ଗୋଟିଏ ଗାଁରେ ଉଭା ହେଲେ ଜଣେ ଦେବ ପୁରୁଷ। ସେ ଦେଖିଲେ ଗାଁ ଲୋକେ ମୁହଁ ଶୁଖାଇ ବୁଲୁଛନ୍ତି। ସେ ସେମାନଙ୍କୁ ଡାକି କହିଲେ- ବାବୁମାନେ, ବିରସ ମନରେ କାହିଁକି ରହିଛ? କାଲି ସକାଳୁ ଆସ। ତୁମ ମନ ସରସ ହେବା ପାଇଁ କାଲି ଯିଏ ଯାହା ଇଚ୍ଛା ମୋ ଠାରୁ ମାଗିନେଲେ ମୁଁ ଦେବି। ତା’ ପରେ ସୁଖରେ ରହିବ।

Advertisment

ପର ଦିନ ସକାଳ ନ ହେଉଣୁ ଦେବ ପୁରୁଷଙ୍କ ନିକଟରେ ଲୋକେ ଧାଡ଼ି ଲଗାଇଲେ। ଜଣେ କେବଳ ଗୋଟିଏ ବର ମାଗିବାର ସର୍ତ୍ତ ରହିଲା। ଲୋକେ ରାତି ସାରା ଏ ବାବଦରେ ବିଚାର କରି କ’ଣ ମାଗିବେ ସ୍ଥିର କରି ଆସିଥିଲେ। ତେଣୁ ବର ଦେବା ପର୍ବ ଆରମ୍ଭ ହେବା ମାତ୍ରକେ ସେମାନେ ମାଗି ଚାଲିଲେ। ସେମାନଙ୍କ ମୁହଁରୁ ଟଙ୍କା, ସୁନା, ଘର ବାଡ଼ି, ଜାଗା ଜମି, ସୁନ୍ଦରୀ ପତ୍ନୀ ଛଡ଼ା ଆଉ କିଛୁ ଶୁଭୁ ନ ଥିଲା। ଦେବ ପୁରୁଷ ନିଜ ମୁଣିରେ ହାତ ପୂରାଇ ମାଗ୍ୁ‌ଥିବା ଲୋକଙ୍କୁ କିଛି ଦେଇ ତଥାସ୍ତୁ କହୁଥିଲେ ଏବ˚ ସାଙ୍ଗେସାଙ୍ଗେ ବର ଫଳିଯାଉଥିଲା। ଗାଁର ସବୁ ଲୋକ ମାଗି ସାରିଲା ପରେ ଦେବ ପୁରୁଷ ଅନ୍ତର୍ଧାନ ହୋଇଗଲେ।

କିଛି ବର୍ଷ ପରେ ସେଇ ଗାଁରେ ପୁଣି ଦେବ ପୁରୁଷ ଉଭା ହେଲେ। ଏବେ ଗାଁରେ ଶୋଭା ପାଉଥିଲା ଉଚ୍ଚ ଉଚ୍ଚ ଅଟ୍ଟାଳିକା, ସୁନ୍ଦର ରାସ୍ତା। ଗାଁଟି ଅସମ୍ଭବ ଭାବେ ସମୃଦ୍ଧ ଦିଶୁଥିଲା। କିନ୍ତୁ ଗାଁ ଲୋକଙ୍କ ମୁହଁ ଆହୁରି ବିରସ ଦିଶୁ ଥିଲା। ଦେବ ପୁରୁଷ ସେମାନଙ୍କୁ ପଚାରିଲେ- ପୁଣି କ’ଣ ହେଲା? କାହିଁକି ଉଦାସ ଦିଶୁଛ?

ସମସ୍ତେ କହିଲେ- ପ୍ରଭୁ, ଆମକୁ ଶାନ୍ତି ମିଳୁନାହିଁ। ଦେବ ପୁରୁଷ କହିଲେ- ମିଳିବ କେମିତି? ସେ ଦିନ କେହି ଖୋଜିଲ ନାହିଁ ବୋଲି କେବଳ ଶାନ୍ତିକୁ ମୋ ମୁଣିରେ ଫେରାଇ ନେଲି। ଏବେ ଆଉ ଶାନ୍ତି ଖୋଜି ଲାଭ ନାହିଁ, କାରଣ ଆଉ ଶାନ୍ତି ମିଳିବ ନାହିଁ।