ଅଳ୍ପଦିନ ତଳେ ଝାରସୁଗୁଡ଼ାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ପଥର ମାଡ଼ ଏବଂ ତତ୍‌ ପରବର୍ତ୍ତୀ ସମୟରେ ସମ୍ବଲପୁର‌େର ଘଟି ଯାଇଥିବା ସାମ୍ପ୍ରଦାୟିକ ହିଂସା, କର୍ଫ୍ୟୁ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶା ସରକାରଙ୍କୁ ‘ରାଜଧର୍ମ’ ପାଳନ କରିବାକୁ ପରାମର୍ଶ ଦେଇଥି‌ଲେ। ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ଅବସରରେ ପ୍ରତି ବର୍ଷ କିଛି କିଛି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦିଏ, ଯାହା ଖୁବ୍‌ ଶୀଘ୍ର ପ୍ରଶମିତ ହୁଏ। ଦେଶର ସବୁ ଅଞ୍ଚଳରେ ବିଭିନ୍ନ ଧର୍ମର ଉତ୍ସବମାନ ପାଳିତ ହେବା ଅବସରରେ ଏଭଳି ଘଟଣାମାନ ଘଟୁଥିବାର ସମ୍ବାଦମାନ ଗଣମାଧ୍ୟମରେ ବାହାରେ। ଅନ୍ୟ ପକ୍ଷରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସାଂପ୍ରଦାୟିକ ସଦ୍‌ଭାବ ଓ ଭାଇଚାରା ପାଇଁ ସୁନାମ ରହିଆସିଛି। ମହରମ୍‌ ବେଳେ ସମ୍ବଲପୁର ମୁଦିପଡ଼ାରୁ ଗୋଟିଏ ହିନ୍ଦୁ ପରିବାରରୁ ବିଗତ ଅନେକ ବର୍ଷ ହେଲା ସ୍ବନିର୍ମିତ ‘ତାଜିଆ’ର ଶୋଭାଯାତ୍ରା ବାହାରେ। ଝାରସୁଗୁଡ଼ା ଜିଲ୍ଲାର ରେମ୍‌ତା ଗ୍ରାମର ମୁସଲମାନ୍‌ ଗୌନ୍ତିଆମାନେ ରଥଯାତ୍ରା ସମୟରେ ରଥରେ ଛେରା ପହଁରା କରନ୍ତି। ତେବେ ଏ ସବୁର ଆଲୋଚନା କରିବା ଏ ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ।

Advertisment

ଉଦ୍ଦେଶ୍ୟ, ରାଜଧର୍ମର ସଂଜ୍ଞା କିପରି ଯୁଗକୁ ଯୁଗ ବଦଳିବାରେ ଲାଗିଛି, ସେ ସମ୍ବନ୍ଧରେ ଅବତାରଣା କରିବା। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେଭଳି ସତ୍ୟ ପାଳନରେ ନିଷ୍ଠା ଓ ପ୍ରଜା ପାଳନକୁ ନିଜର ପରମ ବ୍ରତ ରୂପେ ଗ୍ରହଣ କରି ନେଇଥିଲେ, ତା’ର ଭୁରି ଭୁରି ଉଦାହରଣମାନ ରହିଛି। ଅଯୋଧ୍ୟା ନରପତି ରୂପେ ସେ ପ୍ରଜାଙ୍କର ସୁଖଦୁଃଖ ବିଷୟରେ କେବଳ ପାତ୍ରମନ୍ତ୍ରୀଙ୍କ ମୁଖରୁ ନ ଶୁଣି ନିଜେ ନିଶାର୍ଦ୍ଧରେ ଛଦ୍ମ ବେଶରେ ରାଜ୍ୟରେ ବିଚରଣ କରୁଥିଲେ। ଏହି ଭଳି ନୈଶ ଭ୍ରମଣ ସମୟରେ ଏକ ରଜକ ଦଂପତିଙ୍କ କଳି ତକରାଳ ତାଙ୍କ କାନରେ ପଡ଼ିଥିଲା। ନିଜର ମା’ ଘରୁ ଦୀର୍ଘ କାଳ ପରେ ସ୍ବାମୀ ଗୃହକୁ ଫେରିଥିବା ନିଜ ସ୍ତ୍ରୀର ଚରିତ୍ରରେ ସନ୍ଦେହ କରି ସ୍ବାମୀ ତାକୁ ଯେତେବେଳେ ଗ୍ରହଣ କରିବାକୁ ଅରାଜି ହେଲା, ପ୍ରତ୍ୟୁତ୍ତରରେ ସ୍ତ୍ରୀ କହିଥିଲା- ଆମର ରାଜା ପ୍ରଭୁ ରାମଚନ୍ଦ୍ର ଯେତେବେଳେ ରାବଣ ଦ୍ବାରା ଅପହୃତ ହୋଇ ଦୀର୍ଘ କାଳ ରାବଣର ଅଶୋକ ବନରେ ରହି ଫେରିଲା ପରେ ମଧ୍ୟ ସୀତାଙ୍କୁ ଗ୍ରହଣ କରିପାରୁଛନ୍ତି, ତୁମର ଏ ଯୁକ୍ତିର ମୂଲ୍ୟ କିଛି ନାହିଁ। ସ୍ବାମୀ ସ୍ତ୍ରୀଙ୍କର ଏ କଥୋପକଥନ ଶୁଣିବା ପରେ ଶ୍ରୀ ରାମଚନ୍ଦ୍ର ତାଙ୍କର ଶାସନ ସମ୍ପର୍କରେ ପ୍ରଜାଙ୍କର ମନୋଭାବ ବିଷୟରେ ଅବଗତ ହେ‌େଲ। ଫଳ ସ୍ବରୂପ ସେ ନିଜର ପ୍ରିୟତମା ପତ୍ନୀ ସୀତାଙ୍କୁ ଗର୍ଭବତୀ ଥିବା ସତ୍ତ୍ବେ ତା’ ପର ଦିନ ଲକ୍ଷ୍ମଣଙ୍କ ହାତରେ ନିର୍ବାସିତ କରିଥିଲେ। ସେତିକି ବେଳେ ସେ କାହାରି କଥା ଶୁଣି ନ ଥିଲେ।

ରାଜଧର୍ମର ଚରମ ପରାକାଷ୍ଠାର ଏ ଉଦାହରଣ ତିନି ଯୁଗରେ କୁତ୍ରାପି ଦେଖିବାକୁ ମିଳେ ନାହିଁ। ଏବେ ଫେରି ଆସିବା କଳି ଯୁଗକୁ। ୨୦୦୨ ମସିହା ଗୋଧ୍ରା ଠାରେ ଅଯୋଧ୍ୟାରୁ କରସେବକଙ୍କୁ ଧରି ଫେରୁଥିବା ଟ୍ରେନ ପୋଡ଼ି ଏବଂ ତା’ ପରବର୍ତ୍ତୀ ଗୁଜୁରାଟରେ ସର୍ବତ୍ର ଉଗ୍ର ସାମ୍ପ୍ରଦାୟିକ ହିଂସା ଫଳରେ ଶହ ଶହ ନିରୀହ ଆବାଳ ବୃଦ୍ଧ ବନିତାଙ୍କ ଜୀବନ ଯାଇଥିଲା, ଏବଂ ସମଗ୍ର ବିଶ୍ବରେ ଏ ଘଟଣାର ଘୋର ନିନ୍ଦା କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦଙ୍ଗା ଗ୍ରସ୍ତ ଗୁଜୁରାଟ ଗସ୍ତ ସମୟରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇ ‘ରାଜଧର୍ମ’ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ପୁଣି କହିଥିଲେ ରାଜାର ପରମ କର୍ତ୍ତବ୍ୟ ହେଲା ଜାତି ଧର୍ମ ନିର୍ବିଶେଷରେ ପ୍ରଜାଙ୍କୁ ତାଙ୍କର ଧନଜୀବନର ନିରାପତ୍ତା ପ୍ରଦାନ କରିବା। ପ୍ରକାରାନ୍ତରେ ସେ ମୋଦୀଙ୍କୁ କହିଥିଲେ ଦଙ୍ଗା ସୃଷ୍ଟିକାରୀ ଯେ ହୁଅନ୍ତୁ ନା କାହିଁକି ତାଙ୍କୁ କଠୋର ହସ୍ତରେ ଦମନ କର।

ବାଜପେୟୀ ନିଜର ସ୍ବଳ୍ପ କାଳର ପ୍ରଧାନମନ୍ତ୍ରିତ୍ବ ସମୟରେ ନିଜର ନୀତିନିଷ୍ଠତା ଏବଂ କର୍ମକୁଶଳତା ପାଇଁ ଯେଉଁ ଉଚ୍ଚ ଆଦର୍ଶ ସୃଷ୍ଟି କରିଯାଇଛନ୍ତି ତାହା ଆଜିକାର ଶାସକମାନଙ୍କ ମଧ୍ୟରେ କ୍ବଚିତ୍‌ ଦେଖିବାକୁ ମିଳେ। ଜନତା ଜନାର୍ଦ୍ଦନଙ୍କ ସ୍ବାର୍ଥକୁ ସେ ସବୁବେଳେ ଦଳୀୟ ସ୍ବାର୍ଥ ଠାରୁ ଊର୍ଦ୍ଧ୍ବରେ ରଖୁଥିଲେ। ତାଙ୍କ ଚରିତ୍ରର ଆଉ ଏକ ଉଜ୍ଜ୍ବଳ ଦିଗ ହେଲା ଗୁଣୀ, ଜ୍ଞାନୀ ବ୍ୟକ୍ତିଙ୍କୁ ସେ ଦଳ ନିର୍ବିଶେଷରେ ସମ୍ମାନ କରୁଥିଲେ। ଗୋଟିଏ ଛୋଟିଆ ଉଦାହରଣ ଦେଲେ ଯଥେଷ୍ଟ ହେବ। ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ଅବସାନ ପରେ ଯେତେବେଳେ ୧୯୭୮ ସାଲରେ ମୋରାରଜୀ ଦେଶାଇଙ୍କ ନେତୃତ୍ବରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା, ଅଟଳ ବିହାରୀ ବାଜପେୟୀ ହେଲେ ବୈଦେଶିକ ମନ୍ତ୍ରୀ। ପ୍ରଥମ ଦିନ ଯେତେବେଳେ ସେ ବୈଦେଶିକ ମନ୍ତ୍ରାଳୟକୁ ଗଲେ, ଦେଖିଲେ ଅଫିସ କାନ୍ଥରେ ପୂର୍ବରୁ ଲାଗିଥିବା ଜଵାହରଲାଲ‌ ନେହରୁଙ୍କ ଫଟୋକୁ ଉଠାଇ ନିଆଯାଇଛି। ବାଜପେୟୀ ତାଙ୍କର ସଚିବଙ୍କୁ ନିର୍ଦ୍ଦେଶ ଦେଲେ ସେ ଖାଲି ସ୍ଥାନରେ ପଣ୍ଡିତ ଜଵାହରଲାଲ ନେହରୁଙ୍କ ଫଟୋ ପୂର୍ବ ଭଳି ରହିବ।

ଯୁଗ ବଦଳିଲେ ମଧ୍ୟ ‘ରାଜଧର୍ମ’ର ସଂଜ୍ଞାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ପରିବର୍ତ୍ତନ ହୁଏ ‘ରାଜଧର୍ମ’ର ତର୍ଜମା କରୁଥିବା ଶାସକମାନଙ୍କ ଦୃ‌ଷ୍ଟିଭଙ୍ଗୀରେ। ତେଣୁ, ଆମର ସଂବିଧାନରେ ସର୍ବାଗ୍ରେ ଦେଶର ନାଗରିକମାନଙ୍କ ପ୍ରଦତ୍ତ ଅଧିକାରରେ ସମସ୍ତଙ୍କ ପାଇଁ ସାମାଜିକ ଅର୍ଥନୈତିକ ଚିନ୍ତାଧାରା ଏବଂ ଧାର୍ମିକ ବିଶ୍ବାସର ଅଭିବ୍ୟକ୍ତିର ସାଙ୍ଗକୁ ସମସ୍ତଙ୍କ ପାଇଁ ସମାନ ଅଧିକା‌ର ଏବଂ ସୁଯୋଗର ପ୍ରାବଧାନ ରଖାଯାଇଛି।

ତେଣୁ ‘ରାଜଧର୍ମ’ର ସଂଜ୍ଞା କୌଣସି ଯୁଗରେ ପରିବର୍ତ୍ତିତ ହୁଏନାହିଁ। ରାଜତନ୍ତ୍ରରେ ରାଜାଙ୍କର ଏବଂ ଗଣତନ୍ତ୍ର‌େର ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ଶାସନ ମୁଖ୍ୟଙ୍କ ପରମ ଓ ପ୍ରଧାନ କର୍ତ୍ତବ୍ୟ ହେଲା ଜାତି ଧର୍ମ ନିର୍ବିଶେଷରେ ନାଗରିକଙ୍କ ସଂବିଧାନ ପ୍ରଦତ୍ତ ଅଧିକାର ଯେଭଳି ସୁରକ୍ଷିତ ରହେ ସେ ଦିଗରେ ସତତ ପ୍ରଯତ୍ନଶୀଳ ହେବ।

ମୋ: ୯୪୩୭୧୪୯୧୩୩