୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ବେଳକୁ ଯେଉଁ ପାଞ୍ଚଟି ଆହ୍ବାନ ଥିଲା, ତାହା ହେଲା- ଅନାହାର ମୃତ୍ୟୁ, ବିପର୍ଯ୍ୟୟ ମୁକାବିଲା, ଋଣଯନ୍ତାରେ ଆଉଟୁପାଉଟୁ ହେଉଥିବା ରାଜ୍ୟ ଅର୍ଥନୀତି, ନାରୀ ସୁରକ୍ଷା ଓ ଦୁର୍ନୀତି। ଆଜି ଏସବୁ ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଓଡ଼ିଶା ଏବେ ଆର୍ଥିକ ଦୃଷ୍ଟିରୁ ବଳକା ରାଜ୍ୟ। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା ମିଳୁଛି। ଅନାହାର ମୃତ୍ୟୁ ଅଭିଯୋଗ ଗଣମାଧ୍ୟମ ଶିରୋନାମାରେ ନାହିଁ। ବିରୋଧୀଙ୍କ ସ୍ଥାଣୁତା କାରଣରୁ ନାରୀ ସୁରକ୍ଷା ନେଇ କେହି ଚର୍ଚ୍ଚା କରୁନାହାନ୍ତି। ଦୁର୍ନୀତିକୁ ଦମନ ଲାଗି ଭିଜିଲାନ୍ସ ନିୟମିତ ଛାଟ ମାରୁଛି; ଯଦିଓ ବ୍ଲକ୍ ବା ପୌରସଂସ୍ଥାରେ ଯେ କୌଣସି ପ୍ରକଳ୍ପକୁ ହାତ ମାରିଲେ, ସେଥିରେ ୭୦ ପ୍ରତିଶତରୁ କମ୍ ଅର୍ଥ ବିନିଯୋଗ ହୋଇଥିବା କଥା ଅନୁଭବ କରିହୁଏ। ବରଂ ସରକାର ଏବେ ରାଜ୍ୟବାସୀଙ୍କ ସାମ୍ନାରେ ନୂଆ ଓଡ଼ିଶାର ସ୍ବପ୍ନ ରଖିଛନ୍ତି। ରଣନୀତିକାରମାନେ ବିଶ୍ବସ୍ତରୀୟ ପ୍ରକଳ୍ପ ନକ୍ସା ଦେଖାଇ ପ୍ରତିଦିନ ନୂଆ ବ୍ୟାଖ୍ୟାନ ଶୁଣାଉଛନ୍ତି। ରାଜ୍ୟ ବଜେଟ୍ର ଏକ ବଡ଼ ପରିମାଣର ଅର୍ଥ ୫ଟି’ କଥା କହି ଖର୍ଚ୍ଚ ହେଉଛି। ଗଣମାଧ୍ୟମ ରିପୋର୍ଟ ବି କହୁଛି ଓଡ଼ିଶାରେ ଆପାତତଃ ସବୁ ଠିକ୍ ଚାଲିଛି।
କିନ୍ତୁ ଏ ଲେଖକ ଯେଉଁ ଗମ୍ଭୀର ସ୍ଥିତି କଥା ଉଲ୍ଲେଖ କରିବାକୁ ଚାହୁଁଛି, ତାହାକୁ ଅନେକ ଗ୍ରହଣ କରି ନ ପାରନ୍ତି, ମାତ୍ର ତାହା ଏକ ବାସ୍ତବତା। ତାହା ହେଲା- ବିଶ୍ବସ୍ତରୀୟ ପ୍ରକଳ୍ପର ସ୍ବପ୍ନ ନେଇ ବିଜୟ ଶୋଭାଯାତ୍ରାରେ ବାହାରିଥିବା ଓଡ଼ିଆଙ୍କ ମଧ୍ୟରେ ରୋଗୀଣାଙ୍କ ସଂଖ୍ୟା ଅଧିକ। ଓଡ଼ିଶା ଅନାହାର ଅଭିଯୋଗକୁ ପୋଛିବାରେ ସମର୍ଥ ହୋଇଛି ସତ, କିନ୍ତୁ ଅର୍ଧାହାର ଓ ଅପପୁଷ୍ଟିର କଳଙ୍କର ଟିକା ମଥାରେ ଲାଗି ରହିଛି।
ଏକଥା ଯେ ସରକାର ଜାଣିନାହାନ୍ତି ତାହା ନୁହେଁ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ଓ ଜାତୀୟ ପୁଷ୍ଟିକର ସର୍ବେକ୍ଷଣ ରିପୋର୍ଟ ସମସ୍ତଙ୍କ ସାମନାରେ, ଯାହା ବିଚଳିତ କଲା ଭଳି। ସ୍ବତନ୍ତ୍ର ପୁଷ୍ଟିକର ବଜେଟ୍ ପୁସ୍ତିକା ପ୍ରସ୍ତୁତ କରି ସରକାର ଗୋଟିଏ ଧାରଣା ସୃଷ୍ଟି କରିବାକୁ ଚାହିଁଛନ୍ତି ଯେ କୁପୋଷଣ ବା ଅପପୁଷ୍ଟି ରୋକିବା ଲାଗି ନିରନ୍ତର ଚେଷ୍ଟା ଚାଲିଛି। ହେଲେ ଏ ସଂକ୍ରାନ୍ତ ବ୍ୟୟ ବରାଦ ଓ ପ୍ରକଳ୍ପ କାର୍ଯ୍ୟାନ୍ବୟନରୁ ତାହା ହୃଦ୍ବୋଧ ହୁଏନାହିଁ।
ପ୍ରତି ପ୍ରାଣୀ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କଥା ସମସ୍ତେ ଜାଣନ୍ତି। ହେଲେ ମରମ କଥାଟି ହେଉଛି, ମାଆ କ୍ଷୀର ସହିତ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟର ଅଭାବ ଶିଶୁର ଶାରୀରିକ ଓ ମାନସିକ ଗଠନ ଉପରେ ଏତେ ପ୍ରଭାବ ପକାଇଥାଏ ଯେ ଜୀବନର ଅବଶିଷ୍ଟ ଦିନମାନଙ୍କରେ ବିକାଶ ପାଇଁ ଅଭିଭାବକ, ସରକାରଙ୍କ ଯାବତୀୟ ପଦକ୍ଷେପ ଏକ ପ୍ରକାର ନିଷ୍ଫଳ ହୋଇଯାଏ। ଆହୁରି ସରଳ ଭାବେ କହିଲେ, ଯେ କୌଣସି ଶିଶୁ ଜନ୍ମ ହେବାର ୨୩ ମାସ ପର୍ଯ୍ୟନ୍ତ ବା ମାତୃଗର୍ଭରେ ସୃଷ୍ଟି ହେବା ଦିନ ଠାରୁ ୧୦୦୦ ଦିନ ପର୍ଯ୍ୟନ୍ତ ହେଉଛି ତା’ର ଜୀବନର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଦିନ। ଏହି ସମୟରେ ତା’ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଦରକାର। କାରଣ ପ୍ରଥମ ଦୁଇ ବର୍ଷ ମଧ୍ୟରେ ଶିଶୁର ମସ୍ତିଷ୍କର ୮୦ ପ୍ରତିଶତ ଅଭିବୃଦ୍ଧି ଘଟିଥାଏ। ଯଦି ଏହି ସମୟରେ ପିଲାମାନେ ପର୍ଯ୍ୟାପ୍ତ ଓ ସୁଷମ ଖାଦ୍ୟ ଗ୍ରହଣ ନ କରନ୍ତି, ତେବେ ସେମାନଙ୍କର ମସ୍ତିଷ୍କ ପୂର୍ଣ୍ଣ ବିକଶିତ ହେବାରେ ବାଧା ସୃଷ୍ଟି ହୁଏ। ଏହା ଦ୍ବାରା ଶିଶୁର ଉଚ୍ଚତା କମେ ଏବଂ ରକ୍ତହୀନତା ଦେଖାଯାଇଥାଏ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଜାତୀୟ ସ୍ତର ଠାରୁ ଶିଶୁ ପୌଷ୍ଟିକତା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯଦିଓ ଟିକେ ଭଲ, ତଥାପି ଉଦ୍ବିଗ୍ନକାରୀ। ଓଡ଼ିଶାରେ ୬-୨୩ ମାସ ମଧ୍ୟରେ ପାଖାପାଖି ୮୦% ଶିଶୁ (୭୯.୬%) ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି। ଅର୍ଥାତ୍ ଶିଶୁର ଉପଯୁକ୍ତ ଅଭିବୃଦ୍ଧି ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଶିଶୁ ବା ଛୋଟ ପିଲାଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ସୂଚିତ ଖାଦ୍ୟ ବର୍ଗର ଅତି କମ୍ରେ ଚାରିଟି ଖାଦ୍ୟ (ଶସ୍ୟ, ମିଲେଟ୍, ସବୁଜ ପନିପରିବା, ଡାଲି, କ୍ଷୀର ବା କ୍ଷୀର ଜାତୀୟ ଖାଦ୍ୟ, ଫଳ, ମାଛ, ଅଣ୍ଡା ଇତ୍ୟାଦି) ଠିକଣା ସମୟରେ ଦିଆଯାଇ ପାରୁନାହିଁ।
ଖଣି ରାଜସ୍ବ ଓ ଶିଳ୍ପାୟନ ନେଇ ଓଡ଼ିଶା ସରକାର ପ୍ରଶଂସା ଗୋଟାଉଛନ୍ତି। ହେଲେ ଏହି ବିକାଶ ତଳେ ସାଧାରଣ ଲୋକଙ୍କର ବିକଳ ଚିତ୍ର ଜଳ ଜଳ। ରାଜ୍ୟର ସବୁ ଜିଲ୍ଲାର ସ୍ଥିତି ଉଦ୍ବେଗଜନକ ଥିଲେ ହେଁ, ସୁନ୍ଦରଗଡ଼, ଯାଜପୁର ଓ ଖୋର୍ଦ୍ଧା ସ୍ଥିତି ଅଧିକ ଗମ୍ଭୀର। ସୁନ୍ଦରଗଡ଼ରେ ୮୫.୩% ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି। ଯାଜପୁରରେ ଏହି ହାର ୮୬.୧% ଓ ଖୋର୍ଦ୍ଧାରେ ୮୬.୨%। ଏତିକି ହିଁ ସୂଚାଉଛି ଯେ ତୃଣମୂଳ ସ୍ତରକୁ ବିକାଶ, ସଚେତନତା ଏବଂ ସରକାରଙ୍କ ଯୋଜନା କେଉଁଠି, କେତେ ପହଞ୍ଚୁଛି।
କେବଳ ଏଇ ଗୋଟିଏ କଥା ନୁହେଁ, ବୟସ ଅନୁପାତରେ କମ୍ ଉଚ୍ଚତା, ଜନ୍ମ ସମୟରେ କମ୍ ଓଜନ ଶିଶୁ ପାଇଁ ବିପଦ ଟାଣିଆଣିଲାଣି। ଯାଜପୁର ଜିଲ୍ଲାର ନଗଡ଼ା ଓ ମାଲକାନଗିରି ଜିଲ୍ଲା ଏହାର ଗୋଟିଏ ଗୋଟିଏ ଉଦାହରଣ। ରାଜ୍ୟ ସରକାର ନା ନଗଡ଼ାର ନା ମାଲକାନଗିରିର, କାହାର ବି ଚିତ୍ର ବଦଳାଇ ପାରିଲେ ନାହିଁ। ତେବେ ପୂରା ଓଡ଼ିଶା କେବେ କୁପୋଷଣରୁ ମୁକ୍ତ ହେବ?
ଏହି ପ୍ରସଙ୍ଗଟି ଏଇଥିପାଇଁ ଗମ୍ଭୀର, କାରଣ ରାଜ୍ୟର ୩୧ ପ୍ରତିଶତ ଶିଶୁଙ୍କ ଉଚ୍ଚତା କମିଯାଉଛି। ଗତ ୩୦ ବର୍ଷର ତଥ୍ୟକୁ ନିରେଖି ଦେଖିଲେ ଜଣାପଡୁଛି ଯେ ଓଡ଼ିଶାରେ ପାଖାପାଖି ୧୮.୧% ଶିଶୁ ଅତି ପୁଷ୍ଟିହୀନତାରେ ଆକ୍ରାନ୍ତ, ଏମାନେ ଜୀବନ ସହିତ ପ୍ରତିଦିନ ସଂଘର୍ଷ କରୁଛନ୍ତି।
ଏପଟେ ଜାତୀୟ ପୁଷ୍ଟି ସର୍ବେକ୍ଷଣ ରିପୋର୍ଟ କହେ ବିଦ୍ୟାଳୟକୁ ଯାଇନଥିବା ରାଜ୍ୟର ୨୦% ଶିଶୁଙ୍କ ଠାରେ ଭିଟାମିନ୍-ଏର ଅଭାବ ରହିଛି। ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଠାରେ ଏହାର ପରିମାଣ ୧୮%। ସେହିଭଳି ବିଦ୍ୟାଳୟକୁ ଯାଇନଥିବା ୬.୭% ଶିଶୁଙ୍କ ଠାରେ ଭିଟାମିନ୍-ଡି ଅଭାବ ରହିଛି। ସ୍କୁଲ ପିଲା ଓ କିଶୋରଙ୍କ କ୍ଷେତ୍ରରେ ଏହାର ପରିମାଣ ଯଥାକ୍ରମେ ୧୨.୪% ଏବଂ ୧୮%।
ଶରୀରରେ ଜିଙ୍କ୍ର ଅଭାବ ମଧ୍ୟ କିଛି କମ୍ ନାହିଁ। ବିଦ୍ୟାଳୟକୁ ଯାଇନଥିବା ଏକ-ପଞ୍ଚମାଂଶ (୧୯%) ଶିଶୁ ଏହା ଦ୍ବାରା ପ୍ରଭାବିତ। ୧୬ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ ଓ ୪୨.୪ ପ୍ରତିଶତ କିଶୋରଙ୍କ ଠାରେ ମଧ୍ୟ ଏହି ଭିଟାମିନ୍ର ଅଭାବ ରହିଛି।
କେବଳ ଅନୁସୂଚିତ ଜନଜାତି ବା ଆଦିବାସୀ ଶିଶୁଙ୍କ ସ୍ବାସ୍ଥ୍ୟ କଥାକୁ ବିଚାରକୁ ନେଲେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚି ହେଉଛି; ଏମାନେ ରାଜନୈତିକ ନେତାଙ୍କ ପଶାପାଲିର ଗୋଟି ପାଲଟିଛନ୍ତି।
ସରକାରଙ୍କ ବଜେଟ୍ ଏ ଦିଗରେ ଆଦୌ ଲକ୍ଷ୍ୟଭେଦୀ ନୁହେଁ। ପାଖାପାଖି ୨୩ ପ୍ରତିଶତ ଲୋକଙ୍କୁ ପଛରେ ରଖି ସରକାର ନୂଆ ଓଡ଼ିଶା ସ୍ବପ୍ନ ଦେଖୁଛନ୍ତି କେମିତି?
ପରିସଂଖ୍ୟାନ କହୁଛି, ରାଜ୍ୟରେ ପ୍ରତି ହଜାରରେ ଶିଶୁ ମୃତ୍ୟୁ ହାର ୩୬ ରହିଛି। ହେଲେ ଆଦିବାସୀ ଶିଶୁଙ୍କ କ୍ଷେତ୍ରରେ ଏହା ୫୬। ୫ ବର୍ଷର ଶିଶୁଙ୍କ ମୃତ୍ୟୁହାରକୁ ମାପକାଠି କଲେ ଆହୁରି ଭୀଷଣ ଚିତ୍ର ସାମ୍ନାକୁ ଆସୁଛି। ରାଜ୍ୟରେ ପ୍ରତି ହଜାରରେ ୬୬.୨ ଜଣ ଆଦିବାସୀ ଶିଶୁର ଆୟୁଷ ପାଞ୍ଚ ବର୍ଷ ଟପୁନାହିଁ।
ପ୍ରତି ଶହେ ଆଦିବାସୀ ଶିଶୁଙ୍କ ମଧ୍ୟରୁ ୨୨.୮ ଶିଶୁ ନିର୍ଦ୍ଧାରିତ ଓଜନ ଠାରୁ କମ୍ ରହୁଥିବା ବେଳେ ଅତି କମ୍ ଓଜନର ଶିଶୁଙ୍କ ସଂଖ୍ୟା ପ୍ରତି ଶହେରେ ୮.୫ ରହିଛି। ଏହାଠାରୁ ଆଉ ବିଚଳିତ କରିବା ଭଳି ତଥ୍ୟ କ’ଣ ହୋଇପାରେ?
କେବଳ ସେତିକି ନୁହେଁ, ଆଦିବାସୀ ବର୍ଗର ସିଂହଭାଗ ଶିଶୁ (୭୨.୯%) ଏନେମିଆ ବା ରକ୍ତହୀନତାରେ ଆକ୍ରାନ୍ତ। ସାଧାରଣ ବର୍ଗର ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଏହି ହାର ଚିନ୍ତାଜନକ (୬୪.୨%) ରହିଛି। କେବଳ ଶିଶୁ ନୁହେଁ, ମହିଳାଙ୍କ ଅବସ୍ଥା ଆହୁରି ଜଟିଳ। ୧୫ରୁ ୪୯ ବର୍ଷ ବୟସର ୭୧.୭% ଆଦିବାସୀ ମହିଳା ମଧ୍ୟ ଏନେମିଆରେ ଆକ୍ରାନ୍ତ।
ସେହିଭଳି ଜାତୀୟ ପୁଷ୍ଟି ସର୍ବେକ୍ଷଣ ରିପୋର୍ଟ କହୁଛି, ରାଜ୍ୟରେ ବିଦ୍ୟାଳୟରେ ପାଠପଢ଼ାରେ ଥିବା ପ୍ରାୟ ଏକ-ପଞ୍ଚମାଂଶ ଅର୍ଥାତ୍ ୧୯.୨% ଶିଶୁ ପ୍ରି-ଡାଇବେଟିକ୍ ବା ଡାଇବେଟିସ୍ ପୂର୍ବାବସ୍ଥାରେ ଅଛନ୍ତି। ୧୯% କିଶୋରଙ୍କ ଠାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଜାତୀୟ ସ୍ତରରେ ଏହାର ହାର ଯଥାକ୍ରମେ ୧୦.୩% ଏବଂ ୧୦.୪%।
ଅନ୍ୟ ପକ୍ଷରେ ଦୁର୍ବଳ, ଅପପୁଷ୍ଟ ଏବଂ ଶାରୀରିକ ତଥା ମାନସିକ ବିକୃତି ସହିତ ଶିଶୁ ଜନ୍ମ ହେବାର ଗୋଟିଏ ଗୁରୁତର କାରଣ ହେଉଛି, ଗର୍ଭଧାରଣ ସମୟରେ ପ୍ରତି ଶହେରେ ପାଞ୍ଚ ଜଣ ମହିଳା (୧୮ରୁ ୪୯ ବର୍ଷ ବୟସ୍କ) ଘରୋଇ ହିଂସା ଏବଂ କ୍ଷୁଧାର ଶିକାର ହେଉଛନ୍ତି। ବିଶେଷଜ୍ଞ କୁହନ୍ତି ଯେ ଏହି ସମୟରେ ଜଣେ ମହିଳା ଅତିରିକ୍ତ ଗୋଟିଏ ମିଲ୍ ବା ଅଧିକ ଜଣକର ଖାଦ୍ୟ ଆବଶ୍ୟକ କରିଥାନ୍ତି।
ସେମାନଙ୍କ ପାଇଁ ମାନସିକ ସୁସ୍ଥତା ଯେତିକି ଜରୁରୀ, ଶାରୀରିକ ବିଶ୍ରାମ ସେତିକି ଅପରିହାର୍ଯ୍ୟ। ଏହାର ଅଭାବ ହେଲେ ସୁସ୍ଥ ଶିଶୁ ଜନ୍ମ ନେବେ କେମିତି? ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରୟାସୀ ଅଛନ୍ତି, ଅଥଚ ଘରୋଇ ହିଂସାର ସାମ୍ନା କରୁଥିବା ମହିଳା ଯେତେବେଳେ ଦୁର୍ବଳ ଭବିଷ୍ୟତ ସୃଷ୍ଟି କରୁଛନ୍ତି, ସେ କ୍ଷେତ୍ରରେ ଏହାର ସମାଧାନ ଦିଗରେ ଉଭୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମହିଳା ସଶକ୍ତୀକରଣ ବିଭାଗର ଭୂମିକା ଯଥେଷ୍ଟ ନୁହେଁ।
ଏସବୁ ସଂପର୍କରେ ଯେବେ କେହି ପ୍ରଶ୍ନ କରନ୍ତି, ସେବେ କୁହାଯାଏ ଯେ ଓଡ଼ିଶା ନ୍ୟୁଟ୍ରିସନ୍ ବଜେଟ୍ ପ୍ରସ୍ତୁତ କରୁଛି। ଏଥିରେ ବି ରାଜ୍ୟ ଆଗରେ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ବର୍ଷ ବର୍ଷ ଧରି ଏହି ବର୍ଗ ପାଇଁ ଉଦ୍ଦିଷ୍ଟ ଯୋଜନାର ତେବେ ଲାଭାର୍ଥୀ କିଏ? ରାଜ୍ୟ ସରକାରଙ୍କ ବଜେଟ୍ର ଏକ ବିଶେଷ ଅଂଶ ଯଦି ଏମାନଙ୍କ ଲାଗି ସମର୍ପିତ; ଶିଶୁମାନଙ୍କ ପାଖରେ ଏସବୁ ପହଞ୍ଚୁନି କାହିଁକି?
କେଉଁମାନେ ସରକାରଙ୍କ ଯୋଜନା ଓ ଆଦିବାସୀଙ୍କ ବିକାଶ ମଧ୍ୟରେ ପାଚେରି ହୋଇ ଠିଆ ହୋଇଛନ୍ତି? କେଉଁମାନେ ମାଆ ଓ ଶିଶୁଙ୍କ ଖାଦ୍ୟକୁ ଚୋରାଇ ଓଡ଼ିଶାକୁ ବିକଳାଙ୍ଗ କରିବା ଲାଗି ଷଡ୍ଯନ୍ତ୍ର କରୁଛନ୍ତି? ସରକାର ଏଥିପାଇଁ କାହିଁକି କାହାକୁ ଉତ୍ତରଦାୟୀ କରୁନାହାନ୍ତି? କିନ୍ତୁ ଏଭଳି ପ୍ରଶ୍ନର ଉତ୍ତର ଦେବ କିଏ?
ସରକାର ଜାଣିବା ଦରକାର ଯେ ପୁଷ୍ଟିହୀନତା ଏକ ନିରବ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିସାରିଲାଣି। ଯଦି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହିତ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବରେ ଉଭା ହେବାକୁ ଚାହେଁ, ତେବେ ପୌଷ୍ଟିକତା କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଚାରି ଗୁଣା କରିବା ସହିତ କାର୍ଯ୍ୟାନ୍ବୟନକୁ ପ୍ରାଥମିକତା ଦିଆଯିବା ଉଚିତ୍। ପାଞ୍ଚ ଟଙ୍କିଆ ଆହାର ଯୋଜନା ଅଥବା ଟଙ୍କିକିଆ ଚାଉଳ ଅନାହାର ମୃତ୍ୟୁ ରୋକିପାରେ; କିନ୍ତୁ ଛତୁଆ ଯୋଗାଣ ଅବା ମଧ୍ୟାହ୍ନ ଭୋଜନ ଜରିଆରେ ଏହି ବିଶାଳ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ‘୫ଟି’ କାର୍ଯ୍ୟକ୍ରମରେ ମନ୍ଦିର ବିକାଶକୁ ଗୁରୁତ୍ବ ଦିଆଯାଉ, ଆପତ୍ତି ନାହିଁ; କିନ୍ତୁ ତା’ ସହିତ ଓଡ଼ିଶାର ଯେଉଁମାନେ ଭବିଷ୍ୟତ ସେମାନଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ମଧ୍ୟ ଦିଆଯିବା ଦରକାର। ମନେ ରହିବା ଉଚିତ ଯେ ଦୀର୍ଘ ଦିନ ଧରି ଗୋଟିଏ ପରିବାରରେ ଅପପୁଷ୍ଟି ରହିଲେ ଉତ୍ତରପିଢ଼ି ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବେ।
ମୋ: ୯୯୩୭୪ ୭୪୨୭୪