ଫକିର ଫରିଦଙ୍କ ଠାରୁ ନୀତି ବାଣୀ ଶୁଣିବା ପରେ ଜଣେ ଅନୁଗାମୀ ସ୍ଥିର କଲେ ଯେ ସେ ଏଣିକି ଧନ ଅର୍ଜନ କରିବାର ‌େଚଷ୍ଟା ଛାଡ଼ି ଦେବେ। ଧନ ପଛରେ ଗୋଡ଼ାଇବେ ନାହିଁ। କାରଣ ଫରିଦ କହୁଥିଲେ ଧନର ଦେବୀଙ୍କ ପଛରେ ନ ଗୋଡ଼ାଇଲେ ସେ ତୁମ ପଛରେ ଗୋଡ଼ାଇବେ।

Advertisment

ଏଭଳି ଅନେକ ଦିନ ଗଲା ପରେ ସେ ଦେଖିଲେ ଯେ ଧନ ଆସିବ କ’ଣ ଚେଷ୍ଟା ନ କରିବା ଦ୍ବାରା ଯାହା ଅର୍ଜନ କରୁଥିଲେ, ତାହା ବନ୍ଦ ହୋଇଗଲା। ଏଭଳି ସ୍ଥିତିରେ ବିଚଳିତ ହୋଇ ସେ ଫରିଦଙ୍କ ନିକଟରେ ପହଞ୍ଚି ତାଙ୍କ ଆଗରେ ଫେରାଦ ହେଲେ।

ଫରିଦ ଏହା ଶୁଣି କହିଲେ- ତୁମେ ପଛକୁ ବୁଲି ଦେଖୁଛ କି ଧନର ‌େଦବୀ ତୁମ ପଛରେ ଆସୁଛନ୍ତି କି ନାହିଁ? ଏହାର ଏକ ଗୂଢ଼ ଅର୍ଥ ରହିଛି। ଫରିଦଙ୍କ କଥାର ଅର୍ଥ ହେଲା ଧନ ପାଇବା ଆଶାରେ ଧନର ମୋହ ଛାଡ଼ିବାକୁ ନିଷ୍ପତ୍ତି ନେବା ହେଉଛି ତୁଚ୍ଛା କପଟାଚାର। ସେଭଳି ସ୍ଥିତିରେ ଧନର ଦେବୀ ଅନୁଗମନ କରନ୍ତି ନାହିଁ। ଫରିଦଙ୍କ ମତରେ ଧନ ପ୍ରତି ଲାଳସା ସଂପୂର୍ଣ୍ଣ ମରିଗଲେ ବା ଧନ ଥିବା ବା ନ ଥିବା କୌଣସି ମୂଲ୍ୟ ନ ରଖିଲେ ଯାଇ ସେମିତି ସ୍ଥିତି ହୋଇଥାଏ। ଏଭଳି ସ୍ଥଳେ ବ୍ୟକ୍ତି ନିଜ ଲାଗି କିଛି ଚାହିଁ ନ ଥା‌ଏ। ସେ କେବଳ ଅନ୍ୟକୁ ସାହାଯ୍ୟ କରିବା ଲାଗି ତାହା ଚାହିଁପାରେ। ସେଭଳି ହେଲେ ସେ ଆବିଷ୍କାର କରିବ ଯେ ସେ ସଂପୂର୍ଣ୍ଣ ନିଃସ୍ବ ହୋଇଥିଲେ ବି ଦେବା ଲାଗି ତା’ର ହାତ ଖାଲି ରହିବ ନାହିଁ। ସେ ଯାହା ଚାହିଁବ, କୌଣସି ନା କୌଣସି ସୂତ୍ରରୁ ତା’ ପାଖରେ ପହଞ୍ଚିବ।