ବିଜୁ ପଟ୍ଟନାୟକ ନିଆରା କଥା ଓ କାହାଣୀର ଜଣେ ବାଆଁରା ମଣିଷ। ମନର ଉଚ୍ଚତା ଯେମିତି ହିମାଳୟ, ହୃଦୟ ସେମିତି ସମୁଦ୍ର ପରି ଗଭୀର ଓ ବିଶାଳ। ଆଧୁନିକ ଓଡ଼ିଶାର ବିନ୍ଧାଣୀ ବିଜୁବାବୁଙ୍କ ସମଗ୍ର ଜୀବନ ଥିଲା ସେବା ଓ ସଂଗ୍ରାମ ପାଇଁ ଅଭିପ୍ରେତ। ସେଥିପାଇଁ ତାଙ୍କ ପ୍ରତି ସାଧାରଣ ଜନତାର ଥିଲା ଅକପଟ ଶ୍ରଦ୍ଧା, ସମ୍ମାନ ଓ ସ୍ୱୀକୃତି।
ଶକ୍ତିର ବିପୁଳ ବପୁଧାରୀ ସ୍ୱପ୍ନଦ୍ରଷ୍ଟା ଏଇ ଲୌହ ମଣିଷର ବୁକୁତଳେ ସୁପ୍ତ ଅଗ୍ନେୟଗିରି ପରି ଅଦମନୀୟ ଓ ଅବିଶ୍ୱସନୀୟ ସାହସ। ୧୯୪୭ରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ କିମ୍ବା ପାକିସ୍ତାନୀ ସେନାକୁ କାଶ୍ମୀରରେ ପ୍ରତିରୋଧ ଅବା ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ, ଦୁଃସାହସ ଓ ଦୁର୍ଦ୍ଦମନୀୟ କଳ-କଉଶଳରେ ସେ ନିଜ ଅପୂର୍ବ ବୀରତ୍ୱର ପରିଚୟ ଦେଇଛନ୍ତି। ଅପରାଜେୟ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ତାଙ୍କ ସହ ଅନେକାନେକ ତିକ୍ତ-ମଧୁର ସ୍ମୃତି ଅନୁଭୂତି ଏବେ ମଧ୍ୟ ଶିହରଣ ଆଣିଥାଏ।
ଯେତିକି କଠୋର, ସେତିକି ଦରଦୀ ଓ ସମ୍ବେଦନଶୀଳ ସ୍ନେହୀ ମଣିଷଟିଏ। ୧୯୬୯ର ପରବର୍ତ୍ତୀ କାଳ। ବିଜୁବାବୁ ଜାତୀୟ କଂଗ୍ରେସ ଛାଡ଼ି ଏକ ନୂଆ ଆଞ୍ଚଳିକ ଦଳ ‘ଉତ୍କଳ କଂଗ୍ରେସ’ ଗଠନ କରିଥାନ୍ତି। ସାରା ଓଡ଼ିଶା ବୁଲୁଥାନ୍ତି ସାଙ୍ଗଠନିକ କାର୍ଯ୍ୟ ସକାଶେ। ବିଂଝାରପୁର ବ୍ଲକର ସିଂହପୁର-ଜରୀ ମଧ୍ୟରେ ଖରସ୍ରୋତା ନଦୀର ଶାଖା ‘ନୂଆମାହାରା’ରେ ବର୍ଷାଦିନେ ବନ୍ୟା ଆସିବା ଯୋଗୁଁ ଉଭୟ ଗାଁ ବିଚ୍ଛିନ୍ନ ହୋଇ ପ୍ରତିବର୍ଷ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥାଏ। ବର୍ଷା ତିନି-ଚାରି ମାସ ଲୋକେ ଏହା ଯୋଗୁଁ ହନ୍ତସନ୍ତ ହୁଅନ୍ତି। ଆଳି, ଓଳାଭର, ରାଜକନିକା, ବିଂଝାରପୁର ବ୍ଲକ୍ର ଅଧିକାଂଶ ଲୋକେ ସିଂହପୁର ବଜାର ଉପରେ ପ୍ରାୟତଃ ନିର୍ଭରଶୀଳ ହୋଇଥିବାରୁ ନୂଆମାହାରାରେ ଏକ ପୋଲ ନିର୍ମାଣ ପାଇଁ ବହୁଦିନୁ ଦାବି ହେଉଥାଏ। ସେତେବେଳେ ବିଜୁ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ହରେକୃଷ୍ଣ ମହାତାବଙ୍କ ମିଳିତ ସାମ୍ମୁଖ୍ୟ ପ୍ରଗତି ଦଳ ସରକାର ଥାଏ ଓ ବିଜୁବାବୁ ଥାନ୍ତି ରାଜ୍ୟ ଯୋଜନା ବୋର୍ଡ ଚେୟାରମ୍ୟାନ। ତତ୍କାଳୀନ କୃଷି ମନ୍ତ୍ରୀ ଜଗନ୍ନାଥ ମଲ୍ଲିକ ବିଜୁବାବୁଙ୍କ ବିଂଝାରପୁର ଗସ୍ତ କାଳରେ ନୂଆମାହାରାରେ ଏକ ପୋଲ ନିର୍ମାଣସ୍ଥଳ ନେଇ ବୁଲାଇ ଦେଖାଉଥାନ୍ତି। ସାଢ଼େ ଛ’ ଫୁଟିଆ କବାଟ ପରି ବିଜୁବାବୁଙ୍କୁ ଦେଖିବାକୁ ଥାଟପଟଳ ଲୋକ। ଲୋକଙ୍କ ଭିତରୁ ଜଣେ ୨୦-୨୫ ବର୍ଷ ବୟସର ଯୁବକ ବିଜୁବାବୁଙ୍କର ଅତି ନିକଟରେ ଠିଆ ହୋଇ ବଡ଼ ପାଟିରେ ଚିଲେଇ କହିଲା- ‘ଆଜ୍ଞା! ଏଠି ଯଦି ଗୋଟେ ପୋଲ ନହେବ, ଏଥର ଆମେ ଭୋଟ ଦେବୁନି।’ ହଠାତ୍ ବଦ୍ରାଗି ବିଜୁବାବୁ ଚିହିଁକି ଉଠି ବୁଲିପଡ଼ି ତାକୁ ଚାପୁଡ଼ାଟାଏ ପକାଇ କହିଲେ- ‘ଯା’ ଯା’ ତୁ ଏଠି ନେତା ହେଇଛୁ।’ ବଡ଼ ଲୋକଙ୍କୁ ଉତ୍ତର ନାହିଁ ନ୍ୟାୟାରେ ବିଚରା ଯୁବକଟି ଚୁପ୍ ହୋଇଗଲା। ବିଜୁବାବୁ ଘଣ୍ଟାଏ ଧରି କ୍ଷେତ୍ର ପରିଦର୍ଶନ କରି ସମ୍ଭାବ୍ୟ ପୋଲ ନିର୍ମାଣ ନେଇ ଉପସ୍ଥିତ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ଫେରନ୍ତା ବାଟରେ କ’ଣ ଭାବିଲେ କେଜାଣି, ଚାପୁଡ଼ା ଖାଇଥିବା ସେ ଯୁବକକୁ ପାଖକୁ ଡାକି କହିଲେ- ‘ତୋ ଭଳି ସାହସୀ କର୍ମୀ ମୋର ଦରକାର।’ ଏହା କହି ତାଙ୍କ ପକେଟରୁ ଶହେ ଟଙ୍କା ନୋଟ୍ଟିଏ କାଢ଼ି ତା’ ହାତରେ ଧରେଇ ଦେଇ କହିଲେ- ‘ମୁଁ ସିନା ଓଡ଼ିଶାର ନେତା! ତୁ କିନ୍ତୁ ଏ ଗାଁର ନେତା ସତରେ। ମୁଁ ଆଜି କହି ଯାଉଛି- ଏଠି ପୋଲ ହେବ।’
ଆଉ ଦିନେ ଉତ୍କଳ କଂଗ୍ରେସର ଭୋଟ୍ ପ୍ରଚାର ପାଇଁ ବିଜୁବାବୁ ବିଂଝାରପୁର ଗସ୍ତରେ ଯାଇଥାନ୍ତି। କଳିଙ୍ଗ ଟ୍ୟୁବ୍ସର ଷ୍ଟେସନ ୱାଗନ୍ (ପରବର୍ତ୍ତୀ କାଳର ‘କଳିଙ୍ଗରଥ’)ରେ ବସିଥାନ୍ତି ଶରତ କର, ଉତ୍କଳ କଂଗ୍ରେସ ପ୍ରାର୍ଥୀ ବିରଜା ମଲ୍ଲିକ ଓ ଅନ୍ୟମାନେ। ବାଳମୁକୁଳି-ସିଂହପୁର ମଧ୍ୟସ୍ଥ କଣଛନ୍ଦା ଗାଁରେ ସଭା କାର୍ଯ୍ୟକ୍ରମ ଥାଏ। ନଈ-ଯୋର ପାଖ ସରୁ ଆଡ଼ ବନ୍ଧ ରାସ୍ତା। ବଡ଼ ବଡ଼ କିଆ ବୁଦା ରାସ୍ତା ଉପରକୁ ମାଡ଼ି ଆସିଥାଏ। ଗାଡ଼ି ଡ୍ରାଇଭର ଶ୍ରୀପାଣି ଅଟକିଗଲା। କହିଲା ‘ସାର୍! ଏ କିଆବୁଦା ଉପର ଦେଇ ଗାଡ଼ି ଯାଇପାରିବ ନାହିଁ।’ ବିଜୁ ବାବୁ ହଠାତ୍ ରାଗି ଉଠିଲେ। ଡ୍ରାଇଭରକୁ ଠେଲି ଦେଇ କହିଲେ- ଉଠ୍, ଉଠ୍! ବିଚରା ଶ୍ରୀପାଣି ଷ୍ଟିଅରିଂ ଛାଡ଼ି ତଳକୁ ଓହ୍ଲାଇ ପଡ଼ିଲା। ତହୁଁ ବିଜୁ ବାବୁ ଷ୍ଟିଅରିଂ ଧରି ଫାଷ୍ଟ ଗିଅରରେ ଘୁଁ ଘୁଁ କରି ଚମକାଇ ଦେଲା ଭଳି ଗତିରେ ପ୍ରାୟ ଏକ ହଜାର ମିଟର ଅଣଓସାରିଆ ରାସ୍ତାର କିଆବୁଦା ଉପରେ ଗାଡ଼ି ଚଳାଇ ନେଇ ସଭାସ୍ଥଳୀରେ ପହଞ୍ଚିଲେ। ତାଙ୍କ ଦୁଃସାହସିକତାର ଇଏ ଏକମାତ୍ର ଉଦାହରଣ ନୁହେଁ।
କେବଳ ‘ବିଜୁ’ଙ୍କ ନାଁରେ ହିଁ ଥିଲା ଅପୂର୍ବ ଶକ୍ତି ଓ ସାମର୍ଥ୍ୟ। ସେବେକାର କୃଷିମନ୍ତ୍ରୀ ପ୍ରହ୍ଲାଦ ମଲିକ ଓ ଅନ୍ୟାନ୍ୟ ନେତୃବୃନ୍ଦ ଆମ୍ବାସାଡର କାରରେ ଜରୀ-ବାଙ୍ଗରା ଗସ୍ତରେ ଯାଉଥାନ୍ତି। ନୂଆ ମାହାରା ଘାଇର ଚୋରାବାଲିରେ ଗାଡ଼ି ଚକ ଅଟକିଗଲା। ଯେତେ ଚେଷ୍ଟା କଲେ ବି ଗାଡ଼ି ତ’ ଗଡ଼ିଲା ନାହିଁ, ବରଂ ତଳକୁ ତଳକୁ ଆହୁରି ଦବିଗଲା। ଏତିକିବେଳେ ପାଖରେ ଗାଈ ଜଗିଥିବା ପାଞ୍ଚ-ସାତ ଜଣ ସ୍ଥାନୀୟ ଲୋକ ସାହାଯ୍ୟ କରିବାକୁ ଆସିଲେ। ‘ବିଜୁ ପଟ୍ଟନାୟକକୀ ଜୟ’ କହି ଏକା ନିଃଶ୍ୱାସକେ ଗାଡ଼ିକୁ ବାଲି ଗାତରୁ ଟେକି ନେଇ ବନ୍ଧ ହୁଡ଼ାରେ ଛାଡ଼ିଦେଲେ। ଏଥର ନେତାମାନଙ୍କୁ ଧରି ଗନ୍ତବ୍ୟ ସ୍ଥଳକୁ ଗାଡ଼ି ଚାଲିଲା।
ଏ କଥା ଅନସ୍ୱୀକାର୍ଯ୍ୟ ଯେ, ବିଜୁ ପଟ୍ଟନାୟକ ଜଣେ ଦୁଃସାହସୀ, ଦୁର୍ଦ୍ଦମନୀୟ ଓ ଅନନ୍ୟ ବିରଳ ହୃଦୟବତ୍ତାର ରାଜନେତା ଥିଲେ। ସାଲିସ୍ହୀନ ରୋକ୍ଠୋକ୍ କଥାବାର୍ତ୍ତା ପାଇଁ ଚର୍ଚ୍ଚିତ ବିଜୁ ବାବୁ କ୍ଷେତ୍ର ବିଶେଷରେ ହାରିଯାଇଛନ୍ତି ସିନା ଭାଙ୍ଗିପଡ଼ି ନାହାନ୍ତି। କେବଳ ସେତିକି ନୁହେଁ, ସେ ଜଣେ ପରିପକ୍ୱ ବିଚାରବୋଧ ଓ ରାଜନୈତିକ ଚାତୁର୍ଯ୍ୟସମ୍ପନ୍ନ ବ୍ୟକ୍ତି ଥିଲେ, ଯାହା ତାଙ୍କ ଉପରେ ଲିଖିତ ଓ ବହୁ ଚର୍ଚ୍ଚିତ ‘ଦି ଟଲ୍ ମ୍ୟାନ୍: ବିଜୁ ପଟ୍ଟନାୟକ’ ଓ ‘ଦି ଆଡ୍ଭେଞ୍ଚର୍ସ ଅଫ୍ ଦି ଡେୟାରଡେଭିଲ ଡେମୋକ୍ରାଟ୍’ ପୁସ୍ତକ ଦୁଇଟିରୁ ବେଶ୍ ପ୍ରତୀୟମାନ।
ମୋ: ୮୩୨୭୭୪୦୩୮୩