ଦୁଇ ବନ୍ଧୁ ରାମ ବାବୁ ଓ ହରି ବାବୁ ରେଳ ଯୋଗେ ବୁଲି ବାହାରିଲେ। କିନ୍ତୁ ପାଗ ଖରାପ ଥିବାରୁ ରେଳ ଗାଡ଼ି ବିଳମ୍ବରେ ଚାଲୁଥାଏ। ସେମାନେ ଯେଉଁ ଷ୍ଟେସନରେ ଓହ୍ଲାଇଲେ ସେଠି ତାଙ୍କ ରେଳ ପହଞ୍ଚିଲା ଚାରି ଘଣ୍ଟା ଡେରିରେ। ସେଇ ଷ୍ଟେସନରୁ ସେମାନେ ଆଉ ଗୋଟିଏ ରେଳ ଧରି ଆଗକୁ ଯିବାର ଥିଲା। କିନ୍ତୁ ଏଇ ରେଳର ବିଳମ୍ବ କାରଣରୁ ସେମାନେ ପର ରେଳଗାଡ଼ି ବି ଫେଲ୍‌ ହେଲେ। ପରଦିନ ଦ୍ବି ପହରେ ଯାଇ ସେମାନେ ରେଳ ଗାଡ଼ିଟି ପାଇବେ।

Advertisment

ସେ ଦିନ ବହୁତ ରେଳ ବିଳମ୍ବରେ ଚାଲୁଥାଏ। ତେଣୁ ସେ ଦୁହିଁଙ୍କ ଭଳି ଅନ୍ୟାନ୍ୟ ଲୋକେ ବି ବିଭିନ୍ନ ଟ୍ରେନ୍‌ ଫେଲ ହୋଇ ଷ୍ଟେସନରେ ବିଶ୍ରାମ ନେଉଥାଆନ୍ତି। ତେଣୁ ପ୍ଲାଟଫର୍ମରେ ବହୁତ ଭିଡ଼।

ହରି ବାବୁ କହିଲେ- ଚାଲ, ଗୋଟିଏ ଜାଗା ଖୋଜି ରାତିଟା କେଉଁଠି ଟିକିଏ ଗଡ଼ିଗଲେ ହେଲା। କାଲିକୁ ତ ବାହାରିବା। ରାମ ବାବୁଙ୍କ ମନ କିନ୍ତୁ ମାନିଲା ନାହିଁ।

ତେବେ ହରି ବାବୁ ଏମିତି ଜାଗାଟିଏ ପାଇଲେ ଯେଉଁଠି ସେମାନେ ଦୁହେଁ ଗଡ଼ିଯାଇପାରିବେ। ସେଠାରେ ସେମାନେ ଶୋଇବାର ଚେଷ୍ଟା କଲେ।

ରାମ ବାବୁଙ୍କ ମନ କିନ୍ତୁ ମାନୁ ନ ଥିଲା। ସେ କହିଲେ- ନା ଭାଇ ମୋତେ ଏ ଜାଗା ପୋଷେଇବ ନାହିଁ। ମୁଁ ଟିକିଏ ଭଲ ଜାଗା ଖୋଜେ।
ସୁତରା˚, ହରି ବାବୁ ସେଠି ଗଡ଼ି ପଡ଼ିଲା ବେଳକୁ ରାମ ବାବୁ ଆଉ ଭଲ ଜାଗା ଖୋଜିବାକୁ ବାହାରି ଗଲେ। ସେ ମନେ ମନେ ଭାବୁଥିଲେ ଯାହା ମିଳିଲା ହରି ସେଥିରେ ସନ୍ତୁଷ୍ଟ। ମୋତେ ତାହା ଜମା ଭଲ ଲାଗେନାହିଁ।

ରାମ ବାବୁ କିନ୍ତୁ ଭଲ ଜାଗା ଖୋଜି ଖୋଜି ନୟାନ୍ତ ହୋଇ ମନଲାଖି ଜାଗା ନ ପାଇବାରୁ ବାଧୢ ହୋଇ ହରି ବାବୁଙ୍କ ପାଖକୁ ଫେରିଲେ। କିନ୍ତୁ ସେତିକି ବେଳକୁ ହରି ବାବୁଙ୍କ ପାଖରେ ଆଉ ଜଣେ ଶୋଇ ପଡ଼ିଥିଲା। ରାମ ବାବୁ ଅଗତ୍ୟା ବସି ବସି ରାତି କାଟିଲେ। ଏବେ ବସି ବସି ରାମ ବାବୁ ଭାବୁଥିଲେ- ମୋ ନିଜ ଦୋଷରୁ ମୁଁ ଭୋଗୁଛି।