ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ (କନ୍‌ଷ୍ଟ୍ରକ୍‌ଟିଭ୍ ପ୍ରୋଗ୍ରାମ) ଉପରେ ଏକ ପୁସ୍ତିକା ଲେଖିବାକୁ ୧୯୪୬ ମସିହାରେ ଭାଲଜୀ ଦେଶାଇଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଭାଲଜୀ ଥିଲେ ଜଣେ ପୂର୍ବତନ ଇଂରେଜୀ ଅଧ୍ୟାପକ। ଅଧାରୁ ଅଧ୍ୟପନା ଛାଡ଼ି ସେ ଗାନ୍ଧୀଙ୍କ ସହ ସାବରମତୀ ଆଶ୍ରମରେ ଯୋଗ ଦେଇଥିଲେ। ସବୁ ରଚନାତ୍ମକ କାର୍ଯ୍ୟକ୍ରମର ସେ ଗାନ୍ଧୀଙ୍କର ଜଣେ ସକ୍ରିୟ ସହଯୋଗୀ ଥିଲେ।

Advertisment

ରଚନାତ୍ମକ କାର୍ଯ୍ୟକ୍ରମ ଉପରେ ଭାଲଜୀ ଯେଉଁ ଟିକା ବହି ଲେଖିଥିଲେ ତା’ ନାଁ ସେ ଦେଇଥିଲେ ‘ମୋହନ ସଂହିତା’। ବୈଦିକ ସ୍ମୃତି, ରୀତିନୀତି ଓ ନିୟମକୁ ସଂକଳିତ କରି ଲେଖାଯାଇଥିବା କୌଣସି ସଂହିତାଠାରୁ ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଯେ କମ୍ ଗୁରୁତ୍ୱ ବହନ କରେ ନାହିଁ, ଏହା ଥିଲା ଭାଲଜୀଙ୍କର ଯୁକ୍ତି। ‘ମୋହନ ସଂହିତା’ ପାଣ୍ଡୁଲିପିରେ ଆବଶ୍ୟକ ସଂଶୋଧନ ପାଇଁ ଭାଲଜୀ ସେ ବହିକୁ ଗାନ୍ଧୀଙ୍କୁ ଦେଇଥିଲେ। ଗାନ୍ଧୀ ଉକ୍ତ ମୂଳ ପାଣ୍ଡୁଲିପି ପଢ଼ି, ଏଥିରେ କୌଣସି ସଂଶୋଧନ ନ କରି ଏହାକୁ ଏକ ଚିଠି ସହ ଭାଲଜୀଙ୍କ ପାଖକୁ ପଠାଇ ଦେଇଥିଲେ। ଚିଠିରେ ଗାନ୍ଧୀ ଲେଖିଥିଲେ, “ଶ୍ରଦ୍ଧେୟ ଭାଲଜୀ, ମୁଁ ତୁମର ବହି ପଢ଼ିଲି। ମୋ ଏକାଦଶ ବ୍ରତକୁ ତୁମେ ଯେପରି ସୁନ୍ଦର ଭାବେ ଲେଖିପାରିଛ, ମୋ ରଚନାତ୍ମକ କାର୍ଯ୍ୟକ୍ରମକୁ ସେମିତି ଜୀବନ୍ତ କରି ଲେଖି ପାରିନ। ଲେଖାଟି ଖୁବ୍ ନିରସ ଲାଗୁଛି। ହୋଇପାରେ ମୋ ମୂଳ ଲେଖା ‘କନଷ୍ଟ୍ରକ୍‌ଟିଭ୍‌ ପ୍ରୋଗ୍ରାମ’ ବୋଧେ ସେତେ ଆକର୍ଷଣୀୟ ହୋଇ ନାହିଁ। ମୁଁ କିନ୍ତୁ ମୋର ରଚନାତ୍ମକ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସ୍ୱରାଜ ହାସଲ ନିମନ୍ତେ ଏକମାତ୍ର ମାଧ୍ୟମ ବୋଲି ଗ୍ରହଣ କରି ନେଇଛି। ସାମାଜିକ ମଙ୍ଗଳ ପାଇଁ ସବୁ ନାଗରିକ ସାମିଲ ନ ହେଲେ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇବା କଷ୍ଟ। ମୋତେ କିନ୍ତୁ ବେଶୀ ଦୁଃଖ ଦେଲା ତୁମ ବହିର ମୋହନ ସଂହିତା ନାମକରଣ। ମୁଁ ଏପରି ନାଁକୁ ଗ୍ରହଣ କରି ପାରୁନି। ତୁମେ ଏ ବହିର ନାମ ‘ମଙ୍ଗଳ ପ୍ରଭାତ’ କିମ୍ବା ‘ରଚନାତ୍ମକ କାର୍ଯ୍ୟକ୍ରମ- ଏକ ସାରାଂଶ’ ରଖିପାର।”

ଗାନ୍ଧୀଙ୍କ ସାମଗ୍ରିକ ରଚନାକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ପ୍ରଥମଟି ନୈତିକ ରଚନା ଏବଂ ଦ୍ବିତୀୟଟି ରାଜନୈତିକ ତଥା ସାମାଜିକ ରଚନା। କାରଣ, ଗାନ୍ଧୀଜୀ ଭାରତୀୟ ରାଜନୀତିରେ ଦୁଇଟି ବ୍ୟକ୍ତିତ୍ୱ ନେଇ ଆବିର୍ଭୂତ ହୋଇଥିଲେ। ପ୍ରଥମଟି ଥିଲା ରାଜନୈତିକ ନେତା, ସଂଗଠକ ଓ ସତ୍ୟାଗ୍ରହୀ ଭାବେ ଏବଂ ଦ୍ବିତୀୟଟି ଜଣେ ଧାର୍ମିକ ଆଧ୍ୟାତ୍ମିକ ନେତା ଭାବେ। ଭାରତରେ ସାବରମତୀ ଆଶ୍ରମରେ ପ୍ରଥମେ ଏକ ଶୃଙ୍ଖଳିତ ନୈତିକ ଜୀବନ ଗଠନ ପାଇଁ ଏକାଦଶ ବ୍ରତ ପାଳନ ଆରମ୍ଭ ହୋଇଥିଲା। ଅହିଂସା, ସତ୍ୟ, ଅସ୍ତେୟ (ଚୋରିଶୂନ୍ୟତା), ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ, ଶରୀର ଶ୍ରମ, ଅସ୍ୱାଦ, ସର୍ବତ୍ର ଭୟ ବର୍ଜନ, ସର୍ବ ଧର୍ମ ସମାନତ୍ବ, ସ୍ବଦେଶୀ ଓ ସ୍ପର୍ଶ ଭାବନା, ଏ ଥିଲା ଏକାଦଶ ବ୍ରତ।

ଗାନ୍ଧୀ କିନ୍ତୁ ତାଙ୍କର ସମସ୍ତ ଗଠନମୂଳକ କାର୍ଯ୍ୟକ୍ରମର ସଂକଳନ କରି ଏକ କ୍ଷୁଦ୍ର ପୁସ୍ତିକା ଲେଖିଥିଲେ ୧୯୪୧ ମସିହାରେ। ଏଥିରେ ଅଠରଟି କାର୍ଯ୍ୟକ୍ରମର ବର୍ଣ୍ଣନା ପୃଥକ ଭାବେ ସଂକ୍ଷେପରେ ଦିଆଯାଇଥିଲା। ଗାନ୍ଧୀଙ୍କ ବହୁଚର୍ଚ୍ଚିତ ‘କନଷ୍ଟ୍ରକ୍‌ଟିଭ୍‌ ପ୍ରୋଗ୍ରାମ’ ନାମରେ ଏହା ଜଣା। ପୁସ୍ତକରେ ବର୍ଣ୍ଣିତ କାର୍ଯ୍ୟକ୍ରମ କିଛି ନୂଆ ନ ଥିଲା। ଏଥିରୁ ଅଧିକାଂଶ କାର୍ଯ୍ୟକ୍ରମ ବିହାରର ଚମ୍ପାରଣରେ ଗାନ୍ଧୀ ଆରମ୍ଭ କରି ଦେଇଥିଲେ।

ଗାନ୍ଧୀଙ୍କ ଅଠର ଦଫା ଗଠନମୂଳକ କାର୍ଯ୍ୟକ୍ରମ ଭିତରେ ଥିଲା ସାମ୍ପ୍ରଦାୟିକ ସଂହତି, ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ, ଖଦି ପ୍ରସାର, ଗ୍ରାମ୍ୟ ଶିଳ୍ପ, ସ୍ୱଚ୍ଛତା, ମୌଳିକ ଶିକ୍ଷା, ପ୍ରୋଢ଼ ଶିକ୍ଷା, ନାରୀ ଶିକ୍ଷା, ଗ୍ରାମ୍ୟ ସ୍ୱାସ୍ଥ୍ୟ, ଆଞ୍ଚଳିକ ଭାଷା, ରାଷ୍ଟ୍ର ଭାଷା, ଆର୍ଥିକ ସମାନତା, କୃଷକଙ୍କ ଉନ୍ନତି, ଶ୍ରମିକ ଉନ୍ନତି, ଆଦିବାସୀ, କୁଷ୍ଠ ରୋଗୀ ସେବା ଓ ଛାତ୍ରଙ୍କ ଶୈକ୍ଷିକ ପରିବେଶ। ପରେ ଗାନ୍ଧୀଜୀ ଅହିଂସ ଆଇନ ଅମାନ୍ୟକୁ ଊଣେଇଶତମ କାର୍ଯ୍ୟକ୍ରମ ଭାବେ ଏଥିରେ ସାମିଲ କରିଥିଲେ। ରଚନାତ୍ମକ କାର୍ଯ୍ୟକ୍ରମ ଭିତରେ ଆଇନ ଅମାନ୍ୟର ସ୍ଥାନ କେଉଁଠି ବୋଲି ପ୍ରଶ୍ନ ହେବାରୁ ଗାନ୍ଧୀଙ୍କ ଉତ୍ତର ଥିଲା, ଅନୁଚିତ ଆଇନର ବିରୋଧ ବି ଏକ ଗଣ କାର୍ଯ୍ୟକ୍ରମ। ଗଣତନ୍ତ୍ରର ମାନେ ନୁହେଁ ଯେ ଅଳ୍ପ କିଛି ଲୋକଙ୍କୁ ଶାସନ କରିବାର କ୍ଷମତା ଦେବା; ସବୁ ନାଗରିକ ପ୍ରତିବାଦ କରିବାର ଶକ୍ତି ହାସଲ କରିବା ହିଁ ଗଣତନ୍ତ୍ର।

ପୁସ୍ତକର ମୁଖବନ୍ଧ ବି ଗାନ୍ଧୀ ନିଜେ ଲେଖିଥିଲେ। ଏଥିରେ ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା, ‘ମୋର ଏ କାର୍ଯ୍ୟକ୍ରମ କୌଣସି ଗବେଷଣାତ୍ମକ ସନ୍ଦର୍ଭ (ଥେସିସ୍‌) ନୁହେଁ। ସାମାଜିକ ସେବାର ଏହା ଏକ ମାଧ୍ୟମ। ସତ୍ୟ, ଅହିଂସା, ଆତ୍ମସମ୍ମାନ, ତ୍ୟାଗ ଓ ସହିଷ୍ଣୁତା ଉପରେ ଏହା ପର୍ଯ୍ୟବସିତ। ସେବାଗ୍ରାମରେ ବନ୍ଧୁଙ୍କ ସହ ଆଲୋଚନା କରି ମୁଁ ଏ କାର୍ଯ୍ୟକ୍ରମ ସ୍ଥିର କରିଛି। ଲୋକମାନେ ପରସ୍ପର ସହ ଯୋଡ଼ି ହେବାର ଏ କାର୍ଯ୍ୟକ୍ରମ। ପୂର୍ଣ୍ଣ ସ୍ୱରାଜ ଏବଂ ସ୍ୱରାଜ ପ୍ରାପ୍ତି ପରେ ପୂର୍ଣ୍ଣ ସ୍ୱାଧୀନତା ପାଇବାର ଏହା ଏକମାତ୍ର ବାଟ। ରାଜନୈତିକ ସ୍ୱାଧୀନତା ପୂର୍ଣ୍ଣ ସ୍ୱାଧୀନତା ନୁହେଁ। ଆର୍ଥିକ ତଥା ନୈତିକ ସ୍ୱାଧୀନତା ନ ମିଳିବା ପର୍ଯ୍ୟନ୍ତ ରାଜନୈତିକ ସ୍ୱାଧୀନତାରେ ପୂର୍ଣ୍ଣତା ଆସି ନ ଥାଏ। ଭାରତର ସମସ୍ତ ଚାଳିଶ କୋଟି ଲୋକ ମୋର ଏ ରଚନାତ୍ମକ କାର୍ଯ୍ୟକ୍ରମରେ ଭାଗୀଦାର ହେବା ଉଚିତ। ଏହିଥିରୁ ଏକ ‘ନୂଆ ଭାରତ’ ତିଆରି ହୋଇ ପାରିବ।

ନୂଆ ଭାରତ ନିର୍ମାଣ ନିମନ୍ତେ ଏଥିରୁ ପ୍ରଶିକ୍ଷଣ ମିଳିବ। ସଶସ୍ତ୍ର ବିପ୍ଲବୀମାନେ ପରିବର୍ତ୍ତନ ପାଇଁ ଶସ୍ତ୍ର ଚାଳନାର ପ୍ରଶିକ୍ଷଣ ନିଅନ୍ତି; ଭାରତର ଅହିଂସ ସତ୍ୟାଗ୍ରହୀମାନେ କିନ୍ତୁ ଏକ ବୈଜ୍ଞାନିକ ସାମାଜିକ ପରିବର୍ତ୍ତନ ପାଇଁ ଗଠନମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଶିକ୍ଷଣ ନେବେ। ମୋ କଳ୍ପିତ ନୂଆ ଭାରତର ରେଳ ଷ୍ଟେସନରେ ହିନ୍ଦୁ ଚା’ ମୁସଲିମ ଚା’ ନାଁରେ ଚା’ ବିକା ଯାଉ ନ ଥିବ; ଧର୍ମକୁ ଆଧାର କରି ଶିକ୍ଷାୟତନ ଓ ଡାକ୍ତରଖାନା ହେଉ ନ ଥିବ। ଆତ୍ମନିର୍ଭରତା ପାଇଁ ଗାଁର ସାଧାରଣ ମହିଳାଠାରୁ ଶାସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଚରଖା ଥିବ; ବିକଶିତ ଗ୍ରାମ୍ୟ ଅର୍ଥନୀତି ପାଇଁ ଗ୍ରାମ୍ୟ ଶିଳ୍ପର ପ୍ରାଧାନ୍ୟ ଥିବ ଏବଂ ସମୁଚିତ ବଣ୍ଟନ ଉପରେ ଗୁରୁତ୍ୱ ଥିବ, କାରଣ ବେକାରି ନିମନ୍ତେ ଅସନ୍ତୁଳିତ ଉତ୍ପାଦନ ଦାୟୀ ନୁହେଁ, ବଣ୍ଟନ ସମସ୍ୟା ହିଁ ଦାୟୀ।’

୧୯୩୭ ମସିହାରେ ପ୍ରାଦେଶିକ କଂଗ୍ରେସ ସରକାର ଗଠନ ନେଇ ଯେତେବେଳେ ଭାରତ ସାରା ଖୁସିର ଲହର ଥିଲା, ଗାନ୍ଧୀ ସେତେବେଳେ ମନ୍ତ୍ରୀମାନଙ୍କ ପାଇଁ ନୂଆ କାର୍ଯ୍ୟକ୍ରମର ତାଲିକାଟିଏ ଦେଇ ଦେଇଥିଲେ। ଏହା ୧୯୩୭ ମସିହା ଜୁଲାଇ ୧୫ ତାରିଖ ‘ହରିଜନ’ ପତ୍ରିକାରେ ପ୍ରକାଶ ପାଇଥିଲା। ମନ୍ତ୍ରୀମାନଙ୍କୁ ଗାନ୍ଧୀଙ୍କ ପରାମର୍ଶ ଥିଲା- ‘ମଦ ବନ୍ଦ କରିବ, ସରଳ ଜୀବନଯାପନ କରିବ, ସାମ୍ପ୍ରଦାୟିକ ସୌହାର୍ଦ୍ଦ ରଖିବ, ଅସ୍ପୃଶ୍ୟତା ଦୂର କରିବ ଏବଂ କମ୍‌ ଦରମା ନେବ।’

ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ କେବଳ ପ୍ରାକ୍ ସ୍ୱାଧୀନତା ସମୟ ପାଇଁ ଉଦ୍ଦିଷ୍ଟ ନଥିଲା, ଏହା ଆଜି ବି ଦରକାର।

ମୋ: ୯୮୬୧୪୬୯୩୨୮