ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଓଡ଼ିଶା ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିଚାଲିଛି। ଦକ୍ଷିଣରେ ଆନ୍ଧ୍ର, ପଶ୍ଚିମରେ ଛତିଶଗଡ଼, ଉତ୍ତର-ପଶ୍ଚିମରେ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସହିତ ଓଡ଼ିଶା ସରକାରଙ୍କର ନଦୀ ଜଳ ବିବାଦ ରହିଆସିଛି। ନଦୀ ଜଳ ବିବାଦର ସମାଧାନ ପାଇଁ ସମ୍ବିଧାନରେ ଜଳ କମିସନ, ନଦୀ ଜଳ ଟ୍ରିବୁନାଲ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପାଇଁ ନୀତି ନିର୍ଦ୍ଦେଶ ରହିଛି। କିନ୍ତୁ ସୁଫଳ ମିଳୁନାହିଁ।

Advertisment

୧୯୭୮-୭୯ ମସିହାରେ ଓଡ଼ିଶାର ଦକ୍ଷିଣ ପଟ ପର୍ବତମାଳାରୁ ବାହାରି ଥିବା ନଦୀରୁ ପ୍ରାୟ ୫ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଣ କରାଯିବା ସହିତ ଜଳ ବିଦ୍ୟୁତ୍‌ ଉତ୍ପାଦନ ସକାଶେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବ୍ରହ୍ମାନନ୍ଦ ରେଡ଼ି ଓ ତାଙ୍କ ରାଜ୍ୟର ଇଞ୍ଜିନିୟରମାନେ ଓଡ଼ିଶା ଆସି ଓଡ଼ିଶାର ତତ୍କାଳନୀ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଏବଂ ଓଡ଼ିଶା ଇଞ୍ଜିନିୟରମାନଙ୍କ ସହିତ ଦୁଇ ଦିନ ବୈଠକ କଲା ପରେ ପ୍ରସ୍ତାବିତ ପ୍ରକଳ୍ପର ନକ୍‌ସା ସ୍ଥିର କରାଯାଇଥିଲା। ଏଥିରେ ସବୁ ବିଷୟ ଉପରେ ସୂକ୍ଷ୍ମ ନଜର ରଖାଯାଇଥିଲା ଏବଂ ଓଡ଼ିଶାର ଯେମିତି କିଛି କ୍ଷତି ନ ଘଟେ ତାହା ଗୁରୁତ୍ବ ପାଇଥିଲା। ସେତେବେଳର ଆନ୍ଧ୍ରର ତେଲେଙ୍ଗାନା ଅଞ୍ଚଳରୁ ବିସ୍ଥାପିତ ହେବାକୁ ଥିବା ଲୋକମାନଙ୍କୁ କର୍ଣ୍ଣାଟକ ଢାଞ୍ଚାରେ ପୁର୍ନଃବାସର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରସ୍ତାବ ଥିଲା। ମାତ୍ର ୨୦୦୪ ମସିହା ପର୍ଯ୍ୟନ୍ତ ଏ ଦିଗରେ କୌଣସି କାର୍ଯ୍ୟ ହେଲା ନାହିଁ। ୨୦୦୪ ମସିହାରେ ଆନ୍ଧ୍ରରେ କଂଗ୍ରେସ ଦଳର ରାଜଶେଖର ରେଡ଼ି ମୁଖ୍ୟମନ୍ତ୍ରୀ ହେଲେ। ସୁତରାଂ, କେନ୍ଦ୍ରରେ ଥିବା ‘ଉପା’ ସରକାରଙ୍କୁ ପ୍ରଭାବିତ କରି ଓଡ଼ିଶା ସରକାରଙ୍କୁ ଅନ୍ଧାରରେ ରଖି ହଠାତ୍ ପୋଲାଭରମ ପ୍ରକଳ୍ପ ଆରମ୍ଭ କରିଦେଲେ। ମାତ୍ର ୧୦ ଦିନ ଭିତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଠାରୁ ପରିବେଶ ମଞ୍ଜୁରି ମଧ୍ୟ ହାସଲ କଲେ। ଏହାର ଆନିକଟ ନିର୍ମାଣସ୍ଥଳ ଏବଂ ଆନିକଟର ଉଚ୍ଚତା ସମ୍ପର୍କରେ ଜାଣିଲା ପରେ ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ପ୍ରତିବାଦ କଲେ, ଜଳ କମିସନଙ୍କୁ ଜଣାଇଲେ, କେନ୍ଦ୍ର ସରକାରଙ୍କ ପାଖରେ ଆପତ୍ତି କଲେ। ଫଳ କିଛି ନ ହେବାରୁ ଓଡ଼ିଶା ସରକାର ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ। କାରଣ ଆନ୍ଧ୍ରର ଏହି ଏକତରଫା ପ୍ରକଳ୍ପ ହେଲେ ଓଡ଼ିଶାର ପ୍ରାୟ ୧୦ ହଜାର ଆଦିମ ଅଧିବାସୀଙ୍କ ଜୀବନ ଓ ଜୀବିକା ବିପନ୍ନ ହେବ ଓ ବହୁ ଅଞ୍ଚଳ ବୁଡ଼ି ଯିବ। ଏହି ବିବାଦ ଚାଲିଥିଲା ବେଳେ କେନ୍ଦ୍ରରେ ‘ଉପା’ ସରକାର ବଦଳି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆସିଲା ଏବଂ ସୁପ୍ରିମ କୋର୍ଟରେ ଏହି ମାମଲା ବିଚାରାଧୀନ ଥିଲା ବେଳେ ମୋଦୀ ସରକାର ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କଲେ ଏବଂ ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇ ଦେଲେ। ସୁତରାଂ, ପୋଲାଭରମ ପ୍ରକଳ୍ପ ନିର୍ମାଣ କାମ ତ୍ୱାରାନ୍ୱିତ ହେଲା ଏବଂ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ପ୍ରାୟ ୧୦ ହଜାର ଆଦିମ ଅଧିବାସୀ ବିପଦରେ। ଓଡ଼ିଶାର ବିସ୍ତୃତ ସମତଳ ଓ ଜଙ୍ଗଲ ଅଞ୍ଚଳ ଜଳମଗ୍ନ ହେବାକୁ ଯାଉଛି।

ଦକ୍ଷିଣ ସୀମାନ୍ତରେ ଏ ବିବାଦ ଥିବା ବେଳେ ଛତିଶଗଡ଼ ରାଜ୍ୟ ସରକାର ମହାନଦୀର ଉପରମୁଣ୍ଡରେ ଏକ ତରଫା ଭାବେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରିଚାଲିଲେ। ଓଡ଼ିଶା ସରକାରଙ୍କ ପ୍ରତିବାଦକୁ କର୍ଣ୍ଣପାତ କଲେ ନାହିଁ। ଉଭୟ ଜଳ କମିସନ ଓ କେନ୍ଦ୍ର ସରକାର, କେହି ହେଲେ ଏହି ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟ ବିବାଦର ସମାଧାନ ଦିଗରେ ପଦକ୍ଷେପ ନେଲେ ନାହିଁ। ଫଳରେ ଓଡ଼ିଶାର ପୂର୍ବ ଏବଂ ପଶ୍ଚିମ ଭାଗ ମଧ୍ୟରେ ସମ୍ପର୍କର ସେତୁ ଭାବେ ରହିଥିବା ମହାନଦୀ ଏବେ ବିପନ୍ନ। ମହାନଦୀ ଉପରେ ନିର୍ଭରଶୀଳ ଓଡ଼ିଶାର ପ୍ରାୟ ଅଢ଼େଇ କୋଟି ଲୋକ ବିଡ଼ମ୍ବିତ ଭାଗ୍ୟର ସମ୍ମୁଖୀନ ହୋଇଛନ୍ତି। ହୀରାକୁଦର ଜଳପତ୍ତନ ଏବେ ନିମ୍ନଗାମୀ ଏବଂ ମହାନଦୀ ତଥା ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ଶୁଷ୍କ ହେବାକୁ ବସିଲାଣି। ପ୍ରାୟ ୩୫୦୦ ହେକ୍ଟର ଜଳସେଚିତ ଜମି ମରୁଡ଼ିର ସମ୍ମୁଖୀନ ହେବାର ଭୟ ଅତ୍ୟନ୍ତ ବାସ୍ତବ ଭଳି ଲାଗୁଛି। ଇତିମଧ୍ୟରେ ଛତିଶଗଡ଼ରେ ସରକାର ବଦଳିଛି। ମାତ୍ର, ଏହି ଦୁଇ ରାଜ୍ୟ ଭିତରେ ନଦୀ ଜଳ ବିବାଦ ଛିଣ୍ଡୁନାହିଁ। ଛତିଶଗଡ଼ ସରକାରଙ୍କ ଯୁକ୍ତି ଏହା ଯେ ଶିଳ୍ପ ପାଇଁ ପାଣି ନେବାକୁ ସେମାନେ ଗୋଟିଏ ପରେ ଗୋଟିଏ ଜଳଭଣ୍ଡାର ସୃଷ୍ଟି କରିଛନ୍ତି। କିନ୍ତୁ, ଏବେ ଟ୍ରିବୁନାଲ ପରିଦର୍ଶନର ସୂଚନା ପାଇବା ପରେ ଛତିଶଗଡ଼ ସରକାର ଚାଲାକି କରି ହଠାତ୍ ପାଣି ଛାଡ଼ି ଓଡ଼ିଶା ପଟର ମହାନଦୀରେ ପାଣି ଭରିବାର ଉଦ୍ୟମ କରୁଛନ୍ତି। କିନ୍ତୁ ଛତିଶଗଡ଼ ସରକାର ଛାଡ଼ୁଥିବା ଜଳ ପ୍ରଦୂଷିତ ଯାହା ଆମ ଚାଷ ଓ ବ୍ୟବହାର ଲାଗି କ୍ଷତିକାରକ। ଏହା ଦ୍ବାରା ମତ୍ସ୍ୟଜୀବୀମାନଙ୍କ ଜୀବିକା ବିପନ୍ନ ହେବ।

କେବଳ ସେତିକି ନୁହେଁ, ଏବେ ବୈତରଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାର ଏକତରଫା ବ୍ୟାରେଜ ନିର୍ମାଣ କରିବା ଆରମ୍ଭ କରିଛନ୍ତି। ପ୍ରାୟ ୩୦ ବର୍ଷ ତଳେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶାକୁ ନେଇ ସୁବର୍ଣ୍ଣରେଖା ପ୍ରକଳ୍ପ ଆରମ୍ଭ ହୋଇଥିଲା, ଯାହା ଦ୍ବାରା ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ପ୍ରଭୂତ ଭାବେ ଉପକୃତ ହୋଇଥିଲା ବେଳେ ଜଙ୍ଗଲ ଓ ପରିବେଶକୁ ଆଳ କରି ମୟୁରଭଞ୍ଜ ଏବଂ ଉତ୍ତର-ବାଲେଶ୍ୱରକୁ ଏହାର ସୁଫଳରୁ ବଞ୍ଚିତ କରାଗଲା, ବରଂ, ତା’ ପରିବର୍ତ୍ତେ ବିପର୍ଯ୍ୟୟ ଘନୀଭୂତ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ଓ ତାମିଲନାଡୁ ଭିତରେ ଜଳବଣ୍ଟନ ବିବାଦ ତିକ୍ତତାର ଚରମ ସୀମାରେ ପହଞ୍ଚିଥିଲା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟସ୍ଥତା ଏହି ଦୀର୍ଘକାଳୀନ ବିବାଦରେ ଅନ୍ତ ଘଟାଇଥିଲା। ମାତ୍ର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଦୀଜଳ ବିବାଦରେ ଓଡ଼ିଶାର ପଡ଼ିଶା ରାଜ୍ୟଗୁଡ଼ିକୁ ସମର୍ଥନ ଦେଇ ଓଡ଼ିଶାକୁ ବିପତ୍ତି ଆଡ଼କୁ ଠେଲିବାରେ ଲାଗିଛନ୍ତି। ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକର ଅସହଯୋଗ ଓ ଯଥେଚ୍ଛାଚାରିତା କେବଳ ନଦୀ ଜଳ ବିବାଦ ନୁହେଁ; ସୀମା ରେଖା ବିବାଦ, ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆକ୍ରମଣ ଆଦିରେ ପରିଲକ୍ଷିତ ହେଉଛି। ସୁତରାଂ, ଦଳମତ ନିର୍ବିଶେଷରେ ଓଡ଼ିଶାର ରାଜନେତା, ବୁଦ୍ଧିଜୀବୀ ଏବଂ ପରିବେଶବିତ୍‌ମାନେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବାର ସମୟ ଆସି ଯାଇଛି।

ପୂର୍ବତନ ମନ୍ତ୍ରୀ