ଥରେ ଗୋଟିଏ ଗାଁରେ ଜମାରୁ ବର୍ଷା ହେଲା ନାହିଁ। ଗାଁ ଲୋକେ ମନ୍ଦିରରେ ଅଧିଆ ପଡ଼ିଲେ। ମନ୍ଦିରର ପୂଜକ କହିଲେ- ଆମେମାନେ ଈଶ୍ବର ବିଶ୍ବାସୀ ଲୋକ। ତେଣୁ ଭଗବାନ କେବେ ହେଲେ ଅନ୍ୟାୟ କରିବେ ନାହିଁ। ଆମେମା‌େନ କାଲି ପାହାଡ଼ ଉପରକୁ ଯିବା। ସେଠାରେ ମୁଁ ପ୍ରାର୍ଥନା କରିବି। ଦେଖିବ ବର୍ଷା ହେବ।

Advertisment

ତା’ ପର ଦିନ ସକାଳୁ ଲୋକେ ପାହାଡ଼ ଉପରେ ରୁଣ୍ଡ ହେଲେ। ମନ୍ଦିରର ପୂଜକ ମଧ୍ୟ ଆସିଲେ। ଧୂ ଧୂ ଖରା। କେଉଁଠି ମେଘର ଚିହ୍ନ ବର୍ଣ୍ଣ ନାହିଁ। ପୂଜକ ଜଣକ ଏବେ ପ୍ରାର୍ଥନା ବୋଲିବା ଆରମ୍ଭ କରିଦେଲେ। ଅନେକ ସମୟ ବିତି ଗଲା। ହେଲେ କେଉଁଠି କିଛି ପରିବର୍ତ୍ତନ ନାହିଁ। ଲୋକଙ୍କ ମନ ଭାଙ୍ଗିବାକୁ ଲାଗିଲା। ଏତିକି ବେଳେ ଗୋଟିଏ ଦିଗରୁ କଳାହାଣ୍ଡିଆ ମେଘ ଘୋଟି ଆସିଲା। ଏବେ ପୂଜକ ମହାଶୟ ଆହୁରି ‌ଜୋରରେ ପ୍ରାର୍ଥନା ବୋଲିଲେ। କିଛି ସମୟ ପରେ ଝରଝର ହୋଇ ବର୍ଷା ଝରିବାକୁ ଲାଗିଲା। ଲୋକେ ପୂଜକଙ୍କ ଜୟଜୟକାର କଲେ।

କିନ୍ତୁ, ପୂଜକ କହିଲେ- ମୋର ଜୟ ଜୟ କରି ଲାଭ ନାହିଁ। ବର୍ଷାର କାରଣ ଆମ ଗାଁର ନେତ ବୁଢ଼ୀ। କାରଣ ପ୍ରାର୍ଥନା ବୋଲୁଥିଲି ସିନା, ମୁଁ ମଧ୍ୟ ବର୍ଷା ହେବା ନେଇ ନିଶ୍ଚିତ ନ ଥିଲି। ତୁମେମାନେ ତ କେହି ହେଲେ ଆଦୌ ଆଶାବାଦୀ ନ ଥିଲ। ଯଦି ତୁମମାନଙ୍କର ଟିକିଏ ବି ବିଶ୍ବାସ ଥାଆନ୍ତା, ତେବେ ଅନ୍ତତଃ ସାଙ୍ଗରେ ଛତା ଆଣିଥାଆନ୍ତ। କେବଳ ନେତ ବୁଢ଼ୀ ବର୍ଷା ହେବ ‌ବୋଲି ବିଶ୍ବାସ କରି ଛତାଟିଏ ନେଇ ଆସିଥିଲା। ସେ ଯେମିତି ଆସି ପହଞ୍ଚିଲା, ମେଘ ଉଠେଇଲା। କଥାରେ କହନ୍ତି ବିଶ୍ବାସେ ମିଳଇ ହରି। ୟେ ସେଭଳି କଥା। ଆମେ ପ୍ରାର୍ଥନା କରୁ‌େଛ ସତ, କିନ୍ତୁ ବିଶ୍ବାସ ନାହିଁ। ତେଣୁ ଫଳ ମିଳୁନାହିଁ।