କର୍ଣ୍ଣାଟକ ନିର୍ବାଚନରେ ଏକ ନିଆରା ପରୀକ୍ଷଣ ହେଉଛି। ‘ୟେଦେଲୁ କର୍ଣ୍ଣାଟକ’ ନାମରେ ରାଜ୍ୟ ଓ ଦେଶର ଅନେକ ସାମାଜିକ ସଂଗଠନ ଓ ଆନ୍ଦୋଳନ ସମୂହ କର୍ଣ୍ଣାଟକର ଆଗାମୀ ବିଧାନସଭା ନିର୍ବାଚନରେ ମୁଣ୍ଡ ପୂରାଇଛନ୍ତି। କଥାରେ କହନ୍ତି, ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ସେଥିପାଇଁ ଦେଶ ଇତିହାସର ଅସାଧାରଣ ଅବସ୍ଥାରେ ହେଉଥିବା ଅସାଧାରଣ ନିର୍ବାଚନ ଏପରି ଅସାଧାରଣ ହସ୍ତକ୍ଷେପକୁ ଜନ୍ମ ଦେଇଛି।
ଆଗାମୀ ମେ’ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଦେଶର ଇତିହାସର ଏକ ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ କେବଳ ଗଣତନ୍ତ୍ର କାହିଁକି, ଆମ ଗଣତନ୍ତ୍ରର ଅସ୍ତିତ୍ବ ମଧ୍ୟ ବିପଦରେ। ବିଗତ କିଛି ବର୍ଷ ଭିତରେ ଭାରତର ସ୍ବଧର୍ମର ତିନିଟି ସ୍ତମ୍ଭ (ଦୟା, ବନ୍ଧୁତା ଓ ନମ୍ରତା) ଏକାସାଙ୍ଗରେ ଘାତକ ଆକ୍ରମଣର ଶିକାର ହୋଇ ଚାଲିଛନ୍ତି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ କ୍ଷମତା ସାମନାରେ ଭାଙ୍ଗି ପଡୁଛନ୍ତି, ସେମାନେ ନତମସ୍ତକ ହେଉଛନ୍ତି। ଏମିତି ତ ‘ଭାରତ ଯୋଡ଼ୋ’ ଯାତ୍ରା ଦେଶ ପାଇଁ ଆଶାର କିରଣ ଭାବରେ ଦେଖା ଦେଇଥିଲା। କିନ୍ତୁ ଦେଶର ଜନସାଧାରଣଙ୍କ ଉପରେ ଏହାର ପ୍ରଭାବର ପରୀକ୍ଷଣ ଏପର୍ଯ୍ୟନ୍ତ କରାଯାଇନାହିଁ। ବିଜେପି ଓ ଏହାର ସହଯୋଗୀମାନଙ୍କ କହିବାନୁସାରେ, ଏହା କେବଳ ଏକ ଗୁଜବ ଥିଲା, ଯାହା ଜନସାଧାରଣଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏମିତି ତ ଗତ କିଛି ବର୍ଷ ମଧ୍ୟରେ ଶାସକ ଦଳ ନିର୍ବାଚନରେ ନିଜର ବିଜୟ ପ୍ରଦର୍ଶନ କରି ସାଂବିଧାନିକତା ଓ ନୈତିକତାର ସମସ୍ତ ପ୍ରଶ୍ନକୁ ଖାରଜ କରିଦେଇଛି। ପ୍ରତ୍ୟେକ ପ୍ରଶ୍ନର ଉତ୍ତରରେ ସମାନ ଆହ୍ବାନ ଦିଆଯାଇଛି: ଯଦି ଆପଣ ଠିକ୍, ତେବେ ନିର୍ବାଚନରେ ଜିତି ତାହା ପ୍ରମାଣ କରନ୍ତୁ। ସେଥିପାଇଁ କ୍ଷମତାକୁ ଚ୍ୟାଲେଞ୍ଜ୍ କରୁଥିବା ଲୋକଙ୍କ ପାଇଁ କର୍ଣ୍ଣାଟକ ନିର୍ବାଚନ ଏକ ଲିଟ୍ମସ୍ ପରୀକ୍ଷା ଭାବରେ ଉଭା ହୋଇଛି।
ଗତ ଦୁଇ ମାସ ଭିତରେ ବିରୋଧୀ ଦଳମାନେ ଦେଶରେ ଦୁଇଟି ବିରାଟ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମ ପ୍ରଶ୍ନଟି ହେଉଛି ରାଜନୈତିକ ଶକ୍ତି ଓ କର୍ପୋରେଟ୍ ମାଗ୍ନେଟ୍ ମଧ୍ୟରେ ଘନିଷ୍ଠ ସମ୍ପର୍କ ବାବଦରେ, ଯାହାକୁ ରାହୁଳ ଗାନ୍ଧୀ ଗୌତମ ଆଦାନୀଙ୍କ ନାମ ନେଇ ଜୋରଦାର ଉଠାଇଛନ୍ତି। ଏହାର ଜବାବରେ ଶାସକ ଦଳ ରାହୁଳ ଗାନ୍ଧୀଙ୍କ ସ୍ବରକୁ ଦମନ କଲେ, ତା’ପରେ ସଂସଦର ପ୍ରକ୍ରିୟାରୁ ତାଙ୍କ କଥାକୁ କାଟି ଦେଲେ, ପରେ ସଂସଦକୁ ଅଚଳ କରିଦେଲେ ଏବଂ ଶେଷରେ ରାହୁଳ ଗାନ୍ଧୀଙ୍କୁ ସଂସଦରୁ ନିଲମ୍ବନ କରିଦିଆଗଲା। ଗତ କିଛି ସପ୍ତାହ ଧରି ରାହୁଳ ଗାନ୍ଧୀ ପ୍ରତ୍ୟେକ ମଞ୍ଚରୁ ଗୋଟିଏ ପ୍ରଶ୍ନ ପଚାରିଥିଲେ: ମରିସସ୍ର ଏକ ବେନାମୀ କମ୍ପାନି ଗୌତମ ଆଦାନୀଙ୍କ କମ୍ପାନିରେ ବିନିଯୋଗ କରିଥିବା ୨୦ ହଜାର କୋଟି ଟଙ୍କା କାହାର? କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ରାହୁଳ ଏହି ପ୍ରଶ୍ନ ଉଠାଇଛନ୍ତି।
କର୍ଣ୍ଣାଟକ ନିର୍ବାଚନ ଅବସରରେ ଉଠିଥିବା ଦ୍ବିତୀୟ ବିରାଟ ରାଷ୍ଟ୍ରୀୟ ପ୍ରଶ୍ନଟିର ସାମାଜିକ ନ୍ୟାୟ ରାଜନୀତି ସହ ସମ୍ବନ୍ଧ ରହିଛି। ଯେତେବେଳେ ରାହୁଳ ଗାନ୍ଧୀଙ୍କ ଉପରେ ଓବିସିର ଅପମାନ କରୁଥିବା ଆରୋପ ବିଜେପି ଲଗାଇଲା, ତାହାର ଜବାବରେ ରାହୁଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଥିଲେ କି ଆପଣଙ୍କର ଏତେ ଯଦି ଓବିସି ପ୍ରୀତି ରହିଛି, ତେବେ ଆପଣ ଜାତିଗତ ଜନଗଣନା ସଂଖ୍ୟାକୁ ସାର୍ବଜନୀନ କରିଦେଉନାହାନ୍ତି କାହିଁକି? ଆପଣଙ୍କ ସରକାରରେ ପ୍ରମୁଖ ଅଧିକାରୀଙ୍କ ମଧ୍ୟରେ ଦଳିତ, ଆଦିବାସୀ ଅଥବା ପଛୁଆବର୍ଗର ଅଧିକାରୀଙ୍କ ସଂଖ୍ୟା ନଗଣ୍ୟ କାହିଁକି? ଏହାକୁ ମିଶାଇଲେ ରାହୁଳ ଗାନ୍ଧୀ ମଣ୍ଡଳ ଲଢ଼େଇର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଦେଇଛନ୍ତି।
କର୍ଣ୍ଣାଟକର ନିର୍ବାଚନରେ କେବଳ ଏହି ଦୁଇଟି ପ୍ରସଙ୍ଗରେ ଲଢ଼େଇ ହୋଇନପାରେ, କିନ୍ତୁ ଏହି ନିର୍ବାଚନର ଫଳାଫଳ ଏହି ଦୁଇଟି ବୃହତ୍ ଜାତୀୟ ଅଭିଯାନର ଅଗ୍ନିପରୀକ୍ଷା ରୂପରେ ଉଭା ହେବ। ଯଦି କର୍ଣ୍ଣାଟକ ନିର୍ବାଚନ ଇତିହାସରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସଫଳ ହୁଏ, ତେବେ ସେଥିରୁ ସ୍ପଷ୍ଟ ହେବ ଯେ, ଏହା କେବଳ ରାହୁଳ ଗାନ୍ଧୀ, କଂଗ୍ରେସ ଦଳ ଓ ଭାରତ ଯୋଡ଼ୋ ଅଭିଯାନର ପରାଜୟ ନୁହେଁ, ବରଂ ଏହାକୁ ଆର୍ଥିକ ସାମର୍ଥ୍ୟ ତଥା ସାମାଜିକ ରାଜନୀତିର ପରାଜୟ ବୋଲି ପରିଗଣନା କରାଯିବ। ଅନ୍ୟପକ୍ଷରେ, ଯଦି ବିଜେପି ପରାଜିତ ହୁଏ, ତେବେ ଏହା ୨୦୦୪ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେବ ଏବଂ ଆର୍ଥିକ ଓ ସାମାଜିକ ସାମ୍ମୁଖ୍ୟରେ ହେବାକୁ ଥିବା ରାଜନୈତିକ ଲଢ଼େଇ ଅତ୍ୟନ୍ତ ତୀବ୍ର ହେବ।
ଏହି ଧର୍ମଯୁଦ୍ଧ ପାଇଁ କର୍ଣ୍ଣାଟକ ହେଉଛି ଉପଯୁକ୍ତ କୁରୁକ୍ଷେତ୍ର। ବିଗତ କିଛି ବର୍ଷ ଭିତରେ ଦକ୍ଷିଣ ଭାରତରେ ବିଜେପିର ପ୍ରବେଶଦ୍ବାର ଭାବରେ ବିବେଚିତ ହୋଇଥିବା ଏହି ରାଜ୍ୟ ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ସମୃଦ୍ଧ। ଆଜି ଯଦିଓ ହିଜାବ ଓ ଆଜାନ୍କୁ ନେଇ ବିବାଦୀୟ ଖବର କର୍ଣ୍ଣାଟକରୁ ଆସୁଛି, ତେବେ ଏହି ରାଜ୍ୟ ବସବନ୍ନାଙ୍କ ପରି ବକ୍ତାମାନଙ୍କର ପ୍ରଦେଶ, ଏହା ଧାର୍ମିକ ସହନଶୀଳତା ଓ ସାହିତ୍ୟର ମାଟି। ଦେଶର କୃଷକ ଆନ୍ଦୋଳନ ଓ ଦଳିତ ଆନ୍ଦୋଳନ ପାଇଁ କର୍ଣ୍ଣାଟକ ଏକ ତୀର୍ଥକ୍ଷେତ୍ର। କେବଳ ବେଙ୍ଗାଲୁରୁର ସୂଚନା ପ୍ରଯୁକ୍ତି ଶିଳ୍ପକୁ ବାକି ଦେଶ ଦେଖିପାରେ, କିନ୍ତୁ କର୍ଣ୍ଣାଟକର ଅର୍ଥନୀତିରେ କୃଷି, ପଶୁପାଳନ ଓ ହସ୍ତତନ୍ତର ପ୍ରମୁଖ ସ୍ଥାନ ରହିଛି।
ଏହି ନିର୍ବାଚନର ମହତ୍ତ୍ବ ଓ କର୍ଣ୍ଣାଟକର ଅସାଧାରଣ ସମ୍ଭାବନାକୁ ଆକଳନ କରି ସାମାଜିକ ସଂଗଠନ ଏବଂ ଦେଶ ଓ ରାଜ୍ୟର ଜନଆନ୍ଦୋଳନ ଏହି ନିର୍ବାଚନରେ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ସଂଗଠନ ଓ ଜନଆନ୍ଦୋଳନ ସାଧାରଣତଃ ନିର୍ବାଚନ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରେଇ ଯାଆନ୍ତି କିମ୍ବା ଏଥିରେ କିଛି ପ୍ରତୀକାତ୍ମକ ଭୂମିକା ନିର୍ବାହ କରି ସନ୍ତୁଷ୍ଟ ହୋଇଥା’ନ୍ତି।
ବେଳେବେଳେ ଜନଆନ୍ଦୋଳନର ବ୍ୟକ୍ତିମାନେ ନିର୍ବାଚନ ରାଜନୀତିରେ ସମ୍ପୂର୍ଣ୍ଣ ଭାବରେ ଝାସ ଦେଇଥା’ନ୍ତି, ମାତ୍ର ସେପରି ପରୀକ୍ଷଣର ଫଳାଫଳ ବହୁତ ଭଲ ହୋଇନାହିଁ। କର୍ଣ୍ଣାଟକ ନିର୍ବାଚନରେ ଜନଆନ୍ଦୋଳନ ନିଷ୍ପତ୍ତି ନେଇଛି ଯେ, ସେମାନେ ଦଳ କିମ୍ବା ପ୍ରାର୍ଥୀ ଭାବରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବେ ନାହିଁ, କିନ୍ତୁ ସେମାନେ ଏହି ନିର୍ବାଚନକୁ ଦେଶର ଇତିହାସର ଏହି ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ କେବଳ ଦର୍ଶକ ଭାବରେ ଦେଖିପାରିବେ ନାହିଁ। ପୂର୍ବ ଭଳି ନିର୍ବାଚନରେ କୌଣସି ରାଜନୈତିକ ଶକ୍ତିକୁ ପରାସ୍ତ କରିବାର ଏକ ଆବେଦନ ଦ୍ବାରା ମଧ୍ୟ ସେମାନେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ସେଥିପାଇଁ ଏଥର ଏହି ସଂଗଠନ ତଥା ଆନ୍ଦୋଳନଗୁଡ଼ିକ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସିଧାସଳଖ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ହିଁ ହେଉଛି ‘ୟେଦେଲୁ କର୍ଣ୍ଣାଟକ’। ଏହା ‘ସହବାଲବେ’ ଅର୍ଥାତ୍ ସଦ୍ଭାବ ନାମକ ଏକ ଅଭିଯାନରୁ ଆରମ୍ଭ ହୋଇଥିଲା, ଯାହା ରାଜ୍ୟରେ ଚାଲିଥିବା ଘୃଣାର ରାଜନୀତି ବିରୋଧରେ ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସମନ୍ବୟର ଧାରଣାକୁ ରାଜରାସ୍ତାକୁ ଆଣିଥିଲା। ଏହି ପଦକ୍ଷେପ ସହିତ ସମସ୍ତ ପ୍ରକାର ସଂଗଠନ ଜଡ଼ିତ ହୋଇଥିଲେ। କର୍ଣ୍ଣାଟକର ରାଜ୍ୟ ରୟତ ସଂଘ ନାମରେ ଚାଲୁଥିବା କିଷାନ ଆନ୍ଦୋଳନ, ଦଳିତ ସଂଘର୍ଷ ସମିତିର ଅନେକ ଦଳ, ସଂଖ୍ୟାଲଘୁମାନଙ୍କର ଅଧିକାର ରକ୍ଷା ପାଇଁ ସଂଘର୍ଷ କରୁଥିବା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଅନେକ ସଂଗଠନ ଓ ନାଗରିକ ମଧ୍ୟ ସଂକଳ୍ପ ସହିତ ଏଥିରେ ସାମିଲ ହୋଇଛନ୍ତି। ଭାରତ ଯୋଡ଼ୋ ଯାତ୍ରା ପରେ ସୃଷ୍ଟି ହୋଇଥିବା ଭାରତ ଯୋଡ଼ୋ ଅଭିଯାନ ମଧ୍ୟ ଏହି ପଦକ୍ଷେପର ଏକ ଅଂଶ ପାଲଟିଛି ଏବଂ ସମସ୍ତେ ମିଳିତ ଭାବରେ ‘ୟେଦେଲୁ କର୍ଣ୍ଣାଟକ’ ଅର୍ଥାତ୍ ‘ଜାଗ୍ରତ କର୍ଣ୍ଣାଟକ’ ନାମକ ଏହି ଅଭିଯାନ ସ୍ଥାପନ କରିଛନ୍ତି।
ଏହି ଅଭିଯାନ ଅଧୀନରେ ଦୁଇଟି ସ୍ତରରେ କାର୍ଯ୍ୟ ଚାଲିଛି; ପ୍ରଥମଟି ହେଉଛି ସମ୍ବାଦ ଓ ପ୍ରଚାରର କାର୍ଯ୍ୟ ଯେଉଁଥିରେ ଏହି ଅଭିଯାନର କର୍ମୀମାନେ ସାମାଜିକ ଗଣମାଧ୍ୟମ, ପୁସ୍ତିକା ଓ ପ୍ରଚାରପତ୍ର ମାଧ୍ୟମରେ ମିଥ୍ୟା ଓ ଘୃଣାର ରାଜନୀତିର ପର୍ଦ୍ଦାଫାସ କରୁଛନ୍ତି। ମାତ୍ର ଏଥି ସହିତ ରାଜ୍ୟର ପ୍ରାୟ ୧୦୦ଟି ବଛା ବଛା ଆସନ ପାଇଁ ଏହି ଅଭିଯାନ ତରଫରୁ ଦଳ ଗଠନ କରାଯାଇଛି, ଯାହା ରାଜ୍ୟରେ କ୍ଷମତା ପରିବର୍ତ୍ତନ ପାଇଁ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ସଂଘ ପରିବାରର ସମସ୍ତ ସଂଗଠନ ଏହି ଭୂମିକା ଗ୍ରହଣ କରୁଥିଲେ, କିନ୍ତୁ ଏହାକୁ ବିରୋଧ କରୁଥିବା ଦଳର କୌଣସି ସାମାଜିକ ସମର୍ଥନ ନଥିଲା। ୟେଦେଲୁ କର୍ଣ୍ଣାଟକ ସେଇ ଅଭାବ ଦୂର କରିବା ପାଇଁ ଏକ ନିଆରା ପ୍ରୟାସ। ଯଦି ଏହି ପରୀକ୍ଷଣ ସଫଳ ହୁଏ, ଚଳିତ ବର୍ଷ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷର ଲୋକସଭା ନିର୍ବାଚନ ପାଇଁ ଏହା ଏକ ନୂତନ ପ୍ରୟୋଗଶାଳା ବୋଲି ପ୍ରମାଣିତ ହୋଇପାରେ।