ଦ୍ୱାଦଶ ଶତାବ୍ଦୀରୁ ବିରାଟ କଳିଙ୍ଗ ସାମ୍ରାଜ୍ୟର ଅଧିପତି ‘ଗଜପତି’ ଉପାଧିରେ ଭୂଷିତ ଥିଲେ। ଉତ୍କଳର ଘନ ବନାନୀ ଲକ୍ଷାଧିକ ହସ୍ତୀଙ୍କର ଆବାସ ସ୍ଥଳୀ ଥିଲା। ଉତ୍କଳ ସମ୍ରାଟଙ୍କ ସେନାବାହିନୀରେ ସହସ୍ରାଧିକ ଗଜାରୋହୀ ସୈନିକ ଥିଲେ। ଗଜାରୋହୀମାନଙ୍କ ପ୍ରାଧାନ୍ୟରୁ ହୁଏତ ଉତ୍କଳ ସାମ୍ରାଜ୍ୟର ଅଧିପତି ‘ଗଜପତି’ ଉତ୍ପାଧିରେ ଭୂଷିତ ଥିଲେ। ଗଜପତି ଶାସନର ପତନ ପରେ ବି ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜ ଶାସନ କାଳରେ ଓଡ଼ିଶାର ବନାଞ୍ଚଳ ବିଶେଷତଃ ଗଡ଼ଜାତ ରାଜ୍ୟ ତଥା ଦକ୍ଷିଣ ଓଡ଼ିଶାର ଜମିଦାରୀ ଗଡ଼ମାନଙ୍କର ଜଙ୍ଗଲରେ ଅନେକ ସହସ୍ର ହାତୀ ରହୁଥିଲେ। ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ଜଙ୍ଗଲର ହାତୀମାନଙ୍କୁ ବିଭିନ୍ନ କୌଶଳରେ ବଣରୁ ଧରି ପୋଷା ମନାଇ ନାନା ପ୍ରକାରର ପ୍ରଶିକ୍ଷଣ ଦେଉଥିଲେ। ସେ କାର୍ଯ୍ୟରେ ସେମାନଙ୍କର ବଂଶାନୁକ୍ରମିକ ଦକ୍ଷତା ଥିଲା। ଐତିହାସିକ ଆଲେଖ୍ୟମାନଙ୍କରୁ ଜଣାଯାଏ ଯେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ଅଥବା ଭାରବାହୀ ପଶୁ ଭାବେ ବ୍ୟବହୃତ ହେବା ପାଇଁ ଓଡ଼ିଶାରୁ ତାଲିମପ୍ରାପ୍ତ ହାତୀ ଅନେକ ରାଜ୍ୟକୁ ବ୍ୟବସାୟିକ ସୂତ୍ରରେ ବିକ୍ରୟ ହେଉଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ସେବାରେ ବି ଆଗେ ହାତୀ ନିୟୋଜିତ ହେଉଥିଲେ। ସମୟ ବଦଳି ଯାଇଛି। ଓଡ଼ିଶା ଜଙ୍ଗଲର ସୀମା ତଥା ସାନ୍ଦ୍ରତା କମିବାରେ ଲାଗିଛି। ଜଙ୍ଗଲର ଆୟତନ ସମ୍ବନ୍ଧରେ ଯେଉଁ ସରକାରୀ ପରିସଂଖ୍ୟାନ ଦିଆ ଯାଇଛି ତାହା ବାସ୍ତବ ଚିତ୍ର ପ୍ରକାଶ କରୁନାହିଁ।

Advertisment

ପ୍ରାକୃତିକ ଜଙ୍ଗଲ ହେଉଛି ସ୍ଥାନୀୟ ଜଳବାୟୁକୁ ସୁହାଇଲା ପରି ବହୁବିଧ ବୃକ୍ଷଲତାର ସମାହାର ଯହିଁରେ ପ୍ରାକୃତିକ ଜଳ ଉତ୍ସ ଥାଏ ଏବଂ ତାହା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ପକ୍ଷୀଙ୍କ ଆବାସ ହୋଇଥାଏ। ଏ ସମସ୍ତର ସମାବେଶ ଏକ ପ୍ରାକୃତିକ ଜୈବମଣ୍ଡଳ ସୃଷ୍ଟି କରିଥାଏ। ଏବେ ବିଭିନ୍ନ କାରଣରୁ ପ୍ରାକୃତିକ ଜଙ୍ଗଲର କ୍ରମାଗତ କ୍ଷୟ ହେଉଛି। ସେହି କାରଣଗୁଡ଼ିକ ହେଲେ ଶିଳ୍ପାୟନ, ସହରୀକରଣ, ଖଣିଜ ଦ୍ରବ୍ୟର ଉତ୍ତୋଳନ ତଥା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ। କୌଣସି ଉନ୍ନୟନମୂଳକ କାର୍ଯ୍ୟ କଲାବେଳେ କେମିତି କମ୍ ଜଙ୍ଗଲ ନଷ୍ଟ ହେବ, ସେ ଦିଗକୁ ଦୃଷ୍ଟି ନ ଦେଇ ନିର୍ମମ ଭାବେ ସହସ୍ରାଧିକ ଶତାୟୁ ବୃକ୍ଷମାନଙ୍କୁ କାଟି ଦିଆଯାଉଛି। ଯାହା ଫଳରେ ସେ ବନାଞ୍ଚଳରେ ରହୁଥିବା ଜୀବଜନ୍ତୁଙ୍କର ବିନାଶ ସାଧିତ ହେଉଛି ଅଥବା ସେମାନେ ନୂତନ ବାସସ୍ଥାନ ଅନ୍ୱେଷଣରେ ନିରାପଦ ମନେ କରୁଥିବା ସ୍ଥାନଗୁଡ଼ିକୁ ଚାଲି ଯାଉଛନ୍ତି। ଅନେକ ସମୟରେ ଏହି ବନ୍ୟ ଜନ୍ତୁମାନେ ଗୋଟିଏ ଜଙ୍ଗଲରୁ ଆଉ ଏକ ଜଙ୍ଗଲକୁ ଗଲା ବେଳେ ମଣିଷ ଦ୍ୱାରା ଶିକାର ହେଉଛନ୍ତି। ପ୍ରଶାସନର ଯୁକ୍ତି ହେଲା ଯେ ଶିଳ୍ପାୟନ ବା ଖଣିଜ ଉତ୍ତୋଳନ ଅଥବା ଉନ୍ନୟନମୂଳକ କାର୍ଯ୍ୟରେ ଯେତେ ଜଙ୍ଗଲ ନଷ୍ଟ ହେଉଛି, ତାହା ଠାରୁ ଅଧିକ କ୍ଷେତ୍ରଫଳ ପରିମିତ ଭୂମିରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି; ସେଥିପାଇଁ ପରିପୂରକ ବନୀକରଣ ପାଇଁ ଅର୍ଥରାଶିର ବ୍ୟବସ୍ଥା ତଥା ସେଇ ଅର୍ଥର ବିନିଯୋଗ ପାଇଁ ଆଇନର ବ୍ୟବସ୍ଥା ରହିଛି। ଏ କଥା ସତ ହେଲେ ବି ବାସ୍ତବ କ୍ଷେତ୍ରରେ ଏ ଆଇନର ସୁକାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନ ଉଠୁଛି।

ସତ କହିଲେ ‘କାମ୍ପା’ ବା ପରିପୂରକ ବନୀକରଣ ଏକ ପ୍ରକାର ପ୍ରାଶାସନିକ ସ୍ଲୋଗାନ ମାତ୍ର। ଗୋଟିଏ ସ୍ଥାନରେ ଜଙ୍ଗଲର ଧ୍ୱଂସ ହେବା ପରେ ତା’ ବଦଳରେ ଆଉ ଗୋଟିଏ ନୂତନ ଜଙ୍ଗଲର ସୃଷ୍ଟି ଓ ବୃଦ୍ଧି ଭିତରେ ଦୀର୍ଘ ସମୟର ବ୍ୟବଧାନ ରହେ। ଗୋଟିଏ ସ୍ଥାନରେ ଜଙ୍ଗଲ ନଷ୍ଟ ହେଲେ ସେ ସ୍ଥାନର ଜୈବମଣ୍ଡଳ ନଷ୍ଟ ହୁଏ। ପୁନଃ ବନୀକରଣ ବେଳେ ସ୍ଥାନୀୟ ପରିବେଶ ଓ ଭୌଗୋଳିକ ମଣ୍ଡଳକୁ ଧ୍ୟାନ ନ ଦେଇ ଯଦି ସେହି ସ୍ଥାନ ପାଇଁ ଉପଯୁକ୍ତ ପ୍ରଜାତିର ବୃକ୍ଷଲତା ଲଗା ନ ଯାଏ, ତା’ ହେଲେ ଯେଉଁ କୃତ୍ରିମ ପରିବେଶ ସୃଷ୍ଟି ହେବ ତାହା ସୁସ୍ଥ ଏବଂ ଧାରଣକ୍ଷମ ହେବ ନାହିଁ, ଯାହାକୁ ଇଂରେଜୀରେ ‘ସସ୍‌ଟେନେବଲ୍’ ବୋଲି କୁହାଯାଏ। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ବନ ବିଭାଗ ତରଫରୁ ଯେଉଁ ନୂତନ ବନୀକରଣ ହେଉଛି ସେଥିରେ ଅଧିକାଂଶ ଭାଗ ବିଦେଶୀ ପ୍ରଜାତିର ଗଛ ଯେମିତିକି ଆକାଶିଆ, ଉଇକାଲିପ୍‌ଟସ, ନୀଳଗିରି ଆଦି ଲଗାଯାଉଛି ଯାହା ତୃଣଭୋଜୀ ବନ୍ୟଜନ୍ତୁଙ୍କର ଆହାର ନୁହେଁ।

ତେଣୁ ନୂଆ ଭାବେ ସୃଷ୍ଟି ହୋଇଥିବା ଜଙ୍ଗଲମାନ ତୃଣଭୋଜୀ ବନ୍ୟ ଜନ୍ତୁ ଯଥା ହରିଣ, ସମ୍ବର, କୁଟୁରା, ଗୁରାଣ୍ଡି, ଠେକୁଆ ଆଦି ପଶୁମାନଙ୍କର ବାସୋପଯୋଗୀ ହେଉ ନାହିଁ। ତୃଣଭୋଜୀ ବନ୍ୟଜନ୍ତୁଙ୍କର ସଂଖ୍ୟା ହ୍ରାସ ଘଟୁଥିବା ଯୋଗୁଁ ମାଂସାଶୀ ପ୍ରାଣୀ ଯଥା ମହାବଳ ବାଘ, କଲରାପତରିଆ ଆଦି ବନ୍ୟ ଜନ୍ତୁ ଜଙ୍ଗଲରେ ସେମାନଙ୍କର ଖାଦ୍ୟଯୋଗ୍ୟ ଜୀବ ନ ପାଇ ନିକଟସ୍ଥ ଗାଁମାନଙ୍କୁ ପଶି ଗୃହପାଳିତ ପଶୁମାନଙ୍କୁ ଖାଇବା ଦେଖାଯାଉଛି, ଯାହା ସ୍ୱାଭାବିକ। ଏଇ ନୂତନ ବନୀକରଣରେ ଲଗା ଯାଉଥିବା ଗଛ ହାତୀ ପରି ବିରାଟକାୟ ଜୀବମାନଙ୍କ ପାଇଁ ଆହାରଯୋଗ୍ୟ ହେଉନାହିଁ। ସୁତରାଂ, ନୂତନ ଭାବେ ସୃଷ୍ଟ ଜଙ୍ଗଲ ହାତୀମାନଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଛି।

ଏବେ ପ୍ରାୟ ପ୍ରତିଦିନ ସମ୍ବାଦପତ୍ରରେ ଗୋଟିଏ ବା ଅଧିକ ହାତୀର ମୃତ୍ୟୁ ଖବର ବାହାରୁଛି। ସେଥିରୁ ଅଧିକାଂଶ ଦନ୍ତା ହାତୀ। ବିଗତ ବର୍ଷଗୁଡ଼ିକରେ ସରକାରୀ ସ୍ତରରେ କୌଣସି ହାତୀ ଗଣନା କରାଯିବାର ଉଦ୍ୟମ ହୋଇନାହିଁ। ଅନ୍ୟ ପକ୍ଷରେ ପ୍ରତି ବର୍ଷ ଅନେକ ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ହେଉଛି। ଅନେକ ହାତୀ ସ୍ବାଭାବିକ ଭାବେ ବି ମରୁଛନ୍ତି। ଯଦି ବିଧିବଦ୍ଧ ଭାବରେ ହାତୀ ଗଣନା କରା ଯାଆନ୍ତା, ତାହା ହେଲେ ଓଡ଼ିଶା ଜଙ୍ଗଲରେ ହାତୀଙ୍କ ସଂଖ୍ୟା ତଥା ଲିଙ୍ଗ ଭେଦ ଓ ବୟସ ପାର୍ଥକ୍ୟର ବାସ୍ତବ ଚିତ୍ର ମିଳନ୍ତା। କେଉଁ କାରଣରୁ ସରକାର ହାତୀ ଗଣନା ପାଇଁ ପଦକ୍ଷେପ ନେଉ ନାହାନ୍ତି ଜଣା ନାହିଁ। ତାହା ପ୍ରକୃତିପ୍ରେମୀମାନଙ୍କୁ ବ୍ୟଥିତ କରୁଛି। ସେମାନେ ସନ୍ଦେହ କରୁଛନ୍ତି ଯେ ହାତୀ ସଂଖ୍ୟା ଓଡ଼ିଶା ଜଙ୍ଗଲରେ ଯଥେଷ୍ଟ କମି ଯାଇଥିବାରୁ ହାତୀ ଗଣନା କାର୍ଯ୍ୟ କରିବା ପାଇଁ ସରକାର କୁଣ୍ଠିତ ହେଉଛନ୍ତି।

ଜଙ୍ଗଲର କ୍ଷୟ ଯୋଗୁଁ ହାତୀମାନେ ଯେତେବେଳେ ଜନବସତି ଏବଂ ଚାଷଜମି ଆଡ଼କୁ ଆସୁଛନ୍ତି, ସେତେବେଳେ ମଣିଷ ଓ ହାତୀ ମୁହାଁମୁହିଁ ହେଉଛନ୍ତି। ଏହା ଫଳରେ ହାତୀ ଓ ମଣିଷ ଉଭୟ ମୃତାହତ ହେଉଛନ୍ତି। କିନ୍ତୁ ଏ ପ୍ରକାର ହାତୀ ଓ ମଣିଷର ଲଢ଼େଇ କାହିଁକି ହେଉଛି, ତାହା ସମସ୍ତଙ୍କୁ ଜଣା। ଏହି ବିରାଟକାୟ ଜୀବଟି ପାଇଁ ବିସ୍ତୀର୍ଣ୍ଣ ଘଞ୍ଚ ଜଙ୍ଗଲର ଆବଶ୍ୟକତା ରହିଛି। ସାଧାରଣତଃ ଗୋଷ୍ଠୀବଦ୍ଧ ଭାବେ ରହୁଥିବା ଏହି ଜୀବ ଯେତିକି ଗଛଲତା ଆହାର କରେ, ସେତିକି ବି ନଷ୍ଟ କରେ। ସ୍ୱୟଂ ବର୍ଦ୍ଧିତ ପ୍ରାକୃତିକ ଜଙ୍ଗଲରେ ହାତୀ ଦ୍ୱାରା ନଷ୍ଟ ହେଉଥିବା ଗଛଗୁଡ଼ିକ ପୁଣି ବଢ଼ି ଉଠେ; ବର, ପିପ୍ପଳୀ, ବିଭିନ୍ନ ପ୍ରକାର କୋଳି ଗଛ, ସିଆଳି ପତ୍ର ଓ ଲଟା ତଥା ଅନ୍ୟ ଜଙ୍ଗଲ ଗଛମାନ ହାତୀମାନଙ୍କର ପ୍ରିୟ ଖାଦ୍ୟ। ପ୍ରଚୁର ଖାଦ୍ୟ ସହିତ ଶୋଷ ମେଣ୍ଟାଇବା ପାଇଁ ଓ ଶରୀରକୁ ଥଣ୍ଡା ରଖିବା ପାଇଁ ହାତୀମାନେ ପର୍ଯ୍ୟାପ୍ତ ପାଣି ଲୋଡ଼ନ୍ତି। ଆଗ ସମୟରେ ଜଙ୍ଗଲଗୁଡ଼ିକରେ ବହୁତ ପ୍ରାକୃତିକ ଜଳାଧାରମାନ ଥିଲା। ବର୍ତ୍ତମାନ ଅବଶ୍ୟ କୃତ୍ରିମ ଜଳାଶୟମାନ ଖୋଳା ଯାଉଛି। ହାତୀମାନେ ଗୋଟିଏ ସ୍ଥାନରେ ନ ରହି ପ୍ରାୟତଃ ଗୋଷ୍ଠୀବଦ୍ଧ ଭାବେ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ବୁଲୁଥିବା ହେତୁ ସେମାନଙ୍କ ପାଇଁ ଏକ ଅନୁକୂଳ ଓ ଧାରଣକ୍ଷମ ବନ ମଣ୍ଡଳର ଆବଶ୍ୟକତା ଥାଏ। ତାହାର ଅଭାବରେ ଜୈବିକ କ୍ଷୁଧା ନିବାରଣ ପାଇଁ ସେମାନେ ଜନବସତି ଆଡ଼େ ମାଡ଼ି ଯାଆନ୍ତି; ଫସଲ ନଷ୍ଟ କରନ୍ତି ଓ ଲୋକମାନଙ୍କ ଘରେ ରଖା ଯାଇଥିବା ଶସ୍ୟକୁ ବି ଖାଇ ଯାଆନ୍ତି। ହାତୀ ଓ ମଣିଷର ଲଢ଼େଇରେ ଉଭୟଙ୍କର ବହୁତ କ୍ଷତି ହେଉଛି।

ଏହାର ପ୍ରତିକାର ହେଉଛି ସ୍ଥାନୀୟ ଭୌଗୋଳିକ ମଣ୍ଡଳ ଅନୁକୂଳ ବନୀକରଣ ଓ ହାତୀମାନଙ୍କ ପାଇଁ ଦୀର୍ଘ ଚଲାପଥମାନ ବନଭୂମିରେ ସୃଷ୍ଟି କରିବା ଉପରେ ଗୁରୁତ୍ବ। ଦରକାର ପଡ଼ିଲେ ନୂତନ ରେଳ ଲାଇନକୁ ଜଙ୍ଗଲ ଭିତରେ ନ ନେଇ ବୁଲାଣି ହେଲେ ବି ଖୋଲା ସ୍ଥାନ ଦେଇ ନେବା ଉଚିତ। ସେଥି ପାଇଁ ପ୍ରଶାସନର ଦୃଢ଼ ଇଚ୍ଛାଶକ୍ତି ଓ ଜନସମର୍ଥନ ଆବଶ୍ୟକ। ଆମ ରାଜ୍ୟରେ ଏ ଉଭୟଟିର ଅଭାବ। ଜଙ୍ଗଲ ଜନ୍ତୁଙ୍କ ଶିକାର ପାଇଁ ଶିକାରୀମାନେ ବଣ ଭିତରେ ଜୀବନ୍ତ ବିଜୁଳି ତାର ବିଛେଇ ଦିଅନ୍ତି। ବେଳେବେଳେ ଜୀବଜନ୍ତୁଙ୍କ ଦାଉରୁ ଫସଲ ରକ୍ଷା କରିବା ପାଇଁ ବି ଏପରି କରାଯାଇଥାଏ। ଏଭଳି ତାରର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ଘଟୁଛି। ଏ ପ୍ରକାର ଅପରାଧ ପାଇଁ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ନାହିଁ। ତେଣୁ, ଏପରି କାମ ନିର୍ଭୟରେ ଚାଲୁ ରହିଛି। ଶେଷକୁ ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଜାତୀୟ ରାଜପଥକୁ ସେମାନଙ୍କର ଚଲାପଥ ଭାବେ ବ୍ୟବହାର କରୁଛନ୍ତି ଏବଂ ସହର ଉପକଣ୍ଠରେ ପହଞ୍ଚି ଯାଉଛନ୍ତି।

ଏଇ ସବୁ ସମସ୍ୟାର ଦୀର୍ଘସ୍ଥାୟୀ ପ୍ରତିକାର କରା ନ ଗଲେ କ୍ରମେ ଓଡ଼ିଶା ଜଙ୍ଗଲରୁ ହାତୀ ସମୂଳେ ବିନାଶ ହେବାର ସମ୍ଭାବନା ରହିଛି।
ସାମୟିକ ପ୍ରତିକାର ଓ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଭିତରେ ଅନେକ ଫରକ। ବନ ବିଭାଗର ଅନେକ ପ୍ରତିକାର ସାମୟିକ। ଏବେ ବନ ବିଭାଗରେ ଅନେକ ପଦରେ କର୍ମଚାରୀ ନାହାନ୍ତି। ମଂଜୁରିପ୍ରାପ୍ତ ପଦଗୁଡ଼ିକ ପୂରଣ ନ କରି ଅସ୍ଥାୟୀ ବନ ମିତ୍ରମାନଙ୍କ ସାହାଯ୍ୟରେ କାମ ଚଳାଇବାର ଚେଷ୍ଟା କରାଯାଉଛି। କିନ୍ତୁ ଏଭଳି ଭାବେ ଏ ପ୍ରକାର ସମସ୍ୟାର ଉପଯୁକ୍ତ ସମାଧାନ ହେବ ନାହିଁ। ବନମିତ୍ରଙ୍କର ସହଯୋଗ ନିଆଯାଉ; କିନ୍ତୁ ତା’ ସହିତ ଖାଲି ପଡ଼ିଥିବା ପ୍ରଶିକ୍ଷିତ କର୍ମଚାରୀଙ୍କ ପଦ ଶୀଘ୍ର ପୂରଣ କରାଯାଉ।

ତେବେ, କେବଳ ସରକାର ଓ ବନ ବିଭାଗକୁ ଦୋଷ ଦେବା ଠିକ୍ ହେବ ନାହିଁ। ଅର୍ଥ ଦ୍ବାରା ପ୍ରଲୁବ୍‌ଧ କରି ଜଙ୍ଗଲକୁ ଲାଗିଥିବା ଗ୍ରାମବାସୀମାନଙ୍କର ସାହାଯ୍ୟରେ ହାତୀ ଶିକାରୀମାନେ ଦନ୍ତା ହାତୀମାନଙ୍କୁ ଶିକାର କରୁଛନ୍ତି। ପୁରୁଷ ଦନ୍ତା ହାତୀମାନଙ୍କର ମାତ୍ରାଧିକ ଶିକାର ଯୋଗୁଁ ହାତୀମାନଙ୍କ ମଧ୍ୟରେ ଲିଙ୍ଗ ଅନୁପାତରେ ଅସମନ୍ବୟ ସୃଷ୍ଟି ହୋଇ ବଂଶ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି। ଆଗରୁ ଓଡ଼ିଶା ଜଙ୍ଗଲରେ ମହାବଳ ବାଘ କମି ଗତ ଗଣନାରେ ୨୮ଟି ବାଘ ଅଛନ୍ତି ବୋଲି ଜଣାଗଲା। ସେଇ ଗଣନାରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇଟି ବାଘ ବି ଗଣା ହୋଇଥିଲେ। ଏବେ ସେମାନଙ୍କର ଅସ୍ତିତ୍ୱ ନାହିଁ। ଆଉ ଥରେ ବାଘ ଗଣନା କରାଯାଇ ଜଣାଗଲା ଯେ ମହାବଳ ସଂଖ୍ୟାରେ ବୃଦ୍ଧି ବା ହ୍ରାସ ନ ହୋଇ ତାହା ସେହି ୨୮ରେ ଅଛି। କିନ୍ତୁ ଅନ୍ୟ ରାଜ୍ୟମାନଙ୍କରେ ମହାବଳ ସଂଖ୍ୟା ବୃଦ୍ଧି ପାଇଛି। ମହାବଳ ଓ କଲରାପତରିଆ ବାଘର ଚମଡ଼ା ସହିତ ସମସ୍ତ ଅଙ୍ଗ ଚୋରା ବଜାରରେ ପଣ୍ୟ ବସ୍ତୁ ଭାବେ ବହୁ ମୂଲ୍ୟରେ ବିକ୍ରି ହୋଇଥାଏ। ସେମାନଙ୍କ ଶିକାର ପାଇଁ ଅସାଧୁ ବ୍ୟବସାୟୀମାନେ ନିରୀହ ବନ ବାସୀମାନଙ୍କୁ ପ୍ରବର୍ତ୍ତାଇ ଥାଆନ୍ତି ଏବଂ ଶେଷରେ ସେହିମାନେ ହିଁ ଧରା ପଡ଼ି ବନ୍ଧା ହୁଅନ୍ତି ଓ ଅସାଧୁ ବେପାରୀମାନେ ଖସି ଯାଆନ୍ତି। ଦଣ୍ଡ ବ୍ୟବସ୍ଥା କୋହଳ ଥିବାରୁ ଏ ପ୍ରକାର ଶିକାରକୁ ରୋକି ହେଉ ନାହିଁ।

ଜଙ୍ଗଲ ଜୀବ, ବାଘ, ହାତୀମାନଙ୍କୁ ସୁରକ୍ଷା ଦେବା ବନ ବିଭାଗର ପ୍ରାଥମିକ କର୍ତ୍ତବ୍ୟ। ସେ ଦିଗରେ ଧ୍ୟାନ ନ ଦେଇ ପର୍ଯ୍ୟଟନ ବିକାଶ ନାମରେ ବ୍ୟାଘ୍ର ପ୍ରକଳ୍ପମାନଙ୍କରେ ପର୍ଯ୍ୟଟନ ଶିବିର ସ୍ଥାପନ ଭଳି କାର୍ଯ୍ୟ ଏକ ଦିଗହରା ପଦକ୍ଷେପ। ବନ୍ୟ ଜୀବଜନ୍ତୁମାନଙ୍କର ସୁରକ୍ଷା ପ୍ରାଥମିକତା ପାଇବା କଥା। ସେମାନେ ସୁରକ୍ଷିତ ହୋଇ ବଂଶବୃଦ୍ଧି କଲେ ଯାଇ ବନ ପର୍ଯ୍ୟଟନର ବିକାଶ ହେବ।

ଏବେ ଆମ ରାଜ୍ୟ ଜଙ୍ଗଲ ହାତୀ ଶୂନ୍ୟ ହେବାକୁ ବସିଲାଣି। ‘ଗଜପତି’ ରାଜ୍ୟ ଯଦି ‘ଗଜଶୂନ୍ୟ’ ହୁଏ, ତେବେ ତାହା ରାଜ୍ୟ ପାଇଁ ଏକ ବିଡ଼ମ୍ବନା ଏବଂ କଳଙ୍କ ହେବ।

ମୋ: ୯୯୩୭୦୧୧୨୨୫