ପୃଷ୍ଠଭୂମି: ପୂର୍ବରୁ ପ୍ରକାଶିତ ଦୁଇ ଭାଗରେ ଭାରତୀୟ ‘ମିଥ୍‌’ମାନଙ୍କରେ ବର୍ଣ୍ଣିତ ଚରିତ୍ରମାନଙ୍କୁ ସାଂପ୍ରତିକତାର ପ୍ରିଜମ ତଳେ ଦେଖିବାର ପ୍ରୟାସ କରାଯାଇଥିଲା। ଏହି ତୃତୀୟ ତଥା ଅନ୍ତିମ ଭାଗରେ କେତେକ ଭାରତୀୟ ଓ ଗ୍ରୀକ୍‌ ‘ମିଥ୍‌’ର ଚରିତ୍ର ଏବଂ ସେମାନଙ୍କ କାର୍ଯ୍ୟକୁ ଭିନ୍ନ ଢଙ୍ଗରେ ପରିଭାଷିତ କରାଯିବାର ଉଦ୍ୟମ କରାଯାଇଛି।

Advertisment

ଆହୁରି ଦୁଇଟି ଘଟଣା ଉପରେ ଆଲୋକପାତ କରିବା। ତେବେ କେବଳ ଏତିକି ଅନୁରୋଧ ଯେ ମାଧ୍ୟାକର୍ଷଣ ନିୟମ ଓ ଭାଷାର ବ୍ୟାକରଣକୁ ଭୁଲି ଯାଇ ସମସ୍ତଙ୍କୁ କଳ୍ପନାର ପରିସରରେ ପ୍ରବେଶ କରିବାକୁ ହେବ। ଥମାସ ମେର୍ଟନ୍‌ କହି ନ ଥିଲେ କି ‘କଳ୍ପନା ହେଉଛି ଏକ ଆବିଷ୍କାରକାରୀ ଶକ୍ତି, ଯାହା ସମ୍ପର୍କକୁ ଦେଖିବାରେ ଏବଂ ବିଶେଷ ତଥା‌ ନୂତନ ପରିଭାଷା ଖୋଜିବା ଦିଗରେ ସାହାଯ୍ୟ କରେ।’

ଏବେ ପ୍ରସଙ୍ଗକୁ ଆସିବା। ମହାଭାରତର ଶ୍ରୁତଲିଖନ ପାଇଁ ଭଗବାନ ଗଣେଶଙ୍କୁ ବ୍ୟାସଦେବ ଅନୁରୋଧ କରିଥିବା ବିଷୟରେ ଆସନ୍ତୁ କଳ୍ପନା କରିବା। ପ୍ରଭୁ ଗଣେଶ ଏକ ସର୍ତ୍ତ ରଖିଥିଲେ ଯେ ବ୍ୟାସ ଏପରି ଭାବରେ ଡାକିବେ ଯେପରି ତାଙ୍କ (ଗଣେଶଙ୍କ) ଲେଖନୀ ନ ଅଟକେ। ଭିନ୍ନ ଭାବରେ କହିଲେ, ଏଥିରେ କୌଣସି ବିରତି ବା ବିରାମ ରହିବା ଉଚିତ ନୁହେଁ। ବ୍ୟାସଦେବ ମଧ୍ୟ ଅନୁରୂପ ସର୍ତ୍ତ ରଖିଲେ ଯେ ସେ ଯାହା ଡାକିବେ, ଗଣେଶ ତାକୁ ଯେମିତି ଏକା ଥର‌େକ ହୃଦୟଙ୍ଗମ କରି ନିଅନ୍ତି! ଏହି ସର୍ତ୍ତ ଦୁଇଟିର ଅଧୀନରେ କାର୍ଯ୍ୟଟି ସଂପୂର୍ଣ୍ଣ ହୋଇଥିବାରୁ ଉଭୟ ନିଜ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ବୋଲି ବୁଝିବାକୁ ହେବ। ଏବେ ଦେଖିବା, ଆଜିର ପରିସ୍ଥିତିରେ ଏହି କଥାକୁ ଜଣେ କେମିତି ଭାବେ ବୁଝିପାରେ ବା ବ୍ୟାଖ୍ୟା କରିପାରେ!

ମୁଁ ଏ ସମଗ୍ର ପ୍ରକରଣକୁ ଦାମ୍ଭିକତା ନୁହେଁ, ବରଂ ବିନମ୍ରତାର ପ୍ରଦର୍ଶନ ବୋଲି ବୁଝେ। ଏଥିରେ କୌଣସି ‘ମୁଁ’ କିମ୍ବା ‘ମୁଁ-କାର’ ଭଳି ଅହମିକା ନାହିଁ। ଉଭୟ ପ୍ରାଜ୍ଞ ଓ ମହାନ୍‌ ଏବଂ ସେମାନେ ଜାଣିଥିଲେ ଯେ ଏକ ମହନୀୟ ଉଦ୍ଦେଶ୍ୟ ପାଇଁ ଏକ ମହାନ୍‌ ମାନବୀୟ କାହାଣୀର ରଚନା କରାଯାଇଥାଏ। ତେଣୁ ଉଭୟେ ପରସ୍ପରର ସର୍ତ୍ତକୁ ଗ୍ରହଣ କରି ବିନମ୍ରତାର ପରିଚୟ ଦେଲେ। ଟେଡ୍‌ ଟର୍ଣ୍ଣର କହିଥିଲେ- ‘ମୋର ଯଦି ସାମାନ୍ୟ ନମ୍ରତା ଥାଆନ୍ତା, ତେବେ ମୁଁ ସଂପୂର୍ଣ୍ଣ ହୋଇଯାଇଥା’ନ୍ତି।’ ଅର୍ଥାତ୍‌ ଜଣେ ବ୍ୟକ୍ତି ଯେତେ ଗୁଣୀ ଓ ଗରିମାଯୁକ୍ତ ହେଲେ ବି ବିନମ୍ରତା ନ ଥିଲେ‌ ସେ ଅସଂପୂର୍ଣ୍ଣ। ଉଭୟ ଗଣେଶ ଓ ବ୍ୟାସଙ୍କ କ୍ଷେତ୍ରରେ ଏହି ବିନମ୍ରତା ହିଁ ମର୍ମସ୍ପର୍ଶୀ।
ଏହାକୁ ଆଉ ଏକ ପ୍ରକାରେ କଳ୍ପନା କରିହେବ। ବିଜ୍ଞ ବ୍ୟକ୍ତି ଭୁଲ୍‌ କରନ୍ତି ବୋଲି ନିଜେ ଜାଣନ୍ତି ଏବଂ ସ୍ବୀକାର ମଧ୍ୟ କରନ୍ତି। ବ୍ୟାସଦେବ ନିଶ୍ଚିତ ଥିଲେ ଯେ ପ୍ରଭୁ ଗଣେଶ ଥରେ ଅର୍ଥ ବୁଝିଗଲେ ଲେଖା‌େର ଆଦୌ ତ୍ରୁଟି ରହିବ ନାହିଁ।

ପ୍ରଭୁ ଗଣେଶ ସଂଶ୍ଳିଷ୍ଟ ଥିବା ଆଉ ଏକ ଘଟଣା ବର୍ଣ୍ଣନା କରୁଛି। ଭଗବାନ ଗଣେଶ ଓ ତାଙ୍କ ଜ୍ୟେଷ୍ଠ ଭ୍ରାତା କାର୍ତ୍ତିକେୟଙ୍କ ଭିତରେ ଗୋଟିଏ ବିଷୟ ନେଇ ଏକ ପ୍ରତିଯୋଗିତା ହେଲା - କିଏ ପ୍ରଥମେ ପୃଥିବୀ ପରିକ୍ରମା କରି ଆସିପାରିବ। ତହିଁରେ ଜିତିବା ଲାଗି କାର୍ତ୍ତିକେୟ ଉପଲବ୍‌ଧ ଥିବା ସମସ୍ତ ତଥ୍ୟ ସଂଗ୍ରହ କଲେ; ପୃଥିବୀର ଭୂଗୋଳ ବିଷୟରେ ଜାଣିଲେ; ନିଜ ବାହନ ଉପରେ ତାଙ୍କର ଅଗାଧ ବିଶ୍ବାସ ଥିଲା; ସୁତରାଂ, ସେ ସମଗ୍ର ପୃଥିବୀ ପରିଭ୍ରମଣ କରିବାକୁ ବାହାରି ପଡ଼ିଲେ। ଅପରପକ୍ଷେ, ଭଗବାନ ଗଣେଶ ନିଜ ଅନ୍ତଃଜ୍ଞାନର ଉପଯୋଗ କଲେ; ସେ ଚିନ୍ତା କଲେ ଯେ ତାଙ୍କ ପିତା-ମାତା ଭଗବାନ ଶିବ ଓ ଦେବୀ ପାର୍ବତୀ ହିଁ ହେଉଛନ୍ତି ବିଶ୍ବର ସ୍ରଷ୍ଟା, ସୁତରାଂ, ସେମାନେ ହିଁ ବିଶ୍ବ। ତେଣୁ ସେ କ୍ଷଣିକ ଭିତରେ ସେମାନଙ୍କ ଚାରିପଟେ ଘୂରି ଆସିଲେ। ଆସନ୍ତୁ, ଆମେ ଏହାକୁ ସାଂପ୍ରତିକ ଦୃଷ୍ଟିଭଙ୍ଗୀରେ ବ୍ୟାଖ୍ୟା କରିବା।

ଆଧୁନିକ ଯୁବପିଢ଼ି କହିପାରନ୍ତି ଯେ କାର୍ତ୍ତିକେୟ ସୂଚନା ପ୍ରଯୁକ୍ତି ଅନ୍ତର୍ଗତ ‘ଡିଜିଟାଲ ଡାଟାବେସ୍‌’କୁ ବ୍ୟବହାର କଲା ଭଳି ଉଦ୍ୟମ କରିଥିବା ବେଳେ ଗଣନାଥ ମଣିଷର ଜ୍ଞାନକୁ ଉପଜୀବ୍ୟ କରିଥିଲେ। କାର୍ତ୍ତକେୟଙ୍କ ବୁଦ୍ଧିକୁ ହୁଏ’ତ ‘କୃତ୍ରିମ ବୁଦ୍ଧିମତ୍ତା’ ଓ ଗଣେଶଙ୍କ ବୁଦ୍ଧିକୁ ‘ମୌଳିକ ବୁଦ୍ଧିମତ୍ତା’ ରୂପେ ଦେଖାଯାଇପାରିବ। ଭଗବାନ ଗଣେଶ ନିଜର ‘ମୌଳିକ ବୁଦ୍ଧିମତ୍ତା’ ଉପଯୋଗ କରି ବିଜୟୀ ହୋଇଥିବାରୁ ମୋର ନିଷ୍କର୍ଷ ହେଲା- କଳ୍ପନା କରିବାର ଦିଗନ୍ତ ବିସ୍ତାରୀ କ୍ଷମତା ସର୍ବଦା ‘ମୌଳିକ ବୁଦ୍ଧି’କୁ ‘କୃତ୍ରିମ ବୁଦ୍ଧିମତ୍ତା’ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ସାହାଯ୍ୟ କରିବ। ମାନବ ଜାତି ‘କୃତ୍ରିମ ବୁଦ୍ଧିମତ୍ତା’କୁ ଏକ ଉପକରଣ ଭାବେ ବ୍ୟବହାର କରିବା ଉଚିତ; ତାହାକୁ ମୁନିବରେ ପରିଣତ କରିବା ଆଦୌ ଠିକ୍‌ ହେବନାହିଁ।

ଏବେ ଦେଶ ବାହାରର ‘ମିଥ୍’ ନିକଟକୁ ଯିବା। ଗ୍ରୀକ୍‌ମାନଙ୍କ ପାଖରେ ରହିଛି ବିଶ୍ବ ସାହିତ୍ୟକୁ ସମୃଦ୍ଧ କରିଥିବା ଭଳି ‘ମିଥ୍‌’ ହୋମରଙ୍କ ‘ଇଲିଆଡ୍‌’, ଯହିଁରେ ଥିବା ସିସିଫସ ନାମକ ଚରିତ୍ର ନିଜ କୃତକର୍ମ ପାଇଁ ଶାପଗ୍ରସ୍ତ ହୋଇଥିଲା; ଯହିଁରେ ଅଭିଶାପଟି ଥିଲା ଯେ ସେ ଏକ ଭାରୀ ପଥରକୁ ଏକ ପାହାଡ଼ ଉପରକୁ ଠେଲି ଠେଲି ଉଠାଇବେ, ଯାହା ପାହାଡ଼ର ଚୂଡ଼ାରେ ପହଞ୍ଚିବା ପରେ ପୁଣି ଆପେ ତଳକୁ ଗଡ଼ି ଆସିବ ଏବଂ ସିସିଫସ ପୁନର୍ବାର ବିଶାଳ ପଥରଟିକୁ ଉପରକୁ ନେବେ ଏବଂ ଏଭଳି ପଥର ଉଠାଇବା ଏବଂ ତାହା ଗଡ଼ି ଆସିବାର ଚକ୍ର ଅନନ୍ତ କାଳ ଧରି ଚାଲିବ।

ଏଠାରେ ସ୍ପଷ୍ଟ କରିବାକୁ ଚାହେ ଯେ, ଏହି ମିଥ୍‌ରେ ବର୍ଣ୍ଣିତ ‘ନିଷ୍ଫଳ ଉଦ୍ୟମ’ର ସଂପର୍କ ଜୀବନ ଓ ଅସ୍ତିତ୍ବ ସହିତ ରହିଛି। ଜୀବନର ପ୍ରିଜିମ୍‌ ଦେଇ ଦେଖିଲେ ଏହାର ଅନେକ ଅର୍ଥ ମିଳେ। କିଛି ଲୋକ ଏହାକୁ ଅସ୍ତିତ୍ବବାଦର ପ୍ରତୀକ ରୂପେ ଗ୍ରହଣ କରନ୍ତି; କିଛି ଲୋକ ନୈରାଶ୍ୟବାଦର ପ୍ରକାଶ ଭାବେ ବିବେଚନା କରନ୍ତି ଏବଂ କିଛି ଲୋକ ସଂପୂର୍ଣ୍ଣ ଭିନ୍ନ ଭାବରେ ସିସିଫସର ମୁହଁରେ ସ୍ମିତହାସ୍ୟ ଯୋଡ଼ି ଆଶାବାଦର ଗୀତ ଗାଆନ୍ତି।

ସିସିଫସ ଥିଲା ଅଭିଶପ୍ତ। ଏହି ବିରତିହୀନ କାର୍ଯ୍ୟରୁ ସେ କୌଣସି ଉପଲବ୍‌ଧି ହାସଲ କରୁନଥିଲା, ଏହା ପଛରେ କୌଣସି ଉଦ୍ଦେଶ୍ୟ ନ ଥିଲା କି ତା’ ଜୀବନର କୌଣସି ଅର୍ଥ ମଧ୍ୟ ନ ଥିଲା। ସେ ମରି ବି ପାରୁନଥିଲା। ସିସିଫସ ଜୀବନକୁ ପ୍ରତୀକାତ୍ମକ କରିଥାଏ। ସମୟ ନିଷ୍ଠୁର ହୋଇପାରେ, ମାତ୍ର ଜୀବନରେ ମାର୍ମିକ ତଥା ଜୀବନ୍ତ କ୍ଷଣମାନ ବର୍ଷ, ମାସ, ଦିନ, ଦଣ୍ଡରେ ଭରପୂର ଥାଆନ୍ତି। ଦୈନନ୍ଦିନ ଜୀବନର ପ୍ରତି କ୍ଷଣ‌େର ନୂତନତ୍ବ ଅନୁଭବ କରିବାର ସାମର୍ଥ୍ୟ ମନୁଷ୍ୟର ରହିଛି; ତାହା ହିଁ ହେଉଛି ସଫଳତା। ଗୋଟିଏ କାହାଣୀର କିଭଳି ବହୁ ପ୍ରସ୍ଥୀ ଚିନ୍ତାର ପରିପ୍ରକାଶ ଘଟିଥାଏ, ସିସିଫସଙ୍କ ମିଥ୍‌ ହେଉଛି ତାହାର ଏକ ଉଦାହରଣ।

ଗ୍ରୀକ୍‌ ପୁରାଣର ଅନ୍ୟ ଏକ ‘ମିଥ୍‌’ ରହିଛି, ଯାହାର ମନୋବିଶ୍ଳେଷଣାତ୍ମକ ଦୃଷ୍ଟିକୋଣ ତା’କୁ ଏକ ବିଶେଷ ଅର୍ଥ ପ୍ରଦାନ କରିଥାଏ। ମିଥ୍‌ଟି ହେଲା ଏହିପରି: ଦୁନିଆର ସୌନ୍ଦର୍ଯ୍ୟରେ ସନ୍ତୁଷ୍ଟ ନ ହୋଇ ଶିଳ୍ପୀ ପିଗମାଲିଅନ୍‌ ଏକ ସୁନ୍ଦର ପ୍ରତିମା ନିର୍ମାଣ କଲେ। ତହିଁରେ ଜୀବନ ପ୍ରଦାନ କରିବାକୁ ପିଗମାଲିଅନ ଦେବୀ ଭେନସଙ୍କୁ ପ୍ରାର୍ଥନା କରିବାରୁ ଦେବୀ ତହିଁରେ ଜୀବନ୍ୟାସ କଲେ ଓ ପିଗମାଲିଅନ୍‌ ଉକ୍ତ ସୁନ୍ଦର ମୂର୍ତ୍ତିକୁ ବିବାହ କଲେ। ସେହି ଦୃଷ୍ଟିରୁ ପିଗମାଲିଅନ୍‌ ଜଣେ ଅଭିନିବିଷ୍ଟ ଓ ପ୍ରାପ୍ତବୟସ୍କ ବ୍ୟକ୍ତି ଥିଲେ ଯିଏ ପ୍ରାପ୍ତି ପାଇଁ ଅନ୍ବେଷଣକୁ ମାନବୀୟ କ୍ଷମତା ଠାରୁ ଅନେକ ଅଧିକ ଉଚ୍ଚରେ ରଖିଥିଲେ। କାହାଣୀର ସୁନ୍ଦରତା ହେଉଛି ଏହା ଯେ ସେ ପ୍ରତିମାଟିଏ ସିନା ସୃଷ୍ଟି କରି ପାରିଲେ, କିନ୍ତୁ ତହିଁରେ ଜୀବନ ପ୍ରବେଶ କରାଇ ପାରିଲେ ନାହିଁ।

ସତ କହିଲେ, ପ୍ରକୃତ ସୃଜନଶୀଳ ଶକ୍ତି ହିଁ କେବଳ ଜୀବନ ପ୍ରଦାନ କରିପାରେ। ପିଗମାଲିଅନ ସଂଶୟଗ୍ରସ୍ତ ଥିଲେ। ତେଣୁ ସେ ସଂସାରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ପାରୁନଥିଲେ। ମୂର୍ତ୍ତିଟିଏ ଗଢ଼ି ପାରିଥିଲେ, କିନ୍ତୁ ଜୀବନ୍ୟାସ ଲାଗି ଦେବୀଙ୍କୁ ପ୍ରାର୍ଥନା କରିବାକୁ ହେଲା। ତାଙ୍କ ଚିନ୍ତାଧାରାରେ ଦ୍ବନ୍ଦ୍ବ ରହିଥିଲା। ତାଙ୍କ ଭିତରେ ମୁଁ ଏକ ବିଷର୍ଣ୍ଣ-ହାସ୍ୟାତ୍ମକ ଚରିତ୍ରକୁ ଦେଖିଥାଏ, ଯିଏ ତାହାର ସୃଜନାତ୍ମକ ଆତ୍ମାକୁ ଅନ୍ବେଷଣ କରିବାରେ ଲାଗିଛି। ଅନ୍ୟ ଏକ ଦିଗରୁ ଦେଖିଲେ, ପିଗମାଲିଅନ୍‌ ମହିଳାମାନଙ୍କ ପ୍ରତି ନ୍ୟୂନ ଦୃଷ୍ଟିରେ ଦେଖୁଥିବା ଭଳି ମନେହୁଏ। ଆଧୁନିକ ପୃଥିବୀରେ ହୁଏ’ତ ତାଙ୍କୁ ଲିଙ୍ଗଗତ ସମ୍ବେଦନଶୀଳତା ନ ଥିବା ବ୍ୟକ୍ତି ଭାବେ ବିବେଚନା କରାଯାଇପାରେ। ଲାଗୁଛି ଯେମିତି, ସୁନ୍ଦର ପତ୍ନୀଙ୍କୁ ପିଗମାଲିଅନ୍‌ ଏକ ସୌଖୀନ ସ୍ମାରକୀ ଭାବେ ପ୍ରତିପାଦନ କରିବାକୁ ଚାହୁଥିଲେ; ଯାହା ଅତ୍ୟନ୍ତ କରୁଣ ଏବଂ ବିକୃତ ମନସ୍ତତ୍ତ୍ବର ପରିଚାୟକ ମଧ୍ୟ।

ଉପସଂହାରରେ ସଂପୂର୍ଣ୍ଣ ବିନମ୍ରତାର ସହ ମୁଁ ସ୍ବୀକାର କରୁଛି ଯେ ଅତୀତର ଆବେଗ ସହିତ ଅନନ୍ତ କାଳକୁ ଯୋଡ଼ିବା ପାଇଁ ମୁଁ ପ୍ରେରିତ ହୋଇ ଏଭଳି ଉଦ୍ୟମଟିଏ କରିଛି। ଶ୍ରଦ୍ଧାର ସହ ଏଠାରେ ୨୦୨୦ ନୋବେଲ ପୁରସ୍କାର ବିଜୟିନୀ ଲୁଇ ଗ୍ଳକ୍‌ଙ୍କ କିଛି ପଂକ୍ତିକୁ ମନେ ପକାଉଛି :
‘ତେବେ ହଠାତ୍‌ ସୂର୍ଯ୍ୟ ଉଦିତ ହେଲେ
ଏବଂ ସମୟ ଗଡ଼ି ଚାଲିଲା,
ଏପରିକି ପ୍ରାୟ କେହି ନ ଥିବା ବେଳେ;
ଯାହା ହୃଦ୍‌ବୋଧ ହେଲା, ତାହା ମନେ ରହିଲା
ଏବଂ ଯାହା ମନେ ରହିଲା, ତାହା ହିଁ ହୃଦ୍‌ବୋଧ ହେଲା।’

ସତ କହିବାକୁ ଗଲେ ମୁଁ ମୋ’ ନିଜ ଢଙ୍ଗରେ ଚରିତ୍ରମାନଙ୍କ ସହ କିଛି ସମୟ ବିତାଇଛି ଏବଂ ଆପଣମାନଙ୍କ ସହିତ କଥା ହେବା ପାଇଁ ସେମାନଙ୍କ ଠାରୁ ଅନୁମତି ନେଇଛି। ଆପଣମାନେ ହିଁ ଏହି ‘ମିଥ୍‌’ ସବୁର ବାସ୍ତବ ଅନୁଧ୍ୟାନ କରିପାରିବେ।

[email protected]