ମାର୍ଚ୍ଚ ୨୯ ତାରିଖରେ ‘ସମ୍ବାଦ ଗ୍ରୁପ୍’ ଦ୍ୱାରା ଆୟୋଜିତ ‘ଅନନ୍ୟା’ କାର୍ଯ୍ୟକ୍ରମରେ ‘ବିବାହ ପରର ଜୀବନ’ ସଂପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଦୁଇ ଓଡ଼ିଆ ଖ୍ୟାତନାମା ଯୁବ ଅଭିନେତ୍ରୀ ଯାହା ମତ ରଖିଥିଲେ, ତହିଁରୁ ବାରମ୍ବାର ଇଙ୍ଗିତ ମିଳୁଥିଲା ଯେ ଜଣେ ବିବାହିତ ମହିଳା ପରିସ୍ଥିତି ସହ ଖାପ ଖୁଆଇ ଚାଲିବା ବା ‘ଆଡଜଷ୍ଟ’ କରିବା ନିହାତି ଉଚିତ। ତାହାକୁ ଶୁଣିବା ପରେ ଏକ ପ୍ରତିକ୍ରିୟା।
ବିବାହ ପରେ ଝିଅ ହେଉ ବା ପୁଅ; ଉଭୟଙ୍କ ପାଇଁ ଜୀବନର ନୂଆ ସୋପାନର ଆରମ୍ଭ ହୁଏ ଏବଂ ସେମାନେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବା ସହ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ଝିଅଟି ପାଇଁ ଏହି ଆହ୍ୱାନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ, କାରଣ ବିବାହ ପରେ ସେ ନିଜ ଘର ଛାଡ଼ି ପୁଅର ଘର ବା ଶାଶୂ ଘରକୁ ଯାଏ। ସୁତରାଂ, ନୂଆ ପରିବେଶ ଓ ନୂଆ ଲୋକଙ୍କ ସହ ତାକୁ ଚଳିବାକୁ ହୁଏ। ତେଣୁ ପ୍ରାଥମିକ ଅବସ୍ଥାରେ ଏଠି ଖାପ ଖୁଆଇ ଚଳିବା ବା ‘ଆଡଜଷ୍ଟମେଣ୍ଟ’ ଭଳି କଥାଟି ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡ଼େ। ତେବେ, ଶାଶୂଘର ନାମକ ନୂଆ ଜାଗାଟିକୁ ସବୁଦିନ ପାଇଁ ନିଜର ଘର କରିବାକୁ ପଡୁଥିବାରୁ ‘ଅଡଜଷ୍ଟମେଣ୍ଟ’ ବ୍ୟାପାରଟି ତା’ ସକାେଶ ସ୍ବଳ୍ପକାଳୀନ ହେବା ଉଚିତ; ତାହା ନ ହେଲେ ତା’ ପାଇଁ ପରିସ୍ଥିତି ଶ୍ୱାସରୋଧକ ଓ ଅମାନବୀୟ ମଧ୍ୟ ହୋଇ ଯାଇପାରେ। ସାଂସାରିକ ଜୀବନରେ ନାରୀ ପୁରୁଷ ଉଭୟଙ୍କୁ ପରିସ୍ଥିତି ଅନୁଯାୟୀ ଧୈର୍ଯ୍ୟ ଧରିବାକୁ ହୁଏ; ତେଣୁ କେବଳ ମହିଳାଟିଏ ହିଁ ସହନଶୀଳା ଓ ଧୈର୍ଯ୍ୟମୟୀ ହେଉ ବୋଲି ଅପେକ୍ଷା ରଖିଲେ ମହିଳା ଜଣକ ଚାପଗ୍ରସ୍ତା ହେବା ସ୍ବାଭାବିକ। ଏଭଳି ସ୍ଥଳେ ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ମୂଲ୍ୟବାନ ବିଭାବଗୁଡ଼ିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।
ଜଣେ ସାମାଜିକ କର୍ମୀ ଭାବରେ ଗାଁ ଗହଳିରେ ସାଧାରଣ ବର୍ଗର ମହିଳାମାନଙ୍କ ସହିତ ସମ୍ପର୍କରେ ଆସିଛି। ସେତିକି ବେଳେ ସେମାନଙ୍କ ଠାରୁ ‘ବିବାହ ପରର ଜୀବନ’ର କଞ୍ଚା ଅନୁଭୂତିମାନ ଶୁଣିଛି ଏବଂ ସେମାନଙ୍କ ଦୁରବସ୍ଥାକୁ ବୁଝି ପାରିଛି। ପାଞ୍ଚ ବର୍ଷ ତଳେ ଗୋଟିଏ ବିକଶିତ ଉପକୂଳବର୍ତ୍ତୀ ଜିଲ୍ଲାରେ ମହିଳାମାନେ ମହାନଦୀ ପାର ହୋଇ ବ୍ଲକ ହେଡକ୍ୱାର୍ଟରକୁ ନିଶା ନିବାରଣ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ୭/୮ କିଲୋମିଟର ବାଟ ଆସିବାର ଥିଲା। ଏହା ସରକାରୀ କାର୍ଯ୍ୟକ୍ରମ ନଥିଲା ଏବଂ ଗାଡ଼ି କରି ଆସିବା ଲାଗି ସେମାନେ ଆର୍ଥିକ ଦୃଷ୍ଟିରୁ ଅକ୍ଷମ ଥିଲେ। ଏଣୁ ଦୂରତ୍ୱରୁ ୪ କି.ମି. କମାଇବା ପାଇଁ ସେମାନେ ନଈ ପାଣିରେ ପଶି ପଠା ଜଙ୍ଗଲ ଦେଇ ପହଞ୍ଚିଥିଲେ। ସେଦିନର ଘଟଣାକୁ ନେଇ ମହିଳାମାନଙ୍କର ସାଇକେଲ ଚାଳନା ପ୍ରଶିକ୍ଷଣ ବିଷୟରେ ଆମେ ଆଲୋଚନା କଲୁ। ଏହି ଅବସରରେ ଜଣେ ୫୫ ବର୍ଷୀୟ ମହିଳା ତାଙ୍କ ଅନୁଭୂତିରୁ କହିଥିଲେ ଯେ ସେ ବାପ ଘରେ ସାଇକେଲ ଚଢ଼ିବା ଶିଖିଥିଲେ, ଏମିତିକି ପହିଲି ପୁଆଣି ଘର ପୂର୍ବରୁ ତାଙ୍କ ବାପଘର ଗାଁରେ ନିମନ୍ତ୍ରିତ ତାଙ୍କ ସ୍ୱାମୀଙ୍କୁ ସାଇକେଲରେ ପଛରେ ବସାଇ ଗାଁ ମେଳଣ ପଡ଼ିଆକୁ ଯାଇଥିଲେ। ପରେ ଶାଶୂଘରେ ଆଉ ସାଇକେଲ ଚଢ଼ିବାର ସୁଯୋଗ ମିଳିନଥିଲା।
ଦଶ କି ବାର ବର୍ଷ ତଳର ଆଉ ଗୋଟିଏ କଥା। ଓଡ଼ିଶା ଲେଖିକା ସଂସଦର ଏକ ଆଲୋଚନାଚକ୍ରରେ ଜଣେ ଶିିକ୍ଷିତା, ସଂଭ୍ରାନ୍ତ ରୁଚିସଂପନ୍ନା ମହିଳା ପ୍ରସଙ୍ଗ କ୍ରମେ କହିଥିଲେ ଯେ ସେ ଗର୍ଭବତୀ ଥିବା ସମୟରେ ତାଙ୍କ ଶାଶୂଙ୍କ ଭୟରେ ଗାଧୁଆ ଘରେ ଲୁଚେଇ କରି କ୍ଷୀର ପିଉଥିଲେ। ସେ ଦିନ ଏ କଥା ଶୁଣି ଭାବିଥିଲି ଯେ ଗର୍ଭାବସ୍ଥାରେ ସୁଷମ ଖାଦ୍ୟର ଆବଶ୍ୟକତା କଥା ଜଣେ ଶିକ୍ଷିତା ମହିଳା ତାଙ୍କ ଶାଶୂଙ୍କ ମନ ଜିଣି ତାଙ୍କୁ ବୁଝାଇ ପାରିଲେ ନାହିଁ କାହିଁକି? ପରିସ୍ଥିତି ସହିତ ଅତି ଦୟନୀୟ ଭାବେ ସେ କାହିଁକି ‘ଆଡଜଷ୍ଟ’ କରୁଥିଲେ?
ତୃତୀୟ କଥାଟି ଜଣେ ସଂଘର୍ଷମୟୀ ସ୍ୱଳ୍ପଶିକ୍ଷିତା ମହିଳାଙ୍କ ବିଷୟରେ। ବୟସ ୩୦ ପ୍ରାୟ ହେବ; ବୃଦ୍ଧ ଶାଶୂଶ୍ୱଶୁର, ସ୍ୱାମୀ ସ୍ତ୍ରୀ ଓ ଦୁଇ ନାବାଳକ ପୁଅଙ୍କୁ ନେଇ ତାଙ୍କର ସଂସାର। ସ୍ୱଳ୍ପ କିଛି ଚାଷଜମି ଓ ସ୍ୱାମୀଙ୍କର ଛୋଟ ତେଜରାତି ଦୋକାନଟିଏ ତାଙ୍କ ପରିବାରର ଜୀବିକାର୍ଜନର ପନ୍ଥା। କୌଣସି କାରଣରୁ ଦୋକାନ ଖଣ୍ଡିକ ଉଜୁଡ଼ି ଯାଏ ଓ ସ୍ୱାମୀ ଧାରକରଜରେ ବୁଡ଼ିଯାଆନ୍ତି। ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ମହିଳା ଜଣକ ଅଣ୍ଟା ଭିଡ଼ନ୍ତି। ଗାଁ ଠାରୁ ୪ କି.ମି. ବାଟ ଚାଲି ଚାଲି ଯାଇ ସିଲେଇ ଶିଖନ୍ତି ଓ ସେଥିପାଇଁ ବି ସ୍ୱାମୀଙ୍କ ଠାରୁ ମାଡ଼ଗାଳି ଖାଇବାକୁ ପଡ଼େ। କିନ୍ତୁ ସେ ସଫଳକାମ ହୁଅନ୍ତି ଓ ସିଲେଇ କାମ କରି ସ୍ୱାମୀଙ୍କ କରଜ ସୁଝି ଦେବା ସହିତ ବୃଦ୍ଧ ଶାଶୂଶ୍ୱଶୁରଙ୍କର ରୋଗ ବଇରାଗ ଖର୍ଚ୍ଚ, ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ତୁଲାନ୍ତି। ସ୍ୱାମୀଙ୍କ ଦୋକାନ ଖଣ୍ଡିକୁ ପୁଣି ଠିଆ କରାନ୍ତି। ତଥାପି କୌଣସି ସାମାଜିକ କାର୍ଯ୍ୟରେ ବାହାରକୁ ଗୋଡ଼ କାଢ଼ିଲେ ସ୍ୱାମୀଙ୍କ ଠାରୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ। ଦୀର୍ଘଶ୍ୱାସ ସହ ସେ କହିଥିଲେ: ‘ଦିଦି, ଏମିତି ହେଲେ ଝିଅ ତ ଆଉ ବାହା ହେବେନି!’ ମୁଁ ଭାବୁଥିଲି ମାର୍କ୍ସ ଓ ଏଞ୍ଜେଲସ୍ଙ୍କ ଲିଖିତ ପୁସ୍ତକ ‘ଦି ଅରିଜିନ୍ ଅଫ୍ ଦି ଫ୍ୟାମିଲି, ପ୍ରାଇଭେଟ୍ ପ୍ରପର୍ଟି ଆଣ୍ଡ୍ ଷ୍ଟେଟ୍’ରେ ଉଲ୍ଲିଖିତ ଏକ ଉକ୍ତି ଯାହାର ମର୍ମାର୍ଥ: ଭବିଷ୍ୟତ ପୃଥିବୀରେ ହେବ ବିବାହ ବିହୀନ ପରିବାର। ଏହାର ବାସ୍ତବତା ଜଣେ ଗ୍ରାମ୍ୟ ମହିଳାଙ୍କ ଜିଅନ୍ତା ଅନୁଭବ।
ଜଣେ ଶିକ୍ଷିତା ଓ ସମ୍ପନ୍ନ ପରିବାରର ଲେଖିକା ତାଙ୍କର ରହଣି ସମ୍ପର୍କରେ ପ୍ରଶ୍ନର ଉତ୍ତର ଦିଅନ୍ତି, ‘ମୁଁ ମୋ ସ୍ୱାମୀଙ୍କ ଘରେ ରହେ’ ଏବଂ ତାଙ୍କ ପ୍ରଶ୍ନର ଉତ୍ତରରେ ମୁଁ କହେ, ‘ମୁଁ ମୋ ଘରେ ରହେ’। ପୁଣି ପ୍ରଶ୍ନ ‘କ’ଣ ଭୁବନେଶ୍ୱରରେ ଘର କରିଛନ୍ତି?’ ମୋର ଉତ୍ତର- ‘ନା, ମୁଁ ରହୁଥିବା ଘରର ଭଡ଼ା ମୁଁ ମୋ ନିଜ ଉପାର୍ଜନରୁ ଦିଏ।’
ମୋ ଉତ୍ତର ସମ୍ଭବତଃ ସାମନ୍ୟ ପ୍ରତିକ୍ରିୟାଶୀଳ ଥିଲା। କାରଣ ଯାହା ମୋତେ ବିଚଳିତ କରୁଥିଲା ତାହା ହେଲା, ଅନ୍ତତଃ ୧୫ ବର୍ଷରୁ ଅଧିକ ଗୋଟିଏ ଛାତ ତଳେ ସ୍ୱାମୀଙ୍କ ସହ ରହି ଆସୁଥିବା ଜଣେ ମହିଳା ସ୍ୱାମୀ ଘରକୁ ନିଜ ଘର ବୋଲି କହିପାରୁ ନାହାନ୍ତି! ଏଭଳି କାହିଁକି?
ମୁଁ ଭାବୁଥିଲି ପରିବାର ହେଉ ବା ସମାଜର ଯେ କୌଣସି ସ୍ଥାନ, ଜଣେ ମହିଳା ତା’ ପ୍ରତି ହେଉଥିବା ଅନ୍ୟାୟୋଚିତ ବ୍ୟବହାର ବିରୋଧରେ ସ୍ୱର ଉତ୍ତୋଳନ କରେ ନାହିଁ କାହିଁକି? ‘ଆଡଜଷ୍ଟମେଣ୍ଟ’ର ଅବଲମ୍ବନ ନ ନେଇ ନିଜର ବ୍ୟକ୍ତିସତ୍ତା ବା ମର୍ଯ୍ୟାଦାକୁ ସାବ୍ୟସ୍ତ କରେ ନାହିଁ କାହିଁକି? ଔଦ୍ଧତ୍ୟ ନୁହେଁ, ବରଂ ବିନମ୍ର ଦୃଢ଼ତା ସହ ସମସ୍ୟାଗୁଡ଼ିକର ମୁକାବିଲା କରି ସମାଧାନର ରାସ୍ତା ବାହାର କରାଯାଇପାରିବ। କୁରୁସଭାରେ ଦ୍ରୌପଦୀ ଉପସ୍ଥିତ ଗୁରୁଜନ ଓ ପ୍ରାଜ୍ଞ ମଣ୍ଡଳିଙ୍କ ସମ୍ମୁଖରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟର ଦୃଢ଼ ପ୍ରତିବାଦ କରିଥିଲେ, କୌଣସି ପରିଣାମର ଭୟ ନ ରଖି।
ଏକ ବିଡ଼ମ୍ବନା ହେଲା, ବାପଘର ଓ ଶାଶୂଘର ଏପରି ଦୁଇ ଘର ଥାଇ ବି ଶେଷ ପର୍ଯ୍ୟନ୍ତ ଜଣେ ବିବାହିତା ନାରୀ ଜାଣିପାରେ ନାହିଁ ଯେ କେଉଁଟି ତା’ର ନିଜ ଘର। ହେଲେ, ପ୍ରଶ୍ନ ହେଲା ଏହି ବିଡ଼ମ୍ବନାରୁ ମୁକ୍ତି ପାଇବା ଲାଗି ବିରାଟ ଆହ୍ୱାନର ସମ୍ମୁଖୀନ ହେବା ସକାଶେ ଆମେ ପ୍ରସ୍ତୁତ ତ?
ମୋ: ୮୭୬୩୬୬୮୫୭୨