ଜଣେ ବ୍ୟକ୍ତିଙ୍କ ଅଭ୍ୟାସ ଥିଲା ଯେ ଶୋଇବାକୁ ଯିବା ପୂର୍ବରୁ ପ୍ରାର୍ଥନା କରୁଥିଲେ। ଏ ଅଭ୍ୟାସରେ କେବେ ଦିନେ ବି ବ୍ୟତିକ୍ରମ ହୋଇ ନ ଥିଲା। କିନ୍ତୁ ଦିନେ ଖୁବ୍ ପରିଶ୍ରମ କଲା ପରେ କ୍ଳାନ୍ତ ହୋଇ ସେ ଯେତେବେଳେ ଶୋଇବାକୁ ଗଲେ, ଏମିତି ନିଦ ମାଡ଼ି ଆସିଲା ଯେ ସେ ପ୍ରାର୍ଥନା କରିବାକୁ ଭୁଲିଗଲେ। ପର ଦିନ ପାହାନ୍ତିଆରେ ନିଦ ଚାଉଁ କିନା ଭାଙ୍ଗିଗଲା। ସାଙ୍ଗେ ସାଙ୍ଗେ ପ୍ରାର୍ଥନା କରିବାକୁ ଭୁଲି ଯାଇଥିବା କଥା ମନେ ପଡ଼ିଗଲା। ସେ ମ୍ରିୟମାଣ ହୋଇପଡ଼ିଲେ। ଦିନ ସାରା ତାଙ୍କୁ କିଛି ଭଲ ଲାଗିଲା ନାହିଁ। ଈଶ୍ବରଙ୍କୁ କ୍ଷମା ମାଗି ଚାଲିଲେ। ନିଜ ମାନସିକ ସ୍ଥିତିରୁ ମୁକ୍ତ ହେବା ଲାଗି ନିଜ ଦୀକ୍ଷା ଗୁରୁଙ୍କ ପାଖକୁ ଯାଇ ବିକଳ ଭାବେ ସବୁ ଜଣାଇଲେ।
ଗୁରୁ କହିଲେ- ବ୍ୟସ୍ତ ହୁଅନାହିଁ। ତୁମେ ଜାଣିଛ କି ତୁମ ନିଦ କାହିଁକି ଚାଉଁ କିନା ଭାଙ୍ଗିଗଲା? ତୁମକୁ ନିଦରୁ ଉଠାଇଲା କିଏ? ତୁମକୁ ଉଠାଇଲା ସୈତାନ୍। ତୁମେ ବିସ୍ମିତ ହେଉଥିବ ଯେ ସୈତାନ୍ ତୁମକୁ ନିଦରୁ ଉଠାଇ ପ୍ରାର୍ଥନା କରିବା କଥା ମନେ ପକାଇଲା କାହିଁକି? ସୈତାନ୍ର ଉଦ୍ଦେଶ୍ୟ ହେଲା ତୁମକୁ ଅନୁତାପର ନିଆଁରେ ଜଳାଇ କଷ୍ଟ ଦେବା। ତୁମକୁ ଅଶାନ୍ତ ରଖିବା। ତୁମେ ଦିନ ତମାମ କଠୋର ପରିଶ୍ରମ କରିଥିଲ। ତେଣୁ ନିଦ୍ରା ଥିଲା ଈଶ୍ବରଙ୍କ ବରଦାନ।
ଗୁରୁ କହିଲେ- ତୁମେ ଯଦି ତୁମ ଦିନ ଯାକ ଭଲ କାମରେ କାଟିଛ, ତେବେ ତହିଁରେ ପ୍ରଭୁଙ୍କ ପ୍ରାର୍ଥନା ସ˚ପୂର୍ଣ୍ଣ ହୋଇଯିବ। ତେଣୁ ଅଭ୍ୟାସ ଉପରେ ଗୁରୁତ୍ବ ନ ଦେଇ ଜୀବନକୁ ଉତ୍ତମ ମାର୍ଗରେ ଚଳାଅ, ତାହା ହିଁ ହେବ ପ୍ରକୃଷ୍ଟ ପ୍ରାର୍ଥନା।