ନକଲି ସାର୍ଟିଫିକେଟକୁ ନେଇ ଏବେ ଉଭୟ ଜାତୀୟ ଓ ପ୍ରାଦେଶିକ ସ୍ତରରେ ରାଜନୈତିକ ଉତ୍ତାପ ବଢ଼ିଚାଲିଛି। ଓଡ଼ିଶାରେ ଜାଲି ଡିଗ୍ରି କେଳେଙ୍କାରୀର ଚେର ଲମ୍ବି ଲମ୍ବି ଯାଉଥିଲେ ହେଁ ଏହାର ଜଡ଼ ଏବେବି ଖୋଜା ଚାଲିଛି। ତେଣେ ଦେଶର ବଡ଼ ଛାମୁଙ୍କ ନାଁରେ କେତେକଙ୍କ ଅଭିଯୋଗ ଯେ ତାଙ୍କର ପ୍ରଦତ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ବି କୁଆଡ଼େ ନକଲି। ତାଙ୍କ ସମର୍ଥକ ଅବଶ୍ୟ ଏମିତି ଅଭିଯୋଗର ଅସାରତା ଦର୍ଶାଇବାକୁ ଯାଇ ଯୁକ୍ତି ବାଢ଼ନ୍ତି ଯେ ଯେଉଁ ବ୍ୟକ୍ତି ସାମଗ୍ରିକ ଭାବରେ ସାରା ଦେଶର ରାଜନୀତିକୁ ଆୟତ୍ତ କରିପାରିଛନ୍ତି ସେ ପୁଣି କାହିଁକି ‘ସମଗ୍ର ରାଜନୀତି ବିଜ୍ଞାନ’ ପାଠର ମିଛ ପ୍ରମାଣପତ୍ର ଦେଖାଇବେ? ବାଡ଼ି ବାଇଗଣ ଫଳାଇବାରେ ନିପୁଣ ବ୍ୟକ୍ତି ଜଣକ ପୋଥି ବାଇଗଣ ଉପୁଜାଇବା ଜ୍ଞାନରେ ନିଜର ବଡ଼ିମା ଦେଖାଇବେ କାହିଁକି? ପ୍ରଧାନମନ୍ତ୍ରୀଙ୍କର ମିଛ ଡିଗ୍ରି ଦାବି କରିବାର ଅପ୍ରାସଙ୍ଗିକତା ଯାହା ଥାଉନା କାହିଁକି ଏ ଆରୋପ ଓ ପ୍ରତ୍ୟାରୋପ ଏବେ ବିଶ୍ୱବିଦ୍ୟାଳୟ, ତଥ୍ୟ କମିଶନ ଇତ୍ୟାଦିର ପରିଧି ଡେଇଁ ଦେଶର ସର୍ବୋଚ୍ଚ ବିଚାରାଳୟରେ ପହଞ୍ଚିସାରିଲାଣି।

Advertisment

ଓଡ଼ିଶାର ଚଳନ୍ତି ବିବାଦ କ୍ଷେତ୍ରରେ ହେଉ କି ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ହେଉ, ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରଟି ପ୍ରତି ମଣିଷର ଦୁର୍ବଳତା ସବୁବେଳେ ରହି ଆସିଛି। ରାଜନୀତିରେ ପ୍ରବେଶ କରିବା ତଥା ଉପରକୁ ଉଠିବା ପାଇଁ କିଛି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଶ୍ରୀମତୀ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପ୍ରଭୃତିଙ୍କ ନାମ ଡିଗ୍ରି ବିବାଦକୁ ଟାଣି ହୋଇଯାଇଛି। ଏଥିରୁ ଜଣାପଡ଼େ ଶିକ୍ଷାଗତ ଯୋଗ୍ୟତାର କେତେ ଆକର୍ଷଣ। ସେଇଥିପାଇଁ ତ ନିଜର ନାଁ ଆଗରେ ଓ ପଛରେ ଯୋଗ୍ୟତାର ଲମ୍ବା ପ୍ରମାଣ ସବୁ ଦର୍ଶାଇବାକୁ ଆମେ ସବୁବେଳେ ସୁଯୋଗ ଉଣ୍ଡୁଥାଉ। ଅବଶ୍ୟ ଏହି ଅଭ୍ୟାସ ପାଇଁ ବେଳେ ବେଳେ ଆମକୁ ଅପଦସ୍ତ ହେବାକୁ ପଡ଼େ।

କଲେଜର ଅଧ୍ୟାପକ ଜଣଙ୍କୁ ବସ୍‌ ଷ୍ଟାଣ୍ଡ ନିକଟସ୍ଥ ସରକାରୀ କ୍ୱାର୍ଟର୍ସଟିଏ ମିଳିଲା। ନୂଆ ଘରକୁ ଆସି ସେ ତାଙ୍କର ପିତ୍ତଳ ତିଆରି ନାମଫଳକଟି ଗେଟ୍‌ ପାଖରେ ଝୁଲେଇଦେଲେ ଯେଉଁଥିରେ ଲେଖାଥିଲା ଡକ୍ଟର ଅମୁକ ଏମ୍‌.ଏସ୍‌ସି., ପିଏଚ.ଡି. ଓଗେର। ପରଦିନ ବଡ଼ି ଭୋର ବେଳେ କିଏ ଜୋରରେ କବାଟ ବାଡ଼ଉଥିବାର ଶୁଣି ଅଧ୍ୟାପକ ମହାଶୟ ଯେତେବେଳେ କବାଟ ଖୋଲିଦେଲେ ଜଣେ କିଏ ବିକଳ ସ୍ୱରରେ ତାଙ୍କୁ ସମ୍ବୋଧନ କରି କହୁଥିଲା, “ଡାକ୍ତରବାବୁ, ରାତି ସାରା ବସ୍‌ରେ ଭୀଷଣ କଷ୍ଟ ପାଇ କୌଣସି ପ୍ରକାରେ ଏଠି ପହଞ୍ଚି ଯାଇଛି, ଏବେ କିଛି ଔଷଧ ଦେଇ ମୋ ଜୀବନ ବଞ୍ଚାନ୍ତୁ।” ଅଧ୍ୟାପକ ମହାଶୟ ବହୁତ କଷ୍ଟରେ ଲୋକଟିକୁ ବୁଝାଇବାକୁ ଲାଗିଲେ ଯେ ସେ ‘ସେ ଡକ୍ଟର’ ନୁହନ୍ତି ଓ ଶେଷରେ ରିକ୍ସାଟିଏ ଡାକି ଲୋକଟିକୁ ଡାକ୍ତରଖାନା ପଠାଇଦେଲେ। ଏମିତି ପର କେତେଦିନ ଯେମିତି ରୋଗୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଲା ଅଧ୍ୟାପକ ମହାଶୟ ବାଧ୍ୟ ହୋଇ ନାମଫଳକରୁ ନିଜ ନାମଟି ଛଡ଼ା ସବୁକିଛି କାଟି ପକାଇଲେ ଓ ସେହି ଦିନ ପରଠୁଁ ଶାନ୍ତିରେ ନିଦ୍ରା ଗଲେ।

ହେଲେ ନାଁର ଉଭୟ ପାର୍ଶ୍ୱରେ ଦୁଇ ଚାରିଟା ବାଘୁଆ ମାନ୍ୟତା କି ସାମର୍ଥ୍ୟର ପ୍ରମାଣ - ସେ ଶିକ୍ଷାଗତ ହେଉ କି ଅନ୍ୟ ଯେ କୌଣସି କ୍ଷେତ୍ରର ହେଉ - ନ ଯୋଡ଼ିଲେ କାହାକୁ ଭଲ ଲାଗେ କହିଲେ? ଆଗରୁ ରାଜାମାନେ ନିଜ ବୀରତ୍ୱ ଓ ରାଜ୍ୟଜୟର ସମ୍ପୂର୍ଣ୍ଣ ଇତିହାସ ଯୋଡ଼ି ଦେଉଥିଲେ ନିଜ ନାଁ ସାଙ୍ଗରେ। ଯେମିତିକି ଆମ ଉତ୍କଳର ମହାରାଜା କପିଳେନ୍ଦ୍ର ଦେବଙ୍କ ‘ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧି। ସେମିତି ଗୋରା ଶାସକ ଦଳ ଏଇ ଉପାଧିର ଗଦ ଶୁଙ୍ଘେଇ ଶୁଙ୍ଘେଇ ଭାରତୀୟ ରାଜାରାଜୁଡ଼ା ଓ ଅନ୍ୟାନ୍ୟ ବଡ଼ବଡ଼ିଆଙ୍କୁ ତାଙ୍କରି ପଟରେ ରଖିପାରିଥିଲେ। ଗୋରା ଦରବାରରୁ ସାର୍ କିମ୍ବା ରାୟ ବହାଦୁର ତଥା ନାଁ ପରେ ଦି ଚାରିଟା ଇଂରାଜୀ ଅକ୍ଷର ପାଇସାରିବା ପରେ ସେହି ଭାରତୀୟ ଉପାଧିଧାରୀ ଗଣ ନିଜକୁ ମଳିମୁଣ୍ଡିଆ ଦେଶବାସୀଙ୍କଠୁଁ ଅଲଗା ପ୍ରଜାତିର ବୋଲି ଭାବୁଥିଲେ। ଚାଲାକ ଇଂରେଜ ପୁଣି ତାଙ୍କ ପ୍ରଦତ୍ତ ଉପାଧିର ଏ ଦେଶବାସୀଙ୍କ ଉପରେ ପ୍ରଭାବ ବୁଝିପାରି ଆନୁଗତ୍ୟ ପ୍ରତିବଦଳରେ ଅଭିନବ ଉପାଧି ଓ ପ୍ରମାଣପତ୍ର ସବୁ ବାଣ୍ଟି ଚାଲିଲେ। ଉଦାହରଣ ସ୍ୱରୂପ କିଛି ବଛା ବଛା ଭାରତୀୟଙ୍କୁ ସରକାରୀ ଦପ୍ତର ଗଲେ ଅଧିକାରୀଙ୍କ ସାମ୍ନାରେ ବସିବାକୁ ଚୌକିଟିଏ ମିଳିବ ବୋଲି ସେମାନଙ୍କୁ “କୁର୍ସୀନସୀନ୍” ସାର୍ଟିଫିକେଟ୍‌ ପ୍ରଦାନ କରି ସମ୍ମାନିତ କରୁଥିଲେ। ଭାରତ ସ୍ୱାଧୀନତା ପାଇବାପରେ ଏସବୁ ଉପାଧିର ବ୍ୟବହାରକୁ ସମ୍ବିଧାନ ରଦ୍ଦ କରିଥିଲା। ଏମିତିକି ପଦ୍ମଶ୍ରୀ, ପଦ୍ମଭୂଷଣ ଇତ୍ୟାଦି ସମ୍ମାନକୁ ମଧ୍ୟ ନାମ ପୂର୍ବରୁ ଉପାଧି ଭଳି ବ୍ୟବହାର କରିବା ଅବୈଧ ଘୋଷିତ ହୋଇଥିଲେ ହେଁ ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପ୍ରାୟତଃ ଦେଖିବାକୁ ମିଳିଥାଏ।

ଶିକ୍ଷାଗତ ଯୋଗ୍ୟତା ପ୍ରତି ସାଧାରଣ ଜନତାର ଅତିଶୟ ଆକର୍ଷଣ ନିମ୍ନୋକ୍ତ ଜନପ୍ରିୟ ହସକଥାଟିରୁ ସ୍ପଷ୍ଟ ହୋଇଥାଏ। ପୁଅଟିଏ ନିଜର ବାହାଘର ପାଇଁ କନ୍ୟା ଦେଖିବାକୁ ବାପାମାଙ୍କ ସାଙ୍ଗରେ ଝିଅ ଘରକୁ ଯାଇଥିଲା। ତା’ର ଭାବୀ ଶ୍ୱଶୁର ଯେତେବେଳେ ତା’ର ପାଠ ବିଷୟରେ ପଚାରିଲେ ପିଲାଟି ବିନା ଦ୍ବିଧାରେ କହିଲା ‘ଏମ.ବି.ବି.ଏସ.’ ସେମିତି ଝିଅଟିକୁ ପଚରାଯିବାରୁ ସେ ତା’ର ଶିକ୍ଷାଗତ ଯୋଗ୍ୟତା ‘ଏମ.ଏ.ବି.ଏଫ.’ ବୋଲି କହିଲା। ଉଭୟ ପକ୍ଷ କାନକୁ ସମ୍ମାନାସ୍ପଦ ଶୁଭୁଥିବା ଏହି ଯୋଗ୍ୟତା ଗୁଡ଼ିକ ଶୁଣି ଆନନ୍ଦିତ ହେଲେ ଓ ବାହାଘର ସୁରୁଖୁରୁରେ ସମ୍ପନ୍ନ ହୋଇଗଲା। ବାହାଘର ପରେ ପୁଅଟି ଯେତେବେଳେ ଝିଅଟିକୁ ତା’ର ‘ଏମ.ଏ.ବି.ଏଫ.’ ଯୋଗ୍ୟତାର ଅର୍ଥ ପଚାରିଲା ଝିଅଟି କହିଲା ‘ମ୍ୟାଟ୍ରିକ ଏପିଆର୍‌ଡ ବାଇଚାନ୍‌ସ ଫେଲଡ୍‌’। ପୁଅଟି ଟିକିଏ ହସି ଉତ୍ତର ଦେଲା, “ଚିନ୍ତା ନାହିଁ ମୋର ‘ଏମ.ବି.ବି.ଏସ.’ର ଅର୍ଥ ‘ମା ବାପାଙ୍କର ବେକାର ସନ୍ତାନ’।” ୟା ପରେ ସେ ଦିହିଁଙ୍କର ଜୀବନ ଭଲ ବୁଝାମଣାର ସହ ଅତିବାହିତ ହେଲା।

କପୋଳକଳ୍ପିତ ହସକଥାଟିର ନିରୀହ ଚରିତ୍ରଦ୍ୱୟ ସିନା ଡିଗ୍ରିର ସମସ୍ୟାକୁ ସୁଧାର ଓ ରସାତ୍ମକ ଢଙ୍ଗରେ ସମାଧାନ କରିଦେଲେ, ହେଲେ ଆଜିର ମଣିଷ ତ ସେତେ ଉଦାର ନୁହେଁ। ଆଜି ଯେତେବେଳେ ନକଲି ବିଶ୍ୱବିଦ୍ୟାଳୟ ଯାହାକୁ ଯେତେ, ସେତେବେଳେ ନକଲି ଡିଗ୍ରିଟିଏ ପାଇଁ ସେ ବାହୁବଳ ଓ ଅର୍ଥବଳ ଉପଯୋଗ କରିବାକୁ ପଛାଇବ କାହିଁକି?

ମୋ: ୯୪୩୭୦୮୯୬୫୫