ପ୍ରାୟ ପଚାଶ ବର୍ଷ ତ‌େଳ ସେ ଦିନ ସାକ୍ଷାତକାର ନେଲା ବେଳେ ମହାନ ଗଦ୍ୟ ସ୍ରଷ୍ଟା ଗୋପୀନାଥ ମହାନ୍ତି ସ୍ମୃତି ଚାରଣ କ‌େଲ- ‘କୋଉଠୁ ଆରମ୍ଭ କରିବି, କ’ଣ କହିବି...? କେତେ କେତେ କଥା ମନକୁ ଆସୁଚି-ଛାଇ ପରି ଲୁଚି ଯାଉଚି। ...ଜନ୍ମ ୧୯୧୪ ଅପ୍ରେଲ ୨୦, ବୈଶାଖ କୃଷ୍ଣପକ୍ଷ। ସରକାରୀ ଜନ୍ମ ତାରିଖ ୧୯୧୪ ଅପ୍ରେଲ ପହିଲା। ...ହଁ, ମତେ ନ’ବର୍ଷ ଚାଲିଲାଣି ସେତେବେଳକୁ। ପାଠ ପଢ଼ାପଢ଼ିରେ ମୋଟେ ମନ ନ ଥାଏ। ଗାଁ ଟୋକାଙ୍କ ସାଙ୍ଗରେ ସକାଳୁ ସଞ୍ଜଯାଏ ଦାଣ୍ଡିଆ ମାରି ବୁଲେ। ମହା ଆନନ୍ଦ, ବହୁ ଖୁସି। ଥରେ କାହ୍ନୁ ଭାଇ ଗାଁକୁ ଆସିଲେ କଟକରୁ। ଉଦୁଉଦିଆ ଖରା ବେଳଟାରେ ତାଙ୍କ ହାବୁଡ଼ରେ ପଡ଼ିଲି। ଆଖିବୁଜା ବାଡ଼େଇଲେ। କାନ ଭିଡ଼ି ଭିଡ଼ି ଆଣିଲେ ବାପାଙ୍କ ପାଖକୁ। ‘ଏଟା ନଷ୍ଟ ହୋଇଗଲା ବାପା।’

Advertisment

ସ୍ନେହ ପ୍ରବଣ ଭଗବତପ୍ରେମୀ ବାପା ସ୍ଥିର ଦୃଷ୍ଟିରେ କିଛି କ୍ଷଣ ଚାହିଁଲେ କୋଳପୋଛା ପୁଅ ଗୋପୀନାଥକୁ। ତା’ପରେ ଦୀର୍ଘ ନିଶ୍ବାସ ପକେଇ କହିଲେ, ‘‘ତାକୁ ଛାଡ଼ିଦେ, ମାରି କି ଲାଭ! ସେ ପାଠ ନ ପଢୁ। ସେ ହଳ କରିବ-ମାଟି ହାଣିବ। ସକାଳୁ ପଖାଳ କଂସେ ଖାଇ ବିଲକୁ ଯିବ। ଖରା ବେଳକୁ ଲେଉଟିଲେ ଭାଉଜମାନେ ମୂଲିଆକୁ ଦେଲା ପରି କଂସାଏ ପଖାଳ, ଶାଗ ମେଞ୍ଚାଏ, ଲୁଣ ଦି’ଟା ତା ଆଗରେ ଥୋଇଦେବେ। ...ସେ ସେଇ କାମ କରିବ...।’’

ବାପାଙ୍କ କଥାଗୁରା ନିଆଁଖୁଣ୍ଟା ଗେଂଜିଲା ପରି ଗୋପୀନାଥଙ୍କ ଦେହରେ ଗଳିଗଲା। ମନ ଭାରି ଖରାପ ହୋଇଗଲା। କିଛି ଭଲ ଲାଗିଲା ନାହିଁ। ମନେ ମନେ ବହୁତ ଚିନ୍ତିଲେ। ଦିନେ ନିର୍ଧୂମ୍‌ ଖରାବେଳେ ଖାଇପିଇ ସମସ୍ତେ ଶୋଇଛନ୍ତି- କାହାରିକି କିଛି ନ କହି ଘର ଛାଡ଼ି ଏକା ମୁହାଁ ପଳେଇ ଆସିଲେ କଟକ। ମନରେ ପ୍ରତିଜ୍ଞା ମୁଁ ପାଠ ପଢ଼ିବି। ଯଦୁ ଭାଇ, କାହ୍ନୁ ଭାଇ କଟକ ସାମନ୍ତ ହଷ୍ଟେଲରେ ରହି ପ୍ୟାରୀ‌େମାହନ ଏକାଡେମୀରେ ପଢୁଥାନ୍ତି। ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଦି’ ଦିନ କଟକରେ ରହିଲେ। ମାଷ୍ଟ୍ରଙ୍କୁ କହି କ୍ଲାସ୍‌ରେ ମଧ୍ୟ ବସିଲେ। ତା’ପରେ ତାଙ୍କ ଗାଁରୁ ଦୁଧ ବିକି ଯାଉଥିବା ‌ଗଉଡ଼ଙ୍କ ସାଙ୍ଗରେ ଫେରିଆସିଲେ ଗାଁକୁ।

‘ପାଠ ପଢ଼ିବାକୁ ଘରଛାଡ଼ି ପଳେଇଥିଲା ନ’ ବର୍ଷର ପୁଅ। ସାହାରା ନ ପାଇ ପୁଣି ଫେରି ଆସିଲା। ମୁହଁ ସଞ୍ଜବେଳେ ସାଢ଼େ ପାଞ୍ଚ କୋଶ ବାଟ ପାଦରେ ଚାଲି ଭଙ୍ଗା ମନରେ ଘରକୁ ଫେରିଚି କଳାମାଣିକ। ଛାତି ଭିତରେ କୋହ ଉଠିଲା ବାପାଙ୍କର। ସମ୍ବଳ ନାହିଁ ସବା ସାନ ପୁଅର ପଢ଼ା ଖର୍ଚ୍ଚ ଯୋଗାଇବାକୁ। ସିଧାସଳଖ ପୁଅ ମୁହଁକୁ ଚାହିଁ କଥା ପଦେ ମଧ୍ୟ ପଚାରି ପାରିଲେ ନାହିଁ। ଦୀର୍ଘନିଶ୍ବାସ ଛାଡ଼ି ଗମ୍ଭୀର ହୋଇ ଦାଣ୍ଡ ପିଣ୍ଡାରେ ବସି ରହିଲେ ଅନେକ ରାତିଯାଏ।

ପରଦିନ ବଡ଼ି ଭୋରୁ ବାପା ବାହାରିଗଲେ। ଅଣଷଠି ବର୍ଷ ବୟସ। ଭଗ୍ନ ସ୍ବାସ୍ଥ୍ୟ। ତଥାପି ଚାକିରି ଖୋଜି ବାପା କଟକ ବାହାରିଗଲେ। ଯେମିତି ହେଉ ପୁଅ ପାଠ ପଢ଼ିବ। କଟକରେ ଭେଟ ହେଲା ଦର୍ପଣି ଇଷ୍ଟେଟର ଦେୱାନ କୃଷ୍ଣ ନନ୍ଦ। ଚାକିରି ମିଳିଗଲା। ମହାବିନାୟକ ମନ୍ଦିର ମରାମତି କାମ ପାଇଁ ଦର୍ପଣିରେ ବାପା ଓଭରସିଅର ନିଯୁକ୍ତି ହେଲେ। ସାଙ୍ଗରେ ଗୋପୀନାଥ ମଧ୍ୟ ଦର୍ପଣି ଗଲେ ସେଇଠି ଅଙ୍କ ଓ ଓଡ଼ିଆ ପଢ଼ାର ମୂଳଦୁଆ ପଡ଼ିଲା ବାପାଙ୍କ ତତ୍ତ୍ବାବଧାନରେ। ମାସ ତିନି ଚାରିଟା ଯାଇଛି କି ନାହିଁ ପୁଣି ଗୋପୀନାଥ ଘରକୁ ଫେରି ଆସିଲେ। ବାପା ସ୍ବାଧୀନଚେତା ମଣିଷ। ଯା’ ବୁଝନ୍ତି କରନ୍ତି। କ’ଣ ହେଲା କେଜାଣି ପୁଅକୁ ପଠେଇ ଦେଇ ନିଜେ ଚାକିରି ଛାଡ଼ି ଚାଲିଗଲେ ପୁରୀ।

ପୁରୀରେ ସୋନପୁର ରାଜସାହେବଙ୍କ ସହିତ ଦେଖା ହେଲା। ସୋନପୁର ଇଷ୍ଟେଟରେ ସୂର୍ଯ୍ୟମଣି ବାବୁ ପୂର୍ବରୁ ଚାକିରି କରିଥିଲେ। ମଝିଆ‌ଁ ପୁଅ କାହ୍ନୁଚରଣଙ୍କ ଜନ୍ମ ସେଇ ସୋନପୁରରେ। ସ୍ବଇଚ୍ଛାରେ ଚାକିରିରୁ ଇସ୍ତଫା ଦେଇ ସେ ନାଗବାଲି ଫେରି ଆସିଥିଲେ। ରାଜାଙ୍କ ସହିତ ସମ୍ପର୍କ କିନ୍ତୁ ଭଲ ଥିଲା। ସୋନପୁରର ମାୟା ବନ୍ଧନ ତ ସହଜେ ଥିଲା, ତା’ଉପରେ ପୁଣି ପୁଅର ଜିଜ୍ଞାସୁ ଆଖି ଯୋଡ଼ିକ-‘ମୁଁ ପାଠ ପଢ଼ିବି।’ ସୋନପୁର ଇଷ୍ଟେଟରେ ପୂର୍ତ୍ତ ବିଭାଗ ପରିଦର୍ଶକ ହିସାବରେ ନିଯୁକ୍ତି ପ୍ରସ୍ତାବକୁ ସୂର୍ଯ୍ୟମଣି ବାବୁ ଗ୍ରହଣ କରିନେଲେ। ଗୋପୀନାଥଙ୍କର ପାଠପଢ଼ା ପାଇଁ ସୋନପୁର ପ୍ରକୃଷ୍ଟ ସ୍ଥାନ।

ସୋନପୁର ଯିବା ପୂର୍ବରୁ ପୁରୀରେ ଜଗନ୍ନାଥ ଦର୍ଶନ ସାରି ବାପ ପୁଅ ଆସିଲେ ସମୁଦ୍ର କୂଳକୁ। ବେଳାଭୂମିରେ ମଥା ପିଟୁଛି ମହୋଦଧିର ଉତ୍ତାଳ ତରଙ୍ଗମାଳା। ଗୋଧୂଳିର ରକ୍ତ ରାଗରେ ବିମଣ୍ଡିତ ବାରୁଣୀ ଗଗନ। ଆଖି ପାଉନାହିଁ। କାହିଁ କେତେ ଦୂର। ମାଟି ଆକାଶ, ଶାନ୍ତ ଅଶାନ୍ତ, ଲୟ ବିଲୟ ସବୁ ଏକାକାର! ଉଦାସୀ ପିତା, ଜିଜ୍ଞାସୁ ପୁତ୍ର, ଉଭୟ ତନ୍ମୟ। ହଠାତ୍‌ ବଡ଼ ଗୋଟାଏ ସମୁଦ୍ର ଲହରି ପାଦ ଉପରକୁ ମାଡ଼ି ଆସି ଫେରିଗଲା। ଚକଚକିଆ ହଳଦୀ ରଙ୍ଗର କାଠ ଖଣ୍ଡିଏ ପାଦ ପାଖରୁ ତୋଳି ଆଣିଲେ ବାପା। କାଠି ନୁହେଁ, କୋହିନୂର ପେନ୍‌ସିଲଟିଏ। ବାପାଙ୍କ ମୁହଁ ଆନନ୍ଦରେ ଉଜ୍ଜ୍ବଳ ହୋଇଉଠିଲା। ପୁଅ ହାତକୁ ପେନ୍‌ସିଲଟି ବଢ଼େଇ ଦେଇ କହିଲେ, ‘ନେ-ଏଥର ତୋର ଅସଲ ବିଦ୍ୟାରମ୍ଭ ହେଲା। ସାଗର ଦେବତା ଏ ପେନ୍‌ସିଲଟି ତତେ ଉପହାର ଦେଇଛନ୍ତି।’

ଜନ୍ମଦିନ ଅବସରରେ