ଓଡ଼ିଶାରେ କଥା କଥାକେ କୁହାଯାଏ, ଯେତେ ଭାଇ, ସେତେ ଭାଗ। ଅର୍ଥାତ୍ ଯେଉଁ ପରିବାରରେ ଏକାଧିକ ପୁତ୍ର ସନ୍ତାନ୍ତ ଥାନ୍ତି, ସେଠାରେ ସମସ୍ତେ ଯେ ଏକାଠି ବା ଏକ ମନରେ ଗୋଟିଏ ଚାଳ ତଳେ ରହିବେ, ଏକଥା ସମ୍ଭବ ନୁହେଁ। ଅର୍ଥାତ୍, ଘର ଭିତରେ ବାଡ ପଡ଼େ। ସେମିତି ଅନୁରୂପ କଥାଟି ଘଟୁଛି ରାଜ୍ୟମାନଙ୍କ ଭିତରେ; ଜମି, ଜଳ, ଜଙ୍ଗଲକୁ ନେଇ, ଯେଉଁଠି ଭାଇ ଭାଗ ବିବାଦ ଉତ୍କଟ ମଧ୍ୟ ହେଉଛି। ଆମ ରାଜ୍ୟ କଥା ଦେଖିବା। ଓଡ଼ିଶାର ସବୁ ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ପଡ଼ୋଶୀଙ୍କ ସହ ସଂପର୍କ ତିକ୍ତ ହେବାରେ ଲାଗିଛି। ନଦୀ ଜଳ ବଣ୍ଟନ କ୍ଷେତ୍ରରେ ମଧ୍ୟ ତଦ୍ରୂପ ସ୍ଥିତି।

Advertisment

ନଦୀ ଜଳକୁ ନେଇ ଯଦି ରାଜ୍ୟଗୁଡ଼ିକ ଭିତରେ ବିବାଦ ଦେଖାଦିଏ, ତେବେ ତା’ର ସମାଧାନ ଲାଗି ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ, ୧୯୫୬ ଅନୁସାରେ ଟ୍ରିବ୍ୟୁନାଲ ଗଠନର ବ୍ୟବସ୍ଥା ରହିଛି। ମହାନଦୀରେ କାହାର ଭାଗ କେତେ ତାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ବିବାଦର ସମାଧାନ ପାଇଁ ବି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶରେ ଟ୍ରିବ୍ୟୁନାଲ ଗଠିତ ହୋଇଛି। ୨୦୧୮ ମସିହାରୁ ଏହି ପ୍ରସଙ୍ଗକୁ ଶୁଣିବା ପରେ ଟ୍ରିବ୍ୟୁନାଲ ଏବେ ସରଜମିନ ଅନୁଧ୍ୟାନ ଲାଗି ଛତିଶଗଡ଼ ବୁଲୁଛନ୍ତି ଓ ଆସନ୍ତା ମେ’ ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ମେ’ ୧୮ରୁ ୨୨ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଲାଗି ଓଡ଼ିଶା ଆସିବେ।

ଟ୍ରିବ୍ୟୁନାଲଙ୍କ ଏହି ଗସ୍ତ ଓଡ଼ିଶା ପାଇଁ ଅନେକ ମହତ୍ତ୍ବ ରଖେ। ମହାନଦୀକୁ ଯିଏ ଥରେ ଆଖି ବୁଲାଇ ଦେଖିବ, ସେ ବୁଝି ପାରିବ ଯେ ଏହି ବିଶାଳ ନଦୀର ଆୟୁଷ ପ୍ରତି ଭୀଷଣ ବିପଦ ଦେଖାଗଲାଣି। କିନ୍ତୁ, ଏଣେ ଛତିଶଗଡ଼ ସରକାର କଲମା ବ୍ୟାରେଜରୁ ପାଣି ଛାଡ଼ି ଗୋଟିଏ ଭ୍ରମାତ୍ମକ ଧାରଣା ସୃଷ୍ଟି କରୁଛନ୍ତି ଯେ ମହାନଦୀ ପେଟରେ ପେଟେ ପାଣି ସବୁ ସମୟରେ ରହୁଛି।

ଆମେ ସମସ୍ତେ ଜାଣିଛେ, ଓଡ଼ିଶାର ପଶ୍ଚିମ ଭାଗ ଓ ପୂର୍ବ ଉପକୂଳ ମଧ୍ୟରେ ସଂପର୍କର ସୂତା ଭଳି ଭୂମିକା ନିର୍ବାହ କରୁଥିବା ମହାନଦୀ ହେଉଛି ଆମ ରାଜ୍ୟର ଜୀବନ ରେଖା। ରାଜ୍ୟର ଅଧାରୁ ଅଧିକ ଅଞ୍ଚଳ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏହା ଉପରେ ନିର୍ଭରଶୀଳ। ହେଲେ ସରକାରଙ୍କ ଠାରୁ ଆରମ୍ଭ କରି ରାଜନୈତିକ ତଥା ବୁଦ୍ଧିଜୀବୀ ମହଲରେ ମହାନଦୀର ସୁରକ୍ଷା ନେଇ ଯେଭଳି ତତ୍ପରତା ଦେଖାଯିବା କଥା, ତାହା ଏଯାଏ ପରିଲକ୍ଷିତ ହେଲା ନାହିଁ।

ଏହି ଅଭିଯୋଗଟି ଅମୂଳକ ନୁହେଁ; କାରଣ ଦେଶରେ ଗତ ୫୪ ବର୍ଷ ଭିତରେ ୯ଟି ଟ୍ରିବ୍ୟୁନାଲ ଗଠିତ ହୋଇଛି। ଏବେ ବି ମହାନଦୀ ସମେତ ୪ଟି ଟ୍ରିବ୍ୟୁନାଲର ମାମଲା ଶୁଣାଣି ଚାଲିଛି। କ୍ରିଷ୍ଣା ଜଳ ବିବାଦ ମାମଲା କଥା ନ କହିବା ଭଲ। ଏ ଦୃଷ୍ଟିରୁ ମହାନଦୀର ଭାଗ୍ୟକୁ ଯଦି ଟ୍ରିବ୍ୟୁନାଲଙ୍କ ଉପରେ କେବଳ ଛାଡ଼ି ଦିଆଯିବ, ତେବେ ପରିଣତି ଯେ କ’ଣ ହେବ, ଏ କଥା ସହଜରେ ଅନୁମାନସାପେକ୍ଷ। ଏ ପ୍ରଶ୍ନ ବି ଉଠିପାରେ ଯେ ରାୟ ପ୍ରକାଶ ପାଇ (ଯଦି ରାୟ ସପକ୍ଷରେ ଯାଏ) ତାହା କାର୍ଯ୍ୟକାରୀ ହେବା ବେଳକୁ ମହାନଦୀ ସୁରକ୍ଷିତ ରହିବ ତ? ଟ୍ରିବ୍ୟୁନାଲ ରାୟ ଯେ ଓଡ଼ିଶା ସପକ୍ଷରେ ଯିବ, ସେ ନେଇ ନିଶ୍ଚିତତା ନାହିଁ। ଯଦି ବିରୋଧରେ ଗଲା, ତେବେ? ଏହି ବିଶାଳ ନଦୀର ସୁରକ୍ଷା ପାଇଁ ଓଡ଼ିଶା ସରକାର କେତେ ପ୍ରସ୍ତୁତ ଅଛନ୍ତି?

୨୦୧୯ ନିର୍ବାଚନର ଠିକ୍ ଦୁଇ ବର୍ଷ ଆଗରୁ ଓଡ଼ିଶାର ସବୁ ରାଜନୈତିକ ଦଳ ଗର୍ଜନ ତର୍ଜନ କରି କହିଥିଲେ ଯେ ମହାନଦୀ ସୁରକ୍ଷା ପାଇଁ ଆମେ ଯେ କୌଣସି ସ୍ତରକୁ ଯିବୁ। ସବୁ ଦଳର ନେତା ବସି କମିଟି କଲେ। ଗତ ଚାରି ବର୍ଷ ଭିତରେ ଏହି କମିଟି ଥରେ ବି ବସିନି। ଶାସକ ବିଜୁ ଜନତା ଦଳ ରାଜ୍ୟ ସୀମା ଡେଇଁ ନୂଆଦିଲ୍ଲୀରେ ଆନ୍ଦୋଳନ କଲେ। ତେବେ, କାଳେ କେନ୍ଦ୍ର ସରକାର ଅସନ୍ତୁଷ୍ଟ ହେବେ, ସେଇଥିପାଇଁ ବୋଧହୁଏ ମହାନଦୀ ମହା ବିବାଦ ସଂପର୍କରେ ଏବେ ରାମବିଷ୍ଣୁ ସାଜିଛନ୍ତି। ସରକାରୀ ସ୍ତରରୁ କେନ୍ଦ୍ର ଉପରେ ଯେଭଳି ଚାପ ସୃଷ୍ଟି କରାଯିବା କଥା ତାହା ମଧ୍ୟ ହେଉ ନାହିଁ।

କଥାଟି ମନକୁ ଆସିବାର କାରଣ ଟ୍ରିବ୍ୟୁନାଲ ଗଠନ ହେବା ଦିନରୁ କୌଣସି ଗୋଟିଏ ନିଷ୍ପତ୍ତି ମହାନଦୀ ସପକ୍ଷରେ ଆସିନାହିଁ। ଛତିଶଗଡ଼ ସରକାର ଉପର ମୁଣ୍ଡରେ ସବୁ ଆଇନକାନୁନକୁ ଭାଙ୍ଗି ଯେଭଳି ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରିଛନ୍ତି, ଟ୍ରିବ୍ୟୁନାଲ ତା’ ଉପରେ ନା ରୋକ୍ ଲଗାଇଛନ୍ତି ନା ସଂପୃକ୍ତ ସରକାରକୁ କେନ୍ଦ୍ରରୁ ତାଗିଦ୍ କରାଯାଇଛି। ଏଣେ ଓଡ଼ିଶା ସରକାର ମଧ୍ୟ ନିରବ, ଯାହା କେନ୍ଦ୍ର ଓ ଛତିଶଗଡ଼ ସମସ୍ତଙ୍କୁ ଚାପ ମୁକ୍ତ କରି ରଖିଛି।

ଅନ୍ୟ ଦିଗରୁ ବିଚାର କଲେ, ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବା ପରେ ରାଜ୍ୟ କଂଗ୍ରେସ ନେତା ମହାନଦୀ ସଂପର୍କରେ ଉଁ କି ଚୁଁ କହୁନାହାନ୍ତି। ନିର୍ମାଣ ବନ୍ଦ ନେଇ ଛତିଶଗଡ଼ ଉପରେ ଚାପ ପକାଇବା ପାଇଁ ଥରୁଟିଏ ବି କଂଗ୍ରେସ ନେତାମାନେ ଆଉ ଏକାଠି ହୋଇନାହାନ୍ତି। ପୂର୍ବରୁ ଛତିଶଗଡ଼ରେ ରମଣ ସିଂହ ସରକାର ଥିଲା। ଏଣୁ ଓଡ଼ିଶାରେ ଆଲୋଚନାରେ ଭାଗ ନେଲା ବେଳେ ଦୋଷଦର୍ଶୀ ଭୂମିକାରେ ଥାଇ କେବଳ ରାଜ୍ୟ ସରକାରଙ୍କୁ ଆଙ୍ଗୁଳି ଉଠାଉଥିଲା ରାଜ୍ୟ ବିଜେପି। ଯେହେତୁ ଏହି ବିବାଦ ଠାରୁ କେନ୍ଦ୍ର ସରକାର ବେଶୀ ଦୂରରେ ନାହାନ୍ତି, ଏଣୁ ଏବେ ବି ଓଡ଼ିଶା ବିଜେପି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିପାରୁନାହିଁ।

ଓଡ଼ିଶାର ସ୍ବାର୍ଥର ସୁରକ୍ଷା କଥା କହୁଥିବା କେନ୍ଦ୍ର ସରକାର ମହାନଦୀ ପାଇଁ ଅଣ୍ଟା ଭିଡ଼ିନାହାନ୍ତି। ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଥରେ ସଂସଦର କେନ୍ଦ୍ରୀୟ କକ୍ଷରେ ସମ୍ବୋଧନ କରିବା ଅବସରରେ କହିଲେ ଯେ ଅନ୍ୟ ନଦୀ ସମେତ ମହାନଦୀକୁ ପ୍ରଦୂଷଣରୁ କିଭଳି ମୁକ୍ତ କରାଯିବ ସେ ନେଇ କେନ୍ଦ୍ର ସରକାର କାମ କରିବେ। ସେବେ ରାଷ୍ଟ୍ରପତିଙ୍କ ମୁହଁରେ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ଯେଉଁ କଥା କୁହାଯାଇଥିଲା, ତାହା ବି ଶୀତଳଭଣ୍ଡାରରେ। ଗୋଟିଏ ଧାଡ଼ିରେ କହିଲେ, ସମସ୍ତେ ଅଧା ରାସ୍ତାରେ ମହାନଦୀକୁ ଛାଡ଼ିଦେଇ ନିଜ ନିଜର ବାଟ କାଟିଦେଇଛନ୍ତି। ମହାନଦୀକୁ ନେଇ ଯିଏ ଯେତେ ସବୁ ସଂକଳ୍ପ କରିଥିଲେ, ତାହା ପ୍ରଭାବହୀନ।

ଆଜି ମହାନଦୀ ମୁଖ୍ୟତଃ ତିନିଟି କାରଣରୁ ବିପଦକୁ ଚାଲିଆସିଛି। କେବେ ଯଦି ୮୫୧ କିଲୋମିଟର ଦୀର୍ଘ ଏହି ନଦୀଟି ମରିଯାଏ, କେହି ଆଶ୍ଚର୍ଯ୍ୟ ହେବାରେ ନାହିଁ। ପ୍ରଥମଟି ହେଲା ଜଳବାୟୁ ଅନିୟମିତତାର ଗୋଟିଏ ବଡ଼ ପ୍ରଭାବ ମହାନଦୀ ଉପରେ ପଡ଼ିଲାଣି। ବର୍ଷାର ଅନିୟମିତତା କଥା ଆମେ କହୁଛେ। ଅତିବୃଷ୍ଟି କାରଣରୁ ଭୀଷଣ ବନ୍ୟା ଆସିବା, ବର୍ଷା ଅଭାବରୁ ନଦୀ ଶୁଖିଯିବା ଉଭୟ ପରିସ୍ଥିତିକୁ ଏହି ନଦୀ ପ୍ରତ୍ୟକ୍ଷ କରୁଛି।

ଆଇଆଇଟି ବମ୍ବେ ଓ ମାଡ୍ରାସ ଢେର୍ ଆଗରୁ ଅନୁଧ୍ୟାନ କରି ଜଣାଇ ସାରିଛନ୍ତି, ୧୯୫୧ରୁ ୧୯୭୫ ମସିହାରେ ମହାନଦୀର ସ୍ଥିତି ଯାହା ଥିଲା, ୧୯୭୬ରୁ ୨୦୦୦ ମସିହା ଭିତରେ ତହିଁରେ ୧୦% ହ୍ରାସ ଘଟିଛି। ୨୦୨୫ ବେଳକୁ ଏଥିରେ ଆହୁରି ପରିବର୍ତ୍ତନ ଆସିବ। ଏମାନେ ଆହୁରି ସ୍ପଷ୍ଟ ଚିତ୍ର ଆଙ୍କି କହିଛନ୍ତି, ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ଯଦି ମହାନଦୀ ସୁରକ୍ଷା ପାଇଁ ଏକାଠି ହାତ ନ ମିଶାଇବେ, ତେବେ ଆଗକୁ ପରିସ୍ଥିତି ଜଟିଳ ହୋଇପାରେ। ଅର୍ଥାତ୍ ମହାନଦୀ ପ୍ରତି ବିପଦ ଅବଶ୍ୟମ୍ଭାବୀ।

ଦ୍ବିତୀୟତଃ, ଜଳ ସଂପଦ ବିଭାଗର ଅଧିକାରୀଙ୍କ ତଥ୍ୟକୁ ଗ୍ରହଣ କରାଗଲେ, ଛତିଶଗଡ଼ ମହାନଦୀ ଜଳକୁ େରାକିବା ପଛରେ ଏକ ବଡ଼ କାରଣ େହଉଛି ଶିଳ୍ପାୟନ। ଶିଳ୍ପସଂସ୍ଥାକୁ ପାଣି େଯାଗାଇବା ପାଇଁ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ କରିଛି। ଓଡ଼ିଶା ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ।

ତୃତୀୟତଃ, ପ୍ରଦୂଷଣ େକ୍ଷତ୍ରରେ ମଧ୍ୟ ମହାନଦୀ ଚ୍ୟାଲେଞ୍ଜ ମୁକ୍ତ ନୁହେଁ। ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ସମସ୍ତ ବର୍ଜ୍ୟ ବସ୍ତୁ କେଲୋ ନଦୀ େଦଇ ମହାନଦୀକୁ ଆସୁଛି। ଏ ପଟେ ହୀରାକୁଦ ଜଳଭଣ୍ଡାରରୁ ସମୁଦ୍ର ଯାଏ ଆସିବା ବାଟରେ ମହାନଦୀ ଆହୁରି ଅଧିକ ପ୍ରଦୂଷିତ େହଉଛି। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବର୍ଜ୍ୟ େକାଇଲା ପାଣି ଧାରଣ କରୁଛି ମହାନଦୀ। ହୀରାକୁଦ, ସମ୍ବଲପୁର ଓ ବୁର୍ଲା, ସୋନପୁର, ବୌଦ୍ଧ, ଆଠମଲ୍ଲିକ, କଟକର ମଇଳା ପାଣି ଏହି ନଦୀରେ ପଡୁଛି। ତଳ ମୁଣ୍ଡରେ ନଦୀ ପାଣି ବ୍ୟବହାରେଯାଗ୍ୟ େହାଇ ରହୁନାହିଁ। କିଛି ସ୍ଥାନରେ ପାଣି ‘ସି’ ଓ ‘ଡି’ କାଟଗୋରି ଭୁକ୍ତ (ଗାେଧାଇବା ପାଇଁ ମଧ୍ୟ ଅନୁପଯୁକ୍ତ)।

ମହାନଦୀ ବିପଦ କାରଣରୁ ଓଡ଼ିଶାର ଜୈବମଣ୍ଡଳ ଯଥା ସାତକୋଶିଆ, ଚିଲିକା, ଅଂଶୁପା, ଭିତରକନିକା ପ୍ରତି ବିପଦ ବଢୁଛି। ମହାନଦୀର ସୁରକ୍ଷା ପାଇଁ ହୋଇଥିବା ଗ୍ରିନ୍ ମହାନଦୀ ମିସନ ଏକପ୍ରକାର ବିଫଳ। ଏବେ ନଦୀ ମଝିରେ ଛୋଟ ଛୋଟ ବ୍ୟାରେଜ୍ ନିର୍ମାଣ ନିଷ୍ପତ୍ତି ଆଗକୁ ଲାଭ ଅପେକ୍ଷା କ୍ଷତି ପହଞ୍ଚାଇପାରେ। ଜୈବ ବିବିଧତା ଓ ଅନ୍ୟ ସବୁ ପ୍ରସଙ୍ଗ ଉପରେ ଏହାର କି ପ୍ରଭାବ ରହିଛି, ସେ ସଂପର୍କରେ ସମ୍ଭବତଃ ଆକଳନ କରାଯାଇ ନାହିଁ। ନଦୀରେ ଜଳ ପ୍ରବାହ ପ୍ରକ୍ରିୟାକୁ ଯେତେ ପ୍ରତିରୋଧ କରାଯିବ, ତା’ ସହିତ ବଞ୍ଚୁଥିବା ଜୀବଙ୍କ ପ୍ରତି ସେତେ ଅଧିକ ବିପଦ ବଢ଼ିବ। କ୍ରମାଗତ ଭାବେ ସମୁଦ୍ର ପଟୁ ଲବଣାକ୍ତ ଜଳ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସିବ। ମୋଟାମୋଟି ଭାବେ କହିବାକୁ ଗଲେ, ଆଗକୁ ୧୬ଟି ଜିଲ୍ଲାର ମାନଚିତ୍ରରେ ଯେଉଁ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି, ସେଥିପାଇଁ ମହାନଦୀ ଏକା ବେଶୀ ଦାୟୀ ହେବ।

ଏସବୁ ଯେ ସରକାର ଜାଣିନାହାନ୍ତି, ତାହା ନୁହେଁ। ମହାନଦୀ ସହ ଯୋଡ଼ି ହୋଇଥିବା ଏସବୁ ମହା ବିପଦର ମୁକାବିଲା ଲାଗି ରାଜନୈତିକ ସ୍ତରରେ ଉଦ୍ୟମ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ପାଖରେ ବସାଇ ନିଜେ ନେତୃତ୍ବରେ ବିବାଦ ସମାଧାନର ରାସ୍ତା ଖୋଲିନାହାନ୍ତି। ଏହା ପୂର୍ବର ରମଣ ସିଂହ ସରକାର ଭଳି ଛତିଶଗଡ଼ର ଏବର ବାଘେଲ ସରକାର ଶିଳ୍ପାୟନ ପ୍ରେମରେ ଏତେ ମସଗୁଲ୍ ଯେ ବିବାଦୀୟ ମନ୍ତବ୍ୟ ଦେଇ ପ୍ରସଙ୍ଗକୁ ଅଧିକ ଜଟିଳ କରିବା ଲାଗି ଇନ୍ଧନ ଯୋଗାଉଛନ୍ତି।

ଅତି ସଂକ୍ଷେପରେ କହିଲେ- ହାତଗଣତି ସରକାରୀ ଅଧିକାରୀଙ୍କ ହାତରେ ମହାନଦୀର ଭାଗ୍ୟକୁ ଛାଡ଼ି ଓଡ଼ିଶା ସରକାର, ସବୁ ରାଜନୈତିକ ଦଳ, ନେତୃତ୍ବ ଚୁପ୍ ବସିଛନ୍ତି। ଏପରିକି ଟ୍ରିବ୍ୟୁନାଲ ଆସିବା ପୂର୍ବରୁ ସମସ୍ତେ ଏକାଠି ବସି ଗୋଟିଏ ସ୍ବରରେ ଯେମିତି ଦାବି ଉଠାଇବା କଥା, ସେ ଦିଗରେ ପ୍ରସ୍ତୁତି ବି ନାହିଁ। ଭୋଟ ରାଜନୀତି ଓ ଶିଳ୍ପାୟନ ପ୍ରୀତି ସରକାରମାନଙ୍କୁ ନଦୀ ବିରୋଧରେ ଛିଡ଼ା କରିସାରିଲାଣି।

ଟ୍ରିବ୍ୟୁନାଲରେ ଶୁଣାଣି ତା’ ବାଟରେ ଚାଲିଥାଉ। ଆମ ମୁଖ୍ୟମନ୍ତ୍ରୀ ଆଗକୁ ଆସି ସମସ୍ତଙ୍କୁ ସାଥୀରେ ନେଇ ମହାନଦୀକୁ ବଞ୍ଚାନ୍ତୁ।

ମୋ: ୯୯୩୭୪ ୭୪୨୭୪