ସ୍ବଦେଶରେ ଡାକ୍ତରି ପାଠ ପଢ଼ିବା ପରେ ବିଦେଶକୁ ପଳାୟନ କରୁଥିବା ସର୍ବାଧିକ ଡାକ୍ତର ହେଉଛନ୍ତି ଭାରତୀୟ। ଉପଲବ୍‌ଧ ତଥ୍ୟକୁ ନେଇ ‘ଷ୍ଟାଟିଷ୍ଟା’ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ମୁଖ୍ୟତଃ ବିକଶିତ ରାଷ୍ଟ୍ରଗୁଡ଼ିକୁ ନେଇ ଗଠିତ ‘ଅର୍ଗାନାଇଜେସନ୍‌ ଫର୍ ଇକୋନୋମିକ୍ କୋ-ଅପୋରେସନ୍ ଆଣ୍ଡ୍‌ ଡେଭଲୋପମେଣ୍ଟ’ (ଓଇସିଡି)ର ୨୭ଟି ସଦସ୍ୟ ଦେଶରେ ଭାରତର ୭୪,୪୫୫ ଡାକ୍ତର କାମ କରୁଛନ୍ତି। ସେଥିରୁ ଦୁଇ-ତୃତୀୟାଂଶ ଡାକ୍ତର ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ହୋଇଥିବା ବେଳେ ୧୯,୦୦୦ ଡାକ୍ତର ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ କାମ କରୁଛନ୍ତି। ଚୀନର ଜନସଂଖ୍ୟା ଭାରତର ପାଖାପାଖି ହୋଇଥିଲେ ହେଁ ଚୀନରେ ଡାକ୍ତରୀ ପଢ଼ିଥିବା ପେସାଦାରମାନଙ୍କ ମଧ୍ୟରୁ ମାତ୍ର ୮,୦୦୦ ଜଣ ଓଇସିଡି ଦେଶଗୁଡ଼ିକୁ ଚାକିରି କରିବାକୁ ଯାଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ଭାରତ ପଛକୁ ପାକିସ୍ତାନର ୨୫,୬୦୭, ରୋମାନିଆର ୨୧,୮୦୦, ଜର୍ମାନିର ୧୮,୮୨୭, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ୧୮,୩୧୪, ରୁଷିଆର ୧୭,୨୨୭ ଓ ଇଜିପ୍‌ଟର ୧୨,୫୮୫ ଜଣ ଡାକ୍ତର ସ୍ବଦେଶ ଛାଡ଼ି ବିଦେଶରେ ଚିକିତ୍ସା କରୁଛନ୍ତି।

Advertisment

ଦେଶରେ କାର୍ଯ୍ୟରତ ଥିବା ଡାକ୍ତରଙ୍କ ତୁଳନାରେ ବିଦେଶକୁ ଗମନ କରିଥିବା ଡାକ୍ତରଙ୍କ ହାର ଉପରେ ଦୃଷ୍ଟି ପକାଇବା। ଭାରତରୁ ବିଦେଶ ଗମନ କରିଥିବା ଡାକ୍ତରଙ୍କ ସଂଖ୍ୟା ଭାରତରେ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତରଙ୍କ ସଂଖ୍ୟାର ୭.୩% ହେବ। ଏ ଦୃଷ୍ଟିରୁ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ହେଉଛି ରୋମାନିଆ ଯେଉଁଠାର ସମୁଦାୟ ଡାକ୍ତର ସଂଖ୍ୟାର ୩୭.୨% ବିଦେଶରେ କାମ କରୁଛନ୍ତି। ଏହା ପଛକୁ ଇଜିପ୍‌ଟ ଓ ଫିଲିପିନ୍‌ସରେ ଏହି ହାର ଯଥାକ୍ରମେ ୧୭% ଓ ୧୩% ରହିଛି। ଜର୍ମାନି ଓ ୟୁନାଇଡେଡ୍‌ କିଙ୍ଗଡମ୍‌ରେ ଏହି ହାର ଭାରତ ପାଖାପାଖି ରହିଥିଲେ ହେଁ ଉଭୟ ଦେଶର ଡାକ୍ତର ସାନ୍ଦ୍ରତା ଭାରତ ଠାରୁ ବହୁତ ଅଧିକ ରହିଛି।