ନବକୃଷ୍ଣ ଚୌଧୁରୀ ଏକ ରାଜନୈତିକ ପରିବାରରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ଜନ୍ମଲାଭ କରନ୍ତି ଏବଂ ଗାନ୍ଧୀଙ୍କ ଠାରୁ ଦୀକ୍ଷା ଲାଭ କରି ମାର୍କ‌୍ସ-ଲେନିିନ ଓ ହୋ ଚି ମିନ୍‌ଙ୍କ ଦେଇ ପୁଣି ଫେରି ଗାନ୍ଧୀ ବିଚାର ଗବେଷଣା ଓ ପ୍ରୟୋଗ ମାଧ୍ୟମରେ ଦେଶର ରାଜନୀତିରେ ଏକ ଅଲିଭା ଅଧ୍ୟାୟ ରଚନା କରନ୍ତି। ଗାନ୍ଧୀ ନିଜେ କ୍ଷମତା ରାଜନୀତିକୁ ଯାଇ ନ ଥିଲେ ମଧ୍ୟ ମଧୁସୂଦନ ଦାସଙ୍କ ଭଳି କାର୍ଯ୍ୟ କରିଥିବା ମନ୍ତ୍ରୀ ହେବାକୁ ତାରିଫ୍ କରିଛନ୍ତି। ସେ ଚାହୁଁଥିଲେ ରାଜନୀତି ନୀତିହୀନ ବାଟରେ ନ ଯାଉ।

Advertisment

ଓଡ଼ିଶାର କୃଷକ ଆନ୍ଦୋଳନ ଏବଂ ଗଡ଼ଜାତ ଆନ୍ଦୋଳନର ନେତା ହିସାବରେ ନବକୃଷ୍ଣ ଚୌଧୁରୀ ୧୯୩୭ ନିର୍ବାଚନ ବେଳକୁ ପ୍ରାଦେଶିକ କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବରେ ନିର୍ବାଚନ ପରିଚାଳନା କରିଥିଲେ। କଂଗ୍ରେସ ଦଳ ସେଥରକ ୩୭ଟି ସାଧାରଣ ସ୍ଥାନରୁ ୩୬ଟି ସ୍ଥାନ ପାଇ ପାରିଥିଲା। ଏଣୁ ତିନିଜଣିଆ ଓଡ଼ିଶା ମନ୍ତ୍ରିମଣ୍ଡଳରେ ସେ ଏକ ସ୍ଥାନ ପାଇବାର କଥା। କିନ୍ତୁ ସେ ନିଜେ ମନ୍ତ୍ରୀ ନ ହୋଇ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସପକ୍ଷରେ ପ୍ରସ୍ତାବ ଦେଇଥିଲେ। କାରଣ ମନ୍ତ୍ରିତ୍ୱ ଅପେକ୍ଷା ଜନ ଆନ୍ଦୋଳନର ନେତୃତ୍ୱ ନେବା ଥିଲା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ହରେକୃଷ୍ଣ ମହତାବଙ୍କ ଭାଷାରେ ସେ ଥିଲେ ‘ଓଡ଼ିଶା କଂଗ୍ରେସ ଇତିହାସର ଏକ ଅଧ୍ୟାୟର ପ୍ରଧାନ ନାୟକ’। ଏଣୁ ୧୯୪୬ ନିର୍ବାଚନ ପରେ ଗଢ଼ାଯାଇଥିବା ମନ୍ତ୍ରିମଣ୍ଡଳରେ ସେ ବି ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ।

କିନ୍ତୁ ଭାରତବର୍ଷର ରାଜନୈତିକ ଅବସ୍ଥା ଓ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଯଦୁମଣି ମଙ୍ଗରାଜ ଆଦି ଓଡ଼ିଶା କଂଗ୍ରେସ ଦଳରୁ ବାହାରି ଯାଇଥିବା ପରିସ୍ଥିତିରେ ସେ ନିଜେ ରଥୀ ନ ହୋଇ ମହତାବଙ୍କ ଶାସନ ରଥର ସାରଥୀ ହୋଇ ରହିବାକୁ ବିଜ୍ଞତା ବୋଲି ବିଚାର କରିଥିଲେ। ଦୁଇ ବନ୍ଧୁ ସଦ୍ୟ ସ୍ୱାଧୀନତାପ୍ରାପ୍ତ ଓଡ଼ିଶାର ୨୪ ଗଡ଼ଜାତ ମିଶ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଚାଲିଥିବା ଭିତରେ ନବକୃଷ୍ଣ ଚୌଧୁରୀଙ୍କ ଏକମାତ୍ର ପୁତ୍ରର ଆତ୍ମହତ୍ୟା ତାଙ୍କ ଲାଗି ଏକ ଦାରୁଣ ଧକ୍କା ଥିଲା। ନବ ବାବୁ ମନ୍ତ୍ରିତ୍ୱ ଛାଡ଼ି ଅନୁଗୁଳ ବାଜିରାଉତ ଛାତ୍ରାବାସରେ ରହିଲେ। କିଛି କାଳ ଶୋକ ପରେ ବିଷାଦ ହଟାଇବା ଲାଗି ତାଙ୍କୁ ମୌଳିକ ଶିକ୍ଷାର ସଞ୍ଚାଳକ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ମନ୍ତ୍ରିତ୍ୱ ଛାଡ଼ି ଏଭଳି ଏକ ଛୋଟ ପଦରେ କାର୍ଯ୍ୟ କରିବାକୁ ସେ ସଙ୍କୋଚ ବୋଧ କରିନଥିଲେ। ଦେଶ ପାଇଁ ଯେ କୌଣସି କାମକୁ ଲୋକଙ୍କ ସେବା ବୋଲି ସେ ବିଚାର କରୁଥିଲେ।

ସ୍ୱାଧୀନତା ପ୍ରାପ୍ତି ପରେ ଲକ୍ଷଲକ୍ଷ ଶରଣାର୍ଥୀଙ୍କ ବସବାସ ଓ କାଶ୍ମୀର ସମସ୍ୟା ଆଦିର ପରିଚାଳନା ଲାଗି ନେହରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହରେକୃଷ୍ଣ ମହତାବଙ୍କୁ ନେବାକୁ ଚାହିଁଲେ। ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଭାବରେ ସେ ଚୌଧୁରୀଙ୍କ ନାମ ପ୍ରସ୍ତାବ ଦେଲେ; ଯାହା ନେହରୁଙ୍କ ମନକୁ ପାଇଥିଲା। ୧୯୩୫ ମସିହାରୁ କଂଗ୍ରେସର ସୋସାଲିଷ୍ଟ ଗୋଷ୍ଠୀ ଗଠନ ବେଳରୁ ସେ ନବ ବାବୁଙ୍କୁ ଜାଣିଥିଲେ। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିଲେ ୧୯୩୭ ମସିହା ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ। କିନ୍ତୁ ମହତାବ ବାବୁ ଓଡ଼ିଶାର ଶାସନ କ୍ଷମତା ତାଙ୍କୁ ଛାଡ଼ିବାକୁ ଚାହୁଁନଥାନ୍ତି। କାରଣ ବିଶ୍ୱନାଥ ବାବୁ ଥରେ କ୍ଷମତାରେ ରହିଲେ ତାଙ୍କୁ ହଟାଇବା କଷ୍ଟକର ହୁଅନ୍ତା, ବରଂ, ନବକୃଷ୍ଣ ଚୌଧୁରୀଙ୍କୁ ସହଜରେ ହଟାଇ ସେ ପୁନର୍ବାର ଓଡ଼ିଶା କ୍ଷମତା ଦଖଲ କରିପାରିବେ। ସେ ଭାବୁଥିଲେ ନବବାବୁ ତାଙ୍କ କା’ ଭଳି ଏବଂ ଓଡ଼ିଶାର ରାଜନୀତି ଓ ଶାସନର ବିଭିନ୍ନ କାମ ମହତାବଙ୍କ ବରାଦ ଅନୁସାରେ ଅନେକାଂଶରେ ଚାଲିଲା। ୧୯୫୨ ନିର୍ବାଚନରେ ପ୍ରାର୍ଥୀ ଛିଡ଼ା କରାଇବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

୧୯୫୨ ନିର୍ବାଚନ ପାଇଁ ବିଶ୍ୱନାଥ ଦାସ ଓ ହରେକୃଷ୍ଣ ମହତାବଙ୍କୁ ପାର୍ଲାମେଣ୍ଟକୁ ପ୍ରାର୍ଥୀ କରାଗଲା। ମହତାବ ବାବୁ ନିର୍ବାଚିତ ହୋଇଥିଲେ ହେଁ ନେହରୁଙ୍କ ଆସ୍ଥା ହରାଇଥାନ୍ତି। ନବକୃଷ୍ଣ ଚୌଧୁରୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ନେବାକୁ ଅନୁରୋଧ କରିଥିଲେ ବି ନେହରୁ ସେଥିପାଇଁ ସମ୍ମତ ହେଲେ ନାହିଁ। ସେହି ନିର୍ବାଚନରେ କଂଗ୍ରେସ ଦଳ ପୂର୍ବତନ ଗଡ଼ଜାତର ବହୁ ନିର୍ବାଚନ ମଣ୍ଡଳୀରେ ହାରିଯାଇଥିବାରୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଥିଲା। ଏହାର ବର୍ଷକ ମଧ୍ୟରେ ଚାରିଟି ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ କଂଗ୍ରେସ ଦଳ ହାରି ଯାଇଥିଲା। କଂଗ୍ରେସ ଦଳର ଏହି ଅବସ୍ଥା ଦେଖି ନବକୃଷ୍ଣ ଚୌଧୁରୀ ଇସ୍ତଫା ଦେଇ ବିରୋଧୀ ଦଳରେ ରହିବା ଲାଗି ୧୯୫୩ ଜୁଲାଇ ୧୬ ତାରିଖରେ ନେହରୁଙ୍କୁ ପତ୍ର ଲେଖିଛନ୍ତି। ସେ ଚାହିଁଛନ୍ତି ଯେ, ମହତାବ ବାବୁ ଓ ସେ ମିଶି ଲୋକଙ୍କ ମଧ୍ୟରେ କିଛି କାଳ ଗଠନମୂଳକ କାମ କଲେ ଲୋକଙ୍କର କଂଗ୍ରେସ ଦଳ ପ୍ରତି ଆସ୍ଥା ବଢ଼ିବ। କିନ୍ତୁ ନେହରୁ ବା ରାଜ୍ୟ କଂଗ୍ରେସ ଦଳର ଅନ୍ୟ ନେତାମାନେ ଏଥିରେ ଏକମତ ହୋଇନାହାନ୍ତି। ସ୍ୱାଧୀନତା ପରେ ରାଜ୍ୟର ଲୋକେ ବହୁତ କାମ ଆଶା କରୁଥାନ୍ତି, ସେ ସବୁ ପୂରଣ ହେଉ ନ ଥିବାରୁ ସରକାର ଠାରୁ ଆସ୍ଥା ଊଣା ହେଉଥାଏ। ଏଣୁ ୧୯୫୩ ମସିହା ପରେ ବି ବିଭିନ୍ନ ସମୟରେ ସେ ନିଜେ ଇସ୍ତଫା ଦେବା କଥା ଉଠାଇଛନ୍ତି। ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ହଜାର ହଜାର ବର୍ଷର ଜମିଦାରୀ ବ୍ୟବସ୍ଥା ଉଠିଛି, ସରକାର ଓ ଚାଷୀଙ୍କ ମଧ୍ୟରେ ସମସ୍ତ ପ୍ରକାର ମଧ୍ୟସ୍ୱତ୍ତ୍ୱାଧିକାର ଲୋପ ପାଇଛି, ରାଉରକେଲା ଇସ୍ପାତ କାରଖାନା ଓ ହୀରାକୁଦ ନଦୀବନ୍ଧ, କୃଷି ମହାବିଦ୍ୟାଳୟ ଏବଂ ଭେଟେରିନାରି ମହାବିଦ୍ୟାଳୟ ସ୍ଥାପିତ ହୋଇଛି।

ନବକୃଷ୍ଣ ଚୌଧୁରୀଙ୍କ ସୁପାରିସରେ ମହତାବ ବାବୁଙ୍କୁ ବମ୍ବେର ରାଜ୍ୟପାଳ କରାଯାଇଥିଲେ ହେଁ ସେ ସେଥିରେ ସନ୍ତୁଷ୍ଟ ନଥିଲେ। ନବକୃଷ୍ଣ ଚୌଧୁରୀଙ୍କ ଚାଷୀ ମଙ୍ଗଳ ଆଇନ ଚାକିରିଆ ଶ୍ରେଣୀଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ଚାଷୀଙ୍କୁ ଅସନ୍ତୁଷ୍ଟ କରିଥାଏ। କଂଗ୍ରେସ ଦଳର ଅଧିକାଂଶ ଏହାକୁ କାର୍ଯ୍ୟକାରୀ କରିବାରେ ଆଗ୍ରହ ପ୍ରକାଶ କରୁନଥାନ୍ତି। ଏହାରି ସୁଯୋଗ ନେଇ ହରେକୃଷ୍ଣ ମହତାବଙ୍କ ସହଯୋଗୀମାନେ ନବ ବାବୁଙ୍କୁ ମୁଖ୍ୟମନ୍ତ୍ରିତ୍ୱରୁ ତଡ଼ିବା ପାଇଁ ଲାଗିଗଲେ। ଏଣେ, ନବବାବୁ ପୂର୍ବରୁ ଇସ୍ତଫା ଦେବାକୁ ଚାହୁଁଥିଲେ ହେଁ ବିଶ୍ୱନାଥ ଦାସଙ୍କ ଗୋଷ୍ଠୀ ତାହା ଚାହୁଁ ନଥିଲେ। ପୁଣି ନେହରୁ ଏବଂ କଂଗ୍ରେସ ଦଳର ସଭାପତି ଚାହୁଁଥାନ୍ତି ନବକୃଷ୍ଣ ଚୌଧୁରୀ ୧୯୫୭ ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରହନ୍ତୁ। ନବ ବାବୁଙ୍କୁ ତଡ଼ିବା ଲାଗି ମହତାବ ବାବୁଙ୍କ ଗୋଷ୍ଠୀ ଦ୍ବାରା ତାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଖଣ୍ଡଗିରି ଡାକ ବଙ୍ଗଳାରେ କଂଗ୍ରେସ ଦଳର ଏକ ବୈଠକ ଡକାଯାଇଥାଏ। ନବବାବୁ ସେଠାକୁ ଯାଇ ଦେଖିଲେ ସବୁ ଝରକା ବନ୍ଦ ହୋଇଛି। ସେ ଝରକା ସବୁ ଖୋଲି ଦେଇ ବଡ଼ ପାଟିରେ କହିଲେ ଯେ ‘ସେ ନିଜେ ତ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି; ଏଣୁ ଅସୁବିଧା କ’ଣ?’ ଏହା ପରେ କେହି କିଛି କହିଲେ ନାହିଁ। ବୈଠକ ସେତିକିରୁ ଶେଷ ହେଲା।

ନବ ବାବୁ ଇସ୍ତଫା ଦେବାକୁ କହୁଥାନ୍ତି; କିନ୍ତୁ ସେ ଯାଉ ନଥାନ୍ତି। ଏଭଳି ସମୟରେ ତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ସତ୍ୟପ୍ରିୟ ମହାନ୍ତି ଦିନେ ତାଙ୍କ ଘରକୁ ନବ ବାବୁଙ୍କୁ ଖାଇବା ପାଇଁ ଡାକିବା ଅବସରରେ ତାଙ୍କୁ ପଚାରିଲେ ‘ଆପଣ କ’ଣ ଇସ୍ତଫା ଦେବାକୁ ଏକାନ୍ତ ବଦ୍ଧପରିକର?’ ଉତ୍ତରରେ ନବ ବାବୁ କହିଥିଲେ ‘ମୋତେ ତଡ଼ିବା ଲାଗି ଯେଉଁମାନେ ଉତ୍ସାହୀ ଓ ମୋତେ ରଖିବା ଲାଗି ଯେଉଁମାନେ ଆଗ୍ରହୀ; ଉଭୟଙ୍କ ଭିତରୁ କେହି ହେଲେ ମୋ ନୀତିକୁ ବିଚାର କରି ତାହା କରୁନାହାନ୍ତି। ସେମାନେ ନିଜ ନିଜ ଗୋଷ୍ଠୀର ସ୍ୱାର୍ଥ ଦୃଷ୍ଟିରୁ ଏସବୁ କରୁଛନ୍ତି। ଏଣୁ ମୋ ରହିବା ପ୍ରଶ୍ନ ନାହିଁ।’

ସେ ଚାହିଁଥିଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥାନ୍ତେ ବା ବମ୍ବେ ଭଳି ବିରାଟ ପ୍ରଦେଶର ରାଜ୍ୟପାଳ ହୋଇପାରିଥାନ୍ତେ। କିନ୍ତୁ କ୍ଷମତାକୁ ସେ ନିଷ୍ପେଷିତ ଲୋକଙ୍କ ସଶକ୍ତୀକରଣ ଦିଗରେ ଅସ୍ତ୍ର ଭାବରେ ବ୍ୟବହାର ଆଶାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଅସ୍ତ୍ରଟା କାମରେ ନ ଲାଗିବାରୁ ସେ କାହିଁକି ଆଉ କ୍ଷମତାରେ ରହନ୍ତେ?

ସେ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ସମୟରେ ବ୍ରହ୍ମଦେଶର ଶାସନ ମୁଖ୍ୟ ଉ ନୁ ମଧ୍ୟ ଇସ୍ତଫା ଦେଇଥିଲେ; ଯାହାକୁ ଲକ୍ଷ୍ୟ କରି ଇଂଲାଣ୍ଡର ବିଖ୍ୟାତ ପତ୍ରିକା ‘ଦି ନ୍ୟୁ ଷ୍ଟେଟ୍‌ସମ୍ୟାନ୍ ଆଣ୍ଡ୍‌ ନେସନ୍‌’ ଲେଖିଥିଲା ‘ଦି ଟୁ ଵାଇଜ୍‌ ମେନ୍ ଅଫ ଦି ଇଷ୍ଟ୍‌’ ବା ପ୍ରାଚ୍ୟର ଦୁଇ ବିଜ୍ଞ ପୁରୁଷ।

କ୍ଷମତାରେ ଥିବା ବେଳେ ସେ ମାଳତୀ ଦେବୀ କାମ କରୁଥିବା ଗଞ୍ଜାମର ମାଳ ଅଞ୍ଚଳକୁ ଗଲାବେଳେ ରେଳରେ ତୃତୀୟ ଶ୍ରେଣୀରେ ଯାଉଥିଲେ ଏବଂ ଜୟପୁର ଅଞ୍ଚଳର ନବଜୀବନ ମଣ୍ଡଳର କାମ ଦେଖିବାକୁ ଗଲେ ଷ୍ଟେସନ ଠାରୁ ଚାଲି ଚାଲି ଯାଉଥିଲେ। ଅଥଚ ସେ ଅଞ୍ଚଳର ଦୁର୍ଗମ ଅଞ୍ଚଳକୁ ଯିବା ଲାଗି ପଦାଧିକାରୀଙ୍କ ପାଇଁ ଜୟପୁର ମହାରାଜାଙ୍କ ଠାରୁ ହାତୀ କିଣାଇଥିଲେ। କ୍ଷମତାରେ ଥିବାବେଳେ ସରଳ ଜୀବନ ଜିଇଥିଲେ। ପରବର୍ତ୍ତୀ କାଳରେ ଅତି ଦାରିଦ୍ର୍ୟ ତାଙ୍କୁ ବାଧି ନ ଥିଲା; ବରଂ ସେ ସେଥିରୁ ସନ୍ତୋଷ ଲାଭ କରୁଥିଲେ।

ମୋ: ୯୯୩୮୮୯୩୪୪୫