ମଣିଷର ସବୁଠାରୁ ବଡ଼ ଏବଂ ଆଦିମ ଇଚ୍ଛା ହେଉଛି ଖୁସି ବା ଆନନ୍ଦ ଲାଭ କରିବା। ପ୍ରତ୍ୟେକ ମନୁଷ୍ୟ ସୁଖୀ ଜୀବନ ଚାହାଁନ୍ତି। କିନ୍ତୁ ସୁଖର ସଂଜ୍ଞା ପ୍ରତ୍ୟେକଙ୍କ ପାଇଁ ଭିନ୍ନ। ଆମେ ଦେଖୁ ଯେ କିଛି ଲୋକଙ୍କ ପାଖରେ ଖୁସିରେ ରହିବା ଲାଗି ସବୁ କିଛି ଥିଲେ ମଧ୍ୟ ସେମାନେ ଖୁସିରେ ନ ଥାଆନ୍ତି; ଅଥଚ ନାନା ସମସ୍ୟା ଭିତରେ ରହିଥିବା ମଣିଷଟିଏ ଆପାତତଃ ଖୁସିରେ ରହିପାରେ। ଏହା କେମିତି ସମ୍ଭବ ହୁଏ?
ଏହାର କାରଣ ଜୀବନ ଦୃଷ୍ଟି ଅର୍ଥାତ୍ ଆପଣ ଜୀବନ ଏବଂ ତତ୍ ସଂଲଗ୍ନ ବିଭିନ୍ନ ବିଭାବକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି। ଉଦାହରଣଟିଏ ନେବା। ଧରନ୍ତୁ ଦୁଇ ଜଣ ବ୍ୟକ୍ତି ଗୋଟିଏ ପ୍ରକାର କାମ କରୁଛନ୍ତି। ସେମାନଙ୍କ ସାମର୍ଥ୍ୟ, ପ୍ରତିଭା, ନିଷ୍ଠା ଇତ୍ୟାଦି ସମାନ। କିନ୍ତୁ ଏମିତି ହୋଇପାରେ ଯେ କାର୍ଯ୍ୟଟି ଦ୍ବାରା ଦୁଇ ଜଣ ପ୍ରାୟ ସମତୁଲ ଫଳ ଲାଭ କରିଥିଲେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରି ପାରନ୍ତି ବା ସେହି ହିସାବରେ ସୁଖୀ ବା ଅସୁଖୀ ହୋଇପାରନ୍ତି। ଏହାର କାରଣ ହେଲା, ଜଣେ ନିଜ ପରିଶ୍ରମର ଫଳ କିଭଳି ହେବ ସେ ନେଇ ଏକ ଉଚ୍ଚ ଆଶା ରଖିଥାଇପାରେ, ଯାହା ଯଦି ହାସଲ କରାଯାଇ ନ ପାରିଲା, ତେବେ ସେ ବିଷଣ୍ଣ ହୋଇ ଉଠିବ। ଅଥଚ, ଅନ୍ୟ ଜଣକ ସେମିତି କୌଣସି ଫଳର ଆଶା ନ ରଖି କେବଳ ନିଜ କାମ କିଭଳି ଭଲ ହେବ, ତା’ ଉପରେ ଦୃଷ୍ଟି ଦେଇ ଆଗେଇ ଚାଲିବ ଏବଂ ଯାହା ଫଳ ମିଳିଲା ତାହା ତା’ କାର୍ଯ୍ୟ ବା ପ୍ରଚେଷ୍ଟାର ସ୍ବାଭାବିକ ଫଳଶ୍ରୁତି ବୋଲି ଧରି ନେବ ଏବଂ ତହିଁରେ ସନ୍ତୁଷ୍ଟ ରହିବ। ଉଚ୍ଚ ଲକ୍ଷ୍ୟ ରଖି ପ୍ରଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ବିଫଳ ମନୋରଥ ହେଲେ ହତାଶ ହେବା ସ୍ବାଭାବିକ। କିନ୍ତୁ ଯେତେବେଳେ ସେ ସ୍ବୀକାର କରି ନେବେ ଯେ ତାଙ୍କ ସାମର୍ଥ୍ୟ ଓ ଉଦ୍ୟମରୁ ଯାହା ମିଳିଛି, ତାହା ହିଁ ତାଙ୍କର ପ୍ରାପ୍ୟ; ସେତେବେଳେ ମନରୁ ନକାରାତ୍ମକ ଭାବନା ଦୂରେଇ ଯିବ ଏବଂ ସେ ଅସୁଖୀ ହେବେ ନାହିଁ।
ସୁତରାଂ, ବିଚାର କରିବାର ଅନ୍ଦାଜ ବା ଦୃଷ୍ଟିଭଙ୍ଗୀ ଉପରେ ଆମର ସୁଖୀ ବା ଅସୁଖୀ ହେବା ନିର୍ଭର କରେ। ଏହା କେବଳ ଏକ ଉଦାହରଣ। ଜୀବନର ସବୁ କ୍ଷେତ୍ରରେ ଜଣେ ବିଭିନ୍ନ ବିଷୟରେ କିଭଳି ବିଚାର କରୁଛି, ତାହା ତାକୁ ସନ୍ତୁଷ୍ଟ ବା ଅସନ୍ତୁଷ୍ଟ କରିପାରେ। ଏକ ସାଧାରଣ କଥା ଛଳରେ କୁହାଯାଏ ଜଣେ ତା’ର ଦ୍ବିତଳ ପ୍ରାସାଦ ନେଇ େସ ପର୍ଯ୍ୟନ୍ତ ସୁଖୀ ଥାଏ, ଯେ ପର୍ଯ୍ୟନ୍ତ ତା’ ପଡ଼ୋଶୀ ଏକ ତ୍ରିତଳ ପ୍ରସାଦ ନିର୍ମାଣ କରି ନ ଥାଏ। ଏଠାରେ ଦୁଃଖର କାରଣ ହୋଇଯାଏ ‘ତୁଳନା।’ ଏହି ତୁଳନାର ଭାବନା ଆମ ବିଚାରରୁ ଜାତ। ଯେଉଁ ବ୍ୟକ୍ତି ଏଭଳି ତୁଳନାର ଜଂଜାଳ ଭିତରେ ପଶେ ନାହିଁ, ସେ ତା’ର ଛୋଟ ଘରେ ମଧ୍ୟ ସୁଖରେ ରହି ପାରିବ। ସୁତରାଂ, ସବୁ ହେଉଛି ଆମ ଦୃଷ୍ଟିଭଙ୍ଗୀର କଥା।
ଦ୍ବିତୀୟରେ ଆସିବ କୃତଜ୍ଞତା ଜ୍ଞାପନର ମନଃସ୍ଥିତି। ସାଧାରଣତଃ ଆମେ ସମସ୍ତେ କାହା ଠାରୁ କିଛି ଉପକାର ଲାଭ କଲେ କୃତଜ୍ଞତା ପ୍ରକାଶ କରିଥାଉଁ। କିନ୍ତୁ ଆମେ ଭୁଲି ଯାଉ ଯେ ଜୀବନରେ ନିୟମିତ ଓ ନିରନ୍ତର ଭାବେ ଆମେମାନେ ପାଇ ଆସୁଥିବା ଅନେକ କିଛି ଆମ ଠାରୁ କୃତଜ୍ଞତା ଲୋଡ଼ନ୍ତି। କଥାରେ କହନ୍ତି ଯେ ଗୋଡ଼ ନ ଭାଙ୍ଗିଲା ଯାଏ ଜଣେ ଜାଣି ନ ଥାଏ ଯେ ଗୋଡ଼ଟି ତା’ ଲାଗି କ’ଣ କରୁଥିଲା? ଅଥଚ, ସାଧାରଣ ଭାବେ କେହି କେବେ ହେଲେ ନିଜ ଗୋଡ଼ (ସେହି ଦୃଷ୍ଟିରେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ) ଯୋଡ଼ିକୁ କୃତଜ୍ଞତାଭରା ଦୃଷ୍ଟିରେ ଦେଖିଛନ୍ତି କି? ଏହା କେବଳ ଏକ ଉଦାହରଣ ଯାହା ମାଧ୍ୟମରେ କୃତଜ୍ଞତା ପ୍ରକାଶର ଭାବ ଉପେର ଠିକଣା ଭାବେ ଧାରଣା କରିହେବ। ଟିକିଏ ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ବୁଝି ହେବ ଯେ ଆମେମାନେ ଜୀବନରେ କମ୍ ବା ବେଶି ଯେତିକି ଯାହା ପାଇଛେ, ତାହା ଅନେକ ମୂଲ୍ୟବାନ, ଯାହା ଅନେକଙ୍କ ଭାଗ୍ୟରେ ଜୁଟେ ନାହିଁ ମଧ୍ୟ ବା ତାହା ଯଦି ଆମକୁ ମିଳି ନ ଥାଆନ୍ତା, ତେବେ ହୁଏ’ତ ଆମର ସ୍ଥିତି ଆହୁରି ଅଧିକ ଖରାପ ହୁଅନ୍ତା! ମନରେ ଏଭଳି କୃତଜ୍ଞତା ବୋଧ ଆସିଲେ ସନ୍ତୋଷ ଭରିଯାଏ। ଏଭଳି ଭାବରେ ଭରା ବ୍ୟକ୍ତି ନିକଟରେ ତଥାକଥିତ ସୁଖ ପାଇବାର କୌଣସି କାରଣ ବା ସାଧନ ଥାଇ ନ ପାରେ, କିନ୍ତୁ ସେ ଅନ୍ତତଃ ଅସୁଖୀ ହୋଇ ନ ଥାଏ। ଅଥଚ ଯାହା ନିକଟରେ ଏ ପ୍ରକାର ଭାବ ନ ଥାଏ, ତା’ ପାଖରେ ସବୁ କିଛି ଥିଲେ ମଧ୍ୟ ଅପ୍ରାପ୍ତି ବୋଧରେ ସେ ଛଟପଟ ହୁଏ; ଶାନ୍ତି ଲାଭ କରି ପାରେ ନାହିଁ। କୃତଜ୍ଞ ରହିବାର ମନୋଦଶା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ଜଣେ ଏ ବିଶାଳ ସୃଷ୍ଟିରେ ନିଜ କ୍ଷୁଦ୍ରତା ବିଷୟରେ ହୃଦୟଙ୍ଗମ କରେ ଏବଂ ଅହଂକାରମୁକ୍ତ ହୋଇ ଜୀବନରେ ଯାହା କିଛି ମିଳିଛି ସେଥିରେ ସୁଖୀ ରହିବାକୁ ଇଚ୍ଛା କରେ।
ସୁଖୀ ରହିବାର ତୃତୀୟ ଉପାୟଟି ହେଲା ଦୟା ଓ କ୍ଷମା ପ୍ରଦର୍ଶନ। ଯେଉଁମାନେ ସ୍ବଭାବଗତ ଭାବେ ଦୟା ଓ କ୍ଷମାଶୀଳ ସେମାନେ ସୁଖୀ ହୁଅନ୍ତି। ସେମାନେ ପ୍ରାୟତଃ ଦୋଷଦର୍ଶୀ ହୁଅନ୍ତି ନାହିଁ। କ୍ରୋଧ ଓ ପ୍ରତିଶୋଧ ନେବାର ଇଚ୍ଛା ଦ୍ବାରା କବଳିତ ହୁଅନ୍ତିି ନାହିଁ, ଯାହା ହେଉଛି ଅଶାନ୍ତିର ମୂଳ କାରଣ।
ପ୍ରତ୍ୟେକ ବ୍ୟକ୍ତିର ଜୀବନ ବିଭିନ୍ନ ପ୍ରକାର ଉତ୍ଥାନ-ପତନ ଦେଇ ଆଗକୁ ଚାଲିଥାଏ। ଜୀବନରେ ହତାଶା, ଦୁଃଖ, ଅଭାବବୋଧର ଅନୁଭୂତି ନ ଥିଲେ ହୁଏତ ମଣିଷ ଲାଗି ସୁଖ ନିରର୍ଥକ ହୋଇ ଉଠନ୍ତା। କିନ୍ତୁ ଏଠାରେ ମୂଳ କଥା ହେଲା ସାଧାରଣ ଜୀବନରେ ସୁଖୀ ରହିବାର କଳା ଓ କୌଶଳ ହାସଲ କରିବା; ଯାହା ପ୍ରକୃତରେ ହେଉଛି ଆମ ହାତର କଥା। ଆମେ କିଭଳି ଦୃଷ୍ଟି ଦେଇ ଜୀବନକୁ ଦେଖୁଛେ, ତା’ ଉପରେ ନିର୍ଭର କରୁଛି ଆମେ କେତେ ସୁଖୀ ବା ଦୁଃଖୀ ହେବା।
ମୋ: ୮୨୪୯୬୨୬୭୮୫