ମଣିଷ ଓ ପୃଥିବୀ ଆଜି ଏକ ଭୀତିପ୍ରଦ ସମୟ‌େର ଉପନୀତ, ସାରା ଦୁନିଆ ସନ୍ତ୍ରାସବାଦ, ମୌଳବାଦ, ବ୍ୟକ୍ତିବାଦ ଓ ଏକଛତ୍ରବାଦର ଉତ୍ତରଣରେ ଆତଙ୍କିତ, ପ୍ରାଚୁର୍ଯ୍ୟ ଓ ପ୍ରଭୁତ୍ବ ମୋହରେ ମଣିଷ ଆଜି ସୃଷ୍ଟି ଧ୍ବଂସକାରୀ ଭସ୍ମାସୁର ଭୂମିକାରେ ଅବତୀର୍ଣ୍ଣ; ମଣିଷ ଏକାଧାରରେ ସାଜିଛି ଏକ ଯଦୁବଂଶ ଧ୍ବଂସୀ ନାଟକର ଲେଖକ, ନିର୍ଦ୍ଦେଶକ, ପ୍ରୟୋଜକ, ନାୟକ ଓ ଦର୍ଶକ। ମଣିଷର କଳୁଷିତ ମନସ୍ତତ୍ତ୍ବର ବଳୟ ମଧ୍ୟରେ ବ୍ୟକ୍ତି ଠାରୁ ପ୍ରକୃତି, ପରିବାର ଠାରୁ ପୃଥିବୀ, ପ୍ରତ୍ୟେକ ସତ୍ତା ସଙ୍କଟାପନ୍ନ।

Advertisment

ଛୁଆଟିକୁ ମା’ କୋଳେଇ ନେଇ ବିପଦ ଆପଦରୁ ସୁରକ୍ଷା ଦେଲା ଭଳି ପୃଥିବୀପୃଷ୍ଠର ଜୀବଜଗତ୍‌କୁ କୋଳରେ ଧରି ସବୁଜ, ସୁନ୍ଦର ଓ ପ୍ରାଣବନ୍ତ କରି ରଖିଥିବା ବାୟୁମଣ୍ଡଳ ଏବେ ଉତ୍ତପ୍ତ, ବ୍ୟାଧିଗ୍ରସ୍ତ; ଶିଳ୍ପବିପ୍ଳବ ପରଠାରୁ ୧୯୮୦ ଯାଏ ବାୟୁମଣ୍ଡଳର ତାପମାତ୍ରା ପ୍ରତି ଦଶନ୍ଧିରେ ୦.୦୮ ଡିଗ୍ରି ସେଲ୍‌ସିଅସ ହାରରେ ବଢ଼ି ଏବକୁ ପ୍ରାୟ ୦.୧୮ ଡିଗ୍ରି ହାରରେ ବଢ଼ିବାରେ ଲାଗିଛି। ବୃହତ୍‌ ଶିଳ୍ପ, ଯାନବାହାନ, ବିଦ୍ୟୁତ୍‌ ଉତ୍ପାଦନ, କୃଷିକାର୍ଯ୍ୟ ଓ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ଇତ୍ୟାଦିରେ ଜୀବାଶ୍ମ ଇନ୍ଧନର ପ୍ରୟୋଗ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ ଓ ଜଳୀୟବାଷ୍ପ ଭଳି ସବୁଜ ଗୃହ ବାଷ୍ପଗୁଡ଼ିକର ଅତ୍ୟଧିକ ବୃଦ୍ଧି ଫଳରେ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି, ପରିବେଶ ପ୍ରଦୂଷଣ ଓ ଜଳବାୟୁରେ ମାରାତ୍ମକ ପରିବର୍ତ୍ତନ ଘଟୁଛି। ମଣିଷ ତା’ର ବର୍ତ୍ତମାନର ଉଦ୍ଧତ ଚଳଣି ଅବ୍ୟାହତ ରଖିଲେ ଏହି ଶତାବ୍ଦୀର ଶେଷ ବେଳକୁ ବାୟୁମଣ୍ଡଳର ତାପମାତ୍ରା ୫ ଡିଗ୍ରି ଯାଏ ବୃଦ୍ଧି ପାଇ ପୃଥିବୀପୃଷ୍ଠରୁ ଜୀବଜଗତ ଧ୍ବଂସ ପାଇଯିବାର ସମ୍ଭା‌ବନା ସୃଷ୍ଟି ହୋଇଛି।

ବାୟୁମଣ୍ଡଳୀୟ ତାପ ବୃଦ୍ଧି ଯୋଗୁଁ ଗିରି ଶୃଙ୍ଗ ଓ ମେରୁ ଅଞ୍ଚଳ ବରଫ କ୍ଷିପ୍ରତାର ସହ ତରଳି ତରଳି ୧୮୮୦ ପର ଠାରୁ ସମୁଦ୍ର ପତ୍ତନ ପ୍ରାୟ ଆଠ ଇଞ୍ଚ ବୃଦ୍ଧି ପାଇଛି। ସମୁଦ୍ର ମଧ୍ୟସ୍ଥ ଛୋଟ ଛୋଟ ଦ୍ବୀପ ତଥା ଜନବସତି ସମୁଦ୍ରରେ ଲୀନ ହେବାରେ ଲାଗିଛନ୍ତି। ଠିକ୍‌ ଯେପରି ପୁରୀ-କୋଣାର୍କ ବେଳାଭୂମି ରାସ୍ତା ଓ ବ୍ରହ୍ମଗିରି, ରାଜନଗର ଆଦି ଜନବସତି ପ୍ରତି ବିପଦ ଘନେଇ ଚାଲିଛି। ଜନସଂଖ୍ୟା ବିସ୍ଫୋରଣ ଓ ଅପରିଣାମଦର୍ଶୀ ଦ୍ରୁତ ସହରୀକରଣ ହେତୁ ଜଙ୍ଗଲ ଓ ସବୁଜ ବଳୟ ହ୍ରାସ ସହିତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି। ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ବାରା କୃଷି‌କ୍ଷେତ୍ରର ଉର୍ବରତା ନଷ୍ଟ ଏବଂ ଖାଦ୍ୟପେୟ ବିଷାକ୍ତ ହେଉଛି। କୀଟପତଙ୍ଗ ବଂଶ ଲୋପ ହେବାସ ହିତ ନୂଆ ନୂଆ ମାରାତ୍ମକ ରୋଗରେ ଫସଲ ହାନି ହେଉଛି।

ଵାର୍ଲଡ୍‌ଵାଇଡ୍ ଫଣ୍ଡ୍‌ ଫର୍ ନେଚର୍ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ଅନୁସାରେ ୧୯୭୦ରୁ ବର୍ତ୍ତମାନ ମଧ୍ୟରେ ବନ୍ୟଜନ୍ତୁ ସଂଖ୍ୟା ଶତକଡ଼ା ଅଣସ୍ତରି ଭାଗ ହ୍ରାସ ପାଇଛି। ଆମ ଗାଁ ଗଣ୍ଡାରେ ଯେପରି ଶଙ୍ଖଚିଲ, ଭଦ୍‌ଭଦ୍‌ଳିଆ ଭଳି ସୁନ୍ଦର ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି କି ବାଉଁଶବଣ କିଆବୁଦାରୁ ବିଲୁଆର ହୁକେ-ହୋ ଶୁଭୁନି। ବାସୋପ‌ଯୁକ୍ତ ପ୍ରାକୃତିକ ପରିବେଶ ନଷ୍ଟ କରି ବର୍ଷକୁ ପ୍ରାୟ ଦଶ ହଜାର ପ୍ରଜାତିର ପ୍ରାଣୀଙ୍କୁ ବିଲୋପର ରାସ୍ତା ଦେଖାଇ ଚାଲିଛି ମଣିଷ। ସେହିଭଳି କରୋନା ଭଳି ଏକ ନୂଆ ରୋଗରେ ପୃଥିବୀର ସତୁରି ଲକ୍ଷରୁ ଅଧିକ ମଣିଷ ମୃତ୍ୟୁମୁଖରେ ପଡ଼ିଲେ। ଜଳବାୟୁ ପରିବର୍ତ୍ତନର ସାକ୍ଷୀ ସ୍ବରୂପ ପୃଥିବୀର ବିଭିନ୍ନ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ଭାବରେ ମୁଷଳ ଧାର ବୃଷ୍ଟି, ପ୍ରଳୟଙ୍କରୀ ବନ୍ୟା, ଝଡ଼-ତୋଫାନ, ବ୍ୟାପକ ମରୁଡ଼ି, ଜଙ୍ଗଲ ନିଆଁ ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂଘଟିତ ହେଉଛି। ପୃଥିବୀର ‘ଫୁସ୍‌ଫୁସ୍‌’ ବିବେଚିତ ଆମାଜନ ଜଙ୍ଗଲ ନିଆଁ, ଟାଇଗ୍ରୀସ୍‌, ରାଇନ, ସିନ୍ଧୁ ଓ ହୋଆଙ୍ଗ୍‌ହୋ ଭଳି ନଦୀଗୁଡ଼ିକର ସ୍ରୋତ-ଶୂନ୍ୟତା ଜଳବାୟୁ ପରିବର୍ତ୍ତନର ଉଦ୍‌ବେଗ ସୃଷ୍ଟିକାରୀ ପରିଣତି। ଏ ସମସ୍ତ ଜାଗତିକ ବିପତ୍ତିର ବିନ୍ଧାଣି ମଣିଷ।

କେବଳ ଭୌତିକ ନୁହେଁ, ରାଜନୈତିକ କ୍ଷେତ୍ରରେ ମଧ୍ୟ ‘ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ’ର ଚିହ୍ନ ସୁସ୍ପଷ୍ଟ। ଉତ୍ତର କୋରିଆ, ପଶ୍ଚିମ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର କେତେକ ଦେଶରେ ରାଜତନ୍ତ୍ର ଓ ଏକଛତ୍ରବାଦ। ଇରାନ, ଆଫଗାନିସ୍ତାନ ଭଳି ଦେଶରେ ଧାର୍ମିକ-ମୌଳବାଦୀ ଓ ମିଆଁମାର, ସୁଦାନ ପ୍ରଭୃତି ଦେଶରେ ସାମରିକ ଶାସନ ଚାଲିଛି। ରୁଷିଆ, ଚୀନ, ବେଲାରୁଷ ଓ ତୁର୍କି ଭଳି ଦେଶରେ ନିର୍ବାଚନୀ-ଏକଛତ୍ରବାଦ ଶାସନ ଚାଲିଥିଲା ବେଳେ ସ୍ବିଡେନ, ହଙ୍ଗେରୀ, ଇଟାଲି, ଇସ୍ରାଏଲ, ବ୍ରାଜିଲ ଓ ଆମେରିକା ଆଦି ଦେଶରେ ମୁଣ୍ଡ ଟେକିଛି କଠୋର ଦକ୍ଷିଣପନ୍ଥୀ ନେତୃତ୍ବ, ଆଇଏସ୍‌ଆଇଏସ୍‌, ଲସ୍କର-ଇ-‌େତାଇବା ଓ ତାଲିବାନ ଭଳି ଅନେକ ସଂଗଠନ ପୃଥିବୀରେ ସନ୍ତ୍ରାସବାଦ ବିସ୍ତାରରେ ସକ୍ରିୟ ଅଛନ୍ତି। ଶତାଧିକ ଦେଶରେ ଭଳିକି ଭଳି ଉତ୍ପୀଡ଼କ ଶାସନର ଅଭ୍ୟୁଦୟ ସହିତ ତାଳ ଦେଇ ବିଜ୍ଞାନର ସିଦ୍ଧାନ୍ତରେ ବିଶ୍ବାସ ରଖୁନଥିବା ଆମେରିକାରେ ଟ୍ରମ୍ପ ଓ ବ୍ରାଜିଲରେ ବୋଲସୋନାରୋଙ୍କ ଭଳି ନେତୃବୃନ୍ଦଙ୍କର ମଧ୍ୟ ଆବିର୍ଭାବ ହୋଇଛି। ପରିଣାମ ସ୍ବରୂପ ଆମେରିକା ଓ ବ୍ରାଜିଲର ଲକ୍ଷାଧିକ ଲୋକ କୋଭିଡ୍‌ ମହାମାରୀରେ ମୃତ୍ୟୁବରଣ କଲେ। ରାଜନୈତିକ ପରିବେଶ ଓ ଆଦର୍ଶର ଏଭଳି ବିସ୍ତୃତ ଓ ଗଭୀର ପ୍ରଦୂଷଣ ପରିପ୍ରେକ୍ଷୀରେ ସ୍ବଳ୍ପ ଦେଶରେ ପ୍ରଚଳିତ ସୁସ୍ଥପ୍ରାୟ ଗଣତନ୍ତ୍ର ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ସଂଗ୍ରାମରତ। ଆମେରିକାରେ ଟ୍ରମ୍ପ-ବାଦର ସମର୍ଥନ, ଇଂଲାଣ୍ଡ୍‌ର ୟୁରୋପୀୟ ସଂଘରୁ ବିଦାୟ; ମୁଖ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ତୀବ୍ର ଅନ୍ତର୍ଜାତୀୟତା ବିରୋଧୀ ମନୋଭାବର ସୂଚନା ଦିଏ।

ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ର ଭାରତରେ ମଧ୍ୟ ଗଣତନ୍ତ୍ରର ସ୍ବାସ୍ଥ୍ୟରେ ଅବନତି ଘଟିଚାଲିଛି। ପ୍ରତିନିଧି ସଭାଗୁଡ଼ିକରେ କୋଟିପତି, ଦୁର୍ନୀତିପରାୟଣ ଓ ଅପରାଧୀଙ୍କ ସଂଖ୍ୟା ବୃଦ୍ଧିର ପରିଣାମ ନିର୍ବାଚନ ଫଳାଫଳ ନିରନ୍ତର ଭାବରେ ବାହୁବଳ, ଅର୍ଥବଳ ଓ ପରିବାର-ବଳ ଦ୍ବାରା ନିର୍ଦ୍ଧାରିତ ହେଉଥିବା ଭଳି ସ୍ଥିତି। ଭ୍ରଷ୍ଟ ନେତୃତ୍ବ ସାଧାରଣ ଲୋକଙ୍କୁ ଅଶିକ୍ଷା, ଅଭାବ ଓ ଗଣତନ୍ତ୍ର-ଅଜ୍ଞତା ଭିତରେ ବୁଡ଼େଇ ରଖି, ନିର୍ବାଚନୀ ଲାଞ୍ଚକୁ ଜନକଲ୍ୟାଣ ଯୋଜନାର ନାଁ ଦେଇ ଶାସନ ଡୋରିକୁ ନିରଙ୍କୁଶ ଓ ନିରନ୍ତର ଭାବେ ନିଜ ହାତରେ ରଖିବାକୁ ବ୍ୟଗ୍ର। ସରକାର ପ୍ରାୟୋଜିତ ମାଗଣା ସଂସ୍କୃତି ଓ ମଦର ପ୍ରସାର ଗାଁଗଣ୍ଡାର ଲୋକଙ୍କୁ କରୁଛି ନିକମା ଓ ନିଶାଖୋର। ଆଜିର ଗାଁ ଗଣ୍ଡାରେ ନିର୍ବାଚନ ପରିପ୍ରେକ୍ଷୀରେ ବହୁଳ ବ୍ୟବହୃତ ବାକ୍ୟଟି ହେଲା: ‘ସେ ତ ପଇସା ବାଣ୍ଟିଲା ନାହିଁ, ଜିତିବ କେମିତି?’ କୌଣସି ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ; ପ୍ରତ୍ୟେକଟି ‘ସୁପ୍ରିମୋ’ ପରିଚାଳିତ। ବ୍ୟକ୍ତିକୈନ୍ଦ୍ରିକ ରାଜନୀତିର ବାହୁଛାୟା ତଳେ ପ୍ରାଶାସନିକ ଯଥେଚ୍ଛାଚାରିତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଶାସନ-ପ୍ରଭାବିତ ନ୍ୟାୟ ବ୍ୟବସ୍ଥା ଓ ବଶମ୍ବଦ ଗଣମାଧ୍ୟମର ଚକ୍ରବ୍ୟୂହ ଭିତରେ ଜନତା ନିଷ୍ପେଷିତ। ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଶାସନ ପରିଚାଳନାର ସଂଘାତ ଭିତରେ ଭାରତର ସଂଘୀୟ ବ୍ୟବସ୍ଥା ଦୋଦୁଲ୍ୟମାନ। ଓଡ଼ିଶା ଭଳି ସରକାର ପରିଚାଳନାରେ ନା ଅଛି ବିଭାଗଗୁଡ଼ିକର ଗୁରୁତ୍ବ ନା ମନ୍ତ୍ରିମଣ୍ଡଳର ମହତ୍ତ୍ବ।
ଗଣତାନ୍ତ୍ରିକ ଉଦାରବାଦୀ ମୂଲ୍ୟବୋଧର ଅବକ୍ଷୟ ଓ ବ୍ୟକ୍ତିବାଦର ଉଦୟ ଏକ ବିପଜ୍ଜନକ ଭବିଷ୍ୟତ ପ୍ରତି ଅଙ୍ଗୁଳି ନି‌ର୍ଦ୍ଦେଶ କରୁଛି ପ୍ରାଦେଶିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ। ଛଳନା, ସ୍ବୈରାଚାର ନେଇ ଜର୍ଜ ଅରୱେଲ୍‌ଙ୍କ ଆଶଙ୍କା ରୂପାୟିତ ହୋଇ ଚାଲିଛି ସାରା ପୃଥିବୀର ଶାସନ ତନ୍ତ୍ରର ପୃଷ୍ଠପଟରେ।

କଳୁଷିତ ରାଜନୀତି ମୂଳରେ ରହିଛି ପୃଥିବୀ ଆଦରି ନେଇଥିବା ପୁଞ୍ଜିବାଦୀ ବଜାରସର୍ବସ୍ବ ଅର୍ଥନୀତି। ଏହି ଅର୍ଥ ବ୍ୟବସ୍ଥାର ନୀତିଶାସ୍ତ୍ର ହେଉଛି ବ୍ୟାବସାୟିକ ଶୋଷଣ ଓ ଲାଭ। ପୁଞ୍ଜିବାଦ ଓ ଗଣତନ୍ତ୍ର ମୌଳିକ ସ୍ତରରେ ପରସ୍ପର ବିରୋଧୀ ଦର୍ଶନ ଉପରେ ପ୍ରତିଷ୍ଠିତ; ଗୋଟିକର ଅସମାନତାର ତୃପ୍ତି ଓ ଅନ୍ୟଟିର ସମାନତାରେ ଭିତ୍ତି। ପୁଞ୍ଜିବାଦୀ ଅର୍ଥନୀତି କ୍ଷିପ୍ର ଗତିରେ ସୃଷ୍ଟି କରି ଚାଲିଛି ଅଲଂଘ୍ୟ, ଅର୍ଥନୈତିକ ଅସମାନତା। ଅାଜି ପୃଥିବୀର ୧ ଭାଗ ଲୋକଙ୍କ ପାଖରେ ୫୦ ଭାଗ ଧନ ଓ ଶତକଡ଼ା ୧୦ ଭାଗ ଲୋକଙ୍କ ହାତରେ ଦୁନିଆର ଶତକଡ଼ା ୮୫ ଭାଗ ସମ୍ପତ୍ତି। ଭାରତରେ ଏହି ପରିସଂଖ୍ୟାନ ଯଥାକ୍ରମେ ଶତକଡ଼ା ୪୧ ଭାଗ ଓ ଶତକଡ଼ା ୭୨ ଭାଗ। ଆଜି ଆମ ପୃଥିବୀର ମୁଖ୍ୟ ପଣ୍ୟ ସାଜିଛନ୍ତି ମାଦକ ଦ୍ରବ୍ୟ ଓ ଯୁଦ୍ଧ ସାଜସରଞ୍ଜାମ। ଏପରିକି ତଥାକଥିତ ଉନ୍ନତ, ଗଣତନ୍ତ୍ରବାଦୀ ଓ ଶାନ୍ତିକାମୀ ସରକାରଗୁଡ଼ିକ ମଧ୍ୟ ଆତଙ୍କବାଦୀ ଓ ଏକଛତ୍ରବାଦୀମାନଙ୍କୁ ବିକ୍ରି କରି ଚାଲିଛନ୍ତି ଯୁଦ୍ଧାସ୍ତ୍ରମାନ ନିଜ ନିଜର ଅର୍ଥନୀତିର ସମୃଦ୍ଧି ଲକ୍ଷ୍ୟରେ।

ନିଜର ମହାଜନୀ ଆଧିପତ୍ୟ ବିସ୍ତାର ଉଦ୍ଦେଶ୍ୟରେ ଆମେରିକା ଗଢ଼ିଥିଲା ‘ୱାର୍ଲଡ ବ୍ୟାଙ୍କ’ ଓ ‘ଇଣ୍ଟରନେସନାଲ ମନିଟାରି ଫଣ୍ଡ’ବା ‘ଆଇ.ଏମ୍‌.ଏଫ୍‌.’। କିନ୍ତୁ ସୋଭିଏତ ସଂଘର ବିଭାଜନ ଓ ଏକ ମହାଶକ୍ତି ଭାବରେ ଚୀନ୍‌ର ଆବିର୍ଭାବ ପୃଥିବୀର ରାଜନୈତିକ ଓ ଅର୍ଥନୈତିକ ଶକ୍ତି ସନ୍ତୁଳନକୁ ବଦଳାଇ ଦେଇଛି। ଜାତିସଂଘର ଭିଟୋ କ୍ଷମତାପ୍ରାପ୍ତ ସଦସ୍ୟ ହେବା ସହ ଚୀନ୍‌ ଏହା ଅନ୍ତର୍ଗତ ବିଭିନ୍ନ ସଂସ୍ଥାରେ ନିଜର ପରୋକ୍ଷ ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଛି। ଏକ ସମାନ୍ତରୀଣ ଋଣ ପ୍ରଦାନକାରୀ ଶକ୍ତି ଭାବରେ ଚୀନ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ଉଗାଣ୍ଡା, କେନ୍ୟା ଓ ଭେନେଜୁଏଲା ଭଳି ଅନେକ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଗରିବ ଓ ବାଣିଜ୍ୟ ତଥା ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଦେଶଗୁଡ଼ିକୁ ଋଣ ଜାଲରେ ବାନ୍ଧି ରଖିବାରେ ସମର୍ଥ ହୋଇଛି। ଏପରିକି ଆମେରିକାର ପାରମ୍ପରିକ ବନ୍ଧୁ ରାଷ୍ଟ୍ର ସାଉଦି ଆରବ ଓ ମିଳିତ ଆରବ ରାଷ୍ଟ୍ର ଆମେରିକା ବିରୋଧୀ ରୁଷିଆ ଓ ଚୀନ୍‌ ସହ ମିତ୍ରତା ବଢ଼େଇ ଚାଲିଛନ୍ତି। ଭିଏତ୍‌ନାମ, ଇରାକ୍‌ ଓ ଆଫଗାନିସ୍ତାନ ଆଦି ଦେଶରେ ଆମେରିକାର ଅଦୂରଦର୍ଶୀ ନୈତିକତାହୀନ ବୈଦେଶିକ ନୀତି ଓ ସାମରିକ ବିଫଳତା ପରେ ଆମେରିକାକୁ ଏକ ନିର୍ଭରଯୋଗ୍ୟ ବନ୍ଧୁ ରାଷ୍ଟ୍ର ବା ଗଣତନ୍ତ୍ରର ଏକନିଷ୍ଠ ପ୍ରହରୀ ଭାବରେ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ନିଜ ନିଜର ଚରିତ୍ରଗତ ବିଭିନ୍ନତା ସତ୍ତ୍ବେ ପୃଥିବୀର ସମସ୍ତ ଶକ୍ତିଶାଳୀ ସରକାର ରାଜନୈତିକ ଓ ଅର୍ଥନୈତିକ ପ୍ରଭୁତ୍ବ ବିସ୍ତାର ନିମିତ୍ତ ସଂଗ୍ରାମରତ। ରୁଷିଆ-ୟୁକ୍ରେନ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଏହାର ସଦ୍ୟତମ ଦୃଷ୍ଟାନ୍ତ। ଚୀନ୍‌ର ଅତୃପ୍ତ ବିସ୍ତାରବାଦ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ମଧ୍ୟ ଏକ ବିରାଟ ବିପଦ ଭାବରେ ଉଭା ହୋଇଛି। ଅନ୍ୟ ପଟେ ସାଧାରଣ ମଣିଷ ଜୀବନ ଧାରଣର ନ୍ୟୂନତମ ସୁବିଧା ସାଉଁଟିବାରେ ବ୍ୟତିବ୍ୟସ୍ତ। ଆଜିର ଗଣତନ୍ତ୍ର ବସ୍ତୁତଃ ଗରିବଙ୍କ ଦ୍ବାରା ପ୍ରତିଷ୍ଠିତ କିନ୍ତୁ କାର୍ଯ୍ୟତଃ ଧନୀକଙ୍କର ଓ ଧନୀକଙ୍କ ପାଇଁ କାର୍ଯ୍ୟରତ।

ମୋହଗ୍ରସ୍ତ ରାଜନୀତି ଓ ଅର୍ଥନୀତିର ଦିଗ ଚହଟା ପଟୁଆରରେ ଯନ୍ତ୍ରବତ୍‌ ଯୋଡ଼ି ହୋଇ ଯାଉଛନ୍ତି ବ୍ୟକ୍ତି ଓ ସମାଜ; କୀଟପତଙ୍ଗ ଅଗ୍ନି ପ୍ରତି ଆକର୍ଷିତ ହେଲା‌ ଭଳି ମଣିଷର ତନୁମନ ଷଡ଼ରିପୁ ପ୍ରେମରେ ପାଗଳପ୍ରାୟ। ସମ୍ପର୍କ, ପରିବାର ଓ ସମାଜ ଉଜୁଡ଼ି ଚାଲିଛି। ସମାଜର ଉପବନରେ ଖେଳୁନାହିଁ ସ୍ନେହ, ବିଶ୍ବାସ ଓ ସଦିଚ୍ଛାର ସମୀରଣ; ବହୁଛି ଈର୍ଷା, ଅବିଶ୍ବାସ ଓ ହିଂସାର ଝଞ୍ଜା। ମଣିଷ ଖୋଜୁଛି ଏକ ଦାୟିତ୍ବମୁକ୍ତ ଅଧିକାର-ସର୍ବସ୍ବ ଜୀବନ! ‘ସଂଘଂ ଶରଣମ୍‌ ଗଚ୍ଛାମି’ର ଆତ୍ମୋତ୍ସର୍ଗ, ‘ବସୁ‌ଧୈବ କୁଟୁମ୍ବକମ୍‌’ର ଆତ୍ମୋନୁଭବ ଅବା ‘ସର୍ବେ ଭବନ୍ତୁ ସୁଖୀନଃ...’ ପ୍ରାର୍ଥନା ମଣିଷର ଚେତନାନ୍ତରିତ। ଆବିଳତା ଭରା ମନସ୍ତତ୍ତ୍ବ ହିଁ ନିର୍ମାଣ କରୁଛି ଯନ୍ତ୍ରଣା ଜର୍ଜରିତ ଜାଗତିକ ସ୍ଥିତି; ମାଳିକାର କଳିଯୁଗ। ସତରେ, ମନର ମୂଳେ ହିଁ ଏ ଜଗତ।

ମୋ: ୯୯୩୭୬୨୪୫୦୫