ସନ୍ଥ ଜୁନୈଦ ଏକ ଅପରିଚିତ ଜନବସତିରେ କୌଣସି ଠାରେ ଆଶ୍ରୟ ପାଇଲେ ନାହିଁ। ଜଣେ ଚୋର ତାଙ୍କୁ ଆଶ୍ରୟ େଦଲା। ତେବେ, ସେ କହିଲା- ମୁଁ ପକ୍କା ଚୋର। ତୁମ ଭଳି ଫକିରଙ୍କ ସହିତ ରହିଲେ ମୁଁ ବଦଳି ଯିବି ନାହିଁ। ତୁମେ କିନ୍ତୁ ପକ୍କା ଫକିର ନା କଞ୍ଚା ଫକିର ମୁଁ ଜାଣେନା। ସେ କଥା ବିଚାର କରି ମୋ’ ସହିତ ରହ। ତା’ ନ ହେଲେ ତୁମେ ବଦଳି ଯାଇପାର!
ଜୁନୈଦଙ୍କ ପାଇଁ ଏହା ଥିଲା ଏକ ଆହ୍ବାନତୁଲ୍ୟ। ସେ ଚୋର ସହିତ ଅନେକ ଦିନ ରହିଲେ। କାରଣ ସେ ମଧ୍ୟ ପ୍ରମାଣ କରିବାକୁ ଚାହୁଁଥିଲେ ଯେ େସ ଜଣେ ପକ୍କା ଫକିର ବା ବୈରାଗୀ ସାଧୁ।
ଜୁନୈଦ ସେହି ଚୋରକୁ ନିଜର ଜଣେ ଗୁରୁର ଆସନ ଦେଇଥିଲେ। ଚୋର ଜଣକ ଥିଲା ବିଚିତ୍ର। ପ୍ରତି ଦିନ ରାଜ ଉଆସରୁ ଚୋରି କରିବ ବୋଲି ବାହାରି ଯାଉଥିଲା, ଅଥଚ ବିଫଳ ମନୋରଥ ହୋଇ ଫେରୁଥିଲା। ହେଲେ, ତା’ ଆଖିରୁ ଆଶାର ଚମକ ହଟୁ ନ ଥିଲା। ସେ କହୁଥିଲା, ଆଜି ନ ହେଲା ନାହିଁ, କାଲି ନିଶ୍ଚୟ ସଫଳ ହେବି।
ଜୁନୈଦ ଯେତେବେଳେ ତାଙ୍କ ସାଧନାରେ ମଗ୍ନ ରହି ପରମ ଜ୍ଞାନ ପାଇ ପାରିଲେ ନାହିଁ, ସେ ଦିନେ ଭାବିଲେ ଆଜି ଶେଷ ପ୍ରଚେଷ୍ଟା। ଆଜି ନ ହେଲେ ଆଉ ନୁହେଁ। ସେତିକି ବେଳେ ସେହି ଚୋରର ଚେହେରା ତାଙ୍କ ମନରେ ଭାସି ଉଠିଲା, ଯିଏ କେବେ ହେଲେ ଆଜି ଶେଷ ପ୍ରଚେଷ୍ଟା େବାଲି କହି ନ ଥିଲା।
ଜୁନୈଦ ପୁଣି ସାଧନାରେ ବସିଲେ। ଆଉ ଶେଷ ପ୍ରୟାସ ବୋଲି କିଛି ନ ଥିଲା। ଯେଉଁ ଦିନ ପରମ ଉପଲବ୍ଧି ହେବ ତାହା ହିଁ ହେବ ଶେଷ ଦିନ। ଜୁନୈଦ ପରିଶେଷରେ ପରମ ଜ୍ଞାନ ପ୍ରାପ୍ତ ହେଲେ।