ଚଳିତ ମାସ ପ୍ରାରମ୍ଭରେ କର୍ଣ୍ଣାଟକରେ ତିନି ଡଜନ ସ୍ବେଚ୍ଛାସେବୀ ସଂଗଠନ ମିଳିତ ଭାବେ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢୁଥିବା ରାଜନୈତିକ ଦଳ ପାଇଁ ଏକ ଇସ୍ତାହାର ପ୍ରସ୍ତୁତ କରିଛନ୍ତି। ଏହି ‘ସିଭିଲ୍ ସୋସାଇଟି ଫୋରମ୍’ରେ ଦଳିତ, ମହିଳା ଓ ବସ୍ତି ବାସିନ୍ଦାଙ୍କ ଅଧିକାର ପାଇଁ କାମ କରୁଥିବା ଗୋଷ୍ଠୀ, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ସକ୍ରିୟ ଥିବା ଗୋଷ୍ଠୀ ଏବଂ ଭାରତୀୟ ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନର ପୂର୍ଣ୍ଣ ପ୍ରୟୋଗ ମାଧ୍ୟମରେ ରାଜନୈତିକ ବିକେନ୍ଦ୍ରୀକରଣ ପାଇଁ ଚାପ ପକାଉଥିବା ଗୋଷ୍ଠୀ ସାମିଲ ଥିଲେ। ସେମାନଙ୍କ କୋଡ଼ିଏ ପୃଷ୍ଠାର ଇସ୍ତାହାରକୁ ଉଭୟ କନ୍ନଡ଼ ଓ ଇଂରେଜୀ ଭାଷାରେ ଛପା ଯାଇଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀ ଗୋଷ୍ଠୀଙ୍କ ବିଭିନ୍ନ ପ୍ରାଥମିକତା ସହିତ ରାଜ୍ୟବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନ ପ୍ରତିଫଳିତ ହୋଇଥିଲା। ସିଭିଲ ସୋସାଇଟି ଫୋରମ୍ ‘ସବୁ ରାଜନୈତିକ ଦଳ’ଙ୍କୁ ଏହି ଦାବିଗୁଡ଼ିକ ନିଜସ୍ବ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ।
ଇସ୍ତାହାରର ପ୍ରଚାର ପ୍ରସାର ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠିକି ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମୁଁ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲି ଏବଂ ଗଭୀର ଆଗ୍ରହର ସହିତ ସେଠାକାର କାର୍ଯ୍ୟଧାରାକୁ ଦେଖିଥିଲି। ସେମାନେ ପ୍ରଶାସନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ସାମାଜିକ ନ୍ୟାୟ ଆଦି ପ୍ରସଙ୍ଗ ଉପରେ ନାଗରିକ ସମାଜର କର୍ମକର୍ତ୍ତାଙ୍କ ଦ୍ବାରା ଉପସ୍ଥାପନ ସହିତ ବୈଠକ ଆରମ୍ଭ କରିଥିଲେ ଏବଂ ଉପସ୍ଥିତ ରାଜନେତାଙ୍କ ଦ୍ବାରା ଏହି ଉପସ୍ଥାପକମାନଙ୍କ ଜିଜ୍ଞାସାର ଉତ୍ତର ସହ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦିଆଯିବାର ବ୍ୟବସ୍ଥା କରିଥିଲେ। ସଂପୃକ୍ତ ଆଲୋଚନା ଗଠନମୂଳକ ଥିଲା ଏବଂ ସହନଶୀଳତା ଓ ବୁଝାମଣାର ଭାବନାରେ ପରିଚାଳିତ ହୋଇଥିଲା। ତେବେ ଏହି ବୈଠକରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ଦୁଇ ଜଣ ପ୍ରତିନିଧି ଅନୁପସ୍ଥିତ ରହିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେମାନେ ହେଲେ ଜନତା ଦଳ (ଏସ୍) ଓ ଭାରତୀୟ ଜନତା ପାର୍ଟି। କର୍ଣ୍ଣାଟକର ତୃତୀୟ ପ୍ରମୁଖ ଦଳ କଂଗ୍ରେସ ଜଣେ ପ୍ରତିନିଧିଙ୍କୁ ପଠାଇଥିଲା। ସେହିପରି ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ଆମ୍ ଆଦିମ ପାର୍ଟି (ଆପ୍) ଏବଂ ଶ୍ରମିକ-ଶ୍ରେଣୀର ସମର୍ଥନ ଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ମଧ୍ୟ ସେମାନଙ୍କ ପ୍ରତିନିଧି ପଠାଇଥିଲେ।
ଆୟୋଜକମାନେ ଜେଡିଏସ୍ ଓ ବିଜେପିକୁ ବାରମ୍ବାର ଫୋନ୍ କରିଥିଲେ; ତେବେ ମୁଖପାତ୍ର ପହଞ୍ଚିବାର ପ୍ରତିଶ୍ରୁତି ସତ୍ତ୍ବେ ସେହି ଦଳ ଯୋଡ଼ିକର କେହି ଆସି ନ ଥିଲେ। କାହିଁକି ଏପରି ହେଲା? ମୋର ନିଜସ୍ବ ଅନୁମାନ ଯେ, ଜେଡିଏସ୍ କ୍ଷେତ୍ରରେ ଏହା ବୋଧହୁଏ ଉଦାସୀନତା। ଦଳ ନାଗରିକ ସମାଜକୁ ଗୁରୁତ୍ବ ଦେଉନାହିଁ। ବିଜେପି କ୍ଷେତ୍ରରେ ସେମାନଙ୍କ ବୀତସ୍ପୃହତାର କାରଣ ହେଉଛି, ସେମାନଙ୍କ ଠାରୁ ଅଧିକ ସ୍ବାଧୀନତାର ସହିତ କାର୍ଯ୍ୟ କରି ପାରୁଥିବା ନାଗରିକ ସମାଜ ସଂଗଠନଗୁଡ଼ିକ ପ୍ରତି ସେମାନଙ୍କର ତୀବ୍ର ବିଦ୍ବେଷ ରହିଛି।
ନାଗରିକ ସମାଜ ପ୍ରତି ବିଜେପିର ନାପସନ୍ଦର ଉତ୍ପତ୍ତି ଆଂଶିକ ଭାବରେ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍)ର ଆଦର୍ଶଗତ ଆଭିମୁଖ୍ୟରେ ନିହିତ। ଭାରତରେ ସାମାଜିକ ଓ ସାଂସ୍କୃତିକ ଜୀବନର ସମସ୍ତ କ୍ଷେତ୍ରକୁ ନିୟନ୍ତ୍ରଣ କରିବାକୁ ଆର୍ଏସ୍ଏସ୍ ଚେଷ୍ଟା କରୁଛି। ନାଗରିକ ସମାଜ ପ୍ରତି ବିଜେପିର ନାପସନ୍ଦର ଆଉ ଗୋଟେ କାରଣ ହେଉଛି, ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ବ। ସ୍ବଭାବଗତ ଭାବେ ନରେନ୍ଦ୍ର ମୋଦୀ କ୍ଷମତାରେ ଥିଲା ବେଳେ ଶାସନ ଓ ପ୍ରଶାସନର ସମସ୍ତ ଦିଗକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ସେ ରାଜ୍ୟର ନାଗରିକ ସମାଜଗୁଡ଼ିକୁ ଦମନ କରିବାର ପ୍ରୟାସ କରିଥିଲେ। ବାସ୍ତବରେ, ସେ ସମୟରେ ଆର୍ଏସ୍ଏସ୍ର ଗୁଜରାଟ ଶାଖାକୁ ମଧ୍ୟ ସେ ନିଜ ଅଧିକାରର ପ୍ରତିଦ୍ବନ୍ଦ୍ବୀ ଭାବେ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ। ନରେନ୍ଦ୍ର ମୋଦୀ କେନ୍ଦ୍ରରେ କ୍ଷମତାରେ ଥିବାର ୯ ବର୍ଷ ଭିତରେ ତାଙ୍କ ସରକାର ସ୍ବେଚ୍ଛାସେବୀ ସଂଗଠନମାନଙ୍କ ପ୍ରତି ଘୋର ଶତ୍ରୁତା ପ୍ରଦର୍ଶନ କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଯୋଜନା ଗବେଷଣା ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଚମତ୍କାର କାର୍ଯ୍ୟ କରୁଥିବା ଗୋଷ୍ଠୀ ଏବଂ କୌଣସି ରାଜନୈତିକ ଦଳ କି ଧାର୍ମିକ ସଂଗଠନ ସହ ସମ୍ପର୍କ ନ ଥିବା ଗୋଷ୍ଠୀ ଉପରେ ଟିକସ ଚଢ଼ଉ କରିଛନ୍ତି ଓ ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଅଧିନିୟମ (ଏଫ୍ସିଆର୍ଏ) ଅନୁଯାୟୀ ଦାନ ଗ୍ରହଣ କରିବାର ଅନୁମତି ପ୍ରତ୍ୟାହାର କରି ନେଇଛନ୍ତି; ଯାହା ଅନୁଷ୍ଠାନଗୁଡ଼ିକୁ ହଇରାଣରେ ପକାଉଛି। ଏହିଭଳି ଭାବରେ ନିର୍ଯାତିତ ହୋଇଥିବା ସଂସ୍ଥା ମଧ୍ୟରେ ଅଛନ୍ତି ‘ଅକ୍ସଫାମ୍’ ଓ ‘ସେଣ୍ଟର ଫର ପଲିସି ରିସର୍ଚ’। ଅପରପକ୍ଷେ, ବିଦେଶରୁ ପାଣ୍ଠି ଗ୍ରହଣ ନେଇ ହିନ୍ଦୁତ୍ବ ସମର୍ଥକ ଗୋଷ୍ଠୀଗୁଡ଼ିକ ପାଇଁ ପ୍ରାୟତଃ କୌଣସି ପ୍ରତିବନ୍ଧ ସୃଷ୍ଟି ହୋଇନାହିଁ।
ବାସ୍ତବରେ ଦେଖିଲେ, ୨୦୦୪ରୁ ୨୦୧୪ ଯାଏ କ୍ଷମତାରେ ଥିଲା ବେଳେ କଂଗ୍ରେସ ମଧ୍ୟ ଏଫ୍ସିଆର୍ଏ ଅଧିନିୟମର ଅପବ୍ୟବହାର କରି ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ହଇରାଣ କରିଥିଲା, ବିଶେଷ କରି ପରିବେଶ ଓ ମାନବାଧିକାର ଉପରେ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ। ଏଥି ସହିତ କଂଗ୍ରେସ ମଧ୍ୟ ସାମାଜିକ କଲ୍ୟାଣ ନୀତି (ଯଥା ଗ୍ରାମାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା) ସମ୍ପର୍କରେ ନାଗରିକ ସମାଜ ଗୋଷ୍ଠୀଙ୍କ ଠାରୁ ପରାମର୍ଶ ମଧ୍ୟ ମାଗିଥିଲା। ଏ କଥା କୁହାଯାଇପାରିବ ଯେ, ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ପ୍ରତି ୟୁପିଏ ସରକାରଙ୍କ ମନୋଭାବ ଥିଲା ରଣନୈତିକ ଦ୍ବନ୍ଦ୍ବ ଦ୍ବାରା ଚିହ୍ନିତ। ଅପରପକ୍ଷେ, ନାଗରିକ ସମାଜ ସଂଗଠନଗୁଡ଼ିକ ଯେ ପର୍ଯ୍ୟନ୍ତ ବିଜେପିର ହିନ୍ଦୁତ୍ବ ଏଜେଣ୍ଡା ଓ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିନାହାନ୍ତି ଓ ଉତ୍ସାହର ସହ ପ୍ରଚାର କରି ନାହାନ୍ତି, ସେ ଯାଏ ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ସରକାର ସେମାନଙ୍କୁ ଅବିଶ୍ବାସ କରି ଚାଲିଥିବ।
ନାଗରିକ ସମାଜ ଦ୍ବାରା କାଳେ ଖୋଲା ପ୍ରଶ୍ନ ପଚରାଯିବ, ତାହା ସରକାରଙ୍କୁ ଭୟଭୀତ କରିଛି। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କ ଦୁଇ ଥର କାର୍ଯ୍ୟକାଳ ଭିତରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ଡାକି ନାହାନ୍ତି। ଏହା ଏକ ଅସାଧାରଣ ଓ ଅଭୂତପୂର୍ବ କାର୍ଯ୍ୟ। ତେଣୁ ବର୍ତ୍ତମାନ ସୁଦ୍ଧା ଅପେକ୍ଷାକୃତ ମୁକ୍ତ ରହିଥିବା କିଛି ଗଣମାଧ୍ୟମ ଉପରେ ସରକାରଙ୍କ ଆକ୍ରମଣ ହେଉଛି। ସେଥିପାଇଁ ତ ସାମ୍ବାଦିକ ଓ ଛାତ୍ର ନେତାଙ୍କୁ କଠୋର ଓ ଅପମାନଜନକ ‘ୟୁଏପିଏ’ ଆଇନ ବଳରେ ଜେଲ୍ ପଠାଇ ଦିଆଯାଉଛି ଏବଂ ସିଏଏ ଓ କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ବିଷାକ୍ତ ରୂପେ ପ୍ରଚାର କରାଯାଇଛି। ସେଥିପାଇଁ ତ ବିଦେଶୀ ବିଦ୍ବାନମାନଙ୍କ ଗବେଷଣା ଭିସା ପ୍ରତ୍ୟାଖ୍ୟାନ କରାଯାଉଛି ଓ ଭାରତୀୟ ନାଗରିକଙ୍କ ଦ୍ବାରା ପରିଚାଳିତ ବିଶ୍ବବିଦ୍ୟାଳୟଗୁଡ଼ିକ କି ପ୍ରକାର ଆଲୋଚନା ଚକ୍ରର ଆୟୋଜନ କରିପାରିବେ ବା କରିପାରିବେ ନାହିଁ; ତାହା ଉପରେ ପ୍ରତିବନ୍ଧ ଲଗାଯାଉଛି।
ନିରପେକ୍ଷ ଭାବରେ ଜଣେ ସ୍ବୀକାର କରିବା ଉଚିତ ଯେ ବିଜେପି ବ୍ୟତୀତ ଅନ୍ୟ ଦଳ ଦ୍ବାରା ପରିଚାଳିତ ଅନେକ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ନୀତିର ସ୍ବାଧୀନ ସମାଲୋଚନାକୁ ପସନ୍ଦ କରନ୍ତି ନାହିଁ; ଅଥବା ନିଜ ଦଳ ବାହାରର ସଂଗଠନଗୁଡ଼ିକ ତୃଣମୂଳ ସ୍ତରରେ ଗଠନମୂଳକ କାର୍ଯ୍ୟ କରନ୍ତୁ ବୋଲି ଚାହାଁନ୍ତି ନାହିଁ। ସିପିଆଇ (ଏମ୍) ଓ ଟିଏମ୍ସି ଅଧୀନରେ ପଶ୍ଚିମବଙ୍ଗ, ଏଆଇଏଡିଏମ୍କେ ଓ ଡିଏମ୍କେ ଅଧୀନରେ ତାମିଲନାଡୁ ଏବଂ ଵାଇଆର୍ଏସ୍ କଂଗ୍ରେସ ଓ ଟିଆର୍ଏସ୍ ଅଧୀନରେ ତେଲେଙ୍ଗାନାରେ ଏହା ସତ ହୋଇଛି। ତଥାପି ବିଜେପି ନାଗରିକ ସମାଜ ଓ ସ୍ବାଧୀନ ଚିନ୍ତାଧାରା ପ୍ରତି ଶତ୍ରୁତାକୁ ଏକ ନୂତନ ସ୍ତରକୁ ନେଇଯାଇଛି। ଏହା ବ୍ୟତୀତ ସିପିଆଇ (ଏମ୍), ଟିଏମ୍ସି, ଡିଏମ୍କେ ଆଦି ଦଳ କେନ୍ଦ୍ରରେ କେବେ ହେଲେ ଶାସନ କରି ନ ଥିବା ବେଳେ ବିଜେପି ଉଭୟ କେନ୍ଦ୍ର ଓ କିଛି ରାଜ୍ୟରେ ଶାସନ କ୍ଷମତାରେ ରହିଛି। ସୁତରାଂ, ନାଗରିକ ସମାଜ ସଂଗଠନଗୁଡ଼ିକୁ ଭାଙ୍ଗିବା ଏବଂ ଭୟଭୀତ କରିବା ପାଇଁ କ୍ଷମତାତନ୍ତ୍ରର ବ୍ୟବହାର କରିବା ଉପରେ ବିଜେପି ଅଧିକ ଗୁରୁତ୍ବ ଦେଇଛି।
୧୮୩୦ ଦଶକରେ ଲେଖାଲେଖି କରୁଥିବା ଫରାସୀ ଚିନ୍ତକ ଆଲେକ୍ସିସ ଡି ଟକ୍ୟୁଭିଲେ ଯୁକ୍ତି ବାଢ଼ିଥିଲେ ଯେ ଆମେରିକାର ଗଣତନ୍ତ୍ର ତାହାର ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପରିପୁଷ୍ଟ। ସେତେବେଳକୁ ସମ୍ଭ୍ରାନ୍ତ ୟୁରୋପ ବୋଧହୁଏ ପଛୁଆ ଥିଲା, କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଏହାର ଅନେକ ନିଜସ୍ବ ସମୃଦ୍ଧ ସ୍ବେଚ୍ଛାସେବୀ ସଂଗଠନ ରହିଥିଲା। ସେଗୁଡ଼ିକ ଦୁଇଟି ଶ୍ରେଣୀର ବିଭକ୍ତ ଥିଲେ- ସମାଲୋଚନାମୂଳକ ଓ ଗଠନମୂଳକ। ପ୍ରଥମଟି ନାଗରିକମାନଙ୍କୁ ଅଭାବ କିମ୍ବା ଭୟରୁ ମୁକ୍ତ କରିବାରେ ସରକାରଙ୍କ ବିଫଳତା ନେଇ ସେମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଥିଲା, ଦ୍ବିତୀୟଟି ନିଜେ ବିଦ୍ୟାଳୟ, ଡାକ୍ତରଖାନା ଆଦି ସ୍ଥାପନ କରି ଏହି ବିଫଳତାକୁ ପୂରଣ କରିବାକୁ ଚେଷ୍ଟା କରିଥିଲା।
ଟକ୍ୟୁଭିଲେଙ୍କ ପ୍ରାୟ ଦୁଇ ଶତାବ୍ଦୀ ପରେ ମୁଁ ତାଙ୍କ ମତକୁ ସମର୍ଥନ କରୁଛି। ଏ ପରିପ୍ରେକ୍ଷୀରେ ମୁଁ ଭାବେ ଯେ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପର ଦଶନ୍ଧିଗୁଡ଼ିକରେ ଉଭୟ ସମାଲୋଚନାମୂଳକ ଓ ଗଠନମୂଳକ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଆମ ରାଜନୈତିକ ବ୍ୟବସ୍ଥା ଓ ସମାଜ ଉପରେ ପ୍ରଭାବ ପକାଇବା ପାଇଁ ସୁଯୋଗ ପାଇଥିଲେ ଏବଂ ସେହି ସମୟରେ ଭାରତ ବୋଧହୁଏ ସବୁଠାରୁ ଅଧିକ ଗଣତାନ୍ତ୍ରିକ ହୋଇ ପାରିଥିଲା।
୨୦୧୪ ପର ଠାରୁ ସ୍ବାଧୀନ ଭାବେ କାର୍ଯ୍ୟ କରୁଥିବା ଗୋଷ୍ଠୀ ଓ ସଂଗଠନଗୁଡ଼ିକ ବିରୋଧରେ ସରକାର ନିଜର ଶକ୍ତି ପ୍ରୟୋଗ କରିବାକୁ ଚେଷ୍ଟା କରି ଆସିଛନ୍ତି। ଯଦିଓ ଏ କଥା ସତ ଯେ ଅତୀତରେ ମଧ୍ୟ କୌଣସି ରାଜନୈତିକ ଦଳ ପସନ୍ଦ କରି ନାହାନ୍ତି ଯେ ନାଗରିକ ସମାଜ ସଂଗଠନଗୁଡ଼ିକ ସମ୍ପୂର୍ଣ୍ଣ ସ୍ବାଧୀନ ହୁଅନ୍ତୁ। ତେବେ ଆଜିର ବିଜେପି ସକ୍ରିୟ ଭାବେ ସେମାନଙ୍କ ପ୍ରତି ଶତ୍ରୁତା ପ୍ରଦର୍ଶନ କରି ଚାଲିଛି। ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ସିଭିଲ୍ ସୋସାଇଟି ଫୋରମ୍ ବୈଠକକୁ ଜଣେ ପ୍ରତିନିଧିଙ୍କୁ ପଠାଇବାକୁ ଦଳ ଭୁଲି ଯାଇ ନ ଥିଲା; ବରଂ, ଏଭଳି କରିବା ପଛରେ ଦଳର ଏକ ନିର୍ଦ୍ଦିଷ୍ଟ ବିଚାର କାର୍ଯ୍ୟ କରିଥିଲା। ବିଜେପି କ୍ରମବର୍ଦ୍ଧିଷ୍ଣୁ ଭାବରେ ମୁକ୍ତ ଗଣମାଧ୍ୟମ ଓ ଶକ୍ତିଶାଳୀ ନାଗରିକ ସମାଜକୁ ଏହାର ବିଚାରଧାରା ଓ ଶାସନର ସ୍ଥାୟିତ୍ବର ବିରୋଧୀ ରୂପରେ ଦେଖୁଛି।