ଥରେ ଜଣେ ସନ୍ଥଙ୍କ ଘରେ ପହଞ୍ଚିଲେ ଆଉ ଜଣେ ସନ୍ଥ। ପ୍ରଥମ ସନ୍ଥ ତାଙ୍କୁ ସ୍ବାଗତ ଜଣାଇଲେ। ଏକ ନିର୍ଦ୍ଦିଷ୍ଟ ସମୟରେ ଦ୍ବିତୀୟ ସନ୍ଥ ପବିତ୍ର ଧର୍ମଗ୍ରନ୍ଥ ପଢ଼ିବାକୁ ଇଚ୍ଛା କଲେ। ପ୍ରଥମ ସନ୍ଥ ତାଙ୍କୁ ଧର୍ମଗ୍ରନ୍ଥଟି ଧରାଇ ଦେଲେ। କିନ୍ତୁ ଦ୍ବିତୀୟ ସନ୍ଥ ଯେତେବେଳେ ତାହା ଖୋଲି ଦେଖିଲେ, ଚମକି ପଡ଼ିଲେ। କାରଣ ଧର୍ମଗ୍ରନ୍ଥରେ ଗୋଟିଏ ଧାଡ଼ିକୁ କାଟି ଦେଇଥିଲେ ପ୍ରଥମ ସନ୍ଥ। ସେଇ ଧାଡ଼ିଟି ଥିଲା- ସଇତାନକୁ ଘୃଣା କର।
ଦ୍ବିତୀୟ ସନ୍ଥ ପ୍ରଥମ ସନ୍ଥଙ୍କୁ କହିଲେ- ଭାଇ, ତୁମେ ଏ କ’ଣ କରିଛ? ପବିତ୍ର ଧର୍ମଗ୍ରନ୍ଥରୁ ଧାଡ଼ିଟିଏ କାଟି ପକାଇଛ? ତୁମେ ଜାଣିଛ ତ ଧର୍ମଗ୍ରନ୍ଥରେ ଥିବା ପ୍ରତିଟି ବାକ୍ୟ ଅକାଟ୍ୟ। ତୁମେ ଜାଣିଛ ତ ଧର୍ମଗ୍ରନ୍ଥର ପ୍ରତିଟି ବାକ୍ୟ ଖୁଦାଙ୍କର ମୁଖ ନିସୃତ। ପୁଣି ଦେଖ ତୁମେ କେଉଁ ବାକ୍ୟଟି କାଟିଛ? ‘ସଇତାନକୁ ଘୃଣା କର।’ ତୁମ ମୁଣ୍ତ ଖରାପ ହୋଇ ଯାଇଛି କି?
ପ୍ରଥମ ସନ୍ଥଙ୍କ ମୁହଁରେ ଲାଗି ରହିଥିଲା କୋମଳ ହସ। ସେ କହିଲେ- ମୁଁ କ’ଣ କରିବି? ମୋ ଭିତରେ ତ ଘୃଣାର ବିନ୍ଦୁଟିଏ ବି ନାହିଁ। ମୁଁ କେମିତି କାହାକୁ ଘୃଣା କରି ପାରିବି? ଈଶ୍ବର ମୋ ଭିତରେ ତ କେବଳ ପ୍ରେମ ଭରି ଦେଇଛନ୍ତି। ଯାହା ମୋ ପାଖରେ ନାହିଁ, ତାକୁ ମୁଁ କେମିତି କାହାକୁ ଦେବି? ତେଣୁ ମୁଁ ଈଶ୍ବରଙ୍କୁ ଯେମିତି ଓ ଯେତିକି ଭଲ ପାଇପାରିବି, ସଇତାନକୁ ବି ସେମିତି ଓ ସେତିକି ଭଲ ପାଇପାରିବି। ମୁଁ ନାଚାର।
ଦ୍ବିତୀୟ ସନ୍ଥ ନିର୍ବାକ ହୋଇ ଚାହିଁ ରହିଲେ। ପ୍ରଥମ ସନ୍ଥ ଠିକ୍ କଥା ହିଁ କହୁଥିଲେ।