ଦୁଇ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେରଳର ରାଜଧାନୀ ତିରୁଅନନ୍ତପୁରମ୍ ଗସ୍ତ କାଳରେ ସେ ରାସ୍ତା ଉପରେ କେରଳର ପାରମ୍ପରିକ ପୋଷାକ ମୁଣ୍ଡୁ (ଲୁଙ୍ଗି ପରି ପିନ୍ଧାଯାଉଥିବା ଧୋତି), ଧଳା ହାଫ ସାର୍ଟ, ଧଳା କାନ୍ଧ ଚଦର ଓ ଚପଲ ପିନ୍ଧି ଚାଲି ଚାଲି ଯାଉଥିବା କଥା ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରକାଶିତ ଓ ପ୍ରସାରିତ ହୋଇଥିଲା। ରାସ୍ତାର ଦୁଇ ପଟରେ ଉପସ୍ଥିତ ହଜାର ହଜାର ଲୋକ ତାଙ୍କୁ ଫୁଲ ପାଖୁଡ଼ା ଫୋପାଡ଼ି ଏକ ପ୍ରକାର ପୋତି ପକାଇଥିବା କଥା କୁହାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ ଧରଣର ସୁରକ୍ଷା ବ୍ୟବସ୍ଥା ଅନ୍ୟତ୍ର ଦେଖାଯାଇଥାଏ, ତାହା ଏଠାରେ ନଥିଲା; ଅଥଚ ଚିଠି ଦ୍ୱାରା ତାଙ୍କୁ ଧମକ ଦିଆଯାଇଥିଲା ଯେ ତାଙ୍କ ଉପରେ ଆକ୍ରମଣ ହେବ। ସାକ୍ରେଡ୍ ହାର୍ଟ ହାଇସ୍କୁଲ୍ ପଡ଼ିଆରେ ତାଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ହୋଇଥିଲା।

Advertisment

ଏହି ହାଇସ୍କୁଲକୁ ୧୯୪୪ରେ ଖ୍ରୀଷ୍ଟିଆନ୍ ମିସନାରିମାନେ ମୁଖ୍ୟତଃ ସେମାନଙ୍କ ପିଲାମାନଙ୍କ ପାଠ ପଢ଼ିବା ପାଇଁ ସ୍ଥାପନା କରିଥିଲେ। ହିନ୍ଦୁବାଦୀ ବିଜେପି ଓ ଖ୍ରୀଷ୍ଟିଆନ୍ ଚର୍ଚ୍ଚ ମଧ୍ୟରେ କୌଣସି ଘନିଷ୍ଠ ସମ୍ପର୍କ ନାହିଁ। ଖ୍ରୀଷ୍ଟିଆନ ପାଦ୍ରୀମାନେ ଲାଭ ଓ ଲୋଭ ଦେଖାଇ ହିନ୍ଦୁ ସଂପ୍ରଦାୟ ମଧ୍ୟରେ ଥିବା ହରିଜନ ଓ ଜନଜାତିମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଉଥିବାର ଅଭିଯୋଗ କରି ହିନ୍ଦୁବାଦୀ ବିଜେପି, ଆର.ଏସ.ଏସ., ବିଶ୍ୱ ହିନ୍ଦୁ ପରିଷଦ ଆଦି ସଂଗଠନମାନେ ତା’ର ତୀବ୍ର ପ୍ରତିବାଦ କରନ୍ତି। କେରଳରେ ମଧ୍ୟ ତାହା ରହିଛି। ଏପରି ଏକ ସ୍ଥିତିରେ ଖ୍ରୀଷ୍ଟିଆନ୍ ଚର୍ଚ୍ଚ, ତା’ ଦ୍ୱାରା ପ୍ରତିଷ୍ଠିତ ସ୍କୁଲ ପଡ଼ିଆରେ ପୁଣି ମୋଦୀଙ୍କ ପରି ଜଣେ ଅତ୍ୟନ୍ତ ଦୃଢ଼ ହିନ୍ଦୁବାଦୀ ପ୍ରଧାନମନ୍ତ୍ରୀଙ୍କୁ ଜନସଭା କରିବାକୁ ଅନୁମତି ଦେବା କେରଳରେ ଘଟିଥିବା ଏକ ବ୍ୟାପକ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ସଂକେତ ଦିଏ।

କେରଳରେ ହିନ୍ଦୁ ଓ ଅଣହିନ୍ଦୁମାନଙ୍କ ମଧ୍ୟରେ ସଂଖ୍ୟା ଦୃଷ୍ଟିରୁ ସେତେ ବେଶୀ ଫରକ ନାହିଁ। କେତେ ଦଶନ୍ଧି ତଳେ ସେଠାରେ ପ୍ରାୟ ସମାନ ସଂଖ୍ୟକ (ଜନ ସଂଖ୍ୟାର ୨୨%) ଖ୍ରୀଷ୍ଟିଆନ ଓ ମୁସଲମାନ ରହୁଥିଲେ। ଭାସ୍କୋ ଡ଼ା ଗାମା ୧୫୦୦ ଶତାବ୍ଦୀର ଶେଷ ବେଳକୁ କେରଳର ଯେଉଁ ସ୍ଥାନରେ ପହଞ୍ଚିଥିଲେ, ତା’ର ରାଜାଙ୍କର ନାମ ଥିଲା ଜାମୋରିନ୍। ୟୁରୋପୀୟ ବ୍ୟବସାୟୀ; ଯେମିତିକି ପର୍ତ୍ତୁଗିଜ୍, ବ୍ରିଟିସ, ଡଚ୍, ଫରାସୀ ଏବଂ ଦିନାମାରମାନେ ମଧ୍ୟ ପ୍ରଥମେ ପଶ୍ଚିମ-ଭାରତରେ ପହଞ୍ଚି ସେଠାରୁ ଅନ୍ୟ ଅଞ୍ଚଳକୁ ସଂପ୍ରସାରିତ ହୋଇଥିଲେ। ମଧ୍ୟ-ଯୁଗରେ ବାଣିଜ୍ୟ ପାଇଁ ଆସୁଥିବା ଆରବ ବଣିକମାନଙ୍କ ମଧ୍ୟରୁ ଅନେକ ସମୁଦ୍ର ପଥରେ ଗୁଜରାଟ, କେରଳ ଆଦିକୁ ଆସି ସେଠାରେ ରହି ଯାଇଥିଲେ। ତେଣୁ ସ୍ୱାଧୀନତା ପରେ କେରଳରେ ଖ୍ରୀଷ୍ଟିଆନ୍ ଓ ମୁସଲମାନମାନଙ୍କ ସଂଖ୍ୟା ମିଶି ୪୪% ଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ୫୬% ଥିଲା। ଏବେ ଖ୍ରୀଷ୍ଟିଆନ୍ ସଂଖ୍ୟା ପୂର୍ବ ଠାରୁ କମି ୧୯% ହୋଇଥିଲା ବେଳେ ମୁସଲମାନମାନଙ୍କ ସଂଖ୍ୟା ବଢ଼ି ୨୫% ହୋଇଛି। ଏହା ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଏକ ଅସୁରକ୍ଷା ଭାବ ସୃଷ୍ଟି କରିଛି। ସେମାନଙ୍କ ଆଶଙ୍କା ଯେ ହୁଏତ ଦିନେ ସେମାନଙ୍କର ପରିଚୟ ସମ୍ପୂର୍ଣ୍ଣ ରୂପେ ଲିଭି ଯାଇପାରେ; ଯଦିଓ ସେମାନେ ଆର୍ଥିକ ଓ ସମାଜିକ ଦୃଷ୍ଟିରୁ ମୁସଲମାନମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ସମୃଦ୍ଧ।

ଏତିକି ବେଳେ ମୋଦୀଙ୍କୁ ଖ୍ରୀଷ୍ଟିଆନମାନେ ଏତେ ମର୍ଯ୍ୟାଦା ଦେଇଥିବା ଯୋଗୁଁ ସେଠାକାର ଦୁଇ ମୁଖ୍ୟ ରାଜନୈତିକ ଦଳ ସିପିଏମ୍ ଓ କଂଗ୍ରେସ ହତବାକ୍‌ ହୋଇ ଯାଇଛନ୍ତି। ସ୍ୱାଧୀନତା ପରେ କେବଳ ଏହି ଦୁଇଟି ଦଳ ହିଁ କେରଳରେ ଶାସନ କରି ଆସୁଛନ୍ତି। ସିପିଏମ୍‌ ଦଳରୁ ହୋଇଥିବା ସବୁ ମୁଖ୍ୟମନ୍ତ୍ରୀମାନେ ହିନ୍ଦୁ। ସେଠାରେ ସିପିଏମ୍ ଏକ ହିନ୍ଦୁ ପ୍ରଧାନ ଦଳ ହୋଇ ରହିଛି। ଅପରପକ୍ଷରେ, କଂଗ୍ରେସ ଦଳର ଏ.କେ. ଆଣ୍ଟୋନି, ଉମେନ୍ ଚାଣ୍ଡି ହେଉଛନ୍ତି ଖ୍ରୀଷ୍ଟିଆନ୍। କଂଗ୍ରେସ ମେଣ୍ଟରେ ଖ୍ରୀଷ୍ଟିଆନଙ୍କ ଦଳ ‘କେରଳ କଂଗ୍ରେସ’ ଓ ମୁସଲମାନଙ୍କ ଦଳ ‘ଇଣ୍ଡିଆନ୍ ୟୁନିୟନ୍ ମୁସ୍‌ଲିମ ଲିଗ୍‌’ ରହିଆସିଛି। ଅପରପକ୍ଷରେ, ଏ ଯାଏ ମଧ୍ୟ ୫୬% ହିନ୍ଦୁ ଥିବା କେରଳରେ ଏଇ ଥର ବିଧାନ ସଭାରେ ଓ. ରାଜଗୋପାଳ ନାମକ ମାତ୍ର ଜଣେ ବିଜେପି ବିଧାୟକ ଅଛନ୍ତି। ସେଠାରେ ଅଧିକାଂଶ ହିନ୍ଦୁ ଭୋଟ ସିପିଏମ୍ ପାଖକୁ ଯାଉଥିବା ବେଳେ କିଛି କଂଗ୍ରେସ ପାଖକୁ ଯାଉଛି।

ହିନ୍ଦୁମାନେ ମୁଖ୍ୟତଃ ସିପିଏମ୍‌କୁ ଭୋଟ ଦେଉଥିବା ବେଳେ ‘ସିମି’ (ଇସଲାମିକ୍ ଛାତ୍ର ସଂଗଠନ) ଓ ‘ପିଏଫ୍ଆଇ’ ପରି ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ଉଗ୍ରବାଦୀ ଇସଲାମୀ ସଂଗଠନଗୁଡ଼ିକ ଏବେ ସିପିଏମ୍‌ର ଛାତ୍ର ସଂଗଠନ ‘ଏସ୍ଏଫ୍ଆଇ’କୁ ପଶିଯାଇଛନ୍ତି। ସେମାନେ ‘ଏସ୍ଏଫ୍ଆଇ’ ନାମରେ କଲେଜ୍ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂଗଠନଗୁଡ଼ିକୁ ଅକ୍ତିଆର କରି ନେଇ ସାରିଲେଣି। କେରଳ ପୁଲିସରେ ‘ଗ୍ରିନ୍ ଲାଇଟ୍’ ବୋଲି ଏକ ହ୍ୱାଟସଆପ୍ ଗ୍ରୁପ୍ ଅଛି ଯେଉଁଥିରେ ଅନେକ ଜିହାଦୀ ଓ ଇସଲାମୀ ଆତଙ୍କବାଦୀ ପଶିଛନ୍ତି। କେରଳ ଏବେ ଆତଙ୍କବାଦୀମାନଙ୍କ ସ୍ୱର୍ଗରେ ପରିଣତ ହୋଇଛି। ଗତ କେତେ ମାସ ତଳେ ଘଟିଥିବା ଆଲାପୁଜା-କାନୁର୍ ଜନ ଶତାବ୍ଦୀ ଏକ୍‌ସପ୍ରେସ୍‌ ଅଗ୍ନିକାଣ୍ଡରେ ୩ ଜଣଙ୍କର ପ୍ରାଣ ଯାଇଥିଲା, ଯେଉଁଥି ପାଇଁ ମହାରାଷ୍ଟ୍ର ପୁଲିସ୍ ଜଣେ ଜିହାଦୀକୁ ଧରି କେରଳ ପୁଲିସ୍‌କୁ ହସ୍ତାନ୍ତର କରିଛି। କିନ୍ତୁ ଏ ଯାଏ କେରଳ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। କେରଳର ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ କେ.ଟି. ଜଲିଲ ହେଉଛନ୍ତି ନିଷିଦ୍ଧ ‘ସିମି’ ସଂଗଠନର ଅବିସମ୍ବାଦିତ ନେତା। ସେ ସାରା ରାଜ୍ୟରେ ବୁଲି ପ୍ରଚାର କରୁଛନ୍ତି ଯେ ଭାରତ କେବଳ ଇସଲାମ୍ ମାଧ୍ୟମରେ ହିଁ ମୁକ୍ତି ପାଇପାରିବ। ସାମାଜିକ ଗଣମାଧ୍ୟମମାନଙ୍କରେ ପ୍ରସାରିତ ତାଙ୍କ ମନ୍ତବ୍ୟମାନରୁ ମନେ ହେଉଛି ଆଜି ବି ସେ ‘ସିମି’ର ଜଣେ ଦୃଢ଼ ସମର୍ଥକ। ସିମି ଓ ପିଏଫ୍ଆଇ ଭଳି ଉଗ୍ରବାଦୀ ସଂଗଠନ ଭାରତ ସରକାରଙ୍କ ଦ୍ବାରା ନିଷିଦ୍ଧ ହୋଇଥିଲେ ହେଁ କେରଳର ସିପିଏମ୍ ସରକାର କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। କେରଳ ସରକାର ସ୍ୱତନ୍ତ୍ର ବିବାହ ଆଇନକୁ ଏପରି ଭାବରେ ବଦଳାଇଛନ୍ତି ଯେ ମୁସଲମାନମାନେ ଅନ୍ୟ ଧର୍ମର ଯୁବତୀମାନଙ୍କୁ ଗୋପନରେ ବିବାହ କରିପାରିବେ।

ମୋଦୀ ସେଠାକାର କ୍ୟାଥୋଲିକ୍ କୃଷକ ମହାସଂଘ ଓ ଚର୍ଚ୍ଚର ବିଭିନ୍ନ ଗୋଷ୍ଠୀର ମୁଖ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଯଦିଓ କି ଆଲୋଚନା ହୋଇଛି ସେ କଥା ପ୍ରକାଶିତ ହୋଇନାହିଁ, ଥାଲାସେରି ଆର୍କ ବିଶପ୍ ଜୋସେଫ୍ ପମ୍ପଲାନି କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ରବର କିଲୋ ପ୍ରତି ମୂଲ୍ୟ ୩୦୦ ଟଙ୍କା କରିଦିଅନ୍ତି, ତେବେ କେରଳ ଖ୍ରୀଷ୍ଟିଆନମାନେ ବିଜେପିକୁ ଭୋଟ ଦେବେ। ଏହା ଦେଖି ସିପିଏମ୍‌ କେରଳ ଶାଖାର ମୁଖ୍ୟ ଏମ୍.ଭି. ଗୋବିନ୍ଦନ୍ ଓ ବିଧାନସଭାରେ ବିରୋଧୀ ଦଳର ନେତା କଂଗ୍ରେସର ଭି.ଡି. ସତୀଶ ଚର୍ଚ୍ଚମାନଙ୍କୁ ଧମକ ଦେଲା ଭଳି କହିଛନ୍ତି ଯେ ସେମାନେ ଲକ୍ଷ୍ମଣ ରେଖା ପାର ନ କରନ୍ତୁ। ସେମାନଙ୍କ ଭୟ କାଳେ ସଂବୃଦ୍ଧ ଖ୍ରୀଷ୍ଟିଆନ୍ ଭୋଟ୍ ବିଜେପି ଆଡ଼କୁ ଚାଲିଯିବ।

ଜୋସେଫ୍ କାଲ୍ଲାରାଙ୍ଗାଟ୍ଟୁ ନାମକ କେରଳର ଜଣେ ବିଶିଷ୍ଟ ଖ୍ରୀଷ୍ଟିଆନ ଧର୍ମଯାଜକ ଗତ ୨୦୨୨ ଏପ୍ରିଲରେ କହିଥିଲେ ଯେ ଉଗ୍ରବାଦୀମାନେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅମାନଙ୍କୁ ନିଶା ଔଷଧ ଦେଇ ସେମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରୁଛନ୍ତି ଓ ବିବାହ କରୁଛନ୍ତି ଏବଂ ପରେ ମଧ୍ୟ-ପ୍ରାଚ୍ୟରେ ସେମାନଙ୍କୁ ଗଣିକା ବୃତ୍ତି ପାଇଁ ବିକ୍ରି କରି ଦେଉଛନ୍ତି। ଏଥିରେ କ୍ଷୁବ୍‌ଧ କେରଳରେ ବାମପନ୍ଥୀ ସରକାର ଏହି ଖ୍ରୀଷ୍ଟ ଧର୍ମଗୁରୁଙ୍କ ବିରୋଧରେ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟିର ଅଭିଯୋଗ ଲଗା‌ଇଲେ ଯାହାକୁ କଂଗ୍ରେସ ଦଳ ସମର୍ଥନ କରିଥିଲା। କିନ୍ତୁ ବିଜେପି ଏହାର ବିରୋଧ କରିଥିଲା। କେରଳରେ ଚର୍ଚ୍ଚଗୁଡ଼ିକ ପରିଚାଳନା କରୁଥିବା ଶହ ଶହ ନିଶା ନିବାରଣ କେନ୍ଦ୍ରଗୁଡ଼ିକ ସୂତ୍ରରୁ ଜଣା ପଡ଼ିଛି ଯେ ଏହି କେନ୍ଦ୍ର ସବୁକୁ ଆସୁଥିବା ଅଧିକାଂଶ ଝିଅ ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟର। କିନ୍ତୁ ଏବେ ଏହି କେନ୍ଦ୍ରମାନଙ୍କରେ ଖ୍ରୀଷ୍ଟିଆନ୍ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଇ ଝିଅମାନଙ୍କର ଇସଲାମକୁ ଧର୍ମାନ୍ତରଣ ଖ୍ରୀଷ୍ଟିଆନମାନଙ୍କୁ ବିଚଳିତ କରିଦେଇଛି। ସେମାନକୁ ‘ଆଇଏସ୍ଆଇଏସ୍’ ଭଳି ଆତଙ୍କବାଦୀ ସଂଗଠନର ପ୍ରଭାବାଧୀନ ଅଞ୍ଚଳକୁ ନିଆଯିବା ବିଷୟ ଖ୍ରୀଷ୍ଟିଆନ ନେତାଙ୍କୁ ଅଧିକ ବ୍ୟଥିତ କରିଛି। ୨୦୧୦ ମସିହାରେ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ପ୍ରଫେସର ଟି.ଜେ ଜୋସେଫ ମନ୍ତବ୍ୟ ଦେବାରୁ ପିଏଫ୍ଆଇ ସଂଗଠନର କେତେକ ଉଗ୍ରବାଦୀ ତାଙ୍କ ହାତକୁ କାଟି ଦେଇଥିଲେ। ସେତେବେଳେ ବାମପନ୍ଥୀ ବୁଦ୍ଧିଜୀବୀ ଓ କଂଗ୍ରେସ ସମର୍ଥକମାନେ ନିରବତା ଅବଲମ୍ବନ କରିଥିବା ବେଳେ ବିଜେପି ହିଁ ଏକ ମାତ୍ର ସଂଗଠନ ଯିଏ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲା। ଏହା ଫଳରେ ଖ୍ରୀଷ୍ଟିଆନ ଓ ବିଜେପି ନିକଟତର ହୋଇଛନ୍ତି।

କେରଳରେ ମୁସଲମାନ ସଂପ୍ରଦାୟକୁ ନାନା ପ୍ରକାର ସରକାରୀ ସୁବିଧାସୁଯୋଗ ମିଳୁଛି। ଚାକିରିରେ ଆରକ୍ଷଣ ପାଇଁ ଖ୍ରୀଷ୍ଟିଆନମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ ସେଠାକାର ବାମପନ୍ଥୀ ସରକାର ତାହା କରୁନାହାନ୍ତି। ଏଣୁ ଖ୍ରୀଷ୍ଟିଆନ୍ ସମାଜ କ୍ଷୁବ୍‌ଧ। ତେଣୁ ଏବେ ବିଭିନ୍ନ ଚର୍ଚ୍ଚର ନେତାମାନେ ମୋଦୀ ସରକାରଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି। ଖ୍ରୀଷ୍ଟିଆନ୍ ସମାଜର ଜଣେ ଅତି ପ୍ରଭାବଶାଳୀ ଧର୍ମଗୁରୁ ୭୮ ବର୍ଷୀୟ କାର୍ଡିନାଲ୍ ଜର୍ଜ ଏଲେନଚେରୀ ଏକ ବକ୍ତବ୍ୟରେ କହିଛନ୍ତି ଯେ ଖ୍ରୀଷ୍ଟିଆନମାନେ ଭାରତରେ ଅସୁରକ୍ଷିତ ନୁହନ୍ତି। ଅବଶ୍ୟ ଖ୍ରୀଷ୍ଟିଆନ୍ ସମାଜର କେତେକ ବ୍ୟକ୍ତି ଅଭିଯୋଗ କରୁଛନ୍ତି ଯେ ଉତ୍ତର ଭାରତରେ ଖ୍ରୀଷ୍ଟିଆନମାନେ ହିନ୍ଦୁ ମୌଳବାଦୀମାନଙ୍କ ଦ୍ୱାରା ପୀଡ଼ିତ। କିନ୍ତୁ ଏଲେନ୍‌ଚେରୀ କହିଛନ୍ତି ଯେ ଏ ଧରଣର ଅଧିକାଂଶ ଅଭିଯୋଗ ଅତିରଞ୍ଜିତ। ତେବେ ଖ୍ରୀଷ୍ଟିଆନ ‘ଇଭାଞ୍ଜେଲିଷ୍ଟ’ମାନେ ଯେମିତି ହିନ୍ଦୁମାନଙ୍କ ଧର୍ମାନ୍ତରଣ କରୁଛନ୍ତିି ତାହାକୁ ଆଇନ ପ୍ରଣୟନ କରି ବନ୍ଦ କରାଯାଉ ବୋଲି ହିନ୍ଦୁ ନେତାମାନଙ୍କ ଦାବିରେ ଚର୍ଚ୍ଚ ରାଜି ନୁହେଁ।

ଇତିମଧ୍ୟରେ ‘ଭାରତରେ କମ୍ୟୁନିଷ୍ଟ ଆନ୍ଦୋଳନର ଇତିହାସ’ ପୁସ୍ତକ ରଚନା କରିଥିବା ପ୍ରଫେସର ଇ.ବାଳକୃଷ୍ଣନ କହିଛନ୍ତି ଯେ ଭାରତରେ ଏବେ ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଏକତା ସୃଷ୍ଟିର ସମୟ ଆସିଛି। ସେ ଲେଖିଛନ୍ତି ଯେ କେରଳରେ ମୁସଲମାନମାନଙ୍କ ତୁଳନାରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା କମି ଯାଉଛି; ହୁଏତ ଏକ ସମୟ ଆସିପାରେ ଯେତେବେଳେ ହିନ୍ଦୁମାନଙ୍କ ସଂଖ୍ୟା ମୁସଲମାନଙ୍କ ତୁଳନାରେ ମଧ୍ୟ କମି ଯାଇପାରେ। ଏବେ କେରଳ ବିଜେପିରେ ଖ୍ରୀଷ୍ଟିଆନମାନଙ୍କୁ ବିଭିନ୍ନ ପଦ ଦିଆଯାଉଛି। କିନ୍ତୁ ତାମିଲନାଡ଼ୁର ପୂର୍ବତନ ଆଇପିଏସ୍ ଅଫିସର ଆନ୍ନାମଲାଇଙ୍କ ପରି ବିଜେପିର ଜଣେ ଶକ୍ତିଶାଳୀ ସଭାପତି କେରଳରେ ମିଳୁ ନ ଥିବାରୁ ସେଠାରେ ବିଜେପି ଉଠି ପାରୁ ନାହିଁ। ତେବେ ଝାଡ଼ଖଣ୍ଡର ରାଜ୍ୟପାଳ ଓ କେରଳର ପୂର୍ବତନ ପ୍ରଭାରୀ ସି.ପି. ରାଧାକୃଷ୍ଣନଙ୍କ ପ୍ରୋତ୍ସାହନ ହେତୁ କେରଳର ପୂର୍ବତନ ପୁଲିସ୍ ଡିଜି ଜାକବ ଥୋମାସ ଗତ ୨୦୧୯ ନିର୍ବାଚନରେ ଖୋଲାଖୋଲି ଭାବେ ବିଜେପି ପାଇଁ ପ୍ରଚାର କରିଥିଲେ। ଆଉ କେତେକ ଅବସରପ୍ରାପ୍ତ ଆଇଏଏସ୍ ଓ ସେନା ଅଧିକାରୀ ଏବେ ବିଜେପିକୁ ସାହାଯ୍ୟ କରୁଛନ୍ତି। କେରଳର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଏ.କେ.ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ବିଜେପିରେ ମିଶିବା ମଧ୍ୟ ଏକ ମହ୍ୱତ୍ତ୍ବପୂର୍ଣ୍ଣ ବିଷୟ। ମୋଟ ଉପରେ ଚର୍ଚ୍ଚ ନେତୃତ୍ୱ ଓ ଖ୍ରୀଷ୍ଟିଆନ୍ ସମୁଦାୟ ଉଭୟ ସିପିଏମ୍ ଓ କଂଗ୍ରେସ ଦଳର ତୁଷ୍ଟୀକରଣ ନୀତିରେ ବ୍ୟତିବ୍ୟସ୍ତ ହୋଇ ଏକ ସକାରାତ୍ମକ ପରିବର୍ତ୍ତନ ଚାହୁଛନ୍ତି।