁଦ୍ଧ ସମାପ୍ତ ହୋଇ ଯାଇଛି ଏବଂ ଭିଏତ୍‌ନାମ ଆଉ ସେମାନଙ୍କ ସମୟର ଭିଏତ୍‌ନାମ ହୋଇ ରହିନାହିଁ।

ଏବେ ଆମ ପାଖରେ ସମସ୍ତ ସୁବିଧା ଥିବା ସତ୍ତ୍ବେ ଆମ ଭିତରୁ ଅନେକଙ୍କୁ ମାତ୍ର କିଛି ଦିନର ଏକା‌ନ୍ତ ବାସ ଅସହ୍ୟ ବୋଧ ହେଉଥିବା ବେଳେ ଏହି ଦୁଇ ପରିବାରର ଚାରି ଦଶନ୍ଧି ଦୀର୍ଘ ଏକାନ୍ତ ବାସ ବିସ୍ମିତ କରାଏ।

‘ଧୂସର ଓଡ଼ିଶା’
ଭୀମାରାଓ ପେଟା, ବ୍ରହ୍ମପୁର
ମୋ: ୯୪୩୭୦ ୯୬୯୪୪

ସମ୍ବନ୍ଧିତ ଖବର