ଗଣତନ୍ତ୍ରରେ ସାଧାରଣ ଜନତା ସ୍ବାଧୀନ ଭାବରେ କେବଳ ନିଜର ପ୍ରିୟ ସରକାରଙ୍କୁ ନିର୍ବାଚିତ କରିନଥା’ନ୍ତି, ସେମାନେ ବାକ୍ ସ୍ବାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଆୟୋଜନର ସ୍ବାଧୀନତା ଓ ଧାର୍ମିକ ସ୍ବାଧୀନତା ପରି ଅନ୍ୟାନ୍ୟ ସ୍ବାଧୀନତା ମଧ୍ୟ ଉପଭୋଗ କରିଥା’ନ୍ତି। ସେମାନଙ୍କ ନିର୍ବାଚିତ ସରକାର ସାମ୍ବିଧାନିକ ଶପଥ ପାଠ ଦ୍ବାରା ସେମାନଙ୍କୁ ଅନ୍ୟାନ୍ୟ ସ୍ବାଧୀନତା ଉପଭୋଗ କରିବାର ନିଶ୍ଚିତତା ପ୍ରଦାନ କରିବାକୁ ବାଧ୍ୟ।
ତେବେ ସମ୍ପ୍ରତି କିଛି ବର୍ଷ ହେଲା ଅନେକ ଘଟଣାରେ ମୋଦୀ ସରକାର ଅନ୍ୟ ସ୍ବାଧୀନତାଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଶାନ୍ତିପୂର୍ଣ୍ଣ ସଭା ବା ସମାବେଶକୁ ବାରଣ କରାଯାଇଛି। ଇସଲାମ୍ ବା ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କର ପସନ୍ଦ ବିଶେଷ କରି କୌଣସି ବଳ, ପ୍ରତାରଣା କିମ୍ବା ପ୍ରଲୋଭନ ଦ୍ବାରା ପ୍ରଭାବିତ ହୋଇଥିବା ଅନୁମାନ କରି ସେମାନଙ୍କୁ ଉତ୍ପୀଡ଼ନର ଶିକାର ହେବାକୁ ପଡୁଛି। ଜଣେ ମୁସଲମାନକୁ ବିବାହ କରିବା ମଧ୍ୟ ଅନୁରୂପ ନିର୍ଯାତନାକୁ ଆମନ୍ତ୍ରଣ କରୁଛି।
ଏହି ସ୍ତମ୍ଭରେ କେବଳ ଗୋଟିଏ ଆକ୍ରମଣାଧୀନ ସ୍ବାଧୀନତା ସମ୍ପର୍କରେ ଆଲୋଚନା କରିବା- ‘ଅଭିବ୍ୟକ୍ତିର ସ୍ବାଧୀନତା’। ଆମ ସମ୍ବିଧାନର ପ୍ରସ୍ତାବନା (ପ୍ରିଆମ୍ବଲ) ‘ଚିନ୍ତନ ସ୍ବାଧୀନତା’କୁ ସୁନିଶ୍ଚିତ କରିଥାଏ। ସମ୍ବିଧାନର ଧାରା ୧୯ (୧)(କ) ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେଇଥାଏ। ନାନା ବିଚାର ପରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ବାକ୍ ସ୍ବାଧୀନତା ଆମ ସମ୍ବିଧାନର ଏକ ପ୍ରମୁଖ ମୂଲ୍ୟବୋଧ ଏବଂ ତାହା ଅଲଙ୍ଘନୀୟ। ଆମେରିକା ସମ୍ବିଧାନ ଭଳି ଆମ ସମ୍ବିଧାନରେ ଗଣମାଧ୍ୟମର ବାକ୍ ସ୍ବାଧୀନତାକୁ କୌଣସି ସ୍ବତନ୍ତ୍ର ସୁରକ୍ଷା ଦିଆଯାଇନାହିଁ। ତେବେ ଗଣମାଧ୍ୟମର ବାକ୍ ସ୍ବାଧୀନତା ହେଉଛି ନାଗରିକଙ୍କ ବାକ୍ ସ୍ବାଧୀନତାର ସମ୍ପ୍ରସାରଣ ମାତ୍ର।
ଅବଶ୍ୟ ବାକ୍ ସ୍ବାଧୀନତା ନିରପେକ୍ଷ ନୁହେଁ। ଏହା କିଛି ସର୍ତ୍ତର ଅଧୀନ। ଏହାକୁ ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତାର କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ସେହିପରି ରାଜ୍ୟର ସୁରକ୍ଷା ବ୍ୟବସ୍ଥା, ବିଦେଶୀ ରାଷ୍ଟ୍ର ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଓ ସାର୍ବଜନୀନ ବ୍ୟବସ୍ଥାର କ୍ଷତି କରିବା ପାଇଁ ମଧ୍ୟ ତାହାକୁ ବ୍ୟବହାର କରାଯାଇପାରିବ ନାହିଁ। ଏଥି ସହିତ କୌଣସି ଅପରାଧ ଉସୁକାଇବା, ଧାର୍ମିକ ଗୋଷ୍ଠୀ କିମ୍ବା ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ପ୍ରୋତ୍ସାହିତ କରିବା, ଯେ କୌଣସି ଧର୍ମର ଅପମାନ କରିବା, ଶାଳୀନତା କି ନୈତିକତାର ଉଲ୍ଲଂଘନ କରିବା, କାହାକୁ ବଦନାମ କରିବା ଅଥବା ଅଦାଲତର ଅବମାନନା କରିବାରେ ମଧ୍ୟ ତାହା ବ୍ୟବହୃତ ହୋଇପାରିବ ନାହିଁ। ଏହି ସର୍ତ୍ତଗୁଡ଼ିକ ସମ୍ବିଧାନର ଧାରା ୧୯ (୨) ଦ୍ବାରା ‘ଯୁକ୍ତିଯୁକ୍ତ କଟକଣା’ ବୋଲି କୁହାଯାଇଛି। କୌଣସି ନାଗରିକ ବା ସାମ୍ବାଦିକ ନିଜର ବାକ୍ ସ୍ବାଧୀନତା ପ୍ରୟୋଗ କଲା ବେଳେ ଏହି କଟକଣାଗୁଡ଼ିକ ଟାଣିଥିବା ଲକ୍ଷ୍ମଣରେଖାକୁ ଅତିକ୍ରମ କରିପାରିବେ ନାହିଁ। ସେମାନେ ଏହା ଉଲ୍ଲଙ୍ଘନ କଲେ, ସେମାନଙ୍କ ଅଭିବ୍ୟକ୍ତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ।
ମୁକ୍ତ ଅଭିବ୍ୟକ୍ତିର ସାମ୍ବିଧାନିକ ଗ୍ୟାରେଣ୍ଟି ସରକାରଙ୍କୁ କୌଣସି ବି ପ୍ରାକ୍-ପ୍ରକାଶନ କଟକଣା (ପ୍ରକାଶନ ପୂର୍ବରୁ ଲେଖାରେ ପରିବର୍ତ୍ତନ) ଲାଗୁ କରିବାକୁ ବାରଣ କରିଥାଏ। ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିର ପ୍ରାକ୍-ପ୍ରକାଶନ କଟକଣା ଏକ ସାମ୍ବିଧାନିକ ବିକୃତି ଥିଲା। ଏ ଦିଗରେ ସମ୍ବିଧାନ ବହୁତ ସ୍ପଷ୍ଟ: କୌଣସି ବିଷୟ ସାର୍ବଜନୀନ ହେବା ପରେ ହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ଏବଂ ସେତିକିବେଳେ ନିଆଯିବ ଯେବେ ତାହା ‘ଯୁକ୍ତିଯୁକ୍ତ କଟକଣା’ର ଉଲ୍ଲଙ୍ଘନ କରୁଥାଏ। ଫେସ୍ବୁକ୍ କିମ୍ବା ଇନ୍ଷ୍ଟାଗ୍ରାମ୍ ପରି ସାମାଜିକ ଗଣମାଧ୍ୟମ ମଞ୍ଚରେ ଜଣେ ନାଗରିକଙ୍କ ପୋଷ୍ଟ୍ ପାଇଁ ତାହା ଯେତିକି ପ୍ରଯୁଜ୍ୟ, ଖବରକାଗଜ ଓ ଟେଲିଭିଜନ କିମ୍ବା ନ୍ୟୁଜ୍ ୱେବ୍ସାଇଟ୍ରେ ଜଣେ ସାମ୍ବାଦିକଙ୍କ ଶବ୍ଦ ବା ଚିତ୍ର ପାଇଁ ମଧ୍ୟ ସେତିକି ପ୍ରଯୁଜ୍ୟ।
ତେଣୁ ଆମ ସମ୍ବିଧାନ ବାକ୍ ସ୍ବାଧୀନତାର ସୁରକ୍ଷା ପାଇଁ ଦୁଇଟି ଉଚ୍ଚ ପ୍ରଚୀର ଗଢ଼ିଛି। ଗୋଟିଏ କାନ୍ଥ ସରକାରଙ୍କୁ ପ୍ରାକ୍-ପ୍ରକାଶନ କଟକଣା ଲାଗୁ କରିବାରୁ ବିରତ କରାଇଥାଏ ଏବଂ ଅନ୍ୟଟି ‘ଯୁକ୍ତିଯୁକ୍ତ କଟକଣା’ର ଲକ୍ଷ୍ମଣରେଖା ଅତିକ୍ରମ ନ କଲା ଯାଏ ତାହା ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଦିଏ ନାହିଁ।
ବିଗତ ବର୍ଷମାନଙ୍କରେ ମୋଦୀ ସରକାର ଏହି ଦୁଇଟିଯାକ କାନ୍ଥକୁ ଭାଙ୍ଗିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ଯେହେତୁ ସରକାରଙ୍କୁ ସାମ୍ବିଧାନିକ ଭାବେ ପ୍ରାକ୍-ପ୍ରକାଶନ କଟକଣା ଲାଗୁ କରିବାକୁ ବାରଣ କରାଯାଇଛି, ସେ ପରୋକ୍ଷରେ ଏହା କରି ଚାଲିଛନ୍ତି। ସରକାର ବିଜ୍ଞାପନ ବନ୍ଦ କରିବା, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ବାରା ଚଢ଼ଉ କରିବା ଏବଂ ଆପରାଧିକ ମାମଲା ରୁଜୁ କରିବା ଫଳରେ ସାମ୍ବାଦିକ ଓ ଜନସାଧାରଣ ନିଜକୁ ସ୍ବାଧୀନ ଭାବେ ବ୍ୟକ୍ତ କରିପାରୁନାହାନ୍ତି। ପ୍ରାକ୍-ପ୍ରକାଶନ କଟକଣା ଓ ସ୍ବତଃସ୍ଫୂର୍ତ୍ତ କଟକଣା ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ: ଗୋଟିଏ ହେଡ୍ ଓ ଅନ୍ୟଟି ଟେଲ୍। ପ୍ରାକ୍-ପ୍ରକାଶନ କଟକଣାରେ, ଶାସକ ‘ପ୍ରତିକୂଳ’ ସାମଗ୍ରୀକୁ ସର୍ବସାଧାରଣ କ୍ଷେତ୍ରରୁ ଦୂରେଇ ରଖେ। ସ୍ବତଃସ୍ଫୂର୍ତ୍ତ କଟକଣାରେ ସାମ୍ବାଦିକ କିମ୍ବା ନାଗରିକ ହିଁ ଭୟଭୀତ ହୋଇ ସରକାରଙ୍କ ପାଇଁ ‘ପ୍ରତିକୂଳ’ ସାମଗ୍ରୀକୁ ଚାପି ରଖନ୍ତି।
‘ଯୁକ୍ତଯୁକ୍ତ କଟକଣା’ର କାନ୍ଥକୁ ଭାଙ୍ଗିବା ପାଇଁ ମଧ୍ୟ ଶାସକ ଦଳ ମନଇଚ୍ଛା ଉପାୟ ଅବଲମ୍ବନ କରି ଆସୁଛନ୍ତି। ଏହାର ଗୋଟିଏ ଉପାୟ ହେଉଛି, ‘ଯୁକ୍ତିଯୁକ୍ତ କଟକଣା’ର ପରିସରକୁ ଅସୀମ କରିଦେବା, ଯେପରି ବିବିସି ବୃତ୍ତଚିତ୍ର ‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚିନ୍’କୁ ନିଷେଧ କରିବାରେ ଏହାକୁ ପ୍ରୟୋଗ କରାଯାଇଥିଲା। ଉକ୍ତ ବୃତ୍ତଚିତ୍ରଟି କୁଆଡ଼େ ‘ଯୁକ୍ତିଯୁକ୍ତ କଟକଣା’ ଉଲ୍ଲଙ୍ଘନ କରିଥିବା କାରଣରୁ ତାହାକୁ ନିଷେଧ କରାଯାଇଥିଲା। ଉକ୍ତ ବୃତ୍ତଚିତ୍ରକୁ ଦେଖିଲେ ସେଥିରେ ସେଭଳି କିଛି ଉଲ୍ଲଙ୍ଘନ ହୋଇଥିବା ଜଣାପଡୁନି। ଏହା ଏଭଳି ଏକ ଚଳଚ୍ଚିତ୍ର ଥିଲା ଯାହା ୨୦୦୨ରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ଠାରୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବା ଯାଏ, ତାଙ୍କ ରାଜନୈତିକ ଜୀବନ ଉପରେ ଏକ ସୂକ୍ଷ୍ମ ତଥା ସମାଲୋଚନାତ୍ମକ ବିହଙ୍ଗାବଲୋକନ କରିଛି। ଏହା ଭାରତର ଜଣେ ବଡ଼ ରାଜନେତା ଓ ତାଙ୍କ ରାଜନୀତି ସମ୍ପର୍କିତ ଏକ ବୃତ୍ତଚିତ୍ର ଥିଲା। ଏଥିରେ ଏପରି କୌଣସି ଜିନିଷ ନଥିଲା ଯାହା ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ‘ଦୁର୍ବଳ’ କରିଦେଇପାରିବ କିମ୍ବା ବିଦେଶ ସହ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ବା ସାର୍ବଜନୀନ ବ୍ୟବସ୍ଥା ଉପରେ ‘ପ୍ରତିକୂଳ’ ପ୍ରଭାବ ପକାଇପାରିବ।
ଗଣମାଧ୍ୟମ ଉପରେ ମୋଦୀ ଶାସନର ଏଭଳି ଛାୟା ପ୍ରଲମ୍ବିତ ହେବାର ଅର୍ଥ ହେଉଛି- ମୁକ୍ତ ଅଭିବ୍ୟକ୍ତିର ସ୍ଥାନ ସଂକୁଚିତ ହୋଇଚାଲିଛି। ଖୋଲା ଆଲୋଚନାର ଗଣତାନ୍ତ୍ରିକ ସଂସ୍କୃତିକୁ ବଦଳାଇବା ପାଇଁ ସରକାର ଏକଚାଟିଆ ବକ୍ତବ୍ୟର ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛନ୍ତି। ବିବିସି ଡକ୍ୟୁମେଣ୍ଟାରିକୁ ନିଷେଧ କରିବା ହେଉଛି ସେହି ରାଜନୈତିକ ପ୍ରକଳ୍ପର ଅଂଶବିଶେଷ।
୨୦୨୦-୨୧ର କୃଷକ ଆନ୍ଦୋଳନ ସମୟରେ କୃଷକ ନେତା, ସାମ୍ବାଦିକ ଓ ଏକ ସମ୍ବାଦପତ୍ରର ଆକାଉଣ୍ଟ ବନ୍ଦ କରିବା ଲାଗି ସରକାର ଟ୍ବିଟର୍କୁ ବାଧ୍ୟ କରିଥିଲେ। କାରଣ ଥିଲା ସେମାନେ କୁଆଡ଼େ ‘ଯୁକ୍ତିଯୁକ୍ତ କଟକଣା’ ଉଲ୍ଲଙ୍ଘନ କରିଥିଲେ। ସେଇ ସମାନ ସନ୍ଦେହାସ୍ପଦ ଆଧାରରେ କୌଣସି ଆକାଉଣ୍ଟ ବନ୍ଦ କରିବାକୁ କିମ୍ବା କୌଣସି ନାଗରିକ, ସାମ୍ବାଦିକ ଓ ସଂଗଠନର ପୋଷ୍ଟ୍ ନଛାଡ଼ିବାକୁ ସରକାର ନିୟମିତ ସାମାଜିକ ଗଣମାଧ୍ୟମ ପରିଚାଳକଙ୍କୁ ଆଦେଶ ଦେଉଛନ୍ତି।
ସାମାଜିକ ଗଣମାଧ୍ୟମ ପରିଚାଳକଙ୍କୁ ସରକାରଙ୍କ ନିର୍ଦ୍ଦେଶ ଏକପ୍ରକାର ଢାଞ୍ଚାକୁ ଦର୍ଶାଉଛି। ପ୍ରଥମତଃ ସେଗୁଡ଼ିକ ଅହେତୁକ, ଅସ୍ପଷ୍ଟ ଓ ଅସମାନୁପାତିକ। ଏଥି ସହିତ ସାମାଜିକ ଗଣମାଧ୍ୟମ ମଞ୍ଚର ବ୍ୟବହାରକାରୀ ‘ଯୁକ୍ତିଯୁକ୍ତ କଟକଣା’ର ଉଲ୍ଲଙ୍ଘନ କରିଛନ୍ତି ବୋଲି ଦର୍ଶାଇବା ପାଇଁ ମଧ୍ୟ କୌଣସି ବିଶ୍ବସନୀୟ ପ୍ରମାଣ ବା ସାକ୍ଷ୍ୟ ପ୍ରଦାନ କରାଯାଉନାହିଁ।
ଦ୍ବିତୀୟରେ, ସେମାନେ ବ୍ୟବହାରକାରୀର ପ୍ରାକୃତିକ ନ୍ୟାୟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ସରକାର ବ୍ୟବହାରକାରୀଙ୍କୁ ନିଜର ପକ୍ଷ ରଖିବା ଲାଗି କୌଣସି ସୁଯୋଗ ନଦେଇ ଆକାଉଣ୍ଟ୍ ବନ୍ଦ କରିବା କିମ୍ବା ପୋଷ୍ଟ୍ ହଟାଇନେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ସାମାଜିକ ଗଣମାଧ୍ୟମଗୁଡ଼ିକ ହେଉଛନ୍ତି ଲଣ୍ଡନର ହାଇଡ୍ ପାର୍କ ଭଳି, ଯେଉଁଠି କେହି ବି ସ୍ବାଧୀନ ଭାବରେ ନିଜର ବିଚାର ବ୍ୟକ୍ତ କରିପାରିବେ। ଏହା ମୁକ୍ତ ଆଲୋଚନା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ଯଦି କେହି ନିଜ ଅଭିବ୍ୟକ୍ତିରେ ‘ଯୁକ୍ତିଯୁକ୍ତ କଟକଣା’ ଉଲ୍ଲଙ୍ଘନ କରେ, ତେବେ ସରକାର ତାହାକୁ ରୋକିବା ବା ଦଣ୍ଡିତ କରିବା ଆବଶ୍ୟକ, ମାତ୍ର ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ପକ୍ଷ ରଖିବାକୁ ଅନୁମତି ନଦେଇ ନୁହେଁ।
ତୃତୀୟରେ ସେଗୁଡ଼ିକ ପକ୍ଷପାତୀ। ‘ଭାରତର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଭାଜନର ମଞ୍ଜି ବୁଣି’, ‘ଧର୍ମୀୟ ଗୋଷ୍ଠୀମାନଙ୍କ ମଧ୍ୟରେ ଶତ୍ରୁତା ପ୍ରୋତ୍ସାହିତ କରି’ ଏବଂ ‘କୌଣସି ଧର୍ମକୁ ଅପମାନ’ ପୂର୍ବକ ନିୟମିତ ‘ଯୁକ୍ତିଯୁକ୍ତ କଟକଣା’ ଉଲ୍ଲଙ୍ଘନ କରୁଥିବା ବ୍ୟବହାରକାରୀଙ୍କ ଆକାଉଣ୍ଟ୍ ବନ୍ଦ କରିବା ବା ପୋଷ୍ଟ୍କୁ ହଟାଇନେବା ଲାଗି ସରକାର କେବେ ନିର୍ଦ୍ଦେଶ ଦିଅନ୍ତି ନାହିଁ। କାରଣ ତାହା ଏପରି ଆଜେଣ୍ଡାକୁ ଆଗେଇ ନିଏ ଯାହା ସରକାରଙ୍କ ରାଜନୈତିକ ପ୍ରକଳ୍ପ ସହ ଖାପ ଖାଇଥାଏ।
ଖୋଲା ଆଲୋଚନା ବଦଳରେ ଏକପାଖିଆ ଆଲୋଚନା ପାଇଁ ସରକାର ଅନ୍ୟ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି। ଗୋଟିଏ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ, ୨୦୨୧ (ମଧ୍ୟସ୍ଥତା ନିର୍ଦ୍ଦେଶାବଳୀ ଓ ଡିଜିଟାଲ ମିଡିଆ ଆଚାର ସଂହିତା)ର ସଂଶୋଧନ, ଯଦ୍ଦ୍ବାରା କୌଣସି ଆକାଉଣ୍ଟ ବନ୍ଦ କରିବା କିମ୍ବା ପୋଷ୍ଟ୍ ହଟାଇବା ଲାଗି ସରକାର ହିଁ ଚୂଡ଼ାନ୍ତ ବିଚାରକ ହେବେ। ଅନ୍ୟଟି ହେଉଛି ‘ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ’କୁ ‘ମିଥ୍ୟା ଖବର’ର ବିଚାରକ କରି ସାମାଜିକ ଗଣମାଧ୍ୟମ ମଞ୍ଚରେ କେଉଁ ବିଷୟବସ୍ତୁ ରହିବ, ତାହା ସ୍ଥିର କରିବା। ‘ମିଥ୍ୟା ଖବର ପ୍ରସାର’ ପାଇଁ ସରକାର ନିଜ ସମାଲୋଚକଙ୍କ ଉପରେ ଆପରାଧିକ ଆରୋପ ଲଗାଇବାର ଏକ ସ୍ପଷ୍ଟ ପ୍ରବୃତ୍ତି ଦେଖାଇଆସିଛନ୍ତି ଏବଂ ମିଥ୍ୟା ଖବର ପ୍ରଚାର ପାଇଁ ଶାସକ-ସମର୍ଥିତ ଅନ୍ଲାଇନ୍ ଯୋଦ୍ଧାଙ୍କୁ ସରକାର ପ୍ରତିରକ୍ଷା ପ୍ରଦାନ କରିଆସୁଛନ୍ତି। ତେଣୁ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ କାହାର ପୋଷ୍ଟ୍ ଅଦୃଶ୍ୟ ହେବ ଓ କାହାର ରହିବ।